ଅବ୍ୟବସ୍ଥା ଘେରରେ ଉର୍ମାଗଡ଼ ଜଳପ୍ରପାତ
କନ୍ଧମାଳରୁ ପାର୍ଥ ସାରଥି ବିଶ୍ୱାଳ : ପର୍ଯ୍ୟଟନ ୠତୁ ଆସିଲେ କନ୍ଧମାଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳମାନଙ୍କରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ପ୍ରକୃତିର ମନଲୋଭା ଦୃଶ୍ୟ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ଜଙ୍ଗଲି ଜଳପ୍ରପାତ ନିକଟରେ ସାଙ୍ଗସାଥି ଗହଣରେ ବଣ ଭୋଜି କରିବାର ମଜା ପର୍ଯ୍ୟଟକମାନଙ୍କୁ ବେଶ୍ ଆକର୍ଷିତ କରିଥାଏ । ଜୀବନର ବ୍ୟସ୍ତବହୁଳତା ମଧ୍ୟରୁ କିଛି ସମୟ ବାହାର କରି ପ୍ରାକୃତିକର ଏସବୁ ଅପରୂପ ସୁନ୍ଦରତାକୁ ହୃଦୟଙ୍ଗମ କରିବାକୁ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ନିଜ ମୋହରେ ବାନ୍ଧି ରଖିବା ପାଇଁ କନ୍ଧମାଳ ଜିଲ୍ଲାରେ ମଧ୍ୟ ପର୍ଯ୍ୟଟନ ସ୍ଥଳୀ କିମ୍ବା ସୌନ୍ଦର୍ଯ୍ୟତାର ଅଭାବ ନାହିଁ । ଏହି ବଣଭୋଜି ଋତୁରେ ଏସବୁର ଭରପୂର ମଜା ନେବା ପାଇଁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମେତ ଉର୍ମାଗଡ଼ ଜଳପ୍ରପାତରେ ଆଗନ୍ତୁକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।
ଫୁଲବାଣୀ ବ୍ଲକରେ ଥିବା ଉର୍ମାଗଡ ଜଳପ୍ରପାତ ସୌନ୍ଦର୍ଯ୍ୟ ଅତି ମନୋଲୋଭା । ଏହି ଜଳ ପ୍ରପାତ କଟ୍ରିଙ୍ଗୀଆ ପଞ୍ଚାୟତରେ ଅବସ୍ଥିତ । ଏଠାକୁ ପହଞ୍ଚôବାକୁ ହେଲେ ଫୁଲବାଣୀ ସହରରୁ ହାରାହାରି ୨୫ କିଲୋମିଟର ଯାତ୍ରା କରିବାକୁ ପଡିଥାଏ । ସାତଟି ପାହାଡର ପାଣି ଏହି ଜଳପ୍ରପାତରେ ପ୍ରବାହିତ ହେଉଥିବା ବେଳେ ୫୦ରୁ ୬୦ ଫୁଟ ଉଚ୍ଚତାରୁ ପାଣି ଖସୁଛି । ଉଚ୍ଚନୀଚ୍ଚ ପଥରର ଚଟାଣ ମଧ୍ୟରେ ଅଙ୍କାବଙ୍କା ପାଣିର ଗତି ନିଘଞ୍ଚ ଅରଣ୍ୟର ସୌନ୍ଦର୍ଯ୍ୟ ଶାନ୍ତ ପରିବେଶ ବେଶ୍ ମନମୋହୁଛି । ଏସବୁକୁ ନିକଟରୁ ଦେଖି ଆନନ୍ଦିତ ହେବା ସହ ଭୋଜିଭାତର ଆଡ୍ଡା ଜମାଉଛନ୍ତି ପର୍ଯ୍ୟଟକ । କିଏ ସେଲ୍ଫି ନେଉଛି ତ କିଏ ଜଳପ୍ରପାତରେ ପ୍ରବାହିତ ପାଣିରେ ଗାଧୋଇବାର ମଜା ନେଉଛି । ପରିବାର, ସାଙ୍ଗସାଥି ଓ ବନ୍ଧୁବାନ୍ଧବ ମିଶି ଏଠାକୁ ଆସି ନାଚଗୀତ କରି ଭୋଜିଭାତ କରି ମଜା ନେଉଥିବା ଦେଖିବାକୁ ମିଳୁଛି । ପର୍ଯ୍ୟଟକ ମାନଙ୍କ ପାଇଁ ଏଠାରେ ଗୋଟାଏ ହିଲ୍ଭିୟୁ ପଏଣ୍ଟ, ଦୁଇଟି କୁଡିଆ ଦୁଇଟି ଟଏଲେଟ ଛୋଟ ଛୋଟ ପିଲାଙ୍କ ପାଇଁ ମିନି ପାର୍କର ବ୍ୟବସ୍ଥା ରହିଛି । କିନ୍ତୁ ଏହାଛଡା ଆଜି ପର୍ଯ୍ୟନ୍ତ ଏହି ସ୍ଥାନର ଆଶାନୁରୂପ ବିକାଶ ହୋଇପାରିନାହିଁ । ପାନୀୟଜଳ, ଖସଡା ପଥର ଚଟାଣରେ ରେଲିଂ ର ବ୍ୟବସ୍ଥା ନାହିଁ । ରହିଥିବା କଟେଜ ପରିଷ୍କାର ନାହିଁ ଟଏଲେଟ ଖୋଲା ଯାଉନାହିଁ । ସଫେଇ କର୍ମଚାରୀ ନଥିବାରୁ ଭୋଜିଭାତ ପରେ ସୃଷ୍ଟି ହେଉଥିବା ଆବର୍ଜନା ଏଣେତେଣେ ପଡିରହି ପରିବେଶ ଦୂଷିତ ହେଉଛି । ସୁରକ୍ଷାକର୍ମୀ ନିୟୋଜିତ ନଥିବାରୁ ଅସାଧୁ ବ୍ୟକ୍ତିଙ୍କ ଭୟ ରହୁଛି । ଏସବୁ ଆନୁସାଙ୍ଗୀକ ବ୍ୟବସ୍ଥା ଅଭାବରୁ ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି । ଏହି ସ୍ଥାନରେ ପ୍ରକୃତିର ଅପାର ସମ୍ଭୋଗ ସହ ମନ ହର୍ଶିତ ଦୃଶ୍ୟମାନ ଭରି ରହିଛି କେବଳ ବିକାଶ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏଣୁ କନ୍ଧମାଳର ପରିଚୟ ବୋଲାଉ ଥିବା ଏହି ଊର୍ମାଗଡ ଜଳପ୍ରପାତ ଅତିରଞ୍ଜିତ ସହ ମନୋଲୋଭା କରିବାପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଏହି ପର୍ଯ୍ୟଟନସ୍ଥଳୀ ତାର ଉକ୍ରୃଷ୍ଟତା ଲାଭ କରିପାରିବ ।