ସମ୍ବିଧାନର ବର୍ଷ ଥିଲା ୨୦୨୪
ଗୋପାଳ ମହାପାତ୍ର : ବର୍ଷ ୨୦୨୪ ସମ୍ବିଧାନ ବର୍ଷ ଭାବେ ମନେରହିବ । ଏହିବର୍ଷ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ପାଇଁ ମନେରହିବ ନାହିଁ ବରଂ ମନେରହିବ ସମ୍ବିଧାନ ପାଇଁ ସଂସଦରେ ଦୁଇଦିନର ବିଶେଷ ଚର୍ଚ୍ଚାପାଇଁ । ପ୍ରଥମଥର ପାଇଁ ସମ୍ବିଧାନ ରାଜନୀତିର ପ୍ରସଙ୍ଗ ହୋଇଥିଲା । ସମ୍ବିଧାନ ଉପରେ ରାଜନୀତି ହେବା ଭାରତ ପାଇଁ ଏକ ଶୁଭଙ୍କର ଘଟଣା ବୋଲି କୁହାଯାଇପାରେ । ୨୦୨୫ରେ ଯେ ସମ୍ବିଧାନକୁ ନେଇ ଚର୍ଚ୍ଚା ଥମିବ ସେ କଥା ଜଣାପଡୁନାହିଁ ବରଂ ଏହି ଚର୍ଚ୍ଚା ଅଧିକ ବ୍ୟାପକ ହୋଇପାରେ । କଥାଟା କେମିତି କେମିତି ଲାଗୁଛି ନିଶ୍ଚୟ । ଗଣତାନ୍ତ୍ରିକ ରାଜନୀତିର କ୍ଷୟ କାରଣରୁ ଆମର ଭାଷାଜ୍ଞାନ ମଧ୍ୟ କମିଗଲାଣି । ଆମେ ଅନେକ ସମୟରେ କହୁଛେ ଯେ କୌଣସି ଭଲ ପ୍ରସଙ୍ଗକୁ ନେଇ ରାଜନୀତି କରାନଯାଉ । ଏକଥା ମଧ୍ୟ ସତ୍ୟ ଯେ ଗଣତନ୍ତ୍ରରେ ଯେଉଁ ପ୍ରସଙ୍ଗକୁ ନେଇ ରାଜନୀତି ହେବନାହିଁ, ହୋ ହାଲ୍ଲା ହେବ ନାହିଁ ସେହି ପ୍ରସଙ୍ଗ ଉପରେ କୌଣସି ନିଷ୍କର୍ଷ ବାହାରିବ ନାହିଁ । ଯେତେବେଳ ପର୍ଯ୍ୟନ୍ତ ମହିଳାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ଭଳି ପ୍ରସଙ୍ଗ ଉପରେ ରାଜନୀତି, ବୟାନବାଜି ଚାଲିବ ନାହିଁ ଓ ଏସବୁ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହେବ ନାହିଁ ସେତେବେଳେ ପର୍ଯ୍ୟନ୍ତ ପ୍ରସଙ୍ଗକୁ ସରକାର ଗୁରୁତ୍ୱ ଦେବେ ନାହିଁ । ୨୫ ବର୍ଷ ପୂର୍ବେ ସମ୍ବିଧାନ ପ୍ରଣୟନର ସ୍ୱର୍ଣ୍ଣଜୟନ୍ତୀ ପାଳନ କରାଯାଇଥିଲା । ବୋଧହୁଏ ଦେଶର ଅନେକ ନାଗରିକଙ୍କୁ ଏ ବାବଦରେ ଜଣାନଥିଲା ଓ ସାଧାରଣ ଲୋକେ ମଧ୍ୟ ଏଭଳି ଅନେକ କଥାକୁ ଜାଣିବାକୁ ଚାହାନ୍ତି ନାହିଁ । ଲୋକଙ୍କର ଏଭଳି ଉଦାସିନତାର ଫାଇଦା ଉଠାଇ ସରକାର ସେତେବେଳେ ସମ୍ବିଧାନର କାର୍ଯ୍ୟର ସମୀକ୍ଷା ପାଇଁ ଏକ ରାଷ୍ଟ୍ରୀୟ ଆୟୋଗ (କମିଶନ) ଗଠନ କରିଥିଲେ । ସେହି ଆୟୋଗର ଅଧ୍ୟକ୍ଷ ଥିଲେ ବିଚାରପତି ଭେଙ୍କଟଚେଲେୟା । କମିଶନ ସମ୍ବିଧାନର ମୂଳ ଢାଞ୍ଚାର କୌଣସି ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରିନଥିଲେ କିନ୍ତୁ କମିଶନଙ୍କ ସମୟରେ ଏକ ଗଳାବାଟ ଖୋଲିଯାଇଥିଲା । ଏହି ପରିପ୍ରେକ୍ଷୀରେ ୨୦୨୪ରେ ସମ୍ବିଧାନକୁ ନେଇ ରାଜନୀତି କରାଯିବା ଏପରିକି ସଂସଦ ଏକ ଆଖଡ଼ାଶାଳାରେ ପରିଣତ ହେବା ଭଳି ଘଟଣା ଘଟିଥିଲା । ସମ୍ବିଧାନକୁ ନେଇ ଚର୍ଚ୍ଚା ସ୍ୱାଗତଯୋଗ୍ୟ କିନ୍ତୁ ସଂସଦରେ ଧସ୍ତାଧସ୍ତି ଭଳି ଘଟଣା ନିନ୍ଦନୀୟ ନିଶ୍ଚୟ ।
ନିଃସନେ୍ଦହ ଯେ ବର୍ଷ ୨୦୨୪ର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଘଟଣା ଥିଲା ଲୋକସଭା ନିର୍ବାଚନ । ନିର୍ବାଚନରେ ମଧ୍ୟ ସମ୍ବିଧାନ ଏକ ପ୍ରସଙ୍ଗ ହୋଇଥିଲା । ନିର୍ବାଚନ ପ୍ରଚାର ବେଳେ ସମ୍ବିଧାନ କଥାକୁ ବିରୋଧୀମାନେ ଉଠାଇଥିଲେ । ନିର୍ବାଚନ ପରେ ମଧ୍ୟ ସମ୍ବିଧାନକୁ ନେଇ ବିଶ୍ଲେଷଣ ଏବଂ ଆଲୋଚନା ରାଜନୀତିରେ ‘ସମ୍ବିଧାନ’ ପ୍ରସଙ୍ଗକୁ ଉଜ୍ଜୀବିତ କରି ରଖିଥିଲା । ବିଜେପି ଯେତେବି ସ୍ପଷ୍ଟୀକରଣ ଦେଉ ବା କଥାକୁ ଘୋଡାଇବା ପାଇଁ ଚାହୁଁ ନା କାହିଁକି ଏକଥା ସତ୍ୟ ଯେ ୨୦୨୪ର ନିର୍ବାଚନରେ ବିଜେପିର “୪୦୦ପାର” ସ୍ଲୋଗାନ କୁ ଝଟକା ଦେଇଛି ସମ୍ବିଧାନ । ୪୦୦ ପାଖାପାଖି ସାଂସଦ ଜିତିବା ପରେ ବିଜେପି ସମ୍ବିଧାନରେ କେତେକ ସଂଶୋଧନ କରିଥାନ୍ତା । ଏହାକୁ ସଂଶୋଧନ ନୁହେଁ ବରଂ ଦେଶରେ ଜରୁରୀ କାଳୀନ ପରିସ୍ଥିତି ବେଳେ ହୋଇଥିବା ସମ୍ବିଧାନର ୪୨ ତମ ସଂଶୋଧନ ଆଧାରରେ ସମ୍ବିଧାନର ପୁନଃ ଲିଖନ ଭଳି ହୋଇଥାନ୍ତା । କିଛି ସଂଶୋଧନ ମାଧ୍ୟମରେ ବିଜେପି ଭାରତୀୟ ରାଜନୀତିରେ ତାର ବର୍ଚ୍ଚସ୍ୱକୁ ଏକ ସ୍ଥାୟୀ ରୂପ ଦେବାକୁ ଚାହୁଁଥିଲା । ଏକଥା ମଧ୍ୟ ସତ୍ୟ ଯେ ସମ୍ବିଧାନ ବଞ୍ଚାଅ ସ୍ଲୋଗାନ ଇଣ୍ଡିଆ ମେଣ୍ଟ ପାଇଁ କିଛି ପରିମାଣରେ ଲାଭଦାୟକ ହୋଇଥିଲା । ଏହି ବର୍ଷ ହୋଇଥିବା ନିର୍ବାଚନରେ ସମ୍ବିଧାନର ପ୍ରଶ୍ନ (ପ୍ରସଙ୍ଗ) ଭୋଟର ମାନଙ୍କର ଏକ ବଡ଼ ଭାଗ ଯେଉଁମାନେ ଜନଜୀବନ ସହ ଜଡିତ ପ୍ରସଙ୍ଗକୁ ନେଇ ଅସନ୍ତୁଷ୍ଟ ମଧ୍ୟରେ ଥିଲେ ସେମାନେ ବିରୋଧୀ ଦଳକୁ ସମର୍ଥନ କରିଥିଲେ । ହୋଇପାରେ ନିଜର ଭୋଟକୁ ସମ୍ବିଧାନ ସହ ଯୋଡିବା ପାଇଁ ଚାହିଁଥିବା ଭୋଟରଙ୍କ ସଂଖ୍ୟା କମ୍ ହୋଇପାରେ କିନ୍ତୁ ବିଜେପିକୁ ଏହା ଏକ ଧକ୍କା ଥିଲା । ଏହି ଅପ୍ରତ୍ୟାଶିତ ଧକ୍କାର ବିଶ୍ଲେଷଣ କଲେ ସମ୍ବିଧାନ ହିଁ କାରକ ବୋଲି ସ୍ପଷ୍ଟ ।
ନିର୍ବାଚନ ପରେ ବିଜେପିର ଫଳାଫଳକୁ ନେଇ କରାଯାଇଥିବା ସମୀକ୍ଷାରେ ମଧ୍ୟ ଏକଥା ଆଲୋଚନା କରାଯାଇଥିଲା । ଯଦି ୨୦୨୪ ନିର୍ବାଚନ “ଇଣ୍ଡିଆ ସାଇନିଙ୍ଗ”କୁ ଖାରଜ କରିଦେଇଛି ବୋଲି କହିବା ତେବେ ୨୦୨୪କୁ ସମ୍ବିଧାନ ବଦଳାଇବାର ପ୍ରସ୍ତାବକୁ ଖାରଜ କରି ଦିଆଯାଇଥିବା ବର୍ଷ ଭାବେ ମଧ୍ୟ ଦେଖାଯାଇପାରେ । ଏଇଥିପାଇଁ ସମ୍ବିଧାନ ସହ ଜଡିତ ଆଲୋଚନା/ତର୍ଜମା ନିର୍ବାଚନ ପରେ ମଧ୍ୟ ଜାରି ରହିଛି । ସଂସଦର ଉଭୟ ସଦନ (ଲୋକସଭା ଓ ରାଜ୍ୟ ସଭା)ରେ ସମ୍ବିଧାନକୁ ନେଇ ପ୍ରଶ୍ନ ଉଠିଛି । ଶାସକ ଦଳ ଏଥିରୁ ବୁଝିଯାଇଛି ସମ୍ବିଧାନ ଉପରେ ଆକ୍ରମଣ ରାଜନୈତିକ ପରିଦୃଶ୍ୟରେ ମହଙ୍ଗା ପଡିପାରେ । ମନରେ ଯାହାବି ଥାଉ ନା କାହିଁକି ଶାସକ ସମ୍ବିଧାନ ଆଗରେ ନଇଁବାକୁ ବାଧ୍ୟ । ଅନ୍ୟ ପକ୍ଷରେ ବିରୋଧୀ ମାନେ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ସମ୍ବିଧାନକୁ ମୁଖ୍ୟ ପ୍ରତୀକ ଭାବରେ ବ୍ୟବହାର କଲେ । ଜାତିଭିତ୍ତିକ ଜନଗଣନାର ଦାବି ହେଉ ବା ସଂରକ୍ଷଣରେ ବର୍ଗୀକରଣ ପ୍ରସଙ୍ଗ ହେଉ, ଇଭିଏମ୍ର ବିରୋଧ ହେଉ ବା ଆଦାନୀ ପ୍ରସଙ୍ଗ ହେଉ ଏବେ ସବୁ ପ୍ରଶ୍ନ ସମ୍ବିଧାନ ସହ ଯୋଡି ହୋଇ ଯାଉଛି । ସମ୍ବିଧାନକୁ ନେଇ ଆଲୋଚନା କେବଳ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ । ଦେଶର ଅନେକ ସଂଗଠନ ଏବଂ ବ୍ୟକ୍ତିବିଶେଷ ସମ୍ବିଧାନ ବଞ୍ଚାଅ ପ୍ରସଙ୍ଗର ଅଂଶ ପାଲଟିଗଲେଣି । ସମ୍ବିଧାନ ପୁସ୍ତକ ହାତରେ ଧରିଥିôବା ରାହୁଳ ଗାନ୍ଧୀଙ୍କ ଫଟୋ ୨୦୨୪ର ବର୍ଷର ଛବି ଭାବରେ ମଧ୍ୟ ମନେ ରହିବ ।
ଆଶା କରାଯାଉଛି ୨୦୨୫ରେ ସମ୍ବିଧାନକୁ ନେଇ ରାଜନୀତି ଚାଲିବ ଏବଂ ଚାଲିବା ଉଚିତ୍ ମଧ୍ୟ । କିନ୍ତୁ ବିତିଯାଇଥିବା ବର୍ଷ ୨୦୨୪ ଆଲୋଚନା ୩ଟି ଶିକ୍ଷା ଦେଇଛି । ପ୍ରଥମଟି ହେଉଛି ସବୁବେଳେ ସମ୍ବିଧାନ ବଞ୍ଚାଅ ସ୍ଲୋଗାନ ଦେଇ ବିରୋଧୀ ବିଜେପିକୁ ନିର୍ବାଚନରେ ହରାଇ ପାରିବେ ନାହିଁ । ହରିଆଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରୁ ଏକଥା ସାବ୍ୟସ୍ତ ହୋଇ ଯାଇଛି । ଗୋଟିଏ କଥାକୁ ବାରମ୍ବାର ଦୋହରାଇଲେ ତାର ଗୁରୁତ୍ୱ କମିଯାଏ କଥା ସତ୍ୟ ପାଲଟିଛି । ଦ୍ୱିତୀୟ ହେଉଛି ସମ୍ବିଧାନକୁ ପ୍ରସଙ୍ଗ କରି ହୋହାଲ୍ଲା କଲେ ଚଳିବ ନାହିଁ ବରଂ ସମ୍ବିଧାନର ଆଦର୍ଶକୁ ଅନ୍ତିମ ବ୍ୟକ୍ତିର ସୁଖ ଦୁଃଖ ସହ ଯୋଡିବାକୁ ହେବ । ମହିଳା, ଗରିବ, ଦଳିତ, ଆଦିବାସୀ, ସଂଖ୍ୟାଲଘୁଙ୍କ ଆକାଂକ୍ଷା ସହ ସମ୍ବିଧାନକୁ ଯୋଡିବାକୁ ହେବ । ତୃତୀୟ ହେଉଛି ସମ୍ବିଧାନକୁ ଏକ ଦସ୍ତାବେଜରେ ସୀମିତ ରଖିବା ଠିକ୍ ନୁହେଁ । ସମ୍ବିଧାନ ଏକ ଦସ୍ତାବେଜ ନୁହେଁ । ଏହା ଏକ ଦର୍ଶନ ଅଟେ, ଭାରତର ଭବିଷ୍ୟତର ମାର୍ଗଦର୍ଶକ । ସମ୍ବିଧାନ ବଞ୍ଚାଅ ସ୍ଲୋଗାନକୁ ଭାରତର ସ୍ୱଧର୍ମକୁ ବଞ୍ଚାଇବା ପାଇଁ ଲଢ଼େଇରେ ପରିବର୍ତ୍ତନ କରାଯିବା ଉଚିତ୍ ।
ରାମଚନ୍ଦ୍ରପୁର, ରଣପୁର
ମୋ :୯୪୩୮୪୮୫୦୯୪