କୌଳିକ ବୃତ୍ତି ବଞ୍ଚିବ କିପରି?
କୌଳିକ ବୃତ୍ତି ବଞ୍ଚିବ କିପରି?
ଆମ ସମାଜରେ ଜାତିପ୍ରଥା ଭଳି ଏକ ସାମାଜିକ ବ୍ୟବସ୍ଥା ରହି ଆସିଥିବା ବେଳେ ଜାତିପ୍ରଥାକୁ ଭିତ୍ତି କରି ବିଭିନ୍ନ ପ୍ରକାରର କୌଳିକ ବୃତ୍ତି ମଧ୍ୟ ଲୋକମାନେ ଅବଲମ୍ବନ କରିଥାନ୍ତି ଏବଂ ତାହାରି ମାଧ୍ୟମରେ ଜୀବିକା ଅର୍ଜନ କରିଥାନ୍ତି । ଆଧୁନିକ ସମାଜରେ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନ କୌଶଳ, ପ୍ଲାଷ୍ଟିକ୍ ପଦାର୍ଥର ବହୁଳ ବ୍ୟବହାର ଏବଂ ଥରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଆସବାସ ପତ୍ର୍ର ବିକଳ୍ପ ମିଳିବା ଫଳରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ଜାତିଗତ କୌଳିକ ବୃତ୍ତି ବିପଦଗ୍ରସ୍ତ ହେଉଛି । ଦିନକୁ ଦିନ କୌଳିକ ବୃତ୍ତିକୁ ଛାଡ଼ିବା ପ୍ରଥା ବଢୁଥିବା ଖୁବ୍ ଅଳ୍ପସଂଖ୍ୟକ ଲୋକ ବୃତ୍ତି ବଦଳାଇବା ପାଇଁ ସର୍ବନିମ୍ନ ପାଣ୍ଠି ଅଭାବରୁ କେବଳ ଢ଼ୋକେ ପିଇ, ଦଣ୍ଡେ ଜୀଇଁ ଅବସ୍ଥାରେ କୌଳିକ ବୃତ୍ତିକୁ ଧରି ରଖୁଛନ୍ତି । ମାଟି ପାତ୍ର ଗଢୁଥିବା, କାଠ ଜିନିଷ ଗଢୁଥିବା, ବସ୍ତ୍ର ବୁଣୁଥିବା, ଲୁହା କାମ କରୁଥିବା ଆଦି ବିଭିନ୍ନ ପ୍ରକାରର କୌଳିକ ବୃତ୍ତିକୁ ବଞ୍ଚିବାର ରାହା ଭାବରେ ଲୋକମାନେ ଗ୍ରହଣ କରିଥାନ୍ତି । ବର୍ତ୍ତମାନ ସମୟରେ ଏହି ସବୁ କୌଳିକ ବୃତ୍ତିରେ ନିଜର ପରିବାର ସମ୍ଭାଳିବା ଆଉ ସମ୍ଭବ ହେଉ ନାହିଁ । ତେଣୁ ଯେଉଁମାନେ ଏହି କୌଳିକ ବୃତ୍ତିରେ ଏବେନ ବି ନିମଗ୍ନ ରହିଛନ୍ତି, ସେମାନଙ୍କ ପିଲାମାନେ ଏହି କାର୍ଯ୍ୟ ଯୋଗୁଁ ପାଠ ପଢ଼ି ପାରୁନାହାନ୍ତି । ଗ୍ରାମାଞ୍ଚଳରେ ଯେତିକି ପାଠ ପଢ଼ିବାର ବ୍ୟବସ୍ଥା ରହିଛି, ତାହା ଠାରୁ ଆଉ ଅଧିକ ପାଠ ପଢ଼ିବା ସମ୍ଭବ ହେଉନାହିଁ । ଏଣେ କୌଳିକ ବୃତ୍ତିର ଉତ୍ପାଦିତ ବିଭିନ୍ନ ପଦାର୍ଥ ହାଟ ବଜାରରେ ଆଉ ବେଶୀ ବିକ୍ରି ହେଉନାହିଁ । ବାଉଁଶ, ବେତ ଆଦିର ଘରକରଣା ପଦାର୍ଥକୁ ଲୋକମାନେ କିଣିବାକୁ ଆଗ୍ରହ ପ୍ରକାଶ ନକରି ଆଖିକୁ ସୁନ୍ଦର ଲାଗୁଥିବା ଏବଂ ବେତ, ବାଉଁଶ ଠାରୁ ଅଧିକ ଦିନ ଯାଉଥିବା ପ୍ଲାଷ୍ଟିକ୍ ପଦାର୍ଥ ସବୁ କିଣିବାକୁ ଲାଗିଲେଣି । ଶିଳ, ଚକି ଆଦି ବିଭିନ୍ନ ପ୍ରକାରର ପଥର ଏବଂ ପଥର ବାସନ ଆଉ ଚଳଣିରେ ନାହିଁ । ଏପରିକି କଂସା, ପିତ୍ତଳ ଭଳି ମୂଲ୍ୟବାନ୍ ଧାତୁର ବାସନ ମଧ୍ୟ ଆଉ ଦୈନନ୍ଦିନ ଜୀବନରେ ଦେଖିବାକୁ ମିଳୁନାହିଁ । ଏହା ଫଳରେ କୌଳିକ ବୃତ୍ତି ଭାବରେ ଏସବୁ ପଦାର୍ଥ ଉତ୍ପାଦନ କରୁଥିବା ଲୋକମାନେ ହୁଏତ ବେକାର ହୋଇ ଯାଇଛନ୍ତି କିମ୍ବା ପଦାର୍ଥର ଦାମ୍ କମେଇ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହା ଫଳରେ ସେମାନଙ୍କ ପରିଶ୍ରମର ମୂଲ୍ୟ ମଧ୍ୟ ମିଳୁ ନାହିଁ ।
ବର୍ତ୍ତମାନ ସମୟରେ ବିଶୁଦ୍ଧ ତେଲ ପାଇବା ପାଇଁ କାଠଘଣା ପ୍ରାୟତଃ ଆଉ କେଉଁଠି ବି ନାହିଁ । କାରଣ ଏହି ଘଣା ପାଇଁ ଆବଶ୍ୟକ ହେଉଥିବା ବଳଦ ବା ପଶୁ ଶକ୍ତିର ବ୍ୟବହାର ଆଉ ନାହିଁ । ବଳଦ କିଣି ଘରେ ରଖିବା ବି ଆଉ ସମ୍ଭବ ନୁହେଁ । ବଳଦର ଦାମ୍ ମଧ୍ୟ ୩୦-୪୦ ହଜାର ଉପରେ । ଏଥିପାଇଁ ଆବଶ୍ୟକ ହେଉଥିବା ସ୍ଥାନ ବର୍ତ୍ତମାନ ଗୃହ ନିର୍ମାଣ ଦିଗରେ ଉପଯୋଗ କରାଗଲାଣି । ପରିବାର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବାସଗୃହର ଆବଶ୍ୟକତା ଉକ୍ରଟ ଆକାର ଧାରଣ କରୁଥିବାରୁ କୌଳିକ ବୃତ୍ତିକୁ ଚଳାଇ ରଖିବାରେ ଅନେକ କ୍ଷେତ୍ରରେ ସ୍ଥାନ ମିଳୁନାହିଁ । ପାରମ୍ପରିକ ହସ୍ତଶିଳ୍ପ ଗୁଡ଼ିକ ପରିବେଶ ଅନୁକୂଳ ଥିଲା ଏବଂ ସେସବୁ ନଷ୍ଟ ହୋଇଯିବା ପରେ ପରିବେଶରେ ଫୋପାଡ଼ି ଦିଆଯିବା ଦ୍ୱାରା କୌଣସି କ୍ଷତି ହେଉନଥିଲା । କିନ୍ତୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପର ପ୍ରତିବଦଳ ଭାବରେ ପ୍ଲାଷ୍ଟିକ୍ ପଦାର୍ଥ ବଜାରକୁ ଆସିଯିବା ଯୋଗୁଁ ବର୍ତ୍ତମାନ ପ୍ଲାଷ୍ଟିକ୍ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହିତ ପରିବେଶ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଭଙ୍ଗା, ତୁଟା ପ୍ଲାଷ୍ଟିକ୍, ପଲିଥିନ୍ ଜରି, ଛୋଟ ଛୋଟ ଖାଦ୍ୟ ପଦାର୍ଥର ଜରି, ପାନୀୟ ବୋତଲ ଜରି, ଇତ୍ୟାଦି ପରିବେଶ ଭିତରେ ଏଣେତେଣେ ଫୋପଡ଼ା ଯିବା ଦ୍ୱାରା ସେସବୁ ପରିବେଶକୁ ଭୟଙ୍କର ଭାବରେ ଦୂଷିତ କରିଲାଣି । ଏଥିମଧ୍ୟରୁ ଅନେକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ମାଇକ୍ରୋ କଣିକାରେ ପରିଣତ ହୋଇ ଖାଦ୍ୟ ଏବଂ ପାନୀୟ ଭାବରେ ମନୁଷ୍ୟ ଶରୀରରେ ପ୍ରବେଶ କରି କର୍କଟ ଭଳି ଭୟଙ୍କର ରୋଗ ସୃଷ୍ଟି କରିଲାଣି । ଏଭଳି ଏକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକମାନେ ଗ୍ରାମାଞ୍ଚଳର କୌଳିକ ବୃତ୍ତି ଭାବରେ ଉତ୍ପାଦିତ ହେଉଥିବା ହସ୍ତଶିଳ୍ପ ଏବଂ କୁଟୀରଶିଳ୍ପ ପଦାର୍ଥକୁ ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କରିବା ଉଚିତ୍ ।