ଅବହେଳାକୁ ସୁପ୍ରିମ୍ ଛାଟ
ବର୍ତ୍ତମାନ ପରିବର୍ତ୍ତିତ ସମୟରେ ସାମାଜିକ ଓ ପାରିବାରିକ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ବଡ଼ ବଡ଼ ଯୁଗ୍ମ ପରିବାର ଆଉ ଦେଖିବାକୁ ମିଳୁନାହିଁ । ପିଲାମାନେ ବଡ଼ ହୋଇଗଲେ କର୍ମସଂସ୍ଥାନ ଓ ରୋଜଗାର ନାଁରେ ପିତାମାତାଙ୍କୁ ଛାଡ଼ି ଦୂରକୁ ଚାଲି ଯାଉଛନ୍ତି । ପରବର୍ତ୍ତୀ ସମୟରେ ପିତାମାତାଙ୍କ ଠାରୁ ଦୀର୍ଘଦିନ ଦୂରରେ ରହିବା ଜନିତ କାରଣରୁ ଏକୁଟିଆ ଘର ସଂସାର କରି ରହିବାର ମନୋବୃତ୍ତି ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ପିତାମାତାଙ୍କ ବୃଦ୍ଧାବସ୍ଥାରେ ଯତ୍ନ ନେବା ପାଇଁ ଘରେ କେହି ରହୁନାହାନ୍ତି । ପିତାମାତାମାନେ ସେମାନଙ୍କ ଜୀବନକାଳ ଭିତରେ ଅତି କଷ୍ଟରେ ଉପାର୍ଜିତ କରିଥିବା ଧନ ସମ୍ପତ୍ତି ଜଗି ରହିବାକୁ ବାଧ୍ୟ ହେଉଛନ୍ତି । ତାଙ୍କର ଯତ୍ନ ନେବା ପାଇଁ ପାଖରେ କେହି ରହୁନାହାନ୍ତି । ବୃଦ୍ଧାବସ୍ଥା ଏବଂ ବାର୍ଦ୍ଧକ୍ୟ ଜନିତ ରୋଗ ଏବଂ ଅସୁସ୍ଥତା ସମୟରେ ପୁଅଝିଅ ପାଖକୁ ଆସୁନାହାନ୍ତି । ଏକ ଅସହାୟ ଜୀବନଯାପନ କରିବା ପାଇଁ ବୃଦ୍ଧାବସ୍ଥାରେ ପିତାମାତାମାନେ ବାଧ୍ୟ ହେଉଛନ୍ତି । ବାର୍ଦ୍ଧକ୍ୟରେ ଏ ପ୍ରକାରର ଅସହାୟ ଅବସ୍ଥାକୁ ଦୃଷ୍ଟିରେ ରଖି ବୃଦ୍ଧାଶ୍ରମ ଭଳି ଏକ ବ୍ୟବସ୍ଥା ବହୁଳ ଭାବରେ ଦେଖାଗଲାଣି । ବୃଦ୍ଧାଶ୍ରମ ଆଗ ନୁହେଁ, ଆଗ ହେଲା ଅବହେଳା । ଅବହେଳାକୁ ଦେଖି ବୃଦ୍ଧାଶ୍ରମର ପରିକଳ୍ପନା ଆସିଲା । ଏପରିକି ସରକାର ଏହିଭଳି ବୃଦ୍ଧାଶ୍ରମ ପରିଚାଳନା କରିବା ପାଇଁ ନିଜ ତରଫରୁ ଗଭର୍ଣ୍ଣିଂ ବଡ଼ି ତିଆରି କଲେ ଏବଂ ଘରୋଇ ଭାବରେ ଏଭଳି କରୁଥିବା ସଂସ୍ଥାକୁ ଆର୍ଥôକ ସହାୟତା ଦେଲେ । ସମାଜରେ ବୟୋଜ୍ୟେଷ୍ଠ ନାଗରିକମାନଙ୍କର ଆବଶ୍ୟକତା ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେମାନଙ୍କ ନିକଟରେ ଶାରୀରିକ ଶକ୍ତି ନାହିଁ ସତ; କିନ୍ତୁ ଶାରୀରିକ ଶକ୍ତି ଠାରୁ ଶହେଗୁଣା ଅଧିକ ମୂଲବାନର ଅଭିଜ୍ଞତା ଅଛି । ନବଜାତକ ଏବଂ ଛୋଟ ଛୋଟ ଶିଶୁମାନଙ୍କ ପାଇଁ ଆୟା ଏବଂ କ୍ରେଚ୍ ପରିବର୍ତ୍ତେ ଜେଜେମା ଆଉ ଜେଜେବାପା ଅଧିକ ପ୍ରଭାବଶାଳୀ ଯତ୍ନ ନେଇପାରନ୍ତି । ହେଲେ ଏକକ ପରିବାରରେ ଜେଜେବାପା ଜେଜେମାଆଙ୍କର ସ୍ଥାନ ନାହିଁ ।
ସମାଜ ଏଭଳି ଭାବରେ ବଦଳୁଥିବା ବେଳେ ସନ୍ତାନମାନେ ବୃଦ୍ଧ ପିତାମାତାଙ୍କର ଯତ୍ନ ନେବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ସୁପି୍ରମକୋର୍ଟ୍ ଏକ ମନ୍ତବ୍ୟ ଦେଇଛନ୍ତି । ତାହା ହେଲା ବୃଦ୍ଧାବସ୍ଥାରେ ପିତାମାତାଙ୍କ ଦାୟିତ୍ୱ ନେଉନଥିବା ସନ୍ତାନସନ୍ତତିମାନେ ପିତାମାତାଙ୍କର ସମ୍ପତ୍ତିର ଅଧିକାରୀ ହୋଇପାରିବେ ନାହିଁ । କେବଳ ପିତାମାତାଙ୍କର ସମ୍ପତ୍ତିକୁ ଆଖି ଆଗରେ ରଖି ଅନେକ ଏକକ ପରିବାରର ଦମ୍ପତ୍ତି ସେମାନଙ୍କୁ ଅବହେଳା କରନ୍ତି, ସ୍ଥଳ ବିଶେଷରେ ଘରୁ ତଡ଼ି ଦେଉଥିବାର ମଧ୍ୟ ଦେଖାଯାଇଛି । ଆଉ କେତେକ ସ୍ଥଳରେ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଚାଲି ଯାଉଛନ୍ତି । ମେଳା ତୀର୍ଥଯାତ୍ରାକୁ ନେଇ ସେଠାରେ ମଧ୍ୟ ଛାଡ଼ି ଦେଇ ଚାଲି ଆସୁଛନ୍ତି । ଏଭଳି ଅନେକ ପ୍ରକାରରେ ବୟସ୍କ ନାଗରିକମାନେ ନିଜ ଜନ୍ମିତ ସନ୍ତାନମାନଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହେଉଛନ୍ତି । ଏହିଭଳି ଘଟଣା ସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ବିଭିନ୍ନ କୋର୍ଟ୍ ଏ ସମ୍ପର୍କିତ କଡା ଟିପ୍ପଣୀ ଏବଂ ମନ୍ତବ୍ୟମାନ ଦେଇଛନ୍ତି ସତ; କିନ୍ତୁ ସେସବୁର ପ୍ରଭାବ ଏକକ ପରିବାର ଉପରେ ପଡ଼ିନାହିଁ । ବୃଦ୍ଧପିତାମାତାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଦେଲେ ସନ୍ତାନସନ୍ତତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସୁପି୍ରମକୋର୍ଟ୍ ମତ ଦେଇଛନ୍ତି । ଏପରିକି ଉତ୍ତରାଧିକାରୀ ସୂତ୍ରରେ ଯଦି କେହି ସମ୍ପତ୍ତି ନେଇସାରିବା ପରେ ପିତାମାତାଙ୍କୁ ହତାଦର କରେ, ସେ କ୍ଷେତ୍ରରେ ସମ୍ପତ୍ତି ଫେରାଇ ନେବାର ଅଧିକାର ପିତାମାତାଙ୍କ ପାଖରେ ରହିବ ବୋଲି ସୁପି୍ରମକୋର୍ଟ୍ ମତ ଦେଇଛନ୍ତି । ଏ ପ୍ରକାରର ଏକ ସ୍ୱତନ୍ତ୍ର ଆଇନ୍ର ଆବଶ୍ୟକତା ବର୍ତ୍ତମାନ ଆମ ଦେଶରେ ଦେଖଗଲାଣି । ସାମାଜିକ ଜୀବନରେ ଆହୁରି ଏକ ନୂଆ ପରିବର୍ତ୍ତନ ଦୃଷ୍ଟିଗୋଚର ହେଉଛି । ଯୁବ ଦମ୍ପତ୍ତି ସେମାନଙ୍କର ଜନ୍ମିତ ସନ୍ତାନଙ୍କୁ ମଧ୍ୟ ପାଖରେ ରଖିବାକୁ ଚାହୁଁନାହାନ୍ତି । ସେମାନଙ୍କ ପାଇଁ ଆୟା, ଧାଈ, କ୍ରେଚ୍ ଆଦିର ବ୍ୟବସ୍ଥା କରି ଯଥା ସମ୍ଭବ ସେମାନଙ୍କୁ ଘର ଠାରୁ ଦୂରରେ ରଖିବାକୁ ଚେଷ୍ଟା କରୁଛନ୍ତି । ତେଣୁ ପିତାମାତାଙ୍କ ଯତ୍ନ ସମ୍ପର୍କିତ ଏକ ସ୍ୱତନ୍ତ୍ର ଆଇନ୍ର ଆବଶ୍ୟକତା ଅଛି । ଏହା ସହିତ ଶିଶୁମାନଙ୍କର ଯତ୍ନ ନନେଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ଏହି ଆଇନ୍ରେ ଯୋଡ଼ାଯିବା ଆବଶ୍ୟକ ।