ନେତାଜୀ ସୁଭାଷ ଓ ଆଧ୍ୟାତ୍ମବାଦ
ବାଦଲ ଭୂୟାଁ : ଛାତ୍ର ଜୀବନରୁ ରାଜନୈତିକ ସଂଘର୍ଷ ଓ ସ୍ୱାଧୀନତା ସଂଗ୍ରାମ ସବୁଠି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି କଟକ ସହିତ ଜଡ଼ିତ ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୧ରୁ ନେତାଜୀଙ୍କ ଜନ୍ମ ଦିବସ ତଥା ଜାନୁଆରୀ ୨୩କୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ପ୍ରଥମେ ଏହାକୁ କୋଲକାତା ଓ ପରେ ଲାଲକିଲ୍ଳାରେ ଆୟୋଜନ କରାଯାଉଥିଲା । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବାରବାଟୀ ଦୁର୍ଗ ମଧ୍ୟରେ ଥିବା ସତ୍ୟବ୍ରତ ଷ୍ଟାଡିୟମରେ ଏହା ପାଳନ ହୋଇଥିଲା । କହିବାକୁଗଲେ ନେତାଜୀଙ୍କ ପରିଚୟ ପ୍ରଦାନରେ ସଂକୀର୍ଣ୍ଣତାର ସ୍ଥାନ ନାହିଁ କାରଣ ସେ କେବଳ କଟକ, ଓଡ଼ିଶା ବା କୋଲକାତା ଭିତରେ ସୀମିତ ରହିନଥିଲେ । ସେ ଥିଲେ ଦେଶର ସମ୍ପତ୍ତି । ଯୁଗେ ଯୁଗେ ମୁନି, ଋଷିଗଣ ଆଧ୍ୟାତ୍ମମାର୍ଗରେ ଦେଶ ପରିଚାଳନା ପାଇଁ ପ୍ରଚେଷ୍ଟା କରିଆସିଛନ୍ତି । ତେଣୁ ପିଲାଦିନୁ ନେତାଜୀ ସୁଭାଷ ବୋଷ ଆଧ୍ୟାତ୍ମବାଦ ଆଡ଼କୁ ଆକର୍ଷିତ ହେବା ସ୍ୱାଭାବିକ ଥିଲା । ସେ ପ୍ରତିଦିନ ଗୀତା ପଢ଼ିବା ସହ ମା'ଙ୍କଠାରୁ ରାମାୟଣ, ମହାଭାରତ କଥା ଶୁଣୁଥିଲେ । ବାପାଙ୍କ ସହ ସେ ସଚ୍ଚିଦାନନ୍ଦ ମଠକୁ ଯାଉଥିଲେ । ନେତାଜୀଙ୍କ ପିଲାଦିନରେ ଏହି ଆଧ୍ୟାତ୍ମବାଦର ମୂକସାକ୍ଷୀ ହୋଇଛି କଟକ ବାଉଁଶଗଳିସ୍ଥିତ ସଚ୍ଚିଦାନନ୍ଦ ମଠ । ମଠର ପ୍ରତିଷ୍ଠାତା ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ବନେ୍ଧଇ ଫଠୋ ମଠ ପକ୍ଷରୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ପ୍ରଦାନ କରାଯାଇଛି । ଯାହାକି ସଂଗ୍ରହାଳୟର ୧୦ ନମ୍ବର ଗ୍ୟାଲେରୀରେ ଏହି ଫଟୋ ସ୍ଥାନିତ ହୋଇଛି । ବିଶ୍ୱବ୍ୟାପୀ ଗୌଡ଼ୀୟ ମଠ ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ଘର କେନ୍ଦ୍ରାପଡ଼ା ନିକଟ ଛୋଟିମଙ୍ଗଳପୁର ଗ୍ରାମରେ । ସରସ୍ୱତୀ ଗୋସ୍ୱାମୀ ପ୍ରଥମେ କଟକର ଗଣେଶଘାଟ ଓ ପରେ ଓଡ଼ିଆବଜାରସ୍ଥିତ ନେତାଜୀଙ୍କ ଘର ନିକଟସ୍ଥ ଏକ ଭଡ଼ାଘରେ ସଚ୍ଚିଦାନନ୍ଦ ମଠ ସ୍ଥାପନ କରିଥିଲେ । ଗୌଡ଼ୀୟ ମଠର ବରିଷ୍ଠ ସନ୍ନ୍ୟାସୀ ଭକ୍ତିପ୍ରଦୀପ ତୀର୍ଥ ମହାରାଜ ଓ ରେଭେନ୍ସା କଲେଜର ତକ୍ରାଳୀନ ବରିଷ୍ଠ ଇତିହାସ ଅଧ୍ୟାପକ ନିଶିକାନ୍ତ ସାନ୍ୟାଲ (ସୁଧାକର ପଣ୍ଡା) ପ୍ରମୁଖ ଜାନକୀନାଥ ବୋଷ ନେତାଜୀଙ୍କ ପିତା ଙ୍କ ଘରକୁ ଭିକ୍ଷାର୍ଥେ ଯିବା ଆସିବା କରୁଥିଲେ । ଜାନକୀନାଥ ବାବୁ ସଚ୍ଚିଦାନନ୍ଦ ମଠରେ ଠାକୁର ଓ ସାଧୁ ବୈଷ୍ଣବଙ୍କ ସେବା ପାଇଁ ପ୍ରତି ମାସରେ ୧୩୦୦ ଟଙ୍କା ପ୍ରଦାନ କରୁଥିଲେ । ମଠରେ ଶ୍ରୀଗୌରହରି ଓ ଶ୍ରୀରାଧାକୃଷ୍ଣଙ୍କ ବିଗ୍ରହ ବିନୋଦ ରମଣଙ୍କୁ ଆରାଧନା କରାଯାଉଥିଲା । ସକାଳ ସନ୍ଧ୍ୟାରେ ମଧୁର ସଂକୀର୍ତ୍ତନ ଓ ଭକ୍ତ ଗ୍ରନ୍ଥାଦି ପାଠବ୍ୟାଖ୍ୟା ହୁଏ । ସେତେବେଳେ ସଚ୍ଚିଦାନନ୍ଦ ମଠକୁ ଅନେକେ ବୈକୁଣ୍ଠ ବୋଲି ବର୍ଣ୍ଣନା କରୁଥିଲେ । ବାପା ଜାନକୀନାଥଙ୍କ ସହ ସୁଭାଷ ପିଲାଦିନେ ବହୁବାର ସନ୍ଧ୍ୟାରେ ମଠକୁ ଯାଉଥିଲେ । ପରେ ଏହି ମଠ ବାଉଁଶଗଳିରେ ସ୍ଥାୟୀ ଜମିକୁ ସ୍ଥାନାନ୍ତର ହେଲା । ସେଠାରେ ମନ୍ଦିର ନିର୍ମାଣ ହୋଇ ଶ୍ରୀବିଗ୍ରହମାନଙ୍କୁ ସ୍ଥାପନ କରାଯାଇଥିଲା । ପତ୍ରିକା ଅନୁଷ୍ଠାନର ମୁଖଦର୍ପଣ ପରି । ତେଣୁ ୧୯୩୨ରୁ ଓଡ଼ିଆ ପତ୍ରିକା "ପରମାର୍ଥୀ' ପ୍ରକାଶ ଆରମ୍ଭ ହୋଇଥିଲା । ଏହି ପତ୍ରିକାରେ ପ୍ରାକ୍ତନ ସମ୍ପାଦକ ଯତିଶେଖର ଭକ୍ତିଶାସ୍ତ୍ରୀ ଉପରୋକ୍ତ ବିଷୟରେ ଉଲ୍ଲେଖ କରିଛନ୍ତି । ଜାନକୀନାଥ ଆମିଷାଦି ତ୍ୟାଗ କରି ସଦାଚାର ଜୀବନଯାପନ କରୁଥିଲେ । ଏଥିସହ ଶ୍ରୀଗୌରଙ୍କ ଜନ୍ମସ୍ଥଳୀ ନବଦ୍ୱୀପର ଯୋଗପୀଠ ମନ୍ଦିର ମଧ୍ୟ ଦର୍ଶନ କରୁଥିଲେ । ପିତାଙ୍କ ଏସବୁ ଆଧ୍ୟାତ୍ମିକ କାର୍ଯ୍ୟାବଳୀ ତଥା ମାନସିକତାର ପ୍ରଭାବ ସୁଭାଷଙ୍କ ଉପରେ ପଡ଼ିଥିଲା । କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ପଢ଼ିବାବେଳେ ବାବାଜୀ ମହାରାଜଙ୍କ ପାଖକୁ ଯାଇ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଶୁଣୁଥିଲେ । ଏହାଦ୍ୱାରା ସୁଭାଷଙ୍କ ମନରେ ଶ୍ରୀଚୈତନ୍ୟ ଦେବଙ୍କ ପ୍ରତି ଶ୍ରଦ୍ଧାଭାବ ଜାଗରିତ ହୋଇଥିଲା ।
ଥରେ ନେତାଜୀ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ କଲିକତା ଗୌଡ଼ୀୟ ମଠକୁ ଆସି ଶ୍ରୀଲ୍ ପ୍ରଭୁପାଦଙ୍କ ଶ୍ରୀଚୈତନ୍ୟ ବାଣୀ ପ୍ରଚାରରେ ବହୁ ଶିକ୍ଷିତ ଯୁବକ ଆକୃଷ୍ଟ ହେଉଥିବା ଜାଣିବାକୁ ପାଇଥିଲେ । କେତେଜଣ ଯୁବକଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମ ନିମନ୍ତେ ଦେବା ଲାଗି ନେତାଜୀ ଶ୍ରୀଲ ପ୍ରଭୁପାଦଙ୍କୁ ଅନୁରୋଧ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ ସାମନ୍ତରାୟପୁରର ଜନୈକ ଲେଖକ ତାଙ୍କ ପ୍ରବନ୍ଧ ଶ୍ରୀଶ୍ରୀଲ ପ୍ରଭୁପାଦ ପଣ୍ଡିତ ମାଲବ୍ୟଜୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରେ ଏ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଅନୁରୋଧ ଶୁଣି ଶ୍ରୀଲ ପ୍ରଭୁପାଦ ନେତାଜୀଙ୍କୁ ପଚାରିଲେ, ଆପଣ ପୁନର୍ଜନ୍ମରେ ବିଶ୍ୱାସ କରନ୍ତି? ନେତାଜୀ ଉତ୍ତର ଦେଇଥିଲେ ଏପରି କେଉଁ ହିନ୍ଦୁ ଅଛି ଯେ ପୁନର୍ଜନ୍ମରେ ବିଶ୍ୱାସ ନରଖିବ । ଏହାପରେ ଶ୍ରୀଲ ପ୍ରଭୁପାଦ କହିଲେ, ଯଦି ଦୈବବଶତଃ ଆପଣଙ୍କ ମୃତୁ୍ୟ ହୋଇଯାଏ ଏବଂ ଆପଣଙ୍କର ପରବର୍ତ୍ତୀ ଜନ୍ମ ଇଂଲଣ୍ଡରେ ହୁଏ, ତେବେ ମଧ୍ୟ କ'ଣ ଆପଣ ଭାରତର ସ୍ୱାଧୀନତା ପାଇଁ ପ୍ରୟାସ କରିବେ । ନେତାଜୀ କହିଥିଲେ ଆପଣଙ୍କ ଅଭିପ୍ରାୟ ବୁଝିପାରିଲି, ତଥାପି ମାତୃଭୂମିର ସେବା କରିବା ପାଇଁ ଚିନ୍ତାକରିବା ମଧ୍ୟ ଉଚିତ । ଶ୍ରୀଲ ପ୍ରଭୁପାଦ କହିଲେ କେବଳ ଭାରତୀୟମାନଙ୍କ ଅନିତ୍ୟ ସ୍ୱତନ୍ତ୍ରତା ପାଇଁ ଆପଣ ଚିନ୍ତିତ । କିନ୍ତୁ ମୁଁ ସମ୍ପୂର୍ଣ୍ଣ ମାନବ ଜାତିକୁ ଏହି ଦୁଃଖାଳୟ ସଂସାର କାରାଗାରରୁ ମୁକ୍ତ କରିବା ପାଇଁ ଚିନ୍ତିତ । ନେତାଜୀ କହିଥିଲେ, ମୁଁ ପୂର୍ବରୁ ଏଭଳି ବିଚାର କେବେ ବି ଶୁଣି ନଥିଲି । ଗୀତାର ଶିକ୍ଷା ମୋତେ କେହି ଏଭଳି ବର୍ଣ୍ଣନା କରି ବୁଝାଇ ନାହାନ୍ତି । ଯାହାହେଉ, ମୁଁ ଏବେ ସ୍ୱାଧୀନତା ସଂଗ୍ରାମରେ ଏତେ ଆଗେଇ ଯାଇଛି ଯେ ଏବେ ଆଉ ପଛକୁ ଫେରିବା ମୋ ପକ୍ଷରେ ସମ୍ଭବ ହେବନାହିଁ । ଏତିକି କହି ଶ୍ରୀଲ ପ୍ରଭୁପାଦଙ୍କୁ ପ୍ରଣାମ ଜଣାଇ ସେଠାରୁ ବିଦାୟ ନେଇଥିଲେ ନେତାଜୀ ।
ମୋ: ୯୨୦୪୬୫୨୦୬୫