ସଦଗୁଣ ଓ ସଦାଚାର
ଗୋଟିଏ ଖରାପ କାମ କରି ଯେପରି ଉତ୍ତମ ଫଳ ଆଶା କରାଯାଇ ନପାରେ, ସେହିପରି ଗୋଟିଏ ଉତ୍ତମ କାମ କରି ମନ୍ଦଫଳ ପାଇବାର ଆଶଙ୍କା କରିବା ଉଚିତ ନୁହେଁ । ଲେମ୍ବୁ ମଞ୍ଜି ପୋତି ଆମ୍ବଗଛ ଆଶା କରିପାରିବ କି? ସବୁ ଧର୍ମ ଓ ସବୁ ରୂପର ସମ୍ପର୍କ ପରମାତ୍ମାଙ୍କ ସହିତ । ମଣିଷ ଯେତେ ସବୁ ମୂର୍ତ୍ତିପୂଜା କରେ, ସମସ୍ତଙ୍କ ମଧ୍ୟରେ ପରମାତ୍ମା ବିରାଜିତ । ଏ ସମଗ୍ର ସଂସାର ଭିତରେ ବହୁ ପ୍ରକାରର ଜୀବ ଅଛନ୍ତି । ମାତ୍ର ଏ ସମସ୍ତଙ୍କ ମଧ୍ୟରେ ମନୁଷ୍ୟ ଶ୍ରେଷ୍ଠ । ଆହାର ଓ ବିହାର ସବୁ ପ୍ରାଣୀଙ୍କ ମଧ୍ୟରେ ସାଧାରଣ ଗୁଣ, ମାତ୍ର ମନୁଷ୍ୟ ଠାରେ ଦୁଇଟି ବିଶେଷ ଗୁଣ ଅଛି । ସେ ଦୁଇଟି ହେଲା ଧର୍ମ ଓ ଜ୍ଞାନ । ଏ ଦୁଇଟି ବିନା ମଣିଷ ପଶୁ ସହ ସମାନ । ସେଥିପାଇଁ ମଣିଷର କର୍ତ୍ତବ୍ୟ ହେଲା ଧର୍ମ କ'ଣ ତାହା ବୁଝିବା । ସାମାଜିକ ଓ ଆଧ୍ୟାତ୍ମିକ ପ୍ରଗତି ନିମନ୍ତେ ଧର୍ମ ମନୁଷ୍ୟକୁ କିଛି ନିର୍ଦ୍ଦିଷ୍ଟ ଆଚରଣ ବିଧି ଶିଖାଏ, କିଛି ନିର୍ଦ୍ଦିଷ୍ଟ ବିଧି ନିଷେଧ ବଢ଼ାଏ । ଯେଉଁମାନେ ଧର୍ମର ଅନିଷ୍ଟ କରିବାକୁ ଚେଷ୍ଟା କରନ୍ତି, ଧର୍ମ ସେମାନଙ୍କର ଅନିଷ୍ଟ କରିବାକୁ ମଧ୍ୟ ସମର୍ଥ । ସେହିପରି ଯେଉଁମାନେ ଧର୍ମ ମାର୍ଗରେ ଜୀବନ କଟାନ୍ତି ଧର୍ମ ସେମାନଙ୍କର ରକ୍ଷା କରିବାକୁ ସମର୍ଥ । ଧର୍ମର ଆଉ ଗୋଟିଏ ମହତ ଗୁଣ ହେଲା, ଧର୍ମ ଯେଉଁଠି ବିଜୟ ସେଇଠି ଥାଏ । ଏ ଦେଶରେ ବହୁ ପଣ୍ଡିତ ବିଦ୍ୱାନ ଲୋକ ଧର୍ମ ଶବ୍ଦଟିର ଅନେକ ବ୍ୟାଖ୍ୟା କରିଛନ୍ତି । ଯୁଗ ଯୁଗ ଧରି ଏ ଦେଶ ଧର୍ମର ରଜ୍ଜୁ ଦ୍ୱାରା ଏପରି ବନ୍ଧା ହୋଇ ରହିଛି ଯେ, ଧର୍ମ ସମ୍ବନ୍ଧରେ ଏ ଦେଶ ଅନ୍ୟ ସବୁ ଦେଶର ଆଦର୍ଶ ଭାବରେ ଠିଆ ହୋଇ ରହିଛି । ବହୁ ଅର୍ଥ ଯୁକ୍ତ ଏହି ଶବ୍ଦଟିକୁ ଆଜିକାଲି କେବଳ ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଉଛି ତାହା ହେଲା କର୍ତ୍ତବ୍ୟ । ମାତ୍ର ଧର୍ମ ଅର୍ଥ କର୍ତ୍ତବ୍ୟ ନୁହେଁ । କର୍ତ୍ତବ୍ୟ ଜଣେ ବ୍ୟକ୍ତି ଗୋଟିଏ ଅବସ୍ଥା, ଗୋଟିଏ ଦେଶ ବା କାଳ ସହିତ ସଂପୃକ୍ତ । ମାତ୍ର ଧର୍ମ ଅନାଦି, ଅନନ୍ତ, ଏହାସବୁ ପ୍ରାଣୀଙ୍କ ପାଇଁ ସର୍ବତ୍ର ସମାନ । ଏହା ଅନ୍ତରାତ୍ମାର ତାତ୍ପର୍ଯ୍ୟ ବହନ କରେ ।
ବେଳେ ବେଳେ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବିଚୁ୍ୟତ ହେଉଥିବା ଲୋକଙ୍କୁ କଠୋର ଭାବରେ ତିରସ୍କାର କରିବାକୁ ପଡ଼େ ତାର ସଂସ୍କାର ନିମନ୍ତେ । ବେଳେବେଳେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଛୁରୀ ବ୍ୟବହାର କରୁଥିବା ଲୋକ ଅତ୍ୟନ୍ତ କ୍ରୁର ଏବଂ ଅଧର୍ମୀ ବୋଲି କୁହାଯାଇ ପାରିବ ନାହିଁ । ଜଣେ ସର୍ଜ୍ଜନ ହୃଦରୋଗୀକୁ ଆରୋଗ୍ୟ କରିବା ଉଦେ୍ଦଶ୍ୟରେ ଛୁରୀ ବ୍ୟବହାର କରିଥାଏ । ଏହା କ୍ରୂରତାର ଚିହ୍ନ, ନା ମିତ୍ରତାର ଚିହ୍ନ? କିଛି ଅସତ୍ୟ କାମ କଲେ ତାହା ଅଧର୍ମ ହେବ, ମାତ୍ର ଯାହା ପ୍ରେମର ସହ କରାଯାଏ ତାହା ଅଧର୍ମ ନୁହେଁ । ସମଗ୍ର ଆଇନ ବ୍ୟବସ୍ଥା, ନୀତି ବ୍ୟବସ୍ଥା ପ୍ରେମ ଉପରେ ଆଧାରିତ । ଉଦାହରଣ ସ୍ୱରୂପ ପିଲାଟିଏ ଯଦି ଭୁଲ କରେ, ଆଉ ତାର ମାଆ ସେଥିପାଇଁ ତାକୁ ପିଟେ, ଏହାକୁ କଣ କ୍ରୂରତା ଓ ଅଧର୍ମ କହିବା? ଧର୍ମ ଅନେକ ପ୍ରକାରର । କାଳଧର୍ମ, ସଂସାର ଧର୍ମ, ହୃଦୟ ଧର୍ମ, ଗୋଷ୍ଠୀଧର୍ମ, ଆଦି ନାନା ରକମର ଧର୍ମ ଅଛି । ଏସବୁ ଧର୍ମର ସମାହାର ହେଉଛି ସନାତନ ଧର୍ମ । ଏହି ଦୃଷ୍ଟିରୁ କହିବା ସମ୍ଭବ ଯେ ସବୁ ଧର୍ମ ଓ ସବୁ ରୂପ ପରମେଶ୍ୱରଙ୍କର । କୌଣସି ଧର୍ମ ଆମକୁ ପିତାମାତାଙ୍କୁ ଅଶ୍ରଦ୍ଧା କରିବା, ଶିକ୍ଷକଙ୍କର ଅସମ୍ମାନ କରିବା ଶିକ୍ଷା ଦିଏନାହିଁ । କୌଣସି ଧର୍ମ ମଣିଷକୁ ମିଛ କହିବା ଶିଖାଏ ନାହିଁ । ସବୁ ଧର୍ମ ମଧ୍ୟରେ ସମାନ କିଛି ସାଧାରଣ ଉପଦେଶ ରହିଛି, ଯାହା ସମସ୍ତଙ୍କ ପାଇଁ ଭଲ । କିନ୍ତୁ ବର୍ତ୍ତମାନ ଏହି ସାଧାରଣ ସତ୍ୟକୁ ଲୋକେ ଉପେକ୍ଷା କରି କୌଣସି ଧର୍ମରେ ନଥିବା ନୀତି ପ୍ରତି ଆକୃଷ୍ଟ ହେଉଛନ୍ତି । ସେଥିପାଇଁ ଅଧର୍ମର ପ୍ରାଦୁର୍ଭାବ ଏତେ ବଢ଼ିଯାଇଛି । ଯଦି ଆପଣା ଧର୍ମରେ ଦୃଢ଼ ବିଶ୍ୱାସ ରଖି ଲୋକେ ଆପଣା ଧର୍ମ ପାଳନ କରିବାରେ ମନ ଦିଅନ୍ତେ । ତେବେ ଏତେ ବାଦ ବିସମ୍ବାଦ ଜାତ ହୁଅନ୍ତା ନାହିଁ, କିମ୍ବା ଲୋକେ ଏପରି ଅସଭ୍ୟ ଆଚରଣ ଦେଖାନ୍ତେ ନାହିଁ । ଆପଣା ଧର୍ମରେ ବିଶ୍ୱାସ ଅଛି ବୋଲି ଚିକ୍ରାର କରି ଯଦି ଆମେ ଧର୍ମ ବିରୁଦ୍ଧ ଆଚରଣ କରିବା ତେବେ ଅନ୍ୟାନ୍ୟ ଧର୍ମରେ ଆମର କି ବିଶ୍ୱାସ ରହିବ ତାହା ବୁଝିବାକୁ ଆଉ ବାକି ରହିବ ନାହିଁ । ଧର୍ମରେ ଯଦି ପ୍ରକୃତ ବିଶ୍ୱାସ ଅଛି, ତେବେ ଧର୍ମ ବିରୁଦ୍ଧ ଆଚରଣ କରିବା କିପରି? ତୀର୍ଥକ୍ଷେତ୍ରକୁ ଗଲେ ମନ୍ଦିର ବା ଉପାସନା କ୍ଷେତ୍ରକୁ ଗଲେ ଲୋକେ ଯେତେ ଭକ୍ତି ଓ ବିଶ୍ୱାସ ଦେଖାନ୍ତି ସେ ସବୁ ସେଠାରୁ ଫେରି ଆସିଲାବେଳେ ସେଠାରେ ହିଁ ଛାଡ଼ି ଦେଇ ଆସନ୍ତି । ଏମାନଙ୍କ ପାଇଁ ଗୀତାରେ ଗୋଟିଏ ଉପଦେଶ ଅଛି "ସତତଂ ଯୋଗିନଃ' ଅର୍ଥାତ୍ ନିରନ୍ତର ଯୋଗସ୍ଥ ହୋଇ ରହ, ଭକ୍ତର ଭକ୍ତି ସତତ୍ ରହୁ । ପୂଜା, ଜପ କଲାବେଳେ କେବଳ ଭକ୍ତି, ଅନ୍ୟ ସମୟରେ ସେ ସବୁ କିଛି ନାହିଁ । ସଦଗୁଣ ଓ ସଦାଚାର କେବଳ ଗୋଟିଏ ସମୟ ବା ସ୍ଥାନ ସହିତ ବନ୍ଧା ହୋଇ ରହିବା ଉଚିତ ନୁହେଁ, ଏହା ସାରା ଜୀବନରେ ନିରନ୍ତର ଅଭ୍ୟାସ କରିବା ଉଚିତ ।
ସୌର ଚନ୍ଦ୍ର ମହାପାତ୍ର
ଦୂରଭାଷ : ୯୪୩୭୦୦୪୪୬୬