ଦେଶ ଓ ବିଦେଶରେ ପ୍ରମୁଖ ଶକ୍ତିପୀଠ(୩)
ଶ୍ରୀ ବିଶାଳାକ୍ଷୀ ଶକ୍ତିପୀଠ, ବାରଣାସୀ : ବାରଣାସୀ, କାଶୀର ଏ ଶକ୍ତିପୀଠ ଅବସ୍ଥିତ । ଏଠାରେ ଦେବୀଙ୍କ କର୍ଣ୍ଣର ମଣି ପଡିଥିଲା । ଏଠାକାର ଶକ୍ତି ଓ ଭୈରବ ଯଥାକ୍ରମେ ହେଲେ ଶ୍ରୀବିଶାଳାକ୍ଷୀ ଓ ବିଶ୍ୱନାଥ । ଏ ପୀଠ ଗଙ୍ଗାକୂଳରେ ଅବସ୍ଥିତ । ଏହାର ଲଳିତା ଘାଟଠାରୁ ମିରଘାଟ ଯାଏଁ ଗଙ୍ଗାଧାରାକୁ କାଶୀଖଣ୍ଡର ବିଶାଳଗଙ୍ଗା କୁହାଯାଏ । ଏ ତୀର୍ଥରେ ସ୍ନାନ ପରେ ବିଶାଳ ଲକ୍ଷ୍ମୀଙ୍କ ଦର୍ଶନ କରିବା ବିଧି ବୋଲି କୁହାଯାଏ ।
କ୍ଷୀର ଗ୍ରାମ ଶକ୍ତିପୀଠ, ପଶ୍ଚିମବଙ୍ଗ : ବର୍ଦ୍ଧମାନ ଜିଲ୍ଲାର କ୍ଷୀର ଗ୍ରାମଠାରେ ଏ ଶକ୍ତିପୀଠ ଅବସ୍ଥିତ । ଏଠାରେ ଦେବୀଙ୍କ ଦକ୍ଷିଣ ଅଙ୍ଗୁଳି ପଡ଼ିଥିଲା । ଏଠାକାର ଶକ୍ତି ଓ ଶିବ ଯଥାକ୍ରମେ ‘ଯୁଗାଦ୍ୟା’ ଓ କ୍ଷୀରକଣ୍ଟକ ଅଟନ୍ତି । ତ୍ରେତୟା ଯୁଗରେ ମହିରାବଣ ଏଠି ଦେବୀଙ୍କୁ ଉପାସନା କରିଥିଲା ।
ମା’ କାତ୍ୟାୟନୀ ପୀଠ, ବୃନ୍ଦାବନ : ଶ୍ରୀକୃଷ୍ଣଙ୍କ କ୍ରୀଡାଭୂମି ବୃନ୍ଦାବନରେ ମା’ କାତ୍ୟାୟନୀ ପୀଠ ଅବସ୍ଥିତ । ଏଠାରେ ଦେବୀଙ୍କ କେଶ ପଡିଥିଲା । ଏ ପୀଠ ଯମୁନା ନଦୀକୂଳରେ ରାଧାବାଗରେ ଅଛି । ଲେଖାଅଛି :
‘ବ୍ରଜେ କାତ୍ୟାୟନୀ ତାରା’, ଏ ପୀଠରେ ଶକ୍ତି ଓ ଶିବ ଯଥାକ୍ରମେ କାତ୍ୟାୟନୀ ଉମା’ ଓ ‘ଭୂତେଶ’ ଅଟନ୍ତି ।
ଚାମୁଣ୍ଡା ପୀଠ, ମଥୁରା : ମଥୁରାର ସରସ୍ୱତୀ ନଦୀ କୂଳରେ ମା’ ଚାମୁଣ୍ଡାଙ୍କ ପୀଠ । ଏଠାରେ ଦେବୀଙ୍କ କେଶପାଶ (ଜୁଡା) ପଡିଥିଲା । ଏ ଦେବୀ ଚଣ୍ଡମୁଣ୍ଡଙ୍କୁ ବଧ କରିଥିଲେ । ଏ ପୀଠର ଶକ୍ତି ଓ ଭୈରବ ଯଥାକ୍ରମେ ‘ଚାମୁଣ୍ଡା’ ଓ ‘ଭୂତେଶ୍ୱର’ ଅଟନ୍ତି ।
ମହାମାୟା ପାଟେଶ୍ୱରୀ ଶକ୍ତିପୀଠ, ଦେବୀପାଟଣା : ପ୍ରସିଦ୍ଧ ଶକ୍ତିକୀଠ ଦେବୀପାଟଣର ମହାମାୟା ପାଟେଶ୍ୱରୀ ବିଦ୍ୟମାନ । ଏଠାରେ ଦେବୀଙ୍କ ବସ୍ତ୍ର (ପଟ) ତାଙ୍କ ବାମ କାନ୍ଧ ସହିତ ପତିତ ହୋଇଥିଲା । ଏହି ‘ପଟ’ରୁ ତାଙ୍କୁ ‘ପଟଶ୍ୱରୀ’ ବା ପାଟଶ୍ୱରୀ କୁହାଯାଏ ଯେ :
“ପଟେନ ସହିତଃ ସ୍କନ୍ଦଃ ପପାତ ଯତ୍ର ଭୂତଳେ ।
ତତ୍ର ପାଟେଶ୍ୱରୀ ନାମା ଖ୍ୟାତିମାୟା ମହେଶ୍ୱରୀ ।ା”
ଏ ପୀଠର ଦେବୀ ‘ପାଟେଶ୍ୱରୀ’ ଓ ଭୈରବ ‘ଗୋରଖନାଥ’ ଅଟନ୍ତି । ଏହା ଯୋଗପୀଠ । ଏ ଦେବୀଙ୍କୁ ପ୍ରସନ୍ନ କରାଇ ପାରିଲେ ସକଳ ସିଦ୍ଧି, ସଂପଦ, ପଦାର୍ଥ, ଭୋଗ ମୋକ୍ଷ ପ୍ରାପ୍ତ ହୁଏ ।
ଭାରତ ଭୂଖଣ୍ଡରେ କେତେକ ପ୍ରମୁଖ ଶକ୍ତିପୀଠ ଉପରେ ଦର୍ଶାଇଛେ । ଏଠାରେ ବିଦେଶରେ ଥିବା କେତେକ ଶକ୍ତିପୀଠର ଦୃଷ୍ଟାନ୍ତ ଦେଉଛୁ ।
ନେପାଳରେ ଶକ୍ତିପୀଠ : ନେପାଳ ଏକ ସ୍ୱତନ୍ତ୍ର ହିନ୍ଦୁ ରାଷ୍ଟ୍ର ଅଟେ । ସଭ୍ୟତା ଓ ସଂସ୍କୃତି ଦୃଷ୍ଟିକୋଣରୁ ଏହା ଭାରତ ଠାରୁ ଅଭିନ୍ନ । ଏଣୁ ହିନ୍ଦୁମାନଙ୍କର ଅନେକ ତୀର୍ଥକ୍ଷେତ୍ର ନେପାଳରେ ଅବସ୍ଥିତ । ଶକ୍ତିପୀଠ ହିସାବରେ ସେମାନଙ୍କ ମଧ୍ୟରେ ଦୁଇଟି ଗଣମାନ୍ୟ ଅଟନ୍ତି । ସେମାନେ ନିମ୍ନ ରୂପେ ପ୍ରଦତ୍ତ ହେଲେ ।
କ) ଶକ୍ତିପୀଠ ଗଣ୍ଡକୀ : ଏହି ଶକ୍ତିପୀଠ ଗଣ୍ଡକୀ ନଦୀକୂଳରେ ଭଦ୍ମମ- ସ୍ଥଳପର ଅବସ୍ଥିତ । ଏଠାରେ ଦେବୀଙ୍କ ଦକ୍ଷିଣ ଗଣ୍ଡ(କପୋଳ) ପଡିଥିଲା । ଏଠାରେ ଶକ୍ତି ଏବଂ ଭୈରବ ହେଉଛନ୍ତି ‘ଗଣ୍ଡକୀ’ ଏବଂ ଭୈରବ ‘ଚକ୍ରପାଣି’ ।
ଗୁହ୍ୱୋଶ୍ୱରୀ ଶକ୍ତିପୀଠ : ଏ ଶକ୍ତିପୀଠ ବାଗମତୀ ନଦୀ କୂଳରେ ଅବସ୍ଥିତ । ଏ ଦେବୀ ନେପାଳର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । ଏଠାରେ ଦେବୀଙ୍କର ଦୁଇଜାନୁ ପତିତ ହୋଇଥିଲା । ଏଠାରେ ଶକ୍ତି ହେଉଛନ୍ତି ‘ମହାମାୟା’ ତଥା ଭୈରଟ ଅଟନ୍ତି ଫକପାଳ’ । ନବରାତ୍ର ଅବସରରେ ନେପାଳର ରାଜା ସପରିବାରେ ସ୍ନାନପୂର୍ବକ ଏ ଦେବୀଙ୍କ ଦର୍ଶନ କରନ୍ତି । ଏଠାରେ ଏକ ଝରଣା ଏ ଦେବୀଙ୍କ ପଦ ଧୌତ କରୁଥାଏ । ଏଠାକାର ପ୍ରାକୃତିକ ପରିବେଶ ବେଶ୍ ମନୋରମ ।
ହିଙ୍ଗୁଳା ଶକ୍ତିପୀଠ, ପାକିସ୍ତାନ : ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ହିଙ୍ଗରାଜ ନାମକ ଏକ ସ୍ଥାନ ଅଟନ୍ତି । ଏହି ସ୍ଥାନରେ ଏକ ଗୁମ୍ଫା ଅଛି । ଗୁମ୍ଫା ଭିତରେ ହିଙ୍ଗରାଜ ଦେବୀଙ୍କ ଆସ୍ଥାନ । ଏଠାରେ ଜ୍ୟୋତିରୂପେ ଦେବୀଙ୍କ ଦର୍ଶନ ହୁଏ । ହିଙ୍ଗୁଳା ଅର୍ଥ ଜ୍ୟୋତି ମଶାଲ, ଅଗ୍ନିର ଆଭା । ଏହି କାରଣରୁ ଦେବୀଙ୍କ ନାମ ହିଙ୍ଗୁଳା ଅଟେ । ଏଠାରେ ଦେବୀଙ୍କ ବ୍ରହ୍ମରନ୍ଦ୍ର ପତିତ ହୋଇଥିଲା । ଏ ସ୍ଥାନର ଶକ୍ତି ହେଉଛନ୍ତି ‘କୋଟ୍ଟରୀ’ ଏବଂ ‘ଭୀମଲୋଚନ’ ଭୈରବ ଅଟନ୍ତି । ନିଜେ ଦେବୀ ଏ ସ୍ଥାନକୁ ମହାସ୍ଥାନ ବୋଲି କହିଛନ୍ତି । ହିଙ୍ଗୁଳାୟା ମହାସ୍ଥାନମ୍’ (ଦେବୀପୁରାଣ) । ବ୍ରହ୍ମକୈବର୍ତ୍ତ ପୁରାଣରେ ଅଛି ଯେ ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀକୁ ହିଙ୍ଗୁଳାରେ ମା’ ଦୁର୍ଗାଙ୍କ ପ୍ରତିମାର ଦର୍ଶନ, ପୂଜନ ଏବଂ ଉପବାସ କଲେ ପୁର୍ନଜନ୍ମରୁ ମୁକ୍ତି ମିଳେ ।
ରୁଦ୍ରାକ୍ଷୀ ଶକ୍ତିପୀଠ, ଶ୍ରୀଲଙ୍କା : ଏହି ଶକ୍ତିପୀଠରେ ଦେବୀଙ୍କ ପ୍ରନପୁର ପଡିଥିଲା । ଏଠାରେ ଶକ୍ତି ଏବଂ ଭୈରବ ଯଥାକ୍ରମେ ହେଉଛନ୍ତି ‘ରୁଦ୍ରାକ୍ଷୀ’ ଏବଂ ‘ରକ୍ଷସେଶ୍ୱର’ ।
ମାନସ ଶକ୍ତୀପୀଠ ତନ୍ଦିଏ : ଶକ୍ତିପୀଠ ଚୀନ ଅଧିକୃତ ମାନସ ସରୋବର ତଟ୍ଟସ୍ଥ ତନ୍ଦରେ ଅବସ୍ଥିତ । ଏଠାରେ ଦେବୀଙ୍କ ଡାହାଣ ହସ୍ତର କିୟତ୍ ଅଂଶ ପତିତ ହୋଇଥିଲା । ଏଠାକାର ଶକ୍ତି ଏବଂ ଭୈରବ ଯଥାକ୍ରମେ ‘ଦାକ୍ଷାୟଣୀ’ ଏବଂ ‘ଅମର’ ଅଟନ୍ତି ।
ପଂଚସାଗର ଶକ୍ତିପୀଠ : ପ୍ରକୃତରେ ଏ ସ୍ଥାନର ସଠିକତା ନିଶ୍ଚିତ ଭାବେ ନିର୍ଣ୍ଣୟ କରାଯାଇ ନାହିଁ । ତେବେ ଏଠାରେ ଦେବୀଙ୍କ ମୁଖର ନିମ୍ନଦାନ୍ତ ସମୁଦ୍ରରେ ପତିତ ହୋଇଥିଲେ । ଏଠାରେ ଶକ୍ତି ଏବଂ ଭୈରବ ଯଥାକ୍ରମେ ହେଉଛନ୍ତି ‘ବାରାହୀ’ ଏବଂ ‘ମହାରୁଦ୍ର’ ।
ବଙ୍ଗଳା ଦେଶର ଶକ୍ତିପୀଠ : ବଙ୍ଗଳା ଦେଶରେ ଯଥାକ୍ରମେ ‘ଚଟ୍ଟକ’ ପୀଠ କରୋଣେ ପୀଠ, ବିଭାଷ ପୀଠ, ସୁଗନ୍ଧା ପୀଠ, କରତୋୟା ପୀଠ ଅଟନ୍ତି । ଚଟ୍ଟକ (ଭବାନୀ) ଶକ୍ତୀପୀଠ ବଙ୍ଗଳା ଦେଶର ଚନ୍ଦ୍ରଶେଖର ପର୍ବତ ଉପରେ ଅବସ୍ଥିତ । ଏଠାରେ ଦେବୀଙ୍କ ଦକ୍ଷିଣବାହୁ ପତିତ ହୋଇଥିଲା । ଏଠାରେ ଶକ୍ତି ଏବଂ ଭୈରବ ଯଥାକ୍ରମେ ହେଉଛନ୍ତି ‘ଭବାନୀ’ ଏବଂ ଚନ୍ଦ୍ରଶେଖର । ଏହି ଶକ୍ତିପୀଠର ଚତୁଃପାଶ୍ୱର୍ରେ ସୀତାକୁଣ୍ଡ ବ୍ୟାସକୁଣ୍ଡ, ସୂର୍ଯ୍ୟକୁଣ୍ଡ ବ୍ରହ୍ମ କୁଣ୍ଡ, ଜନକୋଟି ଶିବ, ସହସ୍ର ଧାରା, ବାଡ ବକ୍ରକୁଣ୍ଡ ତଥା ଲବଣାକ୍ଷ ତୀର୍ଥ ଅବସ୍ଥିତ । ଶିବରାତି୍ରରେ ଏଠାରେ ବଡ ମେଳା ହୁଏ ।
ବଙ୍ଗଳା ଦେଶର ଭବାନୀପୁରରେ କରୋତୟାତଟ ଶକ୍ତିପୀଠ ଅବସ୍ଥିତ । ଏଠାରେ ଦେବୀ ଦେହର ବାମତଳ୍ପ ପଡିଥିଲା । ଏଠାରେ ଶକ୍ତି ଏବଂ ଭୈରବ ଯଥାକ୍ରମେ ହେଉଛନ୍ତି ‘ଅପର୍ଣ୍ଣା’ ଏବଂ ‘ବାମନ’ ।
ସୁଗନ୍ଧା ଶକ୍ତିପୀଠ ସୁନଳା ନଦୀକୂଳରେ ଅବସ୍ଥିତ । ଏଠାକାର ମନ୍ଦିର ଉଗ୍ରତାରା ମନ୍ଦିର ଅଛି । ଏଠାରେ ଦେବୀଙ୍କ ‘ନାସିକା’ ପଡିଥିଲା । ଏଠାରେ ଶକ୍ତି ଏବଂ ଭୈରବ ଯଥାକ୍ରମେ ହେଉଛନ୍ତି ‘ସୁନନ୍ଦା’ ଏବଂ ‘ତ୍ର୍ୟମ୍ବକ’ ।
ସ୍ଥାନ ବିଶେଷରେ ଦେବୀଙ୍କ ମହାତ୍ମା ନେଇ ସ୍ୱତନ୍ତ୍ର ପର୍ବପର୍ବାଣି ମାନ ଅଛି । ସେମିତି ସେହି ସ୍ଥାନ ବିଶେଷରେ ଦେବୀଙ୍କ ରୂପ ମଧ୍ୟ ଭିନ୍ନ ଭିନ୍ନ ଭାବେ ସ୍ଥାପିତ କରାଯାଇଛି ତଥା ନାମିତ ହୋଇଛି ।
ଅଧ୍ୟକ୍ଷ,ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ମୋ : ୯୯୩୮୩୪୪୧୩୮