କାର୍ତ୍ତିକରେ ଶ୍ରୀମନ୍ଦିରରେ ବାଳଭୋଗ
ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ସ୍ୱତନ୍ତ୍ର ମହତ୍ୱ ରହିଅଛି । ଏହି ପବିତ୍ର ମାସରେ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ହବିଷ୍ୟାଳି ଓ ଧର୍ମପରାୟଣ ବ୍ୟକ୍ତି ଏଠାରେ ଅବସ୍ଥାନ କରି ‘କାର୍ତ୍ତିକ ବ୍ରତ’ ପାଳନ କରନ୍ତି । ଆଶ୍ୱିନ ଶୁକ୍ଳ ଏକାଦଶୀ (ଗୋଷାଣୀ ଏକାଦଶୀ) ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବିଶେଷ ଭୋଗ, ବେଶ ଓ ବ୍ରତ ପାଳନ କରାଯାଇଥାଏ । ଏହି ମାସରେ ମହାପ୍ରଭୁଙ୍କର ସକାଳ ଧୂପ (ରାଜଭୋଗ) ସରିବା ପରେ ପରେ ଏକ ସ୍ୱତନ୍ତ୍ର ଭୋଗ ଅନୁଷ୍ଠିତ ହୋଇଥାଏ, ଏହାକୁ ବାଳଧୂପ (ବାଳଭୋଗ) କୁହାଯାଏ ାଏହି ଭୋଗରେ ସାଧାରଣତଃ କୋରା, ଦୋଭଜା ଲିଆ, ଅଦା, ଖଇ, ନଡ଼ିଆ ଖୁଦି, ଚାଉଳିଆ, ସେଓ, କମଳା, କାକୁଡ଼ି, ପଇଡ଼ ଓ କଦଳୀ ଭୋଗ କରାଯାଏ । ପରମ୍ପରା କ୍ରମେ ଶ୍ରୀକ୍ଷେତ୍ରର କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ମଠ ଏଥିନିମନ୍ତେ ଶ୍ରୀମନ୍ଦିରକୁ ଭୋଗ ସାମଗ୍ରୀ ଯୋଗାଇ ଦେଇଥା’ନ୍ତି । ଜନଶ୍ରୁତିରେ କୁହାଯାଇଛି-”ବାଳ (କେଶ) ଅପ୍ରାଧୁ ବାଳଭୋଗ’ ।ଏହା ହେଉଚି ସେହି ଅପ୍ରାଧ (ଅପରାଧ) ।
ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟର ଘଟଣା । କୌଣସି କାରଣରୁ ସେ ଚାରିଦିନ ହେଲା ଶ୍ରୀମନ୍ଦିର ଯାଇପାରି ନଥିଲେ । ସେଦିନ ହଠାତ୍ ଅସମୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ଭିତରେ ବିଜେ କଲେ । ସେତେବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ମାଳଫୁଲ ନ ଥିଲା । ପାଳିଆ ପୁଷ୍ପାଳକ ବଳଭଦ୍ର ବ୍ୟସ୍ତ ହୋଇ ନିଜ ଶିଖା (ମୁଣ୍ଡର ଚୁଟି)ରେ ଥିବା ପ୍ରସାଦି (ଠାକୁରଙ୍କୁ ନିବେଦିତ ଫୁଲ)ଗୋଟିଏ ରାଜାଙ୍କୁ ବଢ଼ାଇଦେଲେ । ରାଜା ସେଥିରେ ଗୋଟିଏ କେଶ ଲାଗି ଥିବାର ଦେଖି କ୍ରୋଧରେ ଥରି ଉଠିଲେ । ସେ କହିଲେ,ଏହି ପ୍ରସାଦକୁ କେଶ ଆସିଲା କିପରି?ଏହା କେବେହେଁ ଶ୍ରୀଅଙ୍ଗ ପ୍ରସାଦ ନୁହଁ, ତୁମ ମସ୍ତକର ପ୍ରସାଦ । ରାଜାଙ୍କର କ୍ରୋଧ ଦେଖି ଭୟରେ ପୁଷ୍ପାଳକ ମହାଶୟଙ୍କ ଜ୍ଞାନ ହଜିଗଲା । ହଠାତ୍ ତାଙ୍କ ପାଟିରୁ ବାହାରି ପଡ଼ିଲା ମହାପ୍ରଭୁଙ୍କ ମସ୍ତକରେ କେଶ ଅଛି । ପୁଷ୍ପାଳକଙ୍କ କଥା ଶୁଣି କ୍ରୋଧରେ ଥରି ଉଠିଲେ ଗଜପତି ପ୍ରତାପରୁଦ୍ର ଦେବ । ଆଦେଶ ଦେଲେ, କାଲି ସକାଳୁ ମୁଁ ଆସି ଦେଖିବି । ଯଦି ମହାପ୍ରଭୁଙ୍କ ମସ୍ତକରେ କେଶ ନ ଥିବ, ତୁମର ମୁଣ୍ଡକାଟ ହେବ ।’
ଉକ୍ତ ଦିବସର ସମସ୍ତ ନୀତି ସରି ରାତ୍ର ପହୁଡ଼ ହେଲା । ମାତ୍ର ଶୋଇପାରିଲେନି ବଳଭଦ୍ର ପୁଷ୍ପାଳକ । ଆଖିରୁ ଧାର ଧାର ଲୁହ ବୋହିଗଲା । ଆତୁରେ ଆତୁରେ ସେ କେବଳ ମହାପ୍ରଭୁଙ୍କୁ ବିକଳରେ ଡାକି ଚାଲିଲେ । ହଠାତ୍ ସ୍ୱପ୍ନରେ ସେ ମହାପ୍ରଭୁଙ୍କୁ ଦେଖିଲେ ,ସେ ଆଜ୍ଞାଦେଲେ, ତୁମେ ଏତେ ବ୍ୟସ୍ତ କାହିଁକି? ଆମ୍ଭ ତି୍ରମୁଣ୍ଡିରେ ବାଳ ନାହିଁ କି ? କାଲି ସକାଳୁ ରାଜାଙ୍କୁ ବାଳ ଦେଖାଇଦେବ । ସ୍ୱପ୍ନରେ ନିଦେ୍ର୍ଦଶ ପାଇ ପୁଷ୍ପାଳକ ମହାଶୟ ଆଶ୍ୱସ୍ତ ହେଲେ ।
ପରଦିନ ଅବକାଶ ସମୟରେ ଗଜପତି ଶ୍ରୀମନ୍ଦିର ଆସି ଉକ୍ତ ସେବକଙ୍କୁ ଡକାଇ ଏବେ ମହାପ୍ରଭୁଙ୍କ ଶ୍ରୀମସ୍ତକରେ କେଶ ଦେଖାଇବା ପାଇଁ ନିଦେ୍ର୍ଦଶ ଦେଲେ । ପୁଷ୍ପାଳକଙ୍କ ସହ ଅନ୍ୟାନ୍ୟ ସେବକମାନେ ବେଶ ମଇଲମ (ଠାକୁର ମାନଙ୍କ ଶ୍ରୀଅଙ୍ଗରୁ ବେଶ, ମାଳଚୂଳ, ଅଳଙ୍କାର ଓ ବସ୍ତ୍ରାଦି ଉଲାଗି କରାଯିବା) କରୁଥିବା ସମୟରେ ହଠାତ୍ ଶ୍ରୀଜଗନ୍ନାଥଙ୍କ ଶ୍ରୀମସ୍ତକରୁ ଗୋଛାଏ କେଶ ଆଗକୁ ଢାଙ୍କି ପଡ଼ିଲା । କେଶ ଦର୍ଶନ କରି ରାଜା ଭାବିଲେ, ରାଜାଦେଶ ଭୟରେ ସେବକମାନେ ବୋଧହୁଏ କଳାଚାମରରେ ମହାପ୍ରଭୁଙ୍କ ଶ୍ରୀମସ୍ତକକୁ ଢାଙ୍କି ଦେଇଛନ୍ତି । ରାଜା କହିଲେ, ଏ କଥାକୁ ମୋର ଆଦୌ ବିଶ୍ୱାସ ହେଉନାହିଁ । ପୂର୍ବରାତ୍ରରୁ ସ୍ୱପ୍ନ ଦର୍ଶନ କରିଥିବା ବଳଭଦ୍ର ପୁଷ୍ପାଳକ ରାଜାଙ୍କ କଥାଶୁଣି କ୍ରୋଧରେ ଶ୍ରୀମସ୍ତକରୁ ପୁଳାଏ କେଶ ଧରି ଝିଙ୍କି ଦେବାରୁ ତାହାମଧ୍ୟରୁ ଧାର ଧାର ରକ୍ତ ବୋହି ଆସି ଶ୍ରୀମୁଖକୁ ରକ୍ତାକ୍ତ କରିଦେଲା । ରାଜା ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇପଡ଼ିଲେ । ତାଙ୍କର ଜ୍ଞାନ ହଜିଗଲା । ଗଛ କାଟିଲା ପରି ସେ ତଳେ ପଡ଼ିଗଲେ ଓ ନିଜକୁ ମହା ଅପରାଧୀ ମନେ କରି କାନ୍ଦିବାକୁ ଲାଗିଲେ । ସିଂହାସନ ଉପରେ ଥିବା ବଳଭଦ୍ରଙ୍କ ସମେତ ସମସ୍ତ ସେବକ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ମହାପ୍ରଭୁଙ୍କ ମୁଣ୍ଡରୁ ରକ୍ତକ୍ଷରଣ ବନ୍ଦ ହୋଇଗଲା । ଦୁଃଖ ମନରେ ଗଜପତି ଶ୍ରୀନହର ଫେରିଗଲେ ଓ ଅଖିଆ ଅପିଆ ରହି ନିଜ ଅପରାଧ ମାର୍ଜନା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ଦୁଇଦିନ ପରେ ତୃତୀୟ ଦିନ ରାତ୍ରରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା -
“ଏ ଯେ ଅପ୍ରାଧ କ୍ଷମା ହେଲା ତୋର,
ବାଳ ଅପ୍ରାଧେ “ବାଳଭୋଗ’ କର ।’’
ସେହିଦିନ ଠାରୁ ଗଜପତି ପ୍ରତାପରୁଦ୍ର ଦେବଙ୍କ ଆଦେଶରେ ମହାକାର୍ତ୍ତିକ ମାସରେ ସକାଳ ଧୂପ ପରେ ଆଉ ଏକ ଧୂପ ବାଳଧୂପରେ ‘ବାଳଭୋଗ’ ଆଜି ଯାଏ ହେଉଅଛି । ଏହା କାର୍ତିକ ମାସରେ କେବଳ ବାଇଶି ପାହାଚରେ ଭକ୍ତ ମାନଙ୍କୁ ମିଳିଥାଏ ।
ପୁରୀ,ମୋ. – ୮୦୧୮୮୭୫୩୩୫