ବାବା ଆମତେ
ଡା.ମୁରଲୀଧର ଦେବୀଦାସ ଆମତେ ବା ବାବା ଆମତେ ଜଣେ ପ୍ରସିଦ୍ଧ ସମାଜସେବୀ ଥିଲେ । ସେ ସମାଜରେ ଦୁସ୍ଥ ଲୋକ ଓ କୁଷ୍ଠ ରୋଗୀଙ୍କ ପାଇଁ ଆଶ୍ରମ ପ୍ରତିଷ୍ଠା କରି ସେବା କରିଥିଲେ । ସେ ଚନ୍ଦ୍ରପୁର, ମହାରାଷ୍ଟ୍ରସ୍ଥିତ ଆନନ୍ଦବନ ନାମକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହା ବ୍ୟତୀତ ଆମତେ ବନ୍ୟ ଜୀବନ ସଂରକ୍ଷଣ ଓ ନର୍ମଦା ବଚାଓ ଆନେ୍ଦାଳନର ପ୍ରମୁଖ ଅଂଶୀଦାର ଥିଲେ । ବାବା ଆମତେଙ୍କ ଜନ୍ମ ୧୯୧୪ ମସିହା ଡିସେମ୍ବର ୨୬ ତାରିଖରେ ମହାରାଷ୍ଟ୍ରର ଭର୍ଧା ଜିଲ୍ଲା ହିଂଗଣଘାଟ ଗାଁରେ ହୋଇଥିଲା । ତାଙ୍କ ପିତା ଜମିଦାର ଥିଲେ । ଛୋଟବେଳୁ ରୂପା ଚାମଚରେ ଖାଇ ବଡ଼ ହୋଇଥିବା ଆମତେଙ୍କ ଯୁବାବସ୍ଥା ଦାମୀ କାରରେ ବୁଲିବା ଓ ହଲିଉଡ ସିନେମା ଦେଖିବାରେ କଟିଥିଲା । ସେ ଏମ୍.ଏ.ଏଲ୍.ଏଲ୍.ବି. କରିବା ପରେ କିଛି ଦିନ ଓକିଲାତି କରିଥିଲେ । ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସମଗ୍ର ଭାରତ ଭ୍ରମଣ କରି ଦୁସ୍ଥ ଓ ଗରିବ ଲୋକଙ୍କ ସମସ୍ୟାକୁ ସମୀକ୍ଷା କରିଥିଲେ । ପରେ ଭରୋଡ଼ା ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲରେ ନିଜ ପତ୍ନୀ ସାଧନା ବାଇ, ଦୁଇ ପୁଅ, ଏକ ଗାଈ ଓ ସାତ ରୋଗୀଙ୍କୁ ନେଇ ଆନନ୍ଦବନ ପ୍ରତିଷ୍ଠା କରିଥିଲେ । ଏହି ଆନନ୍ଦବନ ଏବେ ନିରାଶ୍ରୟ କୁଷ୍ଠ ରୋଗୀଙ୍କ ପାଇଁ ଆଶା ଓ ସମ୍ମାନଜନକ ଜୀବନ ବଞ୍ଚôବାରେ ସହାୟ ହୋଇଛି । ଆନନ୍ଦବନର ମହାମନ୍ତ୍ର ଥିଳା ଶ୍ରମ ହିଁ ଶ୍ରୀରାମ । କେବେ ୨୪ ଟଙ୍କାରେ ଆରମ୍ଭ ହୋଇଥିବା ଆନନ୍ଦବନର ବଜେଟ ଏବେ କୋଟି କୋଟି ଟଙ୍କାରେ ପହଞ୍ଚôଛି । ତେବେ ବାବା ଆମତେ କେବଳ ଆନନ୍ଦବନ ନୁହେଁ କୁଷ୍ଠରୋଗୀଙ୍କ ପାଇଁ ସୋମନାଥ, ଅଶୋକବନ ଆଦି ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ । ଏହା ବ୍ୟତୀତ ଆମେରିକାରେ ଡେମିୟନ୍ ଡଟ୍ଟନ୍ ପୁରସ୍କାର ଓ ଏସିଆର ରେମନ ମୈଗସେସେ ପୁରସ୍କାର ମଧ୍ୟ ଆମତେ ପ୍ରାପ୍ତ କରିଥିଲେ । ଶେଷରେ ସମାଜ ପାଇଁ କାର୍ଯ୍ୟ କରି କରି ୨୦୦୮ ମସିହା ଫେବୃଆରୀ ୯ ତାରିଖରେ ଆମତେ ଇହଲୀଳା ସମ୍ବରଣ କରିଥିଲେ ।
ଡ.ସୁରେଶ କୁମାର ନାୟକ