ପ୍ରକୃତିର ପ୍ରଳୟଙ୍କରୀ ପ୍ରତିଶୋଧ
ମାୟାଧର ନାୟକ : ପ୍ରତିମୁହୂର୍ତ୍ତରେ ବଦଳୁଛି ପ୍ରକୃତିର ନିୟମ । ଜଳବାୟୁ ପରିବର୍ତ୍ତନରେ ଆସିଛି ବ୍ୟାପକ ଅସ୍ୱାଭାବିକତା । ବହୁପୂର୍ବରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀ ଉପରେ ପଡିଆସିଛି । ଲଗାତର ଗ୍ରୀଷ୍ମପ୍ରବାହ, ଆକାଶରୁ ନିଆଁବର୍ଷା, ଭୟଙ୍କର ମରୁଡି, ପ୍ରବଳ ଝଡତୋଫାନବାତ୍ୟା, ଭୂସ୍ଖଳନ, ଭୂମିକମ୍ପ, ସମୁଦ୍ରଜଳପନନ ବୃଦ୍ଧି ପ୍ରଭୃତି ଜଳବାୟୁ ପରିବର୍ତ୍ତନରେ ସମଗ୍ର ବିଶ୍ୱ ଥରହର । ଏହାର କୁପରିଣାମ ଭୋଗୁଛନ୍ତି ସାରାବିଶ୍ୱର ଜୀବଜଗତ । ପୃଥିବୀର ଉତ୍ତାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମନୁଷ୍ୟକୃତ କାର୍ଯ୍ୟ ଇନ୍ଧନ ଦହନ, ଗାଡ଼ିମଟରରୁ ନିର୍ଗତ କାର୍ବନଡାଇଅକ୍ସାଇଡ୍ ଦ୍ୱାରା ଏବଂ ଶକ୍ତିଉତ୍ପାଦନ ପାଇଁ ଇନ୍ଧନ ଜଳାଉ । ୧୮୫୦ ମସିହାରେ ଶିଳ୍ପବିପ୍ଳବରେ କୋଇଲାରୁ ଶକ୍ତିଉତ୍ପାଦନ ହୋଇଥିଲା । ଅଧିକ କୋଇଲା ଜାଳିବାଫଳରେ ବାୟୁମଣ୍ଡଳ ପ୍ରଦୂଷିତହୋଇ ଜୀବଜଗତ ଉପରେ ନକାରାତ୍ମକ ପ୍ରଭାବ ପଡ଼େ । ଏହାଦ୍ୱାରା ମଧ୍ୟ ପାଣିପାଗର ପରିବର୍ତ୍ତନ ଘଟେ । ପାଣିପାଗର ଅସମାନତା ଦେଖାଯାଏ ।
ଗ୍ରୀଷ୍ମପ୍ରବାହ ବୃଦ୍ଧିଦ୍ୱାରା ସ୍ୱାସ୍ଥ୍ୟସମସ୍ୟା ବଢୁଛି । ମୃତ୍ୟୁର ତାଣ୍ଡବ ସୃଷ୍ଟି ହେଉଛି । ଜଳବାୟୁ ପରିବର୍ତ୍ତନରେ ପରିବେଶ ପ୍ରଦୂଷଣ ଯୋଗୁ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ବ୍ୟାପକ ଭାବେ ହୋଇ ଚର୍ମକର୍କଟରୋଗ ବ୍ୟାପୁଛି । ପରିବର୍ତ୍ତିତ ଜଳବାୟୁରେ କୃଷି ଭୀଷଣ ଭାବେ ପ୍ରଭାବିତ । ଗଜାମରୁଡି, ରୋଗପୋକ ଯୋଗୁଁ ଖାଦ୍ୟଶସ୍ୟ ଅମଳ କମିଯାଉଛି । ମୃତିକାର ତାପମାତ୍ରା ବୃଦ୍ଧିରେ ବିହନ ଗଜାହେବା କ୍ଷମତା ହରାଏ । ଜଳବାୟୁ ପରିବର୍ତ୍ତନ ପ୍ରାକୃତିକ ପରିବେଶକୁ ବିଗାଡ଼ିଦେଇଛି । କେଉଁଠି ଅତ୍ୟଧିକ ବର୍ଷା ଆଉ କେଉଁଠି ଅସହ୍ୟ ଗରମ ଅନୁଭବ ହେଉଛି । ଛ’ଋତୁ ମଧ୍ୟରୁ ଏବେ କେବଳ ବର୍ଷା, ଶୀତ, ଗ୍ରୀଷ୍ମ ଋତୁ ଜଣାପଡୁଛି । ଅନୁପାତ ମଧ୍ୟ ଠିକ୍ ରହୁନି । ଏହାର ପ୍ରଭାବ ଜନସମାଜ, ବୃକ୍ଷଲତା, ଜୀବଜନ୍ତୁ, ଶୈବାଳ, ସାମୁଦ୍ରିକ ପ୍ରାଣୀ ଉପରେ ପଡୁଛି ।
ଆକାଶରେ ବରଫ ତରଳୁଛି । କଳାବରଫ ଯୋଗୁ ତରଳୁଛି ଗ୍ଲାସିୟର । ଜଳମଗ୍ନ ହୋଇଯିବ ବଡ଼ବଡ଼ ସହର । ପ୍ରାକୃତିକ ପରିବେଶ ବଦଳିଯିବ । ଜଙ୍ଗଲରେ ଲାଗିବ ନିଆଁ । ନିଭୁନିଭୁ ବହୁଦିନ ଲାଗିବ । ପ୍ରତିବର୍ଷ ହେକ୍ଟର ହେକ୍ଟର ଜଙ୍ଗଲ ପୋଡ଼ି ଛାରଖାର ହୋଇଯାଉଛି । ବେଳେବେଳେ ଚାଷପାଇଁ ମଣିଷ ବି ଜଙ୍ଗଲରେ - ଧାନ କଟାହେଲାପରେ ଧାନବିଲରେ ନିଆଁ ଲଗେଇଦିଅନ୍ତି । ଏହାଦ୍ୱାରା ପ୍ରବଳଭାବରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲପୋଡି ମଣିଷପାଇଁ ହାନିକାରକ । ବ୍ରାଜିଲର ଆମାଜନ ଜଙ୍ଗଲରୁ ପୃଥିବୀର ୨୦ ପରସେଂଟ୍ ଅମ୍ଳଜାନ ମିଳିଥାଏ । ଆମାଜନ୍ ଜଙ୍ଗଲରେ ନିଆଁଲାଗି ଏହାର ବ୍ୟାପକ କୁପ୍ରଭାବ ବିଶ୍ୱ ଉପରେ ପଡିଛି । ଏହାର ବିଷାକ୍ତ ଗ୍ୟାସଦ୍ୱାରା ହୃଦ୍ରୋଗ, କ୍ୟାନ୍ସର୍ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ୧୯୧୯ରେ ଆମାଜନ୍ ଜଙ୍ଗଲରେ ମାସମାସଧରି ନିଆଁ ଲାଗିରହିବା ଫଳରେ ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା । କେବଳ ଆମାଜନ୍ ଜଙ୍ଗଲ ନୁହେଁ - ପୃଥିବୀର ଅନେକ ଜଙ୍ଗଲରେ ପ୍ରତିବର୍ଷ ନିଆଁଲାଗି ବ୍ୟାପକ କ୍ଷୟକ୍ଷତି ହେଉଛି ।
ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଧ୍ୱନି ପ୍ରଦୂଷଣ । କଳକାରଖାନା, ମଟରଗାଡ଼ି, ଚିମିନୀ ଆଦିରୁ ନିର୍ଗତ ଧୂଆଁ ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୁଏ । ଏହାଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧିପାଏ । ପାଣିରେ ଅଧିକ ମାତ୍ରାରେ ଲବଣପଦାର୍ଥ ମିଶିଲେ ଜଳ ପ୍ରଦୂଷିତ ହୁଏ । ସମୁଦ୍ରପାଣି ଲୁଣିଆ । ଏବେ ସାରାବିଶ୍ୱରେ ଯେଉଁ କିଣା ବୋତଲପାଣି, ଅନ୍ୟାନ୍ୟ ଠିପିବନ୍ଦ ପାନୀୟ ବୋତଲ ପାନ କରୁଛେ – ବେପାରୀମାନେ ଅଧିକ ସମୟ ଗୋଦାମରେ ରଖି ବିକ୍ରିକରିବାପାଇଁ କେମିକାଲ ଦେଇଦିଅନ୍ତି । ସେସବୁ ପାନୀୟ ପାଟିକୁ ମିଠା, ପେଟକୁ ବିଷ ସମାନ । ଆମେ ଜାଣି ହେଉ ବା ଅଜଣାରେ ହେଉ ବିଶ୍ୱବିଷଭଣ୍ଡାରରୁ ସେଇ ବିଷସବୁ ପିଇବାରେ ଲାଗିଛେ - ଯାହାଦ୍ୱାରା ମଧୁମେହ ରୋଗଠାରୁ ଯାବତ୍ପ୍ରକାର ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଛେ । ଫଳରେ ବିନା ଔଷଧରେ ଦିନ କଟୁନି । ପୁଣି ଔଷଧ ମଧ୍ୟ ଭେଜାଲ୍ ।
ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ସମଗ୍ର ଜଗତ୍ ଉପରେ ନକାରାତ୍ମକ ପ୍ରଭାବ ପଡୁଛି । କେବଳ ମାନବଜାତି ପ୍ରଭାବିତ ହେଉନାହାଁନ୍ତି – ଜୀବଜନ୍ତୁଙ୍କ ଉପରେ ପ୍ରଭାବ ପଡୁଛି । ଅତ୍ୟଧିକ ତାପମାତ୍ରା ଯୋଗୁଁ ଅନେକ କୀଟପତଙ୍ଗ, ପଶୁପକ୍ଷୀ ମରିଯାଉଛନ୍ତି । ପୋଖରୀ, ନଈ, ସମୁଦ୍ରରେ ଜଳଚର, ମାଛମାନେ ମରି ଭାସୁଛନ୍ତି । ଭୌଗୋଳିକ କ୍ଷେତ୍ର ଓ ବିଭିନ୍ନ ପ୍ରଜାତିଙ୍କ ଠାରେ ଆକାର ପରିବର୍ତ୍ତନ ଘଟିବାରେ ଲାଗିଛି । ପାଖାପାଖି ୧୦ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ପ୍ରକାଶ ପାଇଲାଣି । ଆଉ କୋଇଲିର ଦେଖାନାହିଁ । କୁହୁକୁହୁ ଗୀତ ଗାଉନି । ଭଦଭଦଳିଆ ପକ୍ଷୀ ବିଲୁପ୍ତିର ପଥେ - ବିରଳ ହେବାକୁ ଯାଉଛି ପ୍ରଜାପତିର ଚିତ୍ରିତ କଳେବର । ‘ଘରଚଟିଆ’ କୁଆଡେ ବୁଲୁଛନ୍ତି – ତାଙ୍କର ଦେଖାନାହିଁ । ସାମୁଦ୍ରିକ କଇଁଛ, ଅତ୍ୟଧିକ ଥଣ୍ଡାରେ ବାସକରୁଥିବା ‘ମେରୁ ଭାଲୁ’ ଗରମ ସହ୍ୟ କରିନପାରି ମରମର ଅବସ୍ଥାରେ ।
ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତି କୋଳରେ ଅସ୍ୱାଭାବିକ ଘଟଣାମାନ ଘଟିବାରେ ଲାଗିଛି । ବର୍ଷା ବିତ୍ପାତ, ଅସ୍ୱାଭାବିକ ବନ୍ୟା, ମରୁଡି, ଗ୍ଲେସିୟର ତରଳିବା ଏବଂ ଜଙ୍ଗଲ ନିଆଁ ଭଳି ଘଟଣା ଦେହସୁହା ହୋଇଗଲାଣି । ଏବେ ଜଳବାୟୁ ପରିବର୍ତ୍ତନ ସହ ଆଉ ଏକ ଭୟଙ୍କର ତଥା ବିନାଶକାରୀ ଘଟଣା ଯୋଡି ହୋଇଯାଇଛି । ପ୍ରାଣୀ ଜଗତ ପାଇଁ ଅତ୍ୟନ୍ତ ଅନିଷ୍ଟକାରୀ ଅଙ୍ଗାରକାମ୍ଳ ବାଷ୍ଫର ମାତ୍ରା କ୍ରମେ ବଢିବାରେ ଲାଗିଛି । ଆଗ ଭଳି ବୃକ୍ଷ, ମାଟି ଓ ସମୁଦ୍ର ଆଉ ଏହାକୁ ଶୋଷୁନାହିଁ । ଏହି ପ୍ରାକୃତିକ ପ୍ରକ୍ରିୟା ମୋଟାମୋଟି ଭାବେ ବନ୍ଦ ହେବାରେ ଲାଗିଛି । ଗତବର୍ଷ ବୃକ୍ଷ, ମାଟି ଓ ସମୁଦ୍ର ପ୍ରାୟ କୌଣସି ଅଙ୍ଗାରକାମ୍ଳ ଶୋଷି ନଥିବା ଏକ ସଦ୍ୟ ରିପୋର୍ଟରୁ ଜଣାପଡିଛି । ଏହା ଯେଗାୁ ଆଗକୁ ଭୟଙ୍କର ବିପତ୍ତି ମାଡି ଆସିବ ।
ମଣିଷ ଦ୍ୱାରା ସୃଷ୍ଟ ଅଙ୍ଗାରକାମ୍ଳ ବାଷ୍ପକୁ ଶୋଷିନେବାରେ ପୃଥିବୀର ବିଶାଳ ଜଙ୍ଗଲ, ଘାସ ପଡିଆ ଏବଂ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । କିନ୍ତୁ ବର୍ଷ ୨୦୨୩ରେ ସେଭଳି କିଛି ଘଟିନାହିଁ । ୨୦୨୩ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଉତ୍ତପ୍ତ ବର୍ଷ ରହିଥିଲା । ଅସ୍ୱାଭାବିକ ତାତି ଅନୁଭୂତ ହୋଇଥିଲା । ଏହା ପଛରେ ଜଳବାୟୁ ପରିବର୍ତ୍ତନ ହିଁ ପ୍ରମୁଖ କାରଣ । ପ୍ରଚଣ୍ଡ ତାତି କାରଣରୁ ପ୍ରକୃତିରେ ଅଙ୍ଗାରକାମ୍ଳ ଶୋଷଣ ପ୍ରଭାବିତ ହୋଇଛି ।
ହଜାର ହଜାର ପ୍ରାକୃତିକ ଗତିବିଧି ପୃଥିବୀର ଜଳବାୟୁକୁ ନିୟନ୍ତ୍ରଣ କରିଥାଏ । ସଦ୍ୟ ଗବେଷଣା ମୁତାବକ ସମୁଦ୍ର, ଜଙ୍ଗଲ ଏବଂ ମାଟିର ଅଙ୍ଗାରକାମ୍ଳ ଶୋଷଣ କ୍ଷମତା ଉଲ୍ଲେଖନୀୟ ଭାବେ କମିଛି । ଅଙ୍ଗାରକାମ୍ଳ ଶୋଷଣ ପ୍ରକ୍ରିୟାକୁ ଏକ ‘ସ୍ପଞ୍ଜ୍’ର ଉଦାହରଣ ଭାବେ ନେଇହେବ । ସ୍ପଞ୍ଜ୍ ଯେମିତି ଅନ୍ୟ ସାମଗ୍ରୀକୁ ଶୋଷିନିଏ, ଠିକ୍ ସେମିତି ଆମ ଚତୁଃପାଶ୍ୱର୍ରେ ଥିବା ବୃକ୍ଷ, ମହାସାଗର ଏବଂ ମାଟି ସ୍ପଞ୍ଜ୍ ଭାବେ କାମ କରିଥାନ୍ତି । ବୃକ୍ଷ, ମହାସାଗର ଓ ମାଟି ବାୟୁମଣ୍ଡଳକୁ ଯେତେ ଅଙ୍ଗାରକାମ୍ଳ ଛାଡନ୍ତି, ତା’ଠାରୁ ଢେର ଅଧିକ ଶୋଷି ନେଇଥାନ୍ତି । ଏହାଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ସନ୍ତୁଳିତ ରହିଥାଏ । ତେଣୁ ସବୁବେଳେ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଥାଏ ।
‘ଦ ଗାର୍ଡିଆନ୍’ରେ ପ୍ରକାଶିତ ରିପୋର୍ଟ ମୁତାବକ ପୃଥିବୀରେ ଥିବା ମହାସାଗର, ଜଙ୍ଗଲ, ମାଟି ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରକ୍ରିୟା ମାନବ ଦ୍ୱାରା ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳର ପ୍ରାୟ ଅଧା ଭାଗକୁ ଶୋଷି ନେଇଥାଏ । କିନ୍ତୁ ପୃଥିବୀ ଯେଉଁଭଳି ଭାବେ ଗରମ ହେବାରେ ଲାଗିଛି, ତାହାକୁ ନେଇ ବୈଜ୍ଞାନିକମାନଙ୍କୁ ଚିନ୍ତା ଖାଉଛି ଯେ ପ୍ରକୃତିରେ ଏହି ମହତ୍ୱପୂର୍ଣ୍ଣ ପ୍ରକ୍ରିୟା ଏବେ ବିପଦରେ ପଡିଛି । ନୁ୍ୟୟର୍କରେ ସଦ୍ୟ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପୋଟ୍ସଡାମ୍ ଇନ୍ଷ୍ଟିଚୁ୍ୟଟ୍ ଫର୍ କ୍ଲାଇମେଟ୍ ଇମ୍ପାକ୍ଟ ରିସର୍ଚ୍ଚ ନିଦେ୍ର୍ଦଶକ ଜୋହାନ୍ ରକ୍ଷ୍ଟ୍ରମ୍ କହିଥିଲେ, ପୃଥିବୀର ପ୍ରଣାଳୀରେ ଆମେ ଅନେକ ପ୍ରକାର ପ୍ରତିବନ୍ଧକ ଆସୁଥିବା ଦେଖିବାକୁ ପାଉଛୁ । ଭୂମିରେ ଅନେକ ଫାଟ ସୃଷ୍ଟି ହେଉଛି । ଭୂମି ନିଜ ଅଙ୍ଗାରକାମ୍ଳ ଶୋଷିବା କ୍ଷମତାକୁ ହରାଇବାରେ ଲାଗିଛି । ମହାସାଗର ବି ଅସ୍ଥିରତାର ସଂକେତ ଦେଉଛି । ପ୍ରକୃତି ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଦ୍ୱାରା ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳକୁ ସନ୍ତୁଳିତ ରଖିଆସୁଛି । କିନ୍ତୁ ଏବେ ଏହି ପ୍ରକ୍ରିୟା ଶେଷ ହେବାରେ ଲାଗିଛି ।
ଋିପୋର୍ଟ ମୁତାବକ, ୨୦୨୩ରେ ଅଙ୍ଗାରକାମ୍ଳ ଶୋଷଣରେ ହ୍ରାସ ଦେଖାଯିବା ଘଟଣା ଅସ୍ଥାୟୀ ହୋଇପାରେ । କିନ୍ତୁ ମଣିଷ ସମାଜ ପାଇଁ ଏହା ଏକ ଚେତାବନୀ ସଦୃଶ । ଯଦି ମରୁଡି ସ୍ଥିତି ବା ଜଙ୍ଗଲ ନିଆଁ ଭଳି ଘଟଣା ନ ଘଟେ, ତେବେ ଭୂମି ପୁଣି ଅଙ୍ଗାରକାମ୍ଳ ଶୋଷିବା ପ୍ରକ୍ରିୟାକୁ ଫେରି ପାଇପାରିବ । ପରିସଂସ୍ଥାନର ଏହି ଭୟଙ୍କର ପରିବର୍ତ୍ତନ ଦର୍ଶାଉଛି ଯେ ଜଳବାୟୁ ସଂକଟ ଉପରେ ଏହାର ସିଧାସଳଖ ପ୍ରଭାବ ପଡିପାରେ ।
ଋିପୋର୍ଟରେ ଦର୍ଶାଯାଇଛି ଯେ ପ୍ରକୃତିର ସହାୟତା ବିନା ଶୂନ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନରେ ପହଂଚିବା ଅସମ୍ଭବ । ୨୦୨୩ରେ ଅଙ୍ଗାରକାମ୍ଳ ପ୍ରଦୂଷଣ ରେକର୍ଡ ୩୭.୪ ବିଲିୟନ୍ ଟନ୍ ପର୍ଯ୍ୟନ୍ତ ପହଂଚିଯାଇଛି । ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳକୁ ବୃହତ୍ ମାତ୍ରାରେ ହଟାଉଥିବା ସାଧନରେ ଅଭାବ ଯୋଗୁ ପୃଥିବୀର ବିଶାଳ ଜଙ୍ଗଲ, ଘାସ ଏବଂ ପଡିଆ ଓ ମହାସାଗର ହିଁ ଅଙ୍ଗାରକାମ୍ଳ ଶୋଷିବାରେ ଏକମାତ୍ର ବିକଳ୍ପ । ୧୧୮ ଦେଶ ରାଷ୍ଟ୍ରୀୟ ଜଳବାୟୁ ଲକ୍ଷ୍ୟ ପୂରଣ ନିମନ୍ତେ ଭୂମି ଉପରେ ନିର୍ଭର କରୁଛନ୍ତି । କିନ୍ତୁ ବର୍ଦ୍ଧିତ ତାପମାତ୍ରା, ପ୍ରତିକୂଳ ପାଣିପାଗ ଏବଂ ମରୁଡି କାରଣରୁ ଏହା ଉପରେ କୁପ୍ରଭାବ ପଡୁଛି ।
ଋିପୋର୍ଟ ମୁତାବକ, କେବଳ କଙ୍ଗୋ ବେସିନ୍ରେ ଏକ ମଜଭୁତ ଅଙ୍ଗାରକାମ୍ଳ ଶୋଷଣ ପ୍ରକ୍ରିୟା ବଳବତର ରହିଛି । ଯାହା କି ବାୟୁମଣ୍ଡଳରେ ଯେତେ ଅଙ୍ଗାରକାମ୍ଳ ସୃଷ୍ଟି ହେଉଛି ତାହାକୁ ଶୋଷି ନେଉଛି । ଅନ୍ୟପକ୍ଷରେ ଏଲ୍ ନିନୋ, ଜଙ୍ଗଲ ନଷ୍ଟ ଓ ବିଶ୍ୱତାପନ କାରଣରୁ ଆମାଜନ୍ ବେସିନ୍ ରେକର୍ଡ ମରୁଡିର ସାମ୍ନା କରୁଛି । ଏଠାରେ ନଦୀଗୁଡିକର ଜଳସ୍ତର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ପ୍ରକୃତିରେ ମହାସାଗର ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ଶୋଷିନେଉଥାଏ । ବିଗତ ଦଶନ୍ଧିଗୁଡିକରେ ମହାସାଗରଗୁଡିକ ଜୀବାଶ୍ମ ଇନ୍ଧନରୁ ସୃଷ୍ଟ ୯୦ ପ୍ରତିଶତ ଗରମକୁ ଟାଣିନେଉଛି । ଏହି କାରଣରୁ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଛି । ଏହାଦ୍ୱାରା ମହାସାଗରର ଅଙ୍ଗାରକାମ୍ଳ ଶୋଷଣ କ୍ଷମତା ଦୁର୍ବଳ ହେବାରେ ଲାଗିଛି । ଯଦି ଏହିଭଳି ଭାବେ ଅଙ୍ଗାରକାମ୍ଳ ଶୋଷଣ ପ୍ରଭାବିତ ହୁଏ, ମାନବ ସମାଜ ପାଇଁ ଏହା ଭୟଙ୍କର ବିପତ୍ତି ଡାକିଆଣିବ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩