ବାତ୍ୟା ଦାନାକୁ ନେଇ ସଜାଗ ସରକାର

ହିମାଂଶୁ ଶେଖର :ସମୁଦ୍ରରେ ବଳ ଗୋଟଉଛି ଦାନା । ଘଣ୍ଟାପ୍ରତି ୪କିଲୋମିଟର ବେଗରେ ଉପକୂଳ ଆଡକୁ ଗତିକରୁଛି । ଏହା ଆସନ୍ତା ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ସୁଦ୍ଧା ପୁରୀ ଠାରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ଅତିପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୦୦ରୁ ୧୨୦କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାର ୧୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିଦେ୍ର୍ଦଶ ଦିଆଯାଇଛି ବୁଧବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ସୁରକ୍ଷିତ ବାତ୍ୟାବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯିବ । ପ୍ରାୟ ୩ହଜାରରୁ ଅଧିକ ସମ୍ବେଦନଶୀଳ ସ୍ଥାନ ପ୍ରଶାସନ ଚିହ୍ନଟ କରିଛି । ସେହି ସ୍ଥାନକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ୬ହଜାରରୁ ଅଧିକ ବହୁମୁଖୀ ଆସ୍ରୟ ସ୍ଥଳକୁ ନିଆଯାଉଛି । ଭୀଷଣ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୧୪ଟି ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରକୁ ଏଥିଲାଗି ଆଲର୍ଟ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଏହି ୧୪ ଜିଲ୍ଲାର ଜିଲାପାଳଙ୍କୁ ସ୍ୱତନ୍ତ୍ର ନିଦେ୍ର୍ଦଶନାମା ପାଠାଇଛନ୍ତି । ସେହିପରି ରାଜସ୍ୱମନ୍ତ୍ରୀ ଏକ ରାଜ୍ୟସ୍ତରୀୟ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି  ଓ ସବୁବିଭାଗ ପରବର୍ତ୍ତୀ ସ୍ଥିତି ପାଇଁ ସଜାଗ ରହିଛନ୍ତି ।  
ସୂଚନାଯୋଗ୍ୟଯେ, ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ ମସିହାରେ  । ଆଣ୍ଡାମାନ ସାଗରରେ ୨୫ ଅକ୍ଟୋବରରେ ସୃଷ୍ଟି ହୋଇ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ମହାବାତ୍ୟା ରୂପ ନେଇଥିଲା  । ଜଗତସିଂହପୁର ଜିଲ୍ଲାରେ  ଅକ୍ଟୋବର ୨୯ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିଥିଲା । ବାତ୍ୟା ସ୍ଥଳଭାଗରେ ମାଡ ସମୟରେ ଘଣ୍ଟା ପ୍ରତି ୨୬୦ କି.ମି ବେଗରେ ପବନ ବହିଥିଲା  । ଫଳରେ ଜଗତସିଂହପୁର ଜିଲ୍ଲା ସମେତ ଉପକୂଳିଆ ଜିଲ୍ଲାଗୁଡିକ ଛାରଖାର ହୋଇଯାଇଥିଲା  । ବାତ୍ୟା ମାଡ ହେବା ପରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚର ଜୁଆର ଉଠିବା ସହିତ ପ୍ରାୟ ୩୫ କି.ମି ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡି ଆସିଥିଲା  । ଏହି ବାତ୍ୟାରେ ସରକାରୀ ଭାବେ ରାଜ୍ୟରେ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ  । ୧୮ଲକ୍ଷରୁ ଅଧିକ ଘର ମାଟିରେ ମିଶିଥିଲା  ।  ଅଦ୍ୟାବଧି ଏହାକୁ  ଭାରତର  ସବୁଠାରୁ ବଡ ବାତ୍ୟା ଭାବେ ବେବେଚନା କରାଯାଉଛି  । ଏହି ବାତ୍ୟାକୁ ଏବେ ୨୪ ବର୍ଷରେ ପହଞ୍ଚôଛି । ସେହିପରି ୧୯୯୯ ମହାବାତ୍ୟାକୁ ଛାଡ଼ି ଦେଲେ ୨୦୧୩ ଅକ୍ଟୋବର ୧୨ରେ ଫାଇଲିନ୍ ଓ ୨୦୧୪ ଆକ୍ଟୋବର ୧୨ରେ ହୁଡୁହୁଡୁ ଓଡ଼ିଶାରେ ହା’ହା’କାର ସୃଷ୍ଟି କରିଥିଲା । ଏହିସବୁକୁ ରାଜ୍ୟବାସୀ ସାମ୍ନା କରିଛନ୍ତି ଓ ଏହି ଦିନ ଗୁଡ଼ିକ ଅଭୁଲା ସ୍ମୃତି ହୋଇ ରହିଛି ।
ପ୍ରାକୃତିକ ବିପର୍ଯ୍ୟୟର ଚିରସହଚର ହୋଇଛି ଓଡ଼ିଶା । ଏକ ତଥ୍ୟ ମୁତାବକ ୧୮୯୧ରୁ ୧୯୦୦ ମସିହା ମଧ୍ୟରେ ୨୦ଟି ବାତ୍ୟ ସୃଷ୍ଟି ହୋଇଥିବା ବେଳେ ପରବର୍ତ୍ତୀ ଦଶନ୍ଧିରେ ଏହି ବାତ୍ୟା ସଂଖ୍ୟା ୯ ଥିଲା । ୧୯୧୧ରୁ ୧୯୨୦ ମଧ୍ୟରେ ୧୨ଟି, ୧୯୪୧ରୁ ୧୯୫୦ ମଧ୍ୟରେ ୧୦ଟି ବାତ୍ୟା ସାମ୍ନା କରିଛି ଓଡିଶା । ଏ ପ୍ରସଙ୍ଗରେ ଜଣାପଡିଛି ଯେ, ୧୯୯୯ ମହାବାତ୍ୟା ପରେ ୧୦ ବର୍ଷ ଧରି ରାଜ୍ୟ ଆଦୌ ବାତ୍ୟା ସାମ୍ନା କରିନଥିଲା । ଅଥଚ ୨୦୧୧ରୁ ୨୦୨୦ ମଧ୍ୟରେ ୩ଟି ବଡ ବାତ୍ୟା ସହ ୭ଟି ବାତ୍ୟା ଓଡିଶା ଉପକୂଳ ଦେଇ ଯାଇଛି । ନିକଟରେ ‘ୟସ’କୁ ମିଶାଇଲେ ଏହି ସଂଖ୍ୟା ୪ ହେବ । ଆଉ ଏକ ରିପୋର୍ଟରୁ ଜଣାପଡିଛି ଭାରତବର୍ଷର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ । ତନ୍ମଧ୍ୟରୁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକଓ ଆନ୍ଧ୍ରର ମଛଲିପଟନ ଆଦି ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ବୋଲି କୁହାଯଉଛି । ଗବେଷଣାରୁ ଜଣାପଡିଛି ମୌସୁମୀ ପରବର୍ତ୍ତୀ ସମୟରେ ଅଧିକ ବାତ୍ୟା ଆସୁଛି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯଦିଓ ରାଜ୍ୟ ସରକାର ଅନେକାଂଶରେ ସକ୍ଷମ ହୋଇଛନ୍ତି ତଥାପି ଏହାର ପ୍ରଭାବ ଅଧିକ ଘାତକ ହେଉଛି ।   
ଜଳବାୟୁ ପରିବର୍ତ୍ତନ ଆମ ପାଇଁ ବିପଦକୁ ଡାକି ଆଣୁଛି । ଏନେଇ ସାମୁଦ୍ରିକ ବିଜ୍ଞାନୀମାନେ ଅଙ୍କକଷା ଆରମ୍ଭ କରିଛନ୍ତି । ଏହି ଜଳ ବାୟୁ ପରିବର୍ତ୍ତନ ପ୍ରଭାବରେ ସମୁଦ୍ର ପୂର୍ବାପେକ୍ଷା ଅଧିକ ଉତ୍ତପ୍ତ ରହୁଛି । ଫଳରେ ପ୍ରତିବର୍ଷ ହାରାହାରି ଗୋଟିଏ ବଡ ବାତ୍ୟା ରାଜ୍ୟର ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆଘାତ ଦେଉଛି । ସୂଚନାଯୋଗ୍ୟ ଯେ, ଗତ ୩ବର୍ଷ ମଧ୍ୟରେ ପାଖା ପାଖି ଦେଢଲକ୍ଷ ଘର ମାଟିରେ ମିଶିଛି । ୭ଲକ୍ଷ ହେକ୍ଟର ଜମିର ଫସଲ ଉଜୁଡିଛି । ୪ହଜାରରୁ ଉଦ୍ଧ୍ୱର୍ ଗୋସମ୍ପଦ ନଷ୍ଟ ହୋଇଛନ୍ତି । ଏଥିରୁ ଜଣା ପଡୁଛି ଯେ, ଓଡିଶା ଏବେ ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ରାଜ୍ୟ ହୋଇପଡିଛି । ଯଦିଓ ୧୮୯୧ରୁ ୨୦୨୧ମସିହା ମଧ୍ୟରେ ବାତ୍ୟା ସଂଖ୍ୟା ଧୀରେଧୀରେ କମିବାରେ ଲାଗଛି ତଥାପି ଆସୁଥିବା ବାତ୍ୟାର ପ୍ରକୋପ ପୂର୍ବ ତୁଳନାରେ ଅଧିକ ରହୁଛି । ଚଳିତ ବର୍ଷ ଲଘୁଚାପ ବର୍ଷା ଓଡିଶା ପାଇଁ ବାତ୍ୟା ଓ ବନ୍ୟାଡର ସୃଷ୍ଟି କରିଛି । ସେପ୍ଟେମ୍ବର ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଆଉ ଏକ ଘୁଣ୍ଣିବଳୟ ସୃଷ୍ଟି ହୋଇଥିଲା ପରେ ବାତ୍ୟା ଗୁଲାବ ବିପଦ ଟଳିଯାଇଥିଲା  । ଚଳିତ ବର୍ଷ ବଙ୍ଗୋପ ସାଗରରୁ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ଗତ ସେପ୍ଟେମ୍ବରରେ ୪ଟି ଲଘୁଚାପ ସହ ଗୋଟିଏ ବାତ୍ୟା ପରେ ଏବେ ଅକ୍ଟୋବରରେ ବି ଲଘୁଚାପ ଦାନା ବାନ୍ଧିବା ଆରମ୍ଭ କରିଛି ।
  ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ସଜାଗ ରହିଛନ୍ତି  ଓ ଏହାର ମୁକାବିଲା ପାଇଁ ସବୁପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ସୂଚନାକୁ ଆଧାର କରି ସମ୍ଭାବ୍ୟ ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ଯେଉଁଠି ଯାହା ଆବଶ୍ୟକ ହେବ ପଦକ୍ଷେପ ନିଆଯିବ । ଜିରୋ କାଜୁଆଲିଟି ବା ଶୂନ୍ୟମୃତୁ୍ୟ ଘୋଷଣା କରାଯାଇଛି ।  ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଛି ।  ସେହପରି ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ୨୩ରୁ ୨୫ ତାରିଖ ମଧ୍ୟରେ ଅପ୍ ଓ ଡାଉନ୍ ଲାଇନରେ ୧୯୭ଟି ଟ୍ରେନଚଳାଚଳ ବାତିଲ କରିଛି । ଏସବୁ ସତ୍ତେ ଆମକୁ ସତର୍କ ଓ ସଚେତନ ରହିବାକୁ ହେବ । ତାହାଲେ ଯାଇ ଆମେ ବାତ୍ୟା ଦାନାର ମୁକାବିଲା କରିପାରିବା ।