କୋଠାଘର ନିଆଁ ଭୟଙ୍କର
ବହୁବର୍ଷ ପୂର୍ବେ ଚାଳ, ଛପର ଘରର ସଂଖ୍ୟା ଅଧିକ ରହିଥିଲା ଏବଂ ଘରପୋଡ଼ି ଭଳି ଘଟଣା ବହୁଳ ଭାବରେ ପରିଲକ୍ଷିତ ହେଉଥିଲା । ସେଥିପାଇଁ ପ୍ରାଥମିକ ସ୍ତରରୁ ପିଲାମାନଙ୍କ ବହିରେ ଲେଖା ଯାଉଥିଲା "ଟାଇଲ୍ ଛପର ଘର, ନିଆଁକୁ ନଥିବ ଡ଼ର ।' ବର୍ତ୍ତମାନ ସମୟରେ ଆଉ ସେଭଳି ଚାଳଘର ନାହିଁ । ଯେତେ ଦୁର୍ଗମ ହେଲେ ବି ସେସବୁ ଘର ଗୁଡ଼ିକୁ ସରକାରଙ୍କର ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ପକ୍କା ଘର କରି ଦିଆଯାଇଛି । ସେହିସବୁ ଘର ଗୁଡ଼ିକରେ ଆଉ ଅଗ୍ନିକାଣ୍ଡର ଭୟ ନାହିଁ ସତ, କିନ୍ତୁ ସହରାଞ୍ଚଳର ବଡ଼ ବଡ଼ କୋଠାଘର ଗୁଡ଼ିକରେ ଅଗ୍ନିକାଣ୍ଡର ଭୟ ସର୍ବାଧିକ ଦେଖାଯାଉଛି । ବହୁବର୍ଷ ପୂର୍ବେ ଚାଳଘର ଗୁଡ଼ିକରେ ଯେଭଳି ନିଆଁ ଲାଗି ସର୍ବସ୍ୱ ନଷ୍ଟ ହୋଇ ଯାଉଥିଲା ଏବଂ କୋଠାଘର ଗୁଡ଼ିକରେ ନିଆଁ ଲାଗି ସେଭଳି ଅବସ୍ଥା ସୃଷ୍ଟି ହେଉଛି । ଏହାର ମୂଳ କାରଣ ହେଲା ଘର ଭିତରେ ଆସବାସପତ୍ର, ସାଜସଜା ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଗୁଡ଼ିକର ଦହନଶୀଳ ଗୁଣ । କଂକ୍ରିଟ୍ ଛାତ ଘର ହେଲେ ମଧ୍ୟ ବର୍ତ୍ତମାନର ସମୟରେ ଘର ଭିତରେ ରହୁଥିବା ସର୍ବାଧିକ ପଦାର୍ଥ ହେଉଛି ପ୍ଲାଷ୍ଟିକ୍, ସିନ୍ଥେଟିକ୍ ସୂତାର କପଡ଼ା, ପ୍ଲାଏଉଡ୍ ଭଳି ବିଭିନ୍ନ ଦହନଶୀଳ ପଦାର୍ଥ, ରେକ୍ସିନ୍, ରବର ଏବଂ ସହଜରେ ନିଆଁ ଲାଗି ଯାଉଥିବା ସିନ୍ଥେଟିକ୍ ଦ୍ରବ୍ୟ । ପୁରୁଣା ସମୟରେ ଚୁଲି ନିଆଁରୁ ଘରପୋଡ଼ି ଘଟୁଥିଲା । ଏବେ କିନ୍ତୁ ବିଦୁ୍ୟତ୍ ସର୍ଟ୍ସର୍କିଟ୍ରୁ ସର୍ବାଧିକ ଅଗ୍ନିକାଣ୍ଡ ଘଟୁଛି । ବର୍ତ୍ତମାନ ସମୟରେ କାନ୍ଥ ଭିତରେ ବିଜୁଳି ତାରର ୱାୟାରିଂ କରାଯାଉଥିବାରୁ କେଉଁଠି କଣ ଘଟୁଛି ତାହା ଜାଣିହ ହେଉନାହିଁ । ଘରର ଶୀତଳତା ରକ୍ଷା କରିବା ପାଇଁ ପଙ୍ଖା ପରିବର୍ତ୍ତେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ଅଧିକ ବ୍ୟବହାର ହେଉଛି । ଏହା ଯୋଗୁଁ ଅଧିକ ସଂଖ୍ୟାରେ ଅଗ୍ନିକାଣ୍ଡ ଘଟୁଛି । ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ବ୍ୟବହାର ସମ୍ପର୍କରେ କୌଣସି ମାର୍ଗଦର୍ଶିକା ପୁସ୍ତକ ପ୍ରାୟତଃ ଦେଖିବାକୁ ମିଳିନଥାଏ, ହେଲେ ଏହାର ବହୁଳ ବ୍ୟବହାର କ୍ଷେତ୍ରରେ ଆଜି ସମସ୍ତେ ବ୍ୟଗ୍ର । ଯାନବାହାନରୁ ଆରମ୍ଭ କରି ପ୍ରେକ୍ଷାଳୟ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏହି ଶୀତତାପ ନିୟନ୍ତ୍ରକ ଯନ୍ତ୍ରରୁ ଅଗ୍ନିକାଣ୍ଡ ଭଳି ଘଟଣା ସବୁ ଘଟୁଛି । ବିଜୁଳିର ବ୍ୟବହାର କ୍ଷେତ୍ରରେ ଆବଶ୍ୟକତା ଠାରୁ ଅଧିକ ଲୋଡ଼ିଂ ଦିଆଯିବା ଦ୍ୱାରା ବା ଅନ୍ୟ ଅର୍ଥରେ କହିବାକୁ ଗଲେ ତାରର କ୍ଷମତା ଠାରୁ ଅଧିକ ବିଜୁଳି ବ୍ୟବହାର କରାଯିବା ଯୋଗୁଁ ଅଗ୍ନିକାଣ୍ଡ ଘଟୁଛି ।
ପ୍ରତିବର୍ଷ ଆର୍ନ୍ତଜାତିକ ଅଗ୍ନି ନିରାପତ୍ତା ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଦିବସଟି ପାଳନର ମୁଖ୍ୟ ଉଦେ୍ଦଶ୍ୟ ହେଲା ଅଗ୍ନିକାଣ୍ଡ ଘଟିଲେ ଅଗ୍ନି ନିର୍ବାପନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଧନୁଷ୍ଟଙ୍କାର ସମ୍ପତ୍ତି ଓ ଜୀବନ ସୁରକ୍ଷା କରନ୍ତି । ସେମାନେ ପ୍ରଥମେ ନିଜେ କେମିତି ସୁରକ୍ଷିତ ରହିବେ ଏବଂ ତାହା ପରେ ସର୍ବସାଧାରଣଙ୍କର ସମ୍ପତ୍ତିର ସୁରକ୍ଷା କରିବେ ସେ ସମ୍ପର୍କିତ ସଚେତନତା ସୃଷ୍ଟି କରାଯିବା ଆର୍ନ୍ତଜାତିକ ଅଗ୍ନି ନିରାପତ୍ତା ଦିବସର ମୁଖ୍ୟ ଉଦେ୍ଦଶ୍ୟ ।
ଘର ଭିତରେ ବିଭିନ୍ନ ପ୍ରକାରର ଦହନଶୀଳ ପଦାର୍ଥ ରହୁଛି । ସେଗୁଡ଼ିକୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ତିନିଟି ବିଭାଗରେ ବିଭକ୍ତ କରାଯାଇଛି । ଜ୍ୱଳନଶୀଳ, ଅତ୍ୟନ୍ତ ଜ୍ୱଳନଶୀଳ ଏବଂ ସର୍ବାଧିକ ଜ୍ୱଳନଶୀଳ ପଦାର୍ଥ । ଏହିସବୁ ଜ୍ୱଳନଶୀଳ ପଦାର୍ଥ ଗୁଡ଼ିକରେ ନିଆଁ ଲାଗିଲେ କଣ କରାଯିବ, ସେ ସମ୍ପର୍କରେ ସମସ୍ତ ନାଗରିକଙ୍କୁ ତାଲିମ୍ ଦେବାର ଆବଶ୍ୟକତା ରହିଛି । କାରଣ କେତେବେଳେ, କେଉଁଠାରେ, କେଉଁ ପରିସ୍ଥିତିରେ କେମିତି କଣ ଅଗ୍ନିକାଣ୍ଡ ଘଟିବ ତାର କେହି ପୂର୍ବାନୁମାନ କରିପାରିବେ ନାହିଁ । ତେଣୁ ଘର ଭିତରର ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଅଗ୍ନିକାଣ୍ଡ ଭଳି ଦୁର୍ବିପାକରୁ ରକ୍ଷା କରିବା ପାଇଁ ଅଗ୍ନି ନିର୍ବାପକ ସମ୍ପର୍କିତ ଜ୍ଞାନ ସମସ୍ତଙ୍କର ରହିବା ଏକାନ୍ତ ଆବଶ୍ୟକ ।