ଆଜି ଯେ ରାଜେନ୍ଦ୍ର ଆସନେ


ଏକ କ୍ଷୁଦ୍ର ମାସିଡୋନିଆ ରାଜ୍ୟର ଅଧୀଶ୍ୱର ଆଲେକ୍ଜାଣ୍ଡାର । ରାଜ୍ୟ ପରେ ରାଜ୍ୟଜୟ କରିଚାଲିଛନ୍ତି । ତଥାପି ରାଜ୍ୟଜୟର ପିପାସା ମେଂଟୁନି । ଶେଷରେ ସ୍ୱର୍ଣ୍ଣପ୍ରସୂ ଭାରତବର୍ଷ ଆକ୍ରମଣ କରିବାକୁ ବାହାରିଛନ୍ତି । ସାଥିରେ ଅଛନ୍ତି ସୈନ୍ୟସାମନ୍ତଙ୍କ ବିଶାଳ ପଟୁଆର । କୋଳାହଳରେ ଫାଟିପଡୁଛି ଏଥେନ୍ସ ନଗରୀର ରାଜରାସ୍ତା । ନଗରୀର ଉପାନ୍ତରେ ଏକ ଭଙ୍ଗା କୁଡିଆରେ ରହୁଥାନ୍ତି ଦାର୍ଶନିକ ଦାଓଜିନସ୍ ଓ କୁକୁରଟିଏ । ନଜାଣିଥିବା ଲୋକେ ତାଙ୍କୁ ଭିକାରି ବୋଲି ଭାବନ୍ତି । କୁଡିଆରେ ଶୋଇଥିଲେ ଦାଓଜିନସ୍ । କୋଳାହଳ ଶୁଣି ନିଦ ଭାଙ୍ଗିଗଲା । ସେ ମୁଣ୍ଡ ଉଠେଇ ଦେଖନ୍ତି ତ ଆଲେକ୍ଜାଣ୍ଡାରଙ୍କ ବିଶାଳ ସେନା ଚାଲିଛନ୍ତି । ସେ ହଠାତ୍ ଉଠିପଡି ସୈନିକମାନଙ୍କ ଆଡକୁ ଧାଇଁଲେ ଏବଂ ଉଚ୍ଚ କଣ୍ଠରେ ଚିକôାର କଲେ – ରହିଯାଅ, ସମ୍ରାଟ୍ ଆଲେକ୍ଜାଣ୍ଡାରଙ୍କୁ ମୋର କିଛି ଦେବାର ଅଛି । ଏହା କହି ସେ ଆଲେକ୍ଜାଣ୍ଡାରଙ୍କ ନିକଟକୁ ଯାଇ ତାଙ୍କ ହାତରେ ମୁଦ୍ରାଟିଏ ଧରାଇଦେଲେ । ବିସ୍ମିତହୋଇ ଆଲେକ୍ଜାଣ୍ଡାର ପଚାରିଲେ – ଏହା କ’ଣ?
ଦାଓଜିନସ୍ କହିଲେ – କିଛିଦିନ ତଳେ ଜଣେ ଧନିକ ବ୍ୟକ୍ତି ମୋତେ ଭିକାରି ଭାବି ଏ ମୁଦ୍ରାଟିକୁ ମୋ କୁଡିଆ ଭିତରକୁ ଫୋପାଡି ଦେଇଥିଲେ । ମୁଁ ସେହିଦିନ ଭାବିଥିଲି – ମୋ ଠାରୁ ଆଉ ଜଣେ ବଡ଼ÿଭିକାରି ଦେଖିଲେ ତାଙ୍କୁ ଏହି ମୁଦ୍ରାଟି ଉପହାର ଦେବି । ଆଜି ତୁମକୁ ପାଇଗଲି – ତେଣୁ ତୁମ ହାତରେ ଏ ମୁଦ୍ରାଟି ଧରାଇଦେଲି । 
ଆଲେକ୍ଜାଣ୍ଡାର ଅତ୍ୟନ୍ତ ଉତ୍ୟକ୍ତ ହୋଇ କହିଲେ – ଜାଣିଛ ତ ମୁଁ ବିଶ୍ୱବିଜୟୀ ଗ୍ରୀକ୍ ବୀର ଆଲେକ୍ଜାଣ୍ଡାର! ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ମୋର ପଦାନତ । ଏହା ସତ୍ୱେ ମୋତେ ଭିକାରି ବୋଲି କହିବାର ଧୃଷ୍ଟତା ପାଇଁ ମୋ ଆଦେଶରେ ତୁମର ଶିରଚ୍ଛେଦ ହୋଇପାରେ ।
ଅବିଚଳିତ ଦାଓଜିନସ୍ ଅଳ୍ପ ହସି କହିଲେ – ‘ମୋର କିଛି ନାହିଁ, ତେଣୁ ମୁଁ ଭିକାରି ହେବାକୁ ବାଧ୍ୟ । ତୁମର ଏତେସବୁ ଥିବା ସତ୍ତ୍ୱେ ଆହୁରି ପାଇବାପାଇଁ ତୁମର ଏ ଯେଉଁ ଭୋକ, ତାହା କ’ଣ ପାଇଁ? ତୁମେ ମୋ ଠାରୁ ବଡ଼ÿଭିକାରି ନୁହଁ କି? ଶୁଣ ସମ୍ରାଟ୍ ! ଯିଏ ଚାହୁଁଥିବ କୋଟିଏ, କିନ୍ତୁ ପାଇଥିବ ଗୋଟିଏ, ସେ ଏ ସଂସାରର ସବୁଠାରୁ ବଡ଼ÿ ଦରିଦ୍ର । ଯିଏ ଜୀବନରେ କିଛି ଚାହିଁନାହିଁ, କିଛି ପାଇ ବି ନାହିଁ, ସିଏ ଧନୀ ନହୋଇପାରେ, କିନ୍ତୁ ତୁମ ଭଳି ଦରିଦ୍ର ନୁହେଁ । ଆବଶ୍ୟକତାଠାରୁ ଅଧିକ ଅର୍ଥ, କ୍ଷମତା ଓ ପ୍ରତିପତିର ପିପାସା ହିଁ ପ୍ରକୃତ ଦାରିଦ୍ର୍ୟ । ଯାହାର ତୃଷ୍ଣା ବା ଅଭିଳାଷ ଯେତେ ଅଧିକ, ସେ ସେତେ ଅଧିକ ଦରିଦ୍ର । ଯାହାର ମନ ସନ୍ତୁଷ୍ଟ ଓ ତୃପ୍ତ, ତା’ପାଇଁ ଧନୀଦରିଦ୍ର କି ଫରକ୍? ଏଥର କୁହ, ତୁମେ ଭିକାରି ନା ମୁଁ ଭିକାରି? ବାସ୍ତବରେ ଏ ସଂସାରରେ ଭିକାରି କିଏ? ଭିକାରି ସିଏ ନୁହେଁ - ଯିଏ ଅନ୍ୟ ଆଗରେ ହାତ ପତେଇ ଭିକ ମାଗେ, ପ୍ରକୃତ ଭିକାରି ତ ସିଏ - ଯାହା ପାଖରେ ସବୁ ଥାଇ ମଧ୍ୟ ସେ ଆହୁରି ଚାହୁଁଥାଏ । ପାଠକେ ! ଏଭଳି ଏକ ପ୍ରସଙ୍ଗ ଏଠି ଅବତାରଣା କରିବାର ଉଦେ୍ଦଶ୍ୟ ହେଉଛି ଏହା ଯେ, ବିଶ୍ୱ ଅଭିଯାନରେ ବାହାରିଥିବା ସମ୍ରାଟ୍ ଆଲେକ୍ଜାଣ୍ଡାର ନିଜ ଦେଶକୁ ମଧ୍ୟ ଫେରିପାରିଲେ ନାହିଁ । ଭାରତ ଅଭିଯାନ ସାରି ଫେରିବା ବାଟରେ ବେବିଲୋନ୍ ନଗରୀରେ ମାତ୍ର ୩୩ବର୍ଷ ବୟସରେ ସେ ପ୍ରାଣତ୍ୟାଗ କଲେ । ରାଜଧାନୀ ଥିଲା ତଥାପି ଚବିଶ ଘଂଟାର ଦୂର । ସବୁଠାରୁ ଉଲ୍ଲେଖଯୋଗ୍ୟ ଉପଲବ୍ଧି ଏହା ଯେ - ମୃତୁ୍ୟ ପୂର୍ବରୁ ଆଲେକ୍ଜାଣ୍ଡାର ତାଙ୍କର ଅଙ୍ଗରକ୍ଷୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ – ମୋ ଶବାଧାରକୁ ସମାଧିସ୍ଥଳକୁ ନେବାବେଳେ ମୋ ହାତଯୋଡିକୁ ଦୁଇପଟକୁ ଝୁଲାଇ ଦେଇଥିବ, ଯେମିତି ସମଗ୍ର ବିଶ୍ୱବାସୀ ଦେଖିବେ ଆଲେକଜାଣ୍ଡାର ଶୂନ୍ୟହସ୍ତ ହୋଇ ଆସିଥିଲା, ଆଉ ମୃତୁ୍ୟ ପରେ ମଧ୍ୟ ଏ ପୃଥିବୀରୁ ଶୂନ୍ୟହସ୍ତ ହୋଇ ଫେରିଯାଉଛି ।
ମୃତୁ୍ୟ ପରେ ଏମିତି ସମସ୍ତଙ୍କୁ ଶୂନ୍ୟହସ୍ତରେ ଯିବାକୁ ହେବ । ଅଜସ୍ର ସମ୍ପତ୍ତି ଅର୍ଜିଥିବା ଆଲେକ୍ଜାଣ୍ଡାର ପାଇଁ ହୀରାନୀଳା ମୋତିମାଣିକ ସବୁ ଗୋଡ଼ିମାଟି ପରି ମୂଲ୍ୟହୀନ । ସେସବୁ ତା’ର ଜୀବନରକ୍ଷା ପାଇଁ ସାମାନ୍ୟମାତ୍ର ସାହାଯ୍ୟ କରିପାରିଲେ ନାହିଁ କି କାଣିକଉଡିଟିଏ ମଧ୍ୟ ତା’ସହ ଗଲେନାହିଁ । ଶୂନ୍ୟହସ୍ତରେ ସବୁଠୁ ବଡ଼ÿଭିକାରି ସ୍ୱଂୟ ସମ୍ରାଟ ଏ ସଂସାରରୁ ବିଦାୟ ନେଲେ । ପୃଥିବୀର ପ୍ରାୟ ସବୁଦେଶରେ ଆଲେକଜାଣ୍ଡାର ଭଳି ବଡ଼ÿବଡ଼ÿ ଭିକାରି ଅଛନ୍ତି । ସିକନ୍ଦର ନିଜ ଅହେତୁକ ଧନଲିପ୍ସାର ଅସାରତାକୁ ଦର୍ଶାଇ ସବୁକିଛି ପଛରେ ଛାଡି ଚାଲିଯାଇଥିଲେ । କବରସ୍ତାନରେ ଲୋକେ ମୁଠାଏ ଲେଖା ମାଟିପକାଇ ତାଙ୍କର ଉତ୍ତମଗୁଣ ବଖାଣି ନିଜନିଜ ଘରକୁ ଯାଉଥାନ୍ତି । ସଂଧ୍ୟାର ଆଗମନରେ ସିକନ୍ଦରଙ୍କ ମା’ ମଥାରେ ବାରମ୍ବାର ହାତପିଟି କାନ୍ଦିକାନ୍ଦି କବରସ୍ତାନରେ ପହଂଚିଥିଲେ । ସେଇ କବରସ୍ତାନ ନିକଟରେ ବସିଥିଲେ ଏକ ମହାତେଜା ପ୍ରସନ୍ନଚିତ୍ତଫକିର । ସିକନ୍ଦର ମା’ଙ୍କ ବିକଳକୁ ଲକ୍ଷ୍ୟକରି କହିଥିଲେ - ଆରେ ! ସିକନ୍ଦରର ପାଗଳା ମା’ – ଏଠି ତ ତୋର ପୁଅ ସିକନ୍ଦର ଭଳି କେତେ ସିକନ୍ଦର ଶୋଇଯାଇଛନ୍ତି କବର ତଳେ । ସେମାନେ ବି ତୋ ପୁଅଭଳି ପ୍ରତିପତ୍ତିଶାଳୀ ଥିଲେ । ସେମାନେ ତ ସମଗ୍ର ମୁଲକର ଜଗୁଆଳ ଥିଲେ । କିଛି ବି ନେଇଯାଇନାହାଁନ୍ତି ସାଥିରେ । ବଗିଚାରେ ସେମିତି ଗଛ ରହିଛି । ଆମ ଭାରତରେ ମଧ୍ୟ ଏଭଳି ହଜାରେ ପାଖାପାଖି ବଡ଼ÿଭିକାରି ଅଛନ୍ତି । ଏମାନେ ସବୁ ଜନଗଣଙ୍କ ଅର୍ଜିତ ସମ୍ପତ୍ତିକୁ ପବନ, ଲୁଣ, ଗାଡ଼ି ପ୍ରମୁଖ ବିକି ଚାଲିବା ମାଧ୍ୟମରେ ଠକିନେଇଛନ୍ତି – ଏବେବି ନେଉଛନ୍ତି । ଏମାନେ ଭିକାରିରେ ଗଣା ।  ତଥାପି ଅନେକ ମଣିଷ ଏବେବି ନୀତିନୈତିକତା, ମୂଲ୍ୟବୋଧ ଓ ମଣିଷପଣିଆକୁ ଜଳାଞ୍ଜଳି ଦେଇ ସାରାଜୀବନ ଧନସମ୍ପତ୍ତି ଗୋଟେଇବାରେ ଲାଗିଛନ୍ତି । ବଡ଼ÿ ବିଚିତ୍ର ଏ ମଣିଷର ପ୍ରକୃତି । ଘରଦ୍ୱାର, କୋଠାବାଡି, ଅଭ୍ରଂକଷ ଅଟ୍ଟାଳିକା ପଛରେ ଧାଇଁ ଧାଇଁ ଜୀବନର ଅମୂଲ୍ୟ ସମ୍ପଦ ‘ସ୍ୱାସ୍ଥ୍ୟ’କୁ ହଜେଇଦିଅନ୍ତି । ପୁଣି ସେହି ସ୍ୱାସ୍ଥ୍ୟକୁ ଫେରିପାଇବା ପାଇଁ ଡାକ୍ତର ଦୁଆରେ ଯାଇ ଜୀବନ ଭିକମାଗନ୍ତି । ଏଠି ଆସେ ଯେତେ, ଯାଏ ସେତେ । ଅଥଚ ନିର୍ବୋଧ ମଣିଷ ଏକ ଅସରନ୍ତି ଶୋଷ ପଛରେ ଧାଇଁଥାଏ । ଇଏ କେଉଁ ପ୍ରକାର ଗଣିତ? ରାତି ସରିଯାଏ ପଛେ ସ୍ୱପ୍ନ ସରେନା । ବାଟ ସରିଯାଏ ସିନା ହାଟ ସରେନା । ଏଠି ଜୀବନର ଅନ୍ୟନାମ ‘ବସ୍ତୁପ୍ରୀତି ବା ‘ବସ୍ତୁରତି’ । ଏକବିଂଶ ଶତାବ୍ଦୀର ମଣିଷ ଏବେ ଗୋଟିଏ ବସ୍ତୁରେ ପରିଣତ ହୋଇଯାଇଛି । ସେଇଥିପାଇଁ ସମସ୍ତ ଭୌତିକ ବିକାଶ ସତ୍ତ୍ୱେ ମଣିଷ ଆଜି ଖୁବ୍ ନିଃସ୍ୱ, ଖୁବ୍ ନିଃସଙ୍ଗ । ପାଖରେ ଜୀବନ ବିତାଇବା ପାଇଁ ସକଳ ସୁଖ-ସାଧନ ଅଛି, ମାତ୍ର ଶାନ୍ତି ସୁଦୂରପରାହତ । ଚାରିପାଖରେ ପର୍ଯ୍ୟାପ୍ତ ଭୋଜନସାମଗ୍ରୀ ଅଛି, କିନ୍ତୁ ପେଟରେ ଭୋକ ନାହିଁ । ବିଳାସମୟ ପ୍ରାସାଦ ଅଛି, କିନ୍ତୁ ସୁନିଦ୍ରା ନାହିଁ । ପରିପୂର୍ଣ୍ଣ ପରିବାର ଅଛି, କିନ୍ତୁ ପ୍ରସନ୍ନତା ନାହିଁ । ଫେସ୍ବୁକ୍ରେ ଅସଂଖ୍ୟ ବନ୍ଧୁ, ଦୁଃଖ ଶୁଣିବାକୁ ଜଣେ ବି ନାହିଁ । ସୁଖ ମରୀଚିକା ପଛରେ ଧାଇଁ ଧାଇଁ ମଣିଷ ଆଜି ଖୁବ୍ ଦୁଃଖୀ । ଟଲ୍ଷ୍ଟୟଙ୍କ ଗଳ୍ପର ନାୟକ ‘ପାହୋମ୍’ ଭଳି ସକାଳୁ ସଞ୍ଜଯାଏଁ ଗଳଦ୍ଘର୍ମ ହୋଇ ଖାଲି ଧାଇଁଛି ଆଉ ଧାଇଁଛି । ଏମିତି ଧାଁ-ଦଉଡର ଅର୍ଥ କ’ଣ ଜୀବନ?  କିଏ ଜଣେ କହିଥିଲେ – ‘ମନ୍ଦିର ଏକ ଅଦ୍ଭୁତ ସ୍ଥାନ, ଯେଉଁଠି ଗରିବ ବାହାରେ ଭିକମାଗେ, ଆଉ ଧନୀ ଭିତରେ ଭିକମାଗେ । ପ୍ରକାରାନ୍ତରେ ଏଠି ସମସ୍ତେ ଭିକାରି ।’
କେଉଁଦିନ ଏ ନିଃସ୍ୱମଣିଷ ବୁଝିବ ଯେ, ଟଙ୍କା ‘ଘର’ କିଣିପାରେ - ହେଲେ ‘ପରିବାର’ ନୁହେଁ । ଟଙ୍କା ‘ଦାମିକା ଘଂଟା’ କିଣିପାରେ – ହେଲେ ‘ସମୟ’ ନୁହେଁ । ଟଙ୍କା ‘ତୂଳିତଳ୍ପ ଶଯ୍ୟା’ କିଣିପାରେ – ହେଲେ ‘ସୁନିଦ୍ରା’ ନୁହେଁ । ଟଙ୍କା ‘ବହି’ କିଣିପାରେ – ହେଲେ ‘ଜ୍ଞାନ’ ନୁହେଁ । ଟଙ୍କା ‘ବନ୍ଧୁ’ କିଣିପାରେ – ହେଲେ ‘ବନ୍ଧୁତା’ ନୁହେଁ । ଦୁନିଆରେ କେବଳ ଭାଗ୍ୟବାନ ସେହି - ଯାହା ପାଖରେ ‘ଭୋଜନ’ ସହିତ ‘ଭୋକ’ ଅଛି । ‘ଶଯ୍ୟା’ ସହିତ ‘ନିଦ୍ରା’ ଅଛି । ଆଉ ‘ଧନ’ ସହିତ ‘ଧର୍ମ’ ବି ଅଛି । ସମୁଦ୍ରକୂଳରେ କ’ଣ ଶାମୁକାର ଅଭାବ ଥାଏ ନା ପୃଥିବୀପୃଷ୍ଠରେ ମଣିଷର? ବାସ୍, ଫରକ୍ କେବଳ ଏତିକି ଯେ - କିଛି ଶାମୁକା ଭିତରେ ମୋତି ଥାଏ, ଆଉ କିଛି ମଣିଷଙ୍କ ପାଖରେ ହୃଦୟ । ବାକିସବୁ ମଣିଷ ସେଇ ମିଛ ଖୋଳପାଧାରୀ ଶାମୁକା ସଦୃଶ । ନିର୍ଣ୍ଣୟ ଆପଣଙ୍କର । ଆପଣ ହୃଦୟବାନ୍ ମଣିଷଟିଏ ହେବେ ନା ଶୂନ୍ୟ ଶାମୁକାଟିଏ ହେବେ । କିନ୍ତୁ ଏ କଥା ସତ୍ୟ ଯେ - ଆପଣ ଯାହା ବାଂଟିବେ ତାହା ଆପଣଙ୍କ ପାଖରେ ବେଶି ହେବ । ତାହା ଧନ ହେଉ କିଂବା ସମ୍ମାନ, ଭୋଜନ ହେଉ କିଂବା ଅପମାନ, ଘୃଣା ହେଉ କିଂବା ପ୍ରେମ ।
ଦି’ଦିନର ଏ ଜୀବନ ! ମରୀଚିକା ପଛରେ ଧାଇଁବା ଅର୍ଥହୀନ । ପାରୁଛ ଯଦି ପ୍ରେମ ବାଂଟିଚାଲ । ଲୋକଙ୍କ ହୃଦୟ କିଣ । ନିଶ୍ୱାସକୁ ବିଶ୍ୱାସ ନାହିଁ । ସମୟ ନଷ୍ଟ ଅର୍ଥାତ୍ ଜୀବନ ନଷ୍ଟ । ପ୍ରାକୃତିକକୁ ଛାଡି ଅତ୍ୟଧିକ ଭୌତିକ ପଦାର୍ଥରେ ଆସକ୍ତି ହିଁ ଅତ୍ୟଧିକ ରୋଗର କାରଣ । କାହିଁକି ରୋଗକୁ କିଣିବେ । କେତେଦିନ ଏ ସଂସାରରେ ବଂଚିବେ କି? ଦିନେ ନିଃସ୍ୱମଣିଷ ହୋଇ ଏ ସଂସାରରୁ ବିଦାୟ ନେବେ । “କେତେ ଦିନକୁ ମନ ବାନ୍ଧିଛୁ ଆଂଟ, କି ଘେନି ଯିବୁ ସଂଗେ ଛୁଟିଲେ ଘଟ ।” ସବୁ ଠିକ୍ଠାକ୍ ଥିବ, ହଠାତ୍ ହୃଦ୍ଘାତରେ ଟଳିପଡିବ । ଛ’ଖଣ୍ଡ ବାଉଁଶରେ କୋକେଇ ବନ୍ଧା । ସେଥିରେ ଶବହୋଇ ପଡିରହିବେ । କାରଣ ମଶାଣିକୁ ଆପଣ ଅର୍ଜିଥିବା ଚାରିକୋଟି ନୁହେଁ, ମାତ୍ର ଚାରିଜଣ ଆପଣଙ୍କୁ ଛାଡିବାକୁ ଯିବେ ।  ସେ ମଶାଣିର ଅଗ୍ନିରେ କୁଆଡେ ଲୀନ ହୋଇଯିବେ । ତେଣୁ ଲୋଭରୁ ପାପ - ପାପରୁ ମୃତୁ୍ୟ । ସାଧୁ ସାବଧାନ୍ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩