ଆମ ଆଇନ ଓ ପୁରୁଷ ନିର୍ଯାତନା
ରଶ୍ମିରଞ୍ଜନ ରାଉତ : ଆମ ସମ୍ୱିଧାନର ତୃତୀୟ ସ୍ତମ୍ଭ ନ୍ୟାୟପାଳିକା ଉଭୟ ନାରୀ ଓ ପୁରୁଷଙ୍କୁ ସମାଜରେ ବଞ୍ଚିବାର ସମାନ ଅଧିକାର ଦେଇଛି । ହେଲେ ଆଜିକାଲି ଘଟୁଥିବା ଘଟଣାବଳୀରୁ ଅନୁମେୟ ଆଇନ କେତେକାଂଶରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସପକ୍ଷବାଦୀ ହୋଇପଡ଼ିଛି । ନିର୍ଯାତିତା ମହିଳାଙ୍କ ସୁରକ୍ଷା ପାଇଁ ମହିଳା କମିଶନ ଥିବା ବେଳେ ନିର୍ଯାତିତ ପୁରୁଷଙ୍କ ପାଇଁ ସେମିତି କୌଣସି ଅନୁଷ୍ଠାନ ନାହିଁ । ଫଳରେ ନିର୍ଯାତିତା ମହିଳା କମିଶନ ଓ ଆଇନର ସମର୍ଥନ ପାଇ ସଙ୍ଗେସଙ୍ଗେ ନ୍ୟାୟ ପାଇଯାଉଥିବା ବେଳେ ନିର୍ଯାତିତ ପୁରୁଷଟେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ପନ୍ଥାକୁ ବି ଆପଣେଇବାକୁ ପଛାଉନି । ଯାହାର ପରିଣାମ ସ୍ୱରୂପ ନିକଟରେ ବେଙ୍ଗାଲୁରୁରେ ଘଟିଛି ଦୁଇ ଦୁଇଟି ହୃଦୟ ବିଦାରକ ଘଟଣା ।
ପ୍ରଥମ ଘଟଣାରେ ୩୪ ବର୍ଷୀୟ ଇଂଜିନିୟର ଅତୁଲ ସୁଭାଷ ପନôୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିଛନ୍ତି । ଦୀର୍ଘଦିନ ଧରି ପନôୀଙ୍କଠୁ ମାନସିକ ନିର୍ଯାତନା ପାଉଥିବାରୁ ଅତୁଲ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି । ସବୁଠୁ ବଡ଼କଥା ହେଉଛି ମୃତୁ୍ୟ ପୂର୍ବରୁ ଅତୁଲ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଓ ୯୦ ମିନିଟର ଏକ ଭିଡିଓ ଜାରି କରିଯାଇଛନ୍ତି, ଯେଉଁଥିରେ ସେ ତାଙ୍କ ମୃତୁ୍ୟ ପାଇଁ ପନôୀ ଓ ପନôୀଙ୍କ ପରିବାରଙ୍କୁ ଦାୟୀ କରିଛନ୍ତି । ଏଥିରେ ସେ କିପରି ମାନସିକ ଓ ଶାରୀରିକ ଭାବେ ଯନ୍ତ୍ରଣା ପାଉଥିଲେ ସେ ବିଷୟରେ ବ୍ୟାପକ ଉଲ୍ଲେଖ କରିଛନ୍ତି । ୨୦୧୯ରେ ବିବାହ କରିଥିବା ଏହି ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ବି ଅଛି । ଉଭୟଙ୍କ ସଂପର୍କ ତିକ୍ତ ହେବାରୁ ୮ ମାସ ପୂର୍ବରୁ ଦୁହେଁ ଅଲଗା ହୋଇଯାଇଥିଲେ । ମାତ୍ର ଏହା ପରେ ଅତୁଲଙ୍କ ବିରୋଧରେ ହତ୍ୟା, ଯୌନ ଶୋଷଣ ଏବଂ ଘରୋଇ ହିଂସା ଅଭିଯୋଗ ପରି ୯ଟି ଭିନ୍ନଭିନ୍ନ ମାମଲା ରୁଜୁ ହୋଇଛି । ଅତୁଲ ଚିଠିରେ ଲେଖିଛନ୍ତି ଯେ, ତାଙ୍କ ପନôୀ ପରିବାର ଓ ତାଙ୍କ ପୁଅକୁ ଦେଖା କରିବା ସହ ଏକ ମାମଲାର ସମାଧାନ ପାଇଁ ୩ କୋଟି ଟଙ୍କା ଦାବି କରିଥିଲେ । ଏଣୁ ଏହାର ନ୍ୟାୟ ନମିଳିବା ଯାଏଁ ତାଙ୍କ ଅସ୍ଥି ବିସର୍ଜନ ନକରିବାକୁ କହିବା ସହ ନ୍ୟାୟ ନମିଳିଲେ ତାଙ୍କ ଅସ୍ଥିକୁ କୋର୍ଟ ପାଖ ଯେକୌଣସି ନାଳନର୍ଦ୍ଦମାରେ ପକାଇଦେବାକୁ ଲେଖିଛନ୍ତି ।
ସେହିପରି ଦ୍ୱିତୀୟ ଘଟଣାଟିରେ ପନôୀ ଓ ଶ୍ୱଶୁରଙ୍କ ନିର୍ଯାତନା ଯୋଗୁଁ ବେଙ୍ଗାଲୁରୁ ପୁଲିସର ଜଣେ କନେଷ୍ଟବଳ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ଆତ୍ମହତ୍ୟା କରିଛନ୍ତି । ବେଙ୍ଗାଲୁରୁର ହୁଲିମାଭୁ ଟ୍ରାଫିକ୍ ଥାନାରେ ହେଡ୍ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ୩୪ ବର୍ଷୀୟ ଥିପ୍ପାନ୍ନା ବିଜୟପୁରା ଜିଲ୍ଲାର ସିନ୍ଧଗି ସହର ନିକଟସ୍ଥ ହାଣ୍ଡିଗାନୁରୁର ବାସିନ୍ଦା । ଶୁକ୍ରବାର ରାତିରେ ସେ ସହରର ହିଲାଲିଗେ ରେଳ ଷ୍ଟେସନ ଓ କାର୍ମେଲାରାମ ହୁସାଗୁରୁ ରେଳ ଫାଟକ ମଧ୍ୟରେ ଥିବା ରେଳ ଧାରଣାରେ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରୁ ସୁଇସାଇଡ୍ ନୋଟ୍ରେ କନେଷ୍ଟବଳ ଜଣକ ଆତ୍ମହତ୍ୟା ନିଷ୍ପତ୍ତି ପାଇଁ ପନôୀ ଓ ଶ୍ୱଶୁରଙ୍କୁ ଦାୟୀ କରିଛନ୍ତି । ତେବେ ଅତୁଲ ଓ ଥିପ୍ପାନ୍ନାଙ୍କ ଅପମୃତୁ୍ୟ କେବଳ ନିର୍ଯାତନା ଓ ଘରୋଇ ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିନି ବରଂ ଆମର ମହିଳା ସପକ୍ଷବାଦୀ ଆଇନ ଉପରେ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ହିନ୍ଦୀରେ ଏକ ଢଗ ଅଛି “ମର୍ଦ୍ କୋ ଦର୍ଦ୍ ନେହିଁ ହୋତା” ଅର୍ଥାତ୍ ପୁରୁଷକୁ କଷ୍ଟ ହୁଏ ନାହିଁ । ହେଲେ, ପୁରୁଷଟେ ଅନେକ ଦୁଃଖ କଷ୍ଟ ସହ୍ୟ କରି ନିଜ ଛାତି ଭିତରେ ଯନ୍ତ୍ରଣାକୁ ଚାପିଦିଏ । ମାତ୍ର ତାହା ଅସହ୍ୟ ହେଲେ ସେ ନିଜ ଜୀବନକୁ ବଳି ପକେଇବାକୁ ପଛାଏନି, ଏ ମର୍ମକୁ ଅନେକ ବୁଝିପାରନ୍ତି ନାହିଁ । ବେଙ୍ଗାଲୁରୁରେ ଘଟିଥିବା ଏହି ଦୁଇ ସଦ୍ୟତମ ଘଟଣା ଭାତହାଣ୍ଡିରୁ ଦୁଇଟି ଭାତ ଚିପିଲା ପରି । ଦିନକୁ ଦିନ ମହିଳାମାନେ ପୁରୁଷଙ୍କ ଉପରେ ପକାଉଥିବା ମାନସିକ ଚାପ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି । ମହିଳାମାନେ ଯେ ନିର୍ଯାତିତା ନୁହନ୍ତି ତା ନୁହେଁ କିନ୍ତୁ ପୁରୁଷମାନେ ମଧ୍ୟ ମହିଳାମାନଙ୍କ ପରି ନିର୍ଯାତିତ ହେଉଛନ୍ତି । ଏକଥାକୁ ହୃଦୟଙ୍ଗମ କରି ସର୍ବୋଚ୍ଚÿ ଅଦାଲତ ବି କହିସାରିଛନ୍ତି ମହିଳାମାନଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ିବାରେ ଲାଗିଛି । ସେମାନେ ଶାଶୂଘରର ନିରୀହ ଲୋକ ଏବଂ ସମ୍ପର୍କୀୟଙ୍କ ବିରୋଧରେ ଏହି ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି । ନିର୍ଦ୍ଦିଷ୍ଟ ଅଭିଯୋଗ ବିନା କୌଣସି ଆବେଦନ ଦାଖଲ ହେଲେ ଖାରଜ କରିଦିଆଯିବା ଜରୁରି । ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନକୁ ଅସ୍ତ୍ର କରିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ।
ଏବେ ଆଇନର ବିଧିବ୍ୟବସ୍ଥା ଯେମିତି ଭାବରେ କାର୍ଯ୍ୟକାରୀ ହେଉଛି ତାହା ଅନେକ ସମୟରେ ପୁରୁଷମାନଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରେ ଲାଗିଛି । ଭାରତୀୟ ପିଙ୍ଗଳ କୋର୍ଡର ଧାରା ୪୯୮ (କ) ଅନୁସାରେ ଯଦି ସ୍ୱାମୀ କିମ୍ବା ତାର ସମ୍ପର୍କୀୟ ସ୍ତ୍ରୀ ପ୍ରତି ନିଷ୍ଠୁରତା ପ୍ରଦର୍ଶନ କରନ୍ତି ତେବେ ତାର ସ୍ୱାମୀ କିମ୍ବା ସେହି ସମ୍ପର୍କୀୟଙ୍କୁ ଜରିମାନା ସହିତ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ/ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ରହିଛି । ସେହିପରି ଧାରା ୪୯୩ ମୁତାବକ ସ୍ତ୍ରୀ ବୋଲି ଧାରଣା ଦେଇ ବା ବିଶ୍ୱାସ ଜନ୍ମାଇ ତା ସହ ସହବାସ କଲେ ପୁରୁଷକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଜୋରିମାନାର ପ୍ରାବଧାନ ରହିଛି । ଏହା ସହ ଯଦି କୌଣସି ସ୍ତ୍ରୀ ନିଷ୍ଠୁର ଏବଂ କ୍ରୁରତା ଆଚରଣ ଫଳରେ ୬ବର୍ଷ ମଧ୍ୟରେ ମୃତୁ୍ୟବରଣ କରେ, ତେବେ ସ୍ୱାମୀ ଏବଂ ଶଶୁର ଘରର ପରିବାର ତାର ମୃତୁ୍ୟ ପାଇଁ ଦାୟୀ ରହିବା ଉଲ୍ଲେଖ କରାଯାଇଛି । ବର୍ତ୍ତମାନ କିଛି ମହିଳା ନିଜର ସ୍ୱାର୍ଥ ସାଧନ ପାଇଁ ମହିଳା ସୁରକ୍ଷା ଆଇନର ଦୁରୁପଯୋଗ କରିଚାଲିଛନ୍ତି । ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ତିଆରି ହୋଇଥିବା ଆଇନକୁ ଅସ୍ତ୍ର କରି, କିଛି ମହିଳା ନିଜ ଅଯୌକ୍ତିକ ଦାବି ପୂରଣ ପାଇଁ ପୁରୁଷ ଓ ତାଙ୍କ ପରିବାର ଲୋକଙ୍କୁ ବାଧ୍ୟ କରୁଛନ୍ତି । ମହିଳାମାନେ ସ୍ୱାର୍ଥସାଧନ ପାଇଁ ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଆଇନର ଅପବ୍ୟବହାର ବୃଦ୍ଧି ପାଉଛି । କେତେକାଂଶରେ ଏ ସମ୍ୱନ୍ଧୀୟ ମାମଲା ତଳ ଅଦାଲତରୁ ଉପର ଅଦାଲତ ଯାଏଁ ବର୍ଷବର୍ଷ ଧରି ଗଡ଼ିଚାଲୁଛି । କୁହାଯାଏ ‘ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ’ । ଏମିତି ଚାଲିଲେ ଦିନକୁ ଦିନ ପୁରୁଷ ନିର୍ଯାତନା ବଢିଚାଲିଥିବ । ଏଣୁ ଏହାକୁ ରୋକିବାକୁ ହେଲେ ତୁରନ୍ତ ଶୁଣାଣି ସହ ମହିଳା କମିଶନ ଭଳି ପୁରୁଷଙ୍କ ପାଇଁ ମଧ୍ୟ ପୁରୁଷ କମିଶନ ଗଠନ ହେବା ଜରୁରି । କାରଣ ପୁରୁଷକୁ ମଧ୍ୟ ଅନେକ କଥା ଦୁଃଖ ଓ ଯନ୍ତ୍ରଣା ଦେଇଥାଏ, ଆଖିରେ ଲୁହ ଆଣିଦିଏ । କିନ୍ତୁ ସମାଜ ଓ ପରିବାରର ବୃହତ୍ତର ସ୍ୱାର୍ଥ ଭିତରେ ସେ ଦୁଃଖ ଓ ଯନ୍ତ୍ରଣାକୁ ହଜେଇଦିଏ । ମହିଳା ଓ ଶିଶୁଙ୍କ ଯନô, ସୁରକ୍ଷା ଏବଂ ଜୀବନଧାରଣ ପାଇଁ ପୁରୁଷର ଏକ ବଡ଼ ଅବଦାନ ରହିଛି ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।
ଏକ ରିପୋର୍ଟରୁ ଜଣାପଡ଼ିଛି ବିଶ୍ୱରେ ମହିଳାଙ୍କ ତୁଳନାରେ ୩ ଗୁଣ ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି । ପ୍ରତି ୩ ଜଣ ପୁରୁଷରେ ଜଣେ ଘରୋଇ ହିଂସାର ଶିକାର ହେଉଛନ୍ତି । ମହିଳାମାନଙ୍କଠାରୁ ୪ରୁ ୫ ବର୍ଷ ପୂର୍ବରୁ ପୁରୁଷଙ୍କର ମୃତୁ୍ୟ ଘଟୁଛି ଓ ୨ ଗୁଣ ପୁରୁଷ ହୃଦ୍ଘାତର ଶିକାର ହେଉଛନ୍ତି ଯାହାର ମୁଖ୍ୟ କାରଣ ମାନସିକ ଚାପ ବୋଲି ଦର୍ଶାଯାଇଛି । ସେହିପରି ଜାତୀୟ ଅପରାଧ ରେକର୍ଡ ବୁ୍ୟରୋର ତଥ୍ୟ ଅନୁଯାୟୀ, ଗତ ଦୁଇ ଦଶନ୍ଧିରେ ଦେଶରେ ପ୍ରତି ୧୦ଟି ଆତ୍ମହତ୍ୟା ମଧ୍ୟରୁ ୬ରୁ ୭ ଜଣ ହେଉଛନ୍ତି ପୁରୁଷ, ଯାହାକି ଜୀବନ ହାରୁଥିବା ମହିଳାଙ୍କ ସଂଖ୍ୟା ତୁଳନାରେ ଯଥେଷ୍ଟ ଅଧିକ । ବାସ୍ତବରେ ପୁରୁଷ ଆଖିରୁ ସହଜରେ ଲୁହ ଝରେ ନାହିଁ । ଲୁହପରି ଭାବାତ୍ମକ ଆବେଗକୁ ସେ ଅନାୟାସରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିପାରେ ନାହିଁ । ପୁରୁଷ ପଣିଆର ଅହଂ ଆସି ତା’ ବାଟ ଓଗାଳେ ।
ସମାଜ ସବୁବେଳେ ପୁରୁଷଙ୍କୁ ଦୋଷ ଦିଏ । ପୁରୁଷମାନେ ନିଜ ଅଧିକାର ଓ ନିଜ ସପକ୍ଷରେ ଥିବା ଆଇନ ସମ୍ପର୍କରେ ଅବଗତ ହେଉ ନ ଥିବାରୁ ସବୁବେଳେ ଦୋଷୀ ସାବ୍ୟସ୍ତ ହୁଅନ୍ତି । ସବୁକ୍ଷେତ୍ରରେ ନ ହେଲେ ବି, ଯୌତୁକ ଓ ଇଭ୍ ଟିଜିଂ ଭଳି ମାମଲାରେ ମହିଳାମାନେ ନିଜ ସପକ୍ଷରେ ଥିବା ଆଇନର ଅପବ୍ୟବହାର କରି ପୁରୁଷଙ୍କୁ ହଇରାଣ କରୁଛନ୍ତି । ଦୋଷ ନ ଥାଇ ମଧ୍ୟ ଦଣ୍ଡ ପାଉଛନ୍ତି । ସମତା ଓ ନାରୀ ଶକ୍ତି କଥା କୁହାଯାଉଥିଲେ ବି ଏବେ ମଧ୍ୟ ମହିଳାଙ୍କୁ ଅବଳା ଦୁର୍ବଳା ଭାବି ପୁରୁଷଙ୍କ ଉପରେ ସବୁ ଦୋଷ ଲଦି ଦିଆଯାଉଛି । ଏକ୍ଷେତ୍ରରେ ଆଇନର ପରିବର୍ତ୍ତନ ହେବା ଆବଶ୍ୟକ । ପ୍ରତ୍ୟେକ ପୁରୁଷ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଆବଶ୍ୟକ ।
ନାୟକାଣୀଡିହି, ଭଦ୍ରକ
ମୋ: ୭୮୦୯୦୩୭୬୦୮