ଆସକ୍ତି ଓ ବୈରାଗ୍ୟ
ଦିନେ ସମସ୍ତଙ୍କର ଅଲକ୍ଷ୍ୟରେ ଦୁଇଜଣଙ୍କ ମତରେ ଖୁବ୍ ବିବାଦ ଲାଗିଲା । ସେମାନେ ନିଜର ବିବାଦକୁ ନିଜ ନିଜ ଭିତରେ ତୁଟାଇ ପାରୁନଥିଲେ । ଶେଷରେ ସେ ଦୁହେଁ ସ୍ଥିରକଲେ ଯେ ସମସ୍ତଙ୍କ ଅଲକ୍ଷ୍ୟରେ ପୁରୀଧାମକୁ ଯାଇ ନିଜ ନିଜର ଦ୍ୱନ୍ଦ୍ୱ ଦୂର କରିବେ । ସେଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଖୁବ୍ ଭିଡ଼ ଲାଗିଥିଲେ ମଧ୍ୟ କେହି ସେ ଦୁଇଜଣଙ୍କୁ ଦେଖିପାରୁନଥିଲେ । କିନ୍ତୁ ଯୋଡ଼ହସ୍ତରେ ଠିଆ ହୋଇଥିଲା ବେଳେ ତିନିଠାକୁରଙ୍କ ମୁହଁରୁ ଏକ ସ୍ୱରରେ ଗୋଟିଏ ଶବ୍ଦ ବାହାରିଲା, “ଆସକ୍ତି ଓ ବୈରାଗ୍ୟ, ତୁମେ ଦୁହେଁ କ’ଣ ଏଠାକୁ ମାଗିବାକୁ ଆସିଛ?”ଆସକ୍ତି କହିଲା ଆପଣ ଏ ଜୀବଜଗତ ଓ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି । କି ସୁନ୍ଦର ଲାଗୁଛି । ସମସ୍ତେ ନିଜ ନିଜର ଇନ୍ଦି୍ରୟ ଦ୍ୱାରା ଏହାକୁ ଉପଭୋଗ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ଏଥିରେ ଅତ୍ୟନ୍ତ ଖୁସି ଓ ଆନନ୍ଦିତ; କିନ୍ତୁ ଏ ବୈରାଗ୍ୟକୁ ଦେଖନ୍ତୁ ସେ ସୃଷ୍ଟକର୍ତ୍ତାଙ୍କ ସୃଷ୍ଟିର ଉଦେ୍ଦଶ୍ୟ କିଛି ବୁଝିନାହିଁ । କହୁଛି ବୈରାଗ୍ୟଭାବ ବଢ଼ାଅ । ସାଧନ ଅର୍ଥ ନିଜ ଭିତରକୁ ଚାହଁ ବାହାରକୁ ନୁହେଁ । ବାହ୍ୟଜଗତ ମାୟାପୂର୍ଣ୍ଣ । ସବୁକିଛି ମନୁଷ୍ୟର ଭିତରେ ଅଛି । ଆସକ୍ତି ଭାବ ବାହାର ଜଗତ ପ୍ରତି ନ ବଢ଼ାଇ ବୈରାଗ୍ୟଭାବ ବଢ଼ାଅ ଓ ନିଜ ଭିତରକୁ ଚାହଁ । ବୈରାଗ୍ୟ ନିଜର ଯୁକ୍ତିରଖି କହିଲା, ମୁଁ ଆଜିକାଲି ମାନବ ସମାଜକୁ ମୋର ଯୁକ୍ତି ରଖି କହୁଛି, ରେ ମାନବ! ପିଲାଟିଏ ମା’ ପେଟରୁ ଜନ୍ମ ହୋଇଥାଏ । ସେ ମାତୃଗର୍ଭରେ ବଢ଼ିବା ପରେ ବାହାରକୁ ଆସେ ଓ ଭୂମିଷ୍ଠ ହୁଏ । ପ୍ରକୃତରେ ଆତ୍ମାର ଆଲୋକରେ ଆଖି ମାଧ୍ୟମରେ ବାହ୍ୟଜଗତକୁ ଦେଖେ । ଆଖି ଦେଖେ ନାହିଁ ଏହା ଦେଖିବାରେ ସାହାଯ୍ୟ କରୁଥାଏ । ଏକ ଯନ୍ତ୍ର ମାତ୍ର । ଆଜିକାଲିର ମନୁଷ୍ୟ ଦୁଇପଟର କାନରେ ଶ୍ରବଣ ଯନ୍ତ୍ର ଲଗାଇ ଶ୍ରବଣ କରୁଛି । ପ୍ରକୃତରେ ମନୁଷ୍ୟ ଭିତରେ ଥିବା ଆତ୍ମା ଶ୍ରବଣ କରୁଛି । କାନ ଦୁଇଟି ଏକ ଶ୍ରବଣ ଯନ୍ତ୍ର ମାତ୍ର ଯାହାର କି ଶୁଣିବାର ଶକ୍ତି ନାହିଁ । ସେହିପରି ମନୁଷ୍ୟ ଯାହା ତାର ଜିହ୍ୱା ମାଧ୍ୟମରେ ଗ୍ରହଣ କରେ ତାର ସ୍ୱାଦ ମନୁଷ୍ୟ ଭିତରେ ଥିବା ଆତ୍ମା ଗ୍ରହଣ କରେ । ଜିହ୍ୱା ଓ ପାଟି ଏକ ଯନ୍ତ୍ର ମାତ୍ର । ସ୍ପର୍ଶନେନ୍ଦି୍ରୟ ଓ ଘ୍ରଣେନ୍ଦି୍ରୟର ଅବସ୍ଥା ବି ସେହିପରି । ଏହି ଯୁକ୍ତି ଶୁଣି ଶ୍ରୀଜଗନ୍ନାଥ କହିଲେ ଏଠାକୁ ଲୋକ ଆସୁଛନ୍ତି ସତ କିନ୍ତୁ ବୁଝିପାରୁ ନାହାନ୍ତି ଯେ ମାନବତ୍ୱ ଓ ପଶୁତ୍ୱର ମିଶ୍ରିତ ରୂପ ହେଲା ମନୁଷ୍ୟ । ମଣିଷ ଭିତରେ ଏହି ଦୁଇଟି ଗୁଣ ଥାଏ ।
ବିବର୍ତ୍ତନବାଦରୁ ଆମେ ବୁଝିଥାଉ ପଞ୍ଚଭୂତରେ ତିଆରି ବୃକ୍ଷଲତା ଧୀରେ ଧୀରେ ପଶୁ ଓ ପଶୁତ୍ୱରୁ ମାନବ ସମାଜ ସୃଷ୍ଟ । ବୃକ୍ଷଲତା, ପଶୁପକ୍ଷୀ ଶେଷରେ ମନୁଷ୍ୟ ଭଗବାନଙ୍କ ଦ୍ୱାରା ସୃଷ୍ଟ । ଏହା ବିବର୍ତ୍ତନର ଯାହାକି ଅନେକ ଜ୍ଞାନୀଙ୍କ ମତରେ ମାଙ୍କଡ଼ରୁ ଧୀରେ ଧୀରେ ମନୁଷ୍ୟର ସୃଷ୍ଟି । ଏହା ଶୁଣିବାକୁ କୌତୁହଳପୂର୍ଣ୍ଣ ହେଲେ ମଧ୍ୟ ବିଶ୍ୱାସ କରିବାକୁ ପଡ଼ିଥାଏ । କୌଣସି ମଞ୍ଜି ଜାଣିଥାଏ ଯେ ସେ ଏକ ବିରାଟ ବୃକ୍ଷରେ ପରିଣତ ହେବ । ସେପରି କୌଣସି ବୃକ୍ଷ ଜାଣିନତାଏ ଯେ ସେ ପଶୁରେ ପରିଣତ ହେବ । କୌଣସି ପଶୁ ଜାଣିନଥାଏ ସେ ଧୀରେ ଧୀରେ ମାନବରେ ପରିଣତ ହେବ । ଯେପରି କୌଣସି ପଶୁ କହିପାରିବ ନାହିଁ ଯେ ବିବର୍ତ୍ତନବାଦରେ ସେ ମନୁଷ୍ୟ ହେବାକୁ ଚାହେଁ ନାହିଁ । ସେହିପରି କୌଣସି ମନୁଷ୍ୟ କହିପାରିବ ନାହିଁ ଯେ ବିବର୍ତ୍ତନବାଦରେ ସେ ଧୀରେ ଧୀର ମାଧବତ୍ୱ ଆଡ଼କୁ ଯିବ ନାହିଁ । ବଳଭଦ୍ର କହିଲେ, ହେ ଆସକ୍ତି ଓ ବୈରାଗ୍ୟ! ନିଜ ନିଜ ଭିତରେ ଝଗଡ଼ା କର ନାହିଁ । ମୁଁ ବଳଶାଳୀ ହେଲେ ମଧ୍ୟ ଅତ୍ୟନ୍ତ ଭଦ୍ର । ତେଣୁ ମୋର ନାମ ବଳଭଦ୍ର । ଜଗନ୍ନାଥ ତତ୍ତ୍ୱ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ । ସେ ହାତରେ ଧରିଥିବା ବଂଶୀ ଯାହାକି ଗୋଟିଏ ଫମ୍ପା ନଳୀ, ସେଥିରେ ସପ୍ତରନ୍ଧ୍ର କରି ସପ୍ତସ୍ୱରରେ ନିଜ ଆଡ଼କୁ ଆକୃଷ୍ଟ କରିଥାନ୍ତି । ସୁଭଦ୍ରା କହିଲେ ସ୍ୱର ବଂଶୀ ଭିତରୁ ସୃଷ୍ଟି ହୁଏ । ଅଧର କେବଳ ନିମିତ୍ତ ମାତ୍ର । ମନୁଷ୍ୟ ଭିତରେ ଭଗବାନ ଷଡ଼ରିପୁ ଯଥା : କାମ, କ୍ରୋଧ, ଲୋଭ, ମୋହ, ମଦ ମାତ୍ସାର୍ଯ୍ୟକୁ ଯେପରି ଭାବରେ ଖଞ୍ଜି ଦେଇଅଛନ୍ତି । ସେହିପରି ଭାବରେ ସତ୍ୟ, ଧର୍ମ ଶାନ୍ତି, ପ୍ରେମ, ଅହିଂସା ପଞ୍ଚମୂଲ୍ୟବୋଧକୁ ମନୁଷ୍ୟ ଭିତରେ ଖଞ୍ଜି ଦେଇ ମନୁଷ୍ୟର ଦୈନନ୍ଦିନ ଖେଳକୁ ଦେଖବ ଖୁସି ହେଉଥାନ୍ତି । ଉପରୋକ୍ତ ଷଡ଼ରିପୁଗୁଡ଼ିକୁ ବ୍ୟବହାର କରି ସେ ମାୟା ଜାଲରେ ପଡ଼ିଛି ନା ପଞ୍ଚମୂଲ୍ୟବୋଧକୁ ବ୍ୟବହାର କରି ତାର ଅର୍ନ୍ତନିହିତ ସତ୍ତାକୁ ବୁଝିପାରୁଛି । ପକ୍ଷୀ ଉପରକୁ ଉଡ଼େ । ଛୋଟ ଖାଦ୍ୟ କଣିକାକୁ ଦେଖି ଉପରୁ ତଳକୁ ଖସେ; କିନ୍ତୁ ଜାଲକୁ ଦେଖିପାରିନଥାଏ ଓ ଶେଷରେ ଜାଲରେ ପଡ଼ିଥାଏ । ବିଚରା ମନୁଷ୍ୟ ମୋ ପାଖକୁ ଧାଇଁଥାଏ ସିନା ଷଡ଼ରିପୁର ଆବେଗରେ ସେ ମାୟାଜାଲରେ ପଡ଼ି ଭିତରକୁ ଚାହିଁ ପାରିନତାଏ, ଯିଏ ଷଡ଼ରିପୁକୁ ଛାଡ଼ି ଅର୍ନ୍ତନିହିତ ପଞ୍ଚମୂଲ୍ୟବୋଧକୁ ଅନୁସରଣ କରି ଆତ୍ମଚେତନାରେ ବୁଡ଼ିରହେ ସେ ହିଁ ମାଧବତ୍ୱ ପ୍ରାପ୍ତ ହୁଏ । ଶ୍ରୀଜଗନ୍ନାଥ କହିଲେ ହେ ଆସକ୍ତି ଓ ବୈରାଗ୍ୟ! ତୁମେ ଦୁହେଁ ମୋର ଅତି ପି୍ରୟ ଓ ସ୍ୱତନ୍ତ୍ର । ନିଜ ନିଜ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କର ନାହିଁ ।
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨