କର୍ମଫଳ ଓ ସତ୍ୟ ସାଧନା

ଭାରତୀୟ ଧାର୍ମିକ ସଂସ୍କୃତିରେ କର୍ମଫଳ ସିଦ୍ଧାନ୍ତ ମହତ୍ତ୍ୱପୂର୍ଣ୍ଣ । ଏହି ସିଦ୍ଧାନ୍ତ ଅନୁସାରେ କର୍ମଫଳ ଅବଶ୍ୟ ପ୍ରାପ୍ତ ହୁଏ । ସତ୍କର୍ମର ଫଳ ଉତ୍ତମ; ଆଉ କୁକର୍ମର ଫଳ ଅଧମ । ଭାଗ୍ୟ ହେଉଛି ଆମ ଅତୀତ କର୍ମର ଫଳ । ମନୋବା‚ିତ ଭାଗ୍ୟ ଗଠନ କରିବାକୁ ବର୍ତ୍ତମାନ ଆମର କର୍ମରେ ସୁଧାର ଆଣିବାକୁ ପଡ଼ିବ । କର୍ମ-ସିଦ୍ଧାନ୍ତ ହିଁ ଆମକୁ ପୁରୁଷାର୍ଥ ହାସଲ କରାଏ । ଉତ୍ତମ କର୍ମ କରିବାର ପ୍ରେରଣା ଯୋଗାଏ । କର୍ମଫଳ କେବଳ ଏ ଜନ୍ମ ସହ ନୁହେଁ, ବରଂ ଜନ୍ମଜନ୍ମାନ୍ତର ସହ ସଂଯୁକ୍ତ । ଗତ ଜନ୍ମର କର୍ମକୁ ଏବର କଷ୍ଟର କାରଣ ମନେକଲେ, ମନରେ ସହନଶୀଳତା ଓ ସନ୍ତୋଷ ଭାବ ଉଦ୍ରେକ ହୁଏ । ଆଗକୁ ସୁକର୍ମ କରିବାର ପଥ ଆପେ ଆପେ ଫିଟିଯାଏ । ମନରେ ଶକ୍ତି ସଞ୍ଚୟ ହୁଏ । ଏଣୁ ଏବର କର୍ମରେ ସଂଶୋଧନ ଦ୍ୱାରା ଭବିଷ୍ୟତର ସଂଶୋଧନ ସମ୍ଭବ । ଗୀତା ମତ ଦିଏ କର୍ମକର ଫଳ କଥା ଚିନ୍ତା କରନାହିଁ । କର୍ମଫଳ ଭଗବତ ପ୍ରଦତ୍ତ । "କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ । ମା କର୍ମଫଳହେତୁର୍ଭୂମା ତେ ସଙ୍ଗୋସ୍ତ୍ୱକର୍ମଣୀ ।' କର୍ମଫଳ ସହ ସତ୍ୟ ସାଧନାର କିଛି ଅନ୍ତର୍ନିହିତ ସମ୍ପର୍କ ରହିଛି କି? ଆସନ୍ତୁ ଏହା ଉପରେ ଛୋଟିଆ ଆଲୋଚନାଟି ରଖିବା । ଲକ୍ଷ୍ୟ ପଥ କ୍ରମଶଃ ନିକଟତର ହୋଇଯାଏ । ସାଧକ ସର୍ବଦା ମନେରଖିବା ଉଚିତ ଯେ, ସେ ନିଜେ ହିଁ ସତ୍ୟର ଅବତାର ଏବଂ ସତ୍ୟ ଉପଲବ୍ଧି ହିଁ ତା' ଜୀବନର ଏକମାତ୍ର ଲକ୍ଷ୍ୟ । ସତ୍ୟକୁ ନିଜ ଜୀବନ କାଳରେ ପାଇବାର ବିଶ୍ୱାସ, ମନରେ ଦୃଢ଼ ହେବା ଦରକାର । ଦୃଢ଼ ବିଶ୍ୱାସ ବଳରେ ସାଧକ ସାଧନାର ଦ୍ୱିତୀୟ ସୋପାନ ନିଷ୍ଠା ପାଇଁ ମନ ଓ ପ୍ରାଣରେ ଶକ୍ତି ସଞ୍ଚାର କରିପାରିବ । ନିଷ୍ଠା ବଳରେ ସାଧକ ଆଧ୍ୟାତ୍ମିକ ସଫଳତା ପ୍ରାପ୍ତି ନିମନ୍ତେ ସମର୍ଥ ହେବ । ଲକ୍ଷ୍ୟ ଓ ନିଷ୍ଠା ଅତୁଟ ରହିଲେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସିଦ୍ଧିଲାଭ ହେବ । ସାଧନାରେ ସିଦ୍ଧିଲାଭ ହିଁ ଅନ୍ତିମ ଲକ୍ଷ୍ୟ । ଗୋଟିଏ ଜନ୍ମରେ ଏହା ପାଇବା ସମ୍ଭବ । ସିଦ୍ଧିଲାଭ ଏକ ଅନିର୍ବଚନୀୟ ସନ୍ତୋଷ ଓ ନିତ୍ୟ ଆନନ୍ଦର ଉପଲବ୍ଧି ଯାହା ଦ୍ୱାରା ପରମାତ୍ମାଙ୍କ ସହ ଏକତ୍ୱ ସ୍ଥାପନ ହୋଇଥାଏ । ମହାତ୍ମାଗାନ୍ଧି କହନ୍ତି ସତ୍ୟ ହିଁ ଶ୍ରେଷ୍ଠ ସମ୍ପଦ । ସତ୍ୟ ହିଁ ଭଗବାନ । ସତ୍ୟର ଶରଣ ନିଅ, ଜୀବନ ମହିମାନ୍ୱିତ ହେବ । 
ଦେବଦତ୍ତ ବିଶ୍ୱାଳ
ମୋ : ୯୮୬୧୯୪୪୫୯୪