ନୀରବତା ଶ୍ରେୟସ୍କର

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ନୀରବତା କେମିତି ଅନେକ ସମୟରେ ଶ୍ରେୟସ୍କର  ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଜୀବନରେ ଶବ୍ଦ ଓ ନିଶବ୍ଦ, ମଣିଷକୁ ବହୁତ କିଛି ଶିକ୍ଷା ଦିଏ  । ଜୀବନରେ ଅନେକ ସମୟରେ ତୁଣ୍ଡ ଖୋଲିକି କହିବାକୁ ପଡେ ଓ ବହୁ ସମୟରେ ତୁନି ପଡିକରି ରହିବାକୁ ବି ହୁଏ  ।
ନୀରବ ରହିବା ଓ କହିବା ଏକ ପରିସ୍ଥିତିଜନିତ ଘଟଣା  । କେଉଁ କ୍ଷେତ୍ରରେ ଜଣେ ନୀରବ ରହିବ ଏବଂ କେଉଁ କ୍ଷେତ୍ରରେ ଜଣେ କଥା କହିବା ଉଚିତ୍?, ଏହାର ବିିଚାର ସମସ୍ତଙ୍କର ନିକଟରେ ନଥାଏ  । କେଉଁ ସମୟରେ କଥା କହିଲେ ମଙ୍ଗଳ ହେବ, କେତେ ପର୍ଯ୍ୟନ୍ତ କହିଲେ ମଙ୍ଗଳ ହେବ-ତାର ବିଚାର ସମସ୍ତେ କରିପାରନ୍ତି ନାହିଁ  । ସେଇଥିପାଇଁ କଥାରେ ଅଛି-ନିଜ ତୁଣ୍ଡ ହିଁ ନିଜର ସବୁଠାରୁ ବଡ ଶତ୍ରୁ  । ନିଜ ମୁହଁର ଭାଷାରେ ମଣିଷ ନିଜର ଶତ୍ରୁମାନଙ୍କୁ ତିଆରି କରେ  । ଠିକ୍ ସେହିିପରି ନିଜର ଭାଷାରେ ବନ୍ଧୁମାନଙ୍କୁ ମଧ୍ୟ ସୃଷ୍ଟି କରେ  ।
ଆଚରଣ ଏବଂ ଭାଷା ମଧ୍ୟ ବ୍ୟକ୍ତିର ପରିଚୟ  । କେତେପଦ କଥା ମାଧ୍ୟମରେ ଜଣେ ବ୍ୟକ୍ତିର ଜ୍ଞାନର ଗଭୀରତା ଏବଂ ଅତୀତର ଅଭିଜ୍ଞତାକୁ ମାପି ଦିଆଯାଇପାରେ  । ତେଣୁ କଥା ନ କହିବା ସବୁବେଳେ ଭଲ ନୁହେଁ କିମ୍ବା କଥା କହିବା ସବୁବେଳେ ଭଲ ନୁହେଁ  । ଏହି ଦୁଇଟି ଯାକ ଘଟଣାକୁ ଦୃଷ୍ଟିରେ ରଖି ବାକ୍ ସଂଯମତା ଉପରେ ଗୁରୁତ୍ୱ ଦିଆଯାଏ  । 
ନୀରବତା ମଧ୍ୟ ଏକ ଭାଷା  । ନୀରବ ରହିବା ସମ୍ମତିସୂଚକ ହୋଇପାରେ କିମ୍ବା ଅସମ୍ମିତର ଲକ୍ଷଣ ବି ହୋଇପାରେ  । କୌଣସି ଏକ ଘଟଣାକୁ ସମର୍ଥନ କରିବା, ନୀରବ ରହିବା ଦ୍ୱାରା ହେଇଯାଏ  । ଠିକ୍ ସେହିପରି କୌଣସି ଜିନିଷକୁ ପ୍ରତିବାଦ କରିବାକୁ ହେଲେ ନୀରବତାକୁ ମଧ୍ୟ ପ୍ରୟୋଗ କରି ଦେଖେଇ ଦିଆଯାଇପାରେ  । କିନ୍ତୁ ସାଧାରଣ ଜୀବନରେ ତାହା ନୀରବ ହେଉ କିମ୍ବା ସବାକ୍ୟ ପ୍ରତିରୋଧ ହେଉ, ମଣିଷ ବିଭିନ୍ନ କ୍ଷେତ୍ରରେ ସମ୍ମତି ଦିଏ କିମ୍ବା ପ୍ରତିବାଦ କରେ  । ତେବେ ଏ ପୃଥିବୀରେ ରହିଥିବା ରହସ୍ୟକୁ ଉନ୍ମୋଚନ କରିବା ପାଇଁ ନିରବତା ହିଁ ସବୁ ଗୁଣରେ ଭଲ  । ଜୀବନକୁ ଅନୁଭବ କରିବାକୁ ହେଲେ ମୁହଁ ଖୋଲିବା ଅପେକ୍ଷା ବନ୍ଦ ରଖିବା ହିଁ ବିଶେଷ ସହାୟକ ହୋଇଥାଏ  । ବ୍ୟକ୍ତିଗତ ଅନୁଭବ କହେ, ଅନେକ ସମୟରେ ନୀରବତା ହିଁ ଭଲ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।