ଅସାମାଜିକ ତତ୍ତ୍ୱ ଓ ଆମ ଆଦର୍ଶ

  ଗୋପାଳ  ମହାପାତ୍ର
ଭାରତବର୍ଷ ଏକଦା ବିଶ୍ୱଗୁରୁ ଥିଲା ବୋଲି କହି ଆମେ ନିଜକୁ ଗର୍ବିତ ଅନୁଭବ କରୁଛେ । ବିଗତ ଦଶନ୍ଧି ଧରି ଏକଥାକୁ ନେଇ ଚର୍ଚ୍ଚା ଅଧିକ ଜୋର ଧରିଛି ଏବଂ କୁହାଯାଉଛି ଯେ ଭାରତବର୍ଷ ପୁନଃ ବିଶ୍ୱ ଗୁରୁ ହେବାକୁ ଯାଉଛି । କିନ୍ତୁ ଦେଶ ଶହଶହ ବର୍ଷ ପୁର୍ବେ ବିଶ୍ୱଗୁରୁ ଥିଲା ବୋଲି କୁହାଯାଉଥିବା ସମୟ ଏବଂ ଏବେ ବିଶ୍ୱଗୁରୁ ହେବା ପାଇଁ ଯେଉଁ ପ୍ରସ୍ତୁତି ଚାଲିଛି ସେ ସମୟ ଭିତରେ ଅନେକ ପାର୍ଥକ୍ୟ ରହିଛି । ପୂର୍ବେ ବିଶ୍ୱଗୁରୁ ଭାରତରେ ଯେଉଁ ଆଦର୍ଶର କଥା ଥିଲା, ଆମର ପ୍ରେରଣାସ୍ରୋତ, ଆମର ମାର୍ଗ ଦର୍ଶକ ନିଶ୍ଚିତ ରୂପରେ ଅନେକ ମହାପୁରୁଷ ହୁଏତ ଥିଲେ ଯେଉଁମାନେ ଆମକୁ ଆଦର୍ଶ ଜୀବନ ଯାପନ କରିବା, ଚରିତ୍ରବାନ୍ ହେବା, ମାନବୀୟ ମୂଲ୍ୟକୁ ପାଳନ କରିବା, ସଦ୍ଭାବ, ସହଯୋଗ, ସହାୟତା ଭଳି ମୂଳ୍ୟକୁ ଆପଣେଇବା ପାଇଁ ପ୍ରେରଣା ଦେଇଥିବେ । ଆମର ଅନେକ ଧାର୍ମିକ ଗ୍ରନ୍ଥରେ ମଧ୍ୟ ଏହି ଭଳି ଧାର୍ମିକ, ସାମାଜିକ ଓ ମାନବୀୟ ଶିକ୍ଷା ଓ ନିର୍ଦେଶ ଭରି ହୋଇ ରହିଛି । ଆମ ଦେଶର ଇତିହାସରେ ଅନେକ ବଳିଦାନ, ତ୍ୟାଗୀ, ତପସ୍ୱୀ, ଋଷି, ମୁନି, ସନ୍ଥ ଏବଂ ପୀର- ଫକୀରଙ୍କ ଆଦର୍ଶ ଉଲ୍ଲେଖ ରହିଛି ଯେଉଁମାନେ ସେମାନଙ୍କ ଆଚରଣରେ କେବଳ ଦେଶ ନୁହେଁ ପୁରା ଦୁନିଆକୁ ମାର୍ଗ ଦର୍ଶନ ଦେଇଥିଲେ । କିନ୍ତୁ ଯେତେବେଳେ “ଭାରତ ପୁଣିଥରେ ବିଶ୍ୱଗୁରୁ ହେବାକୁ ଯାଉଛି ବୋଲି ଚର୍ଚ୍ଚାଚାଲିଛି ଠିକ୍ ସେହି ସମୟରେ ‘ବିଶ୍ୱଗୁରୁ ପାର୍ଟ-୨’” ସମୟରେ ଆମେ ଆଜିର ଆଦର୍ଶ, ପ୍ରେରଣା ସ୍ରୋତ ଏବଂ ମାର୍ଗଦର୍ଶକଙ୍କ ଉପରେ ନଜର ପକାଇଲେ ଅନ୍ୟ କିଛି ଦୃଷ୍ୟ ଦେଖିବାକୁ ମିଳିଥାଏ । ପୁର୍ବେ ଯେଭଳି  ପ୍ରେରଣାସ୍ରୋତ ମହାପୁରଷ ଥିଲେ ସେଭଳି ମହାପୁରୁଷଙ୍କ ବାବଦରେ ଏବେର ସମୟରେ କଳ୍ପନା କରାଯାଇ ପାରିବ ନାହିଁ । କିନ୍ତୁ ତାଠାରୁ ବଡ଼ ଦୁଃଖଦ ଘଟଣା ହେଉଛି ଆଜିର ସମାଜର ଏକ ବଡ଼ ବର୍ଗ ବିଶେଷକରି ଯୁବବର୍ଗ ଏମିତି ବ୍ୟକ୍ତିଙ୍କୁ ନିଜର ଆଦର୍ଶ ବୋଲି ମାନୁଛନ୍ତି ବା ଏମିତି ଲୋକଙ୍କୁ ନିଜର ପ୍ରେରଣାର ସ୍ରୋତ ବୋଲି ଭାବୁଛନ୍ତି ଯେଉଁମାନେ ଅପରାଧି, ହତ୍ୟାକାରୀ, ବଳାକôାରୀ, ଗୁଣ୍ଡା, ମଦ୍ୟପ ପ୍ରବୃତ୍ତିର ଅଟନ୍ତି । ଏହାଠାରୁ ବଡ଼ ଦୁର୍ଭାଗ୍ୟ ହେଉଛି ଆଜିର ସମାଜ ଭଲ- ମନ୍ଦ ବା ପକ୍ଷ- ବିପକ୍ଷ କଥା କହିବା ପୁର୍ବରୁ ଧର୍ମ, ସଂପ୍ରଦାୟ ଓ ଜାତି କଥାକୁ ନେଇ ନିର୍ଣ୍ଣୟ ନେଇଥାଏ ।
ବିଗତ ଏକ ଦଶନ୍ଧିରେ ଭାରତବର୍ଷରେ ଏମିତି ଶହେରୁ ଅଧିକ ଉଦାହରଣ ରହିଛି ଯେଉଁସବୁ ଉଦାହରଣରୁ ସ୍ପଷ୍ଟ ଯେ ଲୋକେ ଏପରିକି ଶାସକ ମଧ୍ୟ ହତ୍ୟାକାରୀ, ବଳାକôାରୀଙ୍କୁ ମହିମାମଣ୍ଡନ କରୁଛନ୍ତି । ବଳାକôାରୀ ଏପରିକି ଗଣବଳାକôାରୀଙ୍କୁ ସମ୍ମାନିତ କରାଯାଉଛି, କେତେକ ରାଜ୍ୟ ସରକାର ଏଭଳି ଅପରାଧରେ ଲିପ୍ତ ଅପରାଧିଙ୍କୁ ଜେଲରୁ ମୁକୁଳାଇ ଦେଉଛନ୍ତି । ଅପରାଧୀଙ୍କୁ ଚରିତ୍ରବାନ ର ଆଖ୍ୟା ଦିଆଯାଉଛି । ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବଳାକôାର ଓ ଗଣହତ୍ୟା ଭଳି ଅପରାଧରେ ଦୋଷୀଙ୍କୁ ଆବଶ୍ୟକତାଠାରୁ ଅଧିକ ବାର ଜେଲରୁ ପେରୋଲରେ ବାହାର କରାଯାଉଛି । ସମ୍ବେଦନଶୀଳ କଥା ହେଉଛି ଧର୍ମ ଆଧାରରେ ଜାମ୍ମୁକାଶ୍ମୀରର କଠୁଆର ଏକ ୮ ବର୍ଷର ନିଷ୍ପାପ ଶିଶୁକନ୍ୟାଙ୍କୁ ସାମୂହିକ ବଳାକôାର କରିବା ସହ ତାର ହତ୍ୟା କରାଯାଇ ଶବକୁ ଜଙ୍ଗଲରେ ଫୋପାଡି ଦେଇଥିବା ଲୋକଙ୍କ ସମର୍ଥନରେ ଜାମ୍ମୁ-କାଶ୍ମୀର ସରକାରର ମନ୍ତ୍ରୀ ଓ ବିଧାୟକ ଏପରିକି ପାର୍ଟି କାର୍ଯ୍ୟକର୍ତ୍ତା ଶୋଭା ଯାତ୍ରା ବାହାର କରିବା, ଧାରଣା ଦେବା ଓ ତ୍ରିରଙ୍ଗା ଯାତ୍ର କରିବା ଭଳି ଘଟଣା ଘଟିଛି ।
ଏବେ ଅପରାଧ ପୁର୍ଣ୍ଣ ପ୍ରବୃତ୍ତିରେ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଅପରାଧୀ ଓ ଆତଙ୍କବାଦୀ ଏପରିକି ଗାଙ୍ଗଷ୍ଟାରଙ୍କୁ ମଧ୍ୟ ମହିମାମଣ୍ଡନ କରାଯାଉଛି । ଯେଉଁମାନେ ଦେଶ ତଥା ବିଦେଶରେ ଅପରାଧର ର୍ୟାକେଟ ଚଳାଉଛନ୍ତି ସେମାନେ ନିଜର ଧର୍ମ ଓ ଜାତିର ଚାଦର ଘୋଡ଼େଇହୋଇ ନିଜକୁ ସମାଜର ଆଦର୍ଶ ପୁରୁଷ ଓ ପ୍ରେରଣାସ୍ରୋତ ଭାବେ ନିଜକୁ ସ୍ଥାପିତ କରିବାରେ ସକ୍ଷମ ହୋଇ ପାରୁଛନ୍ତି । ମଜାଦାର କଥା ହେଉଛି ଏହିଭଳି ଅପରାଧି ମାନଙ୍କୁ ଆମ ସମାଜ ଏପରିକି ରାଜନେତା ମାନଙ୍କର ସମର୍ଥନ ମିଳିବାରେ ଲାଗିଛି । ଏଭଳି ସ୍ଥିତି ଅଚାନକ ଭାବେ ସୃଷ୍ଟି ହୋଇନାହିଁ ବରଂ ରାଜନେତା ମାନଙ୍କ ସମର୍ଥନ ହାସଲ କାରଣରୁ ସାଂପ୍ରଦାୟିକ ଓ ଜାତିବାଦୀ ତତ୍ତ୍ୱ ମାନଙ୍କ ଦ୍ୱାରା  ଧୀରେ ଧୀରେ ଦେଶର ପରିବେଶ ବଦଳିବାରେ ଲାଗିଛି ।
ସତ କହିବାକୁ ଗଲେ ଏହି ସ୍ଥିତି ଭାରତବର୍ଷରେ ଦିନା ନା ଦିନେ ସୃଷ୍ଟି ହେବାର ହିଁ ଥିଲା । ଯେତେବେଳେ ମହାତ୍ମା ଗାନ୍ଧିଙ୍କୁ ସ୍ୱାଧୀନ ଭାତତରେ ହତ୍ୟା କରାଯାଇଥିଲା ଓ ହତ୍ୟାକାରୀ ନାଥୁରାମ ଗୋଡ଼ସେକୁ ସମର୍ଥନ କରିବା ପାଇଁ ଏକ ବର୍ଗ ବିଶେଷ ନାଥୁରାମ ସପକ୍ଷରେ ଠିଆ ହୋଇଥିଲେ ସେତେବେଳ ଠାରୁ ଭାରତବର୍ଷରେ ଅପରାଧୀଙ୍କୁ ସମର୍ଥନ କରିବାର ମାନସିକତା ବଢ଼ିବାରେ ଲାଗିଛି । ସେଇ ମାନସିକତାର ଲୋକେ ଗାନ୍ଧିଙ୍କୁ ଅପମାନିତ କରୁଛନ୍ତି ଓ ହତ୍ୟାକାରୀ ଗୋଡ଼ସେର ମହିମା ମଣ୍ଡନ କରୁଛନ୍ତି ।  ଏଭଳି ଶହଶହ ଉଦାହରଣ ରହିଛି ଯେଉଁ ସବୁ ଉଦାହରଣ ଆମକୁ ଚିନ୍ତା କରିବା ପାଇଁ ବାଧ୍ୟ କରୁଛି ଯେ କ’ଣ ଆମର ଆଦର୍ଶ ହତ୍ୟାକାରୀ, ବଳାକôାରୀ, ଗୁଣ୍ଡା, ମଦ୍ୟପ ଓ ଗ୍ୟାଙ୍ଗଷ୍ଟାର ହିଁ ରହିଯାଇଛନ୍ତି? କ’ଣ ଭାରତବର୍ଷ ଏବେ ଅସାମାଜିକ ତତ୍ତ୍ୱଙ୍କ ଠାରୁ ପ୍ରେରଣା ନେଇ ବିଶ୍ୱଗୁରୁ ପାର୍ଟ-୨ ହେବାପାଇଁ ପ୍ରସ୍ତୁତ ହେଉଛି ।
ରାମଚନ୍ଦ୍ରପୁର, ରଣପୁର
ମୋ : ୯୪୩୮୪୮୫୦୯୪