ଶୁଣୁଛି କିଏ,ହେଜୁଛି କିଏ?
ଯାଜପୁର ଜିଲ୍ଲା ବାସୁଦେବପୁର ପଞ୍ଚାୟତରେ ଗୋଟିଏ ଗ୍ରାମରେ ଗତ ସପ୍ତାହରେ ଏକ ବେଆଇନ୍ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି । ଏଥିରେ ଜଣେ ଶ୍ରମିକଙ୍କର ମୃତୁ୍ୟ ଘଟିବା ସହିତ ତିନି ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ପ୍ରତିବର୍ଷ ରାଜ୍ୟରେ ଦୀପାବଳୀ ପୂର୍ବରୁ ଏବଂ ଅନ୍ୟାନ୍ୟ ସମୟରେ ବାଣ ବିସ୍ଫୋରଣରେ ଅନେକ ମୃତାହତ ହେଉଥିବା ବେଳେ ବିପୁଳ ପରିମାଣର ସମ୍ପତ୍ତି ନଷ୍ଟ ହେଉଛି । ତାମିଲ୍ନାଡୁର ଶିବକାଶୀ ଜିଲ୍ଲାରେ ଲାଇସେନ୍ସ ପ୍ରାପ୍ତ ବାଣ କାରଖାନା ବହୁ ପରିମାଣରେ ରହିଛି । ଏଠାରେ ମଧ୍ୟ ପ୍ରତିବର୍ଷ ଅନେକ ଛୋଟ, ବଡ଼ ଦୁର୍ଘଟଣା ଘଟୁଛି । ଆଇନ୍ସମ୍ମତ ହେଉ କିମ୍ବା ବେଆଇନ୍ ସମ୍ମତ ହେଉ ବାଣ କାରଖାନା ଗୁଡ଼ିକରେ ଶିଶୁ ଶ୍ରମିକମାନେ ଅଧିକ ପରିମାଣରେ ନିୟୋଜିତ ହୋଇଥାନ୍ତି । ତେଣୁ ବିଶେଷ ଭାବରେ ଏହିସବୁ ଦୁର୍ଘଟଣାରେ ଶିଶୁମାନେ ହିଁ କ୍ଷତିଗ୍ରସ୍ତ ହୁଅନ୍ତି । ଗତ ଦୀପାବଳୀ ସମୟରେ ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ବାଣ ଫୁଟାଇବାକୁ ନିଷିଦ୍ଧ କରାଯାଇଥିଲା । ତଥାପି ଲୋକମାନେ ବିପୁଳ ପରିମାଣରେ ବାଣ ଫୁଟାଇଥିଲେ ଏବଂ ଏହାର କୁପରିଣାମ ସେହିମାନେ ହିଁ ଭୋଗିଲେ । ଦୀର୍ଘ ଦିନ ଧରି ଦିଲ୍ଲୀର ବାୟୁର ମାନ ସୂଚକାଙ୍କ ଅଧିକ ପରିମାଣରେ ଦୂଷିତ ହୋଇଥିବା ଦର୍ଶାଇଲା । ଏହାର ପ୍ରତ୍ୟକ୍ଷ ପ୍ରଭାବ କେତେଯେ ରୋଗୀଙ୍କ ଉପରେ ପଡ଼ିଥିବ ତାହାର କଳନା କରିହେବ ନାହିଁ । ଆଇନ୍କୁ ଯେତେ କଡ଼ା କରିଲେ ମଧ୍ୟ କିଛି ଅମାନିଆ ବାଣ ଫୁଟେଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ବାଣର ଦର ଯେତେ ଅଧିକ ହେଲେ ମଧ୍ୟ ଲୋକ କିଣିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ତେଣୁ ବର୍ତ୍ତମାନ ସମଗ୍ର ଦେଶରେ ବାଣର ବ୍ୟବହାର ଏବଂ ଉତ୍ପାଦନ ଉପରେ କଡ଼ା ନିୟନ୍ତ୍ରଣ ଜାରି କରିବାର ଆବଶ୍ୟକତା ଦେଖା ଦେଲାଣି । ଜନସଂଖ୍ୟା ବୃଦ୍ଧି, ଯାନବାହାନର ସଂଖ୍ୟା ବୃଦ୍ଧି, ସହରାଞ୍ଚଳରେ ବସ୍ତିଗୁଡ଼ିକ ବଢୁଥିବାରୁ ପରିମଳ ବ୍ୟବସ୍ଥାରେ ଅବ୍ୟବସ୍ଥା ଆଦି କାରଣରୁ ପରିବେଶ ଦୂଷିତ ହେବା ସହିତ ବାୟୁମଣ୍ଡଳ ମଧ୍ୟ ଦୂଷିତ ହେଉଛି । ଏଥିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଅଗଣିତ ବ୍ୟକ୍ତି ଜୀବନ ହାରୁଛ"ି । ଆଉ କ୍ଷଣିକ ଆନନ୍ଦ ପାଇବା ପାଇଁ ଫୁଟା ଯାଉଥିବା ଧୂଆଁ ଅତିମାତ୍ରାରେ ବାୟୁମଣ୍ଡଳକୁ ଦୂଷିତ କରୁଛି । କ୍ଷଣିକ ଆନନ୍ଦ ପାଇଁ ବାଣଫୁଟା ଭଳି ଏକ ଆଗ୍ରହ ବିଷାଦରେ ପରିସମାପ୍ତି ଘଟୁଛି । ଏ ଦିଗରେ ଜନସାଧାରଣ ସଚେତନ ହେଲେ ବାଣର ବ୍ୟବହାରକୁ ସେମାନେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ବାୟୁ ପ୍ରଦୂଷଣକୁ ରୋକିବା ସହିତ ଧନଜୀବନର ନଷ୍ଟକୁ ମଧ୍ୟ ରୋକି ପାରିବେ ।
ଆଜିକା ଦିନରେ କ୍ରିକେଟ୍ ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଦେଶ ବିଜୟ ହାସଲ କରୁଥିବା ବେଳେ ସମଗ୍ର ଦେଶରେ କ୍ରୀଡାପ୍ରେମୀମାନେ ଆନନ୍ଦ ଉଲ୍ଲସିତ ହୋଇ ବାଣ ଫୁଟାଉଛନ୍ତିି । ବାଣ ଆନନ୍ଦ ଉଲ୍ଲାସ ପାଳନର ଏକ ମାଧ୍ୟମ ନୁହେଁ । ପ୍ରାଚୀନ କାଳରେ ରାଜତନ୍ତ୍ରରେ ପାରମ୍ପରିକ ଭାବରେ ଦଶହରା, ଦୀପାବଳୀ, ଯୁଦ୍ଧରେ ବିଜୟ ତଥା ଅନ୍ୟ ପର୍ବପର୍ବାଣୀରେ ବିପୁଳ ପରିମାଣର ବାଣ ଫୁଟାଉଥିଲେ । ସେହି ପରମ୍ପରାକୁ ଏବେ ମଧ୍ୟ ଚଳାଇ ରଖାଯିବା ବର୍ତ୍ତମାନର ସମୟ ପାଇଁ ସମ୍ପୂର୍ଣ୍ଣ ରୂପେ ଅନୁପଯୁକ୍ତ । ସେତେବେଳେ ଜଙ୍ଗଲର ପରିମାଣ ଅଧିକ ଥିଲା ଜନବସତି କମ୍ ଥିଲା, କିନ୍ତୁ ବର୍ତ୍ତମାନ ଜନବସତି ଏବଂ ଜନସଂଖ୍ୟା ଅତିମାତ୍ରାରେ ବଢ଼ିଗଲାଣି । ତୁଳନାତ୍ମକ ଭାବରେ ଜଙ୍ଗଲ ପରିମାଣ କମିଗଲାଣି । ସେଥିପାଇଁ ଅମଳ ପରେ କ୍ଷେତରେ ନଡ଼ା, କୁଟା, ପାଳ ଆଦି ଜଳାଇବାକୁ ବାରଣ କରାଯାଇଛି । ଏଭଳି ପରିସ୍ଥିତିରେ ବିଭିନ୍ନ ରାସାୟନିକ ପଦାର୍ଥରେ ପ୍ରସ୍ତୁତ ହେଉଥିବା ବାରୁଦକୁ ବ୍ୟବହାର କରି ତଆରି କରାଯାଉଥିବା ବାଣ ଫୁଟାଇବା ସମ୍ପୂର୍ଣ୍ଣ ରୂପେ ଆତ୍ମଘାତୀ । ଏଭଳି ଆତ୍ମଘାତୀ ଆନନ୍ଦ ପାଇଁ ବିଶେଷ ଭାବରେ ଯୁବଗୋଷ୍ଠୀ ଆଗ୍ରହ ପ୍ରକାଶ କରୁଥିବା ବେଳେ ବୟସ୍କ ନାଗରିକମାନେ ଏହାକୁ ବିରୋଧ କରିଲେଣି । ପରିବେଶବିତ୍ମାନେ ମଧ୍ୟ ବାଣଫୁଟାକୁ ତୀବ୍ର ବିରୋଧ କରୁଛନ୍ତି । ଏସବୁ ଦୃଷ୍ଟିରୁ ବେଆଇନ୍ ହେଉ କିମ୍ବା ଆଇନ୍ ହେଉ ସମସ୍ତ ପ୍ରକାରର ବାରୁଦ ଓ ବାଣର ବ୍ୟବହାରକୁ ନିଷିଦ୍ଧ କରାଯିବା ଉଚିତ୍ ।