ବଢ଼ି ଚାଲିଛି ବିଦେଶୀ ଋଣ ବୋଝ


ବର୍ତ୍ତମାନ ସମୟରେ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ଦୁଇ ପ୍ରକାରର ଚିତ୍ର ଦେଖିବାକୁ ମିଳୁଛି । ପ୍ରଥମ ଚିତ୍ରରେ ଦେଶର ଆର୍ଥôକ ସ୍ଥିତି ବଢ଼ି ବଢ଼ି ଚାଲିଛି । ଗତ କିଛି ବର୍ଷ ହେଲା ଆର୍ଥôକ ଅଭିବୃଦ୍ଧି ହାର ଭଲ ରହୁଛି । ମୋଟ୍ ଘରୋଇ ଉତ୍ପାଦ ମଧ୍ୟ ଉପରମୁହାଁ ହୋଇ ରହିଛି । ଆଉ ଦ୍ୱିତୀୟ ଚିତ୍ରଟି ହେଲା ଦେଶର ସେୟାର ବଜାର ସେନ୍ସେକ୍ସ, ନିଫ୍ଟି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେବେ ଏ ସମ୍ପର୍କିତ ଏକ ରିପୋର୍ଟ୍ ଇତିମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ପ୍ରକାଶ କରିଛି । ଏହି ରିପୋର୍ଟ୍ରୁ ଦେଶ ଉପରେ ରହିଥିବା ବିଦେଶୀ ଋଣ ବୋଝର ଏକ ସ୍ପଷ୍ଟ ଚିତ୍ର ଜଣାପଡ଼ିଯାଉଛି । ବିଦେଶୀ ଋଣ ବୋଝର ଭାର ବଢ଼ି ବଢ଼ି ଚାଲିଛି ଏବଂ ବର୍ତ୍ତମାନ ଏହି ଋଣ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ଏହା ପହଞ୍ଚିଯାଇଛି । ଗତ ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ଦେଶରେ ବିଦେଶୀ ଋଣ ପରିମାଣ ୭୧୧.୮ ବିଲିୟନ୍ ଡ଼ଲାର ରହିଥିଲା । ଭାରତୀୟ ମୁଦ୍ରାରେ ଏହା ହେଉଛି ପ୍ରାୟ ୫୮.୬ ଲକ୍ଷ କୋଟି ଟଙ୍କା । ଜୁନ୍ ୨୦୨୪ର ତୁଳନାରେ ଏହା ୪.୩ ପ୍ରତିଶତ ଅଧିକ । ୨୦୨୪ ଜୁନ୍ ମାସରେ ଦେଶର ବିଦେଶୀ ଋଣ ପରିମାଣ ୬୮୨.୨ ବିଲିୟନ୍ ଡ଼ଲାର୍ ଥିଲା । ମାତ୍ର ୩ ମାସ ମଧ୍ୟରେ ସେପ୍ଟେମ୍ବର ବେଳକୁ ୨୯.୬ ବିଲିୟନ୍ ଡ଼ଲାର୍ ବୃଦ୍ଧି ଘଟିଛି ।  ତେବେ ଏହି ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଜିଡ଼ିପି ବା ମୋଟ ଘରୋଇ ଉତ୍ପାଦର ୧୯.୪ ଶତାଂଶ ଥିଲା ଋଣ ବୋଝ । ସେପ୍ଟେମ୍ବର ପୂର୍ବରୁ ଜୁନ୍ରେ ଏହା ଥିଲା ୧୮.୮ପ୍ରତିଶତ । 
ବିଗତ ରିପୋର୍ଟ୍ ଗୁଡ଼ିକର ପରିସଂଖ୍ୟାନକୁ ବିଶ୍ଳେଷଣ କରିଲେ ଦେଖାଯାଉଛି ଯେ ଗତ ଦିନର ରିପୋର୍ଟ୍ ତୁଳନାରେ ବର୍ତ୍ତମାନର ରିପୋର୍ଟ୍ ଗୁଡିକ କ୍ରମେ କ୍ରମେ ଋଣର ଭାର ବଢ଼ି ବଢ଼ି ଚାଲୁଥିବା ଦର୍ଶାଉଛି । ଦେଶର ଅର୍ଥନୀତି କ୍ଷେତ୍ରରେ ଏହା ପ୍ରତିକୂଳ ପ୍ରଭାବ ପକାଇପାରେ । କାରଣ ଋଣ ଭାର ଯେତିକି ବଢ଼ିବ ସେହି ତୁଳନାରେ ଋଣ ପରିଶୋଧ କ୍ଷେତ୍ରରେ ସୁଧ ବାବଦରେ ପରିମାଣ ମଧ୍ୟ ବଢ଼ି ବଢ଼ି ଚାଲିବ । ଏହା ଆର୍ଥôକ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇବ । ବିଦେଶୀ ଋଣ କ୍ଷେତ୍ରରେ ବିଭିନ୍ନ ଦେଶର ମୁଦ୍ରା ମିଶି ରହିଛି । ଏହାର ଏକ ବଡ଼ ଅଂଶ ହେଉଛି ଆମେରିକୀୟ ଡ଼ଲାର । ସେପ୍ଟେମ୍ବର ୨୪ ସୁଦ୍ଧା ଭାରତରେ ବିଦେଶୀ ଋଣର ମୋଟ୍ ପରିମାଣର ୫୩.୪ ପ୍ରତିଶତ ଥିଲା ଆମେରିକୀୟ ଡ଼ଲାର ଆକାରରେ । ଜାପାନ ୟେନ୍ର ପରିମାଣର ଥିଲା ୭.୬ ପ୍ରତିଶତ । ତେବେ ଭାରତରେ ବିଦେଶୀ ଋଣର ସ୍ଥିତି ସେଭଳି କିଛି ଗୁରୁତର ସ୍ଥିତିରେ ପହଞ୍ଚିନଥିବା ସରକାରୀ ଭାବରେ ପ୍ରକାଶ ପାଇଛି, କିନ୍ତୁ ଭାରତୀୟ ଋଣ ଭାର ବଢି ବଢି ଚାଲିଲେ ଏହା ଅର୍ଥନୀତି ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିବ । 
ବର୍ତ୍ତମାନ ପୁଞ୍ଜିନିବେଶ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକ ମାନେ ସେମାନଙ୍କର ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି । ଏହା ଫଳରେ ଭାରତୀୟ ପୁଞ୍ଜିନିବେଶକ ମାନେ ବିପୁଳ କ୍ଷତିର ସମ୍ମୁଖୀନ ହେଲେଣି । ଗୋଟିଏ ପକ୍ଷରେ ବୈଦେଶିକ ଋଣ ଭାର ବଢ଼ି ବଢ଼ି ଚାଲିଛି ଆଉ ଅନ୍ୟପକ୍ଷରେ ବୈଦେଶିକ ପୁଞ୍ଜିନିବେଶ କମି କମି ଯାଉଛି । ଏଭଳି ପରିସ୍ଥିତି ଅର୍ଥନୀତି ପାଇଁ ଆଦୌ ଶୁଭସୂଚକ ନୁହେଁ । ଅର୍ଥନୀତି କ୍ଷେତ୍ରରେ ଆହୁରି ମଧ୍ୟ ଏକ ସମସ୍ୟା ଦେଖା ଦେଲାଣି । ବର୍ତ୍ତମାନ ଆମେରିକୀୟ ଡ଼ଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହେଉଛି ୮୬.୬୫ ଟଙ୍କା । ଏହା ଦିନକୁ ଦିନ ଭାରତୀୟ ମୁଦ୍ରାର ମୂଲ୍ୟକୁ ନିମ୍ନଗାମୀ କରିଚାଲିଛି । ଭାରତୀୟ ମୁଦ୍ରାର ସ୍ଥିତି ସ୍ଥାପକତାକୁ ସ୍ଥିର କରିବା ପାଇଁ ଉଦ୍ୟମ କରାଗଲେ ଭାରତୀୟ ଅର୍ଥନୀତି ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ଭଳି ସ୍ଥିତିକୁ ଚାଲି ଆସିବ ।