ମହାଭାରତର ଯୁଦ୍ଧଭୂମି
ମାୟାଧର ନାୟକ : ଚୀନ ଭାରତବର୍ଷର ଆତ୍ମା ଆଜି ମଧ୍ୟ କୁରୁକ୍ଷେତ୍ରରେ ଖୋଜିବୁଲେ ଅସ୍ତସୂର୍ଯ୍ୟର ଅସ୍ଥିକଂକାଳସାର ଅସ୍ତିତ୍ୱ ... ଶୁଣୁଥାଏ ସମରାହତ ସମୟାନ୍ତରର ସକରୁଣ ଶୋକସଂଗୀତ ... ପଢ଼ୁଥାଏ ପ୍ରମର୍ତ୍ତ ପ୍ରତ୍ନତତ୍ତ୍ୱର ପ୍ରଚ୍ଛନ୍ନ ପ୍ରଚ୍ଛଦପଟ! ହଁ, ଆଜି ମଧ୍ୟ କୁରୁକ୍ଷେତ୍ରର ବତାସୀ ବାୟୁପ୍ରବାହରେ କାଳକାଳର କୋହୋଚ୍ଛଳ କାରୁଣ୍ୟ ସୃଷ୍ଟି କରେ ଶତ ସ୍ପଂଦନ, ସହସ୍ର ଶିହରଣ, ଅଜସ୍ର ଅଂତଜ୍ୱର୍ଳନ!
କେବେ ଦିନେ ପ୍ରାଚୀନ ଭାରତବର୍ଷରେ ପ୍ରବାହିତ ହେଉଥିଲା ସରସ୍ୱତୀ ନଦୀ - ଏବେ ଲୁପ୍ତ । ମାତ୍ର ଏହି ପବିତ୍ର ପୁଣ୍ୟତୋୟାର ତୀରଭାଗ ଥିଲା ବୈଦିକ ସଂସ୍କୃତିର ଜନ୍ମଭୂମି । ଏକଦା କୁରୁକ୍ଷେତ୍ର ଥିଲା ଏହି ସରସ୍ୱତୀ ଓ ଦୃଶଦ୍ବତୀ ନଦୀଯୁଗଳର ସୁବିସ୍ତୃତ ମଧ୍ୟବର୍ତ୍ତୀ ଅଂଚଳ - ଅଧୁନା ଯାହାର ଆଭାସଚିତ୍ର ଥାନେଶ୍ୱର ସହରଠାରୁ ତିନି କିଲୋମିଟର ଦୂରବର୍ତୀ ଅମ୍ବାଲା ଓ ଦିଲ୍ଲୀ ମଧ୍ୟରେ ମାନଚିତ୍ରିତ ମାତ୍ର! ବୈଦିକ ଯୁଗର ଋଷି ଓ ୠତ୍ୱିକମାନଙ୍କର ଯଜ୍ଞଭୂମି ଥିଲା ଏ ଅଂଚଳ ।
ବୈଦିକ ଯଜ୍ଞଭୂମି କୁରୁକ୍ଷେତ୍ର ଦିନେ କିନ୍ତୁ ହୋଇଉଠିଲା ମହାଭାରତୀୟ ଯୁଦ୍ଧଭୂମି ।
ତା’ପରେ?
ସେହି ଯୁଦ୍ଧଭୂମି ଏକ ମହାନ ସଭ୍ୟତାର ଶ୍ମଶାନଭୂମିରେ ପରିଣତ ହେଲା କ୍ରମେ । ଏପଟେ ସରସ୍ୱତୀ ନଦୀ ତୀରବର୍ତ୍ତୀ ଏକ ଲୋମହର୍ଷକ ଗୃହଯୁଦ୍ଧ ମଧ୍ୟରେ ବଳି ପଡ଼ିଗଲା ଭବ୍ୟ ଭାରତବର୍ଷର ଭ୍ରାତୃବଂଶ, ଏବଂ ସେପଟେ ଏରକା ବନଭୂମିରେ ଜଘନ୍ୟ ଆତ୍ମବିବାଦରେ ବ୍ୟାପୃତ ହୋଇ ସମୂଳେ ନିଶ୍ଚିହ୍ନ ହୋଇଗଲେ ସମଗ୍ର ଦୁର୍ଦ୍ଧର୍ଷ ଯାଦବବଂଶ । ମହାବଳୀ ବଳରାମ ଓ ଅବତାର-ପୁରୁଷ ଶ୍ରୀକୃଷ୍ଣଙ୍କର ଦେହତ୍ୟାଗ ପରେ ଜଳରାଶିରେ ବିଲୀନ ହୋଇଗଲା ସମଗ୍ର ଦ୍ୱାରକାନଗ୍ର । ଭାରତବର୍ଷରୁ କ୍ଷୟ ହୋଇଗଲା ଅମିତ କ୍ଷମତାଶାଳୀ କ୍ଷାତ୍ରଶକ୍ତି ।
ପ୍ରାଗୈତିହାସିକ ମହାଭାରତ ଯୁଦ୍ଧରୁ ଆରମ୍ଭ କରି ଐତିହାସିକ ତିରୋରୀ ଓ ପାନିପଥ ଯୁଦ୍ଧ ପର୍ଯ୍ୟନ୍ତ ସଭ୍ୟତାର ବହୁ କ୍ଷତଚିହ୍ନ ବହନ କରିଛି କୁରୁକ୍ଷେତ୍ର ।
କୁରୁକ୍ଷେତ୍ରର ମହାଭାରତ ଯୁଦ୍ଧ ଏଇ ଗତକାଲି ସଂପନ୍ନ କରିଛି ତାର ପ୍ରଥମ ଦିବସ । କାଲିର ସୂର୍ଯ୍ୟାସ୍ତ ପାଣ୍ଡବ ଶିବିରରେ ସୃଷ୍ଟି କରିଥିଲା ଯୁଗପତ୍ ଶୋକ ଓ ସଂଶୟ । ସରସ୍ୱତୀ ନଦୀକୂଳବର୍ତୀ ପାଣ୍ଡବ ଶିବିରରେ ରାତି୍ରର ରଙ୍ଗ ଅଧିକ କାଳିମାକ୍ତ ମନେହେଉଥିଲା । ଯୁଧିଷ୍ଠିରଙ୍କୁ ଲାଗୁଥିଲା - ଏଇ ରକ୍ତସ୍ନାତ ପ୍ରଥମ ଦିବସ ଯେପରି ଅନ୍ତିମ ଦିବସର ହିଁ ଅଶ୍ରୁଳ ଉପକ୍ରମଣିକା! ଶେଷର ଆରମ୍ଭ ମାତ୍ର! ଏକ ଭୟାବହ ଭସ୍ମସ୍ତୂପର ଭୂମିକା! ପ୍ରଥମ ଦିବସ ଥିଲା ରାଜା ବିରାଟଙ୍କ ନିମନ୍ତେ ତାଙ୍କ ଜୀବନର ଦାରୁଣତମ ଦିବସ । ସେଦିନର ସୂର୍ଯ୍ୟାସ୍ତ ତାଙ୍କ ପାଇଁ ବହିଆଣିଥିଲା ଅସହ୍ୟ ବେଦନା । ରାଣୀ ସୁଦେଷ୍ଣାଙ୍କ ବିକଳ ବିଳାପଧ୍ୱନିରେ ବିଦୀର୍ଣ୍ଣ ହୋଇଯାଇଥିଲା ଗଗନପବନ । ବିରାଟ ଓ ସୁଦେଷ୍ଣା ପତିପତ୍ନୀ ଏ ପ୍ରଥମ ଦିବସର ଯୁଦ୍ଧରେ ହରାଇଥିଲେ ଦୁଇ ପି୍ରୟ ପୁତ୍ର ଉତ୍ତରକୁମାର ଓ ଶ୍ୱେତକୁମାରଙ୍କୁ ।
ପିତାମହ ଭୀଷ୍ମଙ୍କ ସେନାପତିତ୍ୱରେ ଯୁଦ୍ଧର ପ୍ରଥମ ଦିବସ ଯେପରି ପାଣ୍ଡବ ପକ୍ଷର ଅକଳନ କ୍ଷୟକ୍ଷତି ଘଟାଇଥିଲା, ସେଥିରେ ଦୁର୍ଯେ୍ୟାଧନଙ୍କ ମାନସପଟ ନାନା ନୂତନ ଆଶାର ବର୍ଣ୍ଣଛଟାରେ ଅଭିରଂଜିତ ହୋଇ ଏକ ବର୍ଣ୍ଣାଢ୍ୟ ଚିତ୍ରପଟରେ ପରିଣତ ହୋଇସାରିଥିଲା । ପିତାମହ ଯଦି ଏଇଭଳି ଅମିତ ପରାକ୍ରମ ପ୍ରଦର୍ଶନ କରି ପାଣ୍ଡବ ସେନାମାନଙ୍କୁ ପ୍ରତ୍ୟହ ସହସ୍ର ସହସ୍ର ସଂଖ୍ୟାରେ ବଧ କରିଦେଇପାରିବେ, ତାହେଲେ ସମୁଦାୟ ଯୁଦ୍ଧ ଶେଷ ହୋଇଯାଇପାରେ ଅବଶିଷ୍ଟ ଆଉ ଦୁଇ ତିନି ଦିନ ମଧ୍ୟରେ । ତାପରେ? ସମଗ୍ର ଭୂଭାରତବର୍ଷର ଏକାଙ୍ଗ ଚକ୍ରବର୍ତ୍ତୀ ସମ୍ରାଟ୍ ଭାବରେ ମାନଗୋବିନ୍ଦ ଦୁର୍ଯେ୍ୟାଧନଙ୍କ କୀର୍ତ୍ତି କାଳକାଳକୁ ଘୋଷିଚାଲିଥିବ ଏ ବୀରଭୋଗ୍ୟା ବସୁନ୍ଧରା । ସେଦିନର ରାତି୍ର ଦୁର୍ଯେ୍ୟାଧନଙ୍କ ଦୁଇ ବିଶାଳ ଚକ୍ଷୁରେ ବୋଳିଦେଇଥିଲା ଏକ ସ୍ୱପ୍ନାଭ ନିଦ୍ରାର ନୀଳାଞ୍ଜନ । ଏପଟେ ନିଜର ଶୋକସନ୍ତପ୍ତ ଶିବିରରେ ଯୁଧିଷ୍ଠିର ବିତାଇଥିଲେ ବିନିଦ୍ର ରାତି୍ର । ପ୍ରଥମ ଦିବସର ସୂର୍ଯ୍ୟ ଅସ୍ତାଚଳ ସ୍ପର୍ଶ କରିବା ପୂର୍ବରୁ ଯୁଦ୍ଧର ଶେଷମୋଡ଼ରେ ସେ ମନେପକାଉଥିଲେ ସେହି ସକରୁଣ ମୁହୂର୍ତ୍ତ... ଯେତେବେଳେ ମାତୁଳ ଶଲ୍ୟଙ୍କ ରଥ ଭଗ୍ନ କରି ବିରାଟପୁତ୍ର ଉତ୍ତର କୁମାରଙ୍କ ବିଶାଳକାୟ ମଂଚ ଗଜ ଆଗକୁ ଧସିଯାଉଥିଲା, ସେତେବେଳେ ନିରସ୍ତ୍ର ଶଲ୍ୟଙ୍କ ସଂକଟାପନ୍ନ ସ୍ଥିତି ଦେଖି, ଅପରିମିତ ଉଲ୍ଲାସରେ ଆତ୍ମବିସ୍ମୃତ ଉତ୍ତର କୁମାର ନିଜ ଧନୁର୍ବାଣକୁ ଊଦ୍ଧ୍ୱର୍କୁ ଉତ୍ତୋଳନ କରି ଆକାଶ ଆଡ଼କୁ ଦୃଷ୍ଟି ନିବଦ୍ଧ ପୂର୍ବକ ଆକର୍ଣ୍ଣ ବିସ୍ତାରିତ ହାସ୍ୟ ପ୍ରକାଶ କଲେ । ଆଉ ଠିକ୍ ସେହି ମୁହୂର୍ତ୍ତରେ ଭଗ୍ନରଥରୁ ଅକସ୍ମାତ୍ ଏକ ସୁତୀକ୍ଷ୍ଣ ବର୍ଚ୍ଛା ଉଠାଇଆଣି, ଅସତର୍କ ଉତ୍ତର କୁମାରଙ୍କ ବକ୍ଷଦେଶକୁ ଲକ୍ଷ୍ୟ କରି ଦ୍ରୁତ ବେଗରେ ନିକ୍ଷେପ କଲେ ଶଲ୍ୟ! ସେହି ହସୁଥିବା ଅବସ୍ଥାରେ ହିଁ ହସ୍ତୀପୃଷ୍ଠରୁ ଆଖି ପିଛୁଳାକେ ଟଳିପଡ଼ିଲେ ଉତ୍ତର କୁମାର!
ଉତ୍ତର କୁମାରଙ୍କର ଏହି ଅଭାବିତ ମୃତୁ୍ୟରେ ତାଙ୍କ ଭ୍ରାତା ଶୋକାହତ ଶ୍ୱେତକୁମାର ନିରସ୍ତ୍ର ଶଲ୍ୟଙ୍କ ଆଡ଼କୁ ଖେଦିଆସିଲେ । ତାଙ୍କୁ ବାଧା ଦେଉଥିବା ସାତ କ୍ଷତି୍ରୟବୀରଙ୍କ ସହିତ ସେ ଏକାକୀ ଲଢୁଥିବାବେଳେ ଦୂରରୁ ତୀବ୍ର ଗତିରେ ପିତାମହଙ୍କ ନିକ୍ଷିପ୍ତ ବାଣ ଆସି ତାଙ୍କର ବକ୍ଷ ଭେଦ କଲା । ସେ ମଧ୍ୟ ସେହି ସ୍ଥଳରେ ତତ୍କ୍ଷଣାତ୍ ତ୍ୟାଗ କଲେ ଶେଷନିଃଶ୍ୱାସ ।
ଏହା ହିଁ ଥିଲା ପ୍ରଥମ ଦିବସର ସୂର୍ଯ୍ୟାସ୍ତ ପୂର୍ବର ଦାରୁଣ ଘଟଣା । ଭୁଲିପାରୁ ନ ଥିଲେ ଧର୍ମପୁତ୍ର ଯୁଧିଷ୍ଠିର । ସେ ନିଜକୁ ଦାୟୀ କରୁଥିଲେ କେବଳ । ଭୟଙ୍କର ଭବିତବ୍ୟର ସମସ୍ତ ଦୁର୍ଦ୍ଦଶାର ସେ ହିଁ ଏକମାତ୍ର କାରଣ ବୋଲି ନିଜକୁ ଭର୍ତ୍ସନା କରି ଶୋକାକୁଳ ହୋଇଉଠିଥିଲେ । ସେ ଯୁଦ୍ଧ ନିମନ୍ତେ ସମ୍ମତ ହୋଇ ନ ଥିଲେ ସମ୍ବନ୍ଧୀ ବିରାଟଙ୍କର ଦୁଇ ପୁତ୍ର ଆଜି ପ୍ରଥମ ଦିବସରେ ବଳି ପଡ଼ି ନ ଥାନ୍ତେ କଦାପି । ହାହୁତାଶରେ ହତପ୍ରଭ ଯୁଧିଷ୍ଠିର ପୁନରାୟ ବନବାସ ବରଣ କରିବାର ଇଚ୍ଛା ପ୍ରକଟ କଲେ । ଆସିଲେ କୃଷ୍ଣ । ଯୁଧିଷ୍ଠିରଙ୍କୁ ବୋଧ ଦେଲେ - “ଭ୍ରାତା ଯୁଧିଷ୍ଠିର! ସମୟ ତାର ନିଜସ୍ୱ ନିର୍ଣ୍ଣୟ ନେଇସାରିଛି । ଯାହା ଭବିତବ୍ୟ, ତାହାକୁ ଗ୍ରହଣ କର । ସଂଶୟ ବର୍ଜନ କର । ଏ ଯୁଦ୍ଧ ଏକ ଯୁଗାନ୍ତରର ଭୂମିକା । ତୁମକୁ ଏ ଭୂମିକା ନିର୍ବାହ କରିବାକୁ ହେବ । ପାଣ୍ଡବମାନଙ୍କର ବନବାସ ଓ ଅଜ୍ଞାତବାସ ସମାପ୍ତ ହୋଇସାରିଛି । ଏବେ ସାମ୍ନା କରିବାକୁ ପଡ଼ିବ ଯୁଗାନ୍ତରର ଏ ମହାସଂକଟକୁ ।” ପରବର୍ତ୍ତୀ ପ୍ରଭାତ ଆଣିଥିଲା ଏକ ବିସ୍ମୟକର ବିଚୁ୍ୟତି । ସେଦିନ ଦ୍ୱିତୀୟ ଦିବସର ଦୁନ୍ଦୁଭିନାଦ, ଅଶ୍ୱଯୂଥର ହ୍ରେଷାରବ, ହସ୍ତୀବାହିନୀର ବୃଂହଣଧ୍ୱନି, ରଥୀମହାରଥୀଙ୍କ ରଣହୁଂକାର, ପଦାତିମାନଙ୍କ ସ୍ପର୍ଦ୍ଧିତ ସ୍ୱର ହଠାତ୍ ଥମିଯାଇଥିଲା ଏକ ଅଭାବନୀୟ ଦୃଶ୍ୟରେ । କୁରୁକ୍ଷେତ୍ରକୁ ସ୍ତବ୍ଧଚକିତ କରିଦେଇଥିଲା ସେ ଅଚିନ୍ତନୀୟ ଦୃଶ୍ୟ ।
କିଏ କଣ କେବେ ଭାବିଥିଲା, ଭଗବାନଙ୍କର ଅଷ୍ଟମ ଅବତାର ରୂପେ ପରିଗୃହୀତ କୃଷ୍ଣ ନିଜର ପ୍ରତିଜ୍ଞା ଭଙ୍ଗ କରି ସ୍ୱହସ୍ତରେ ସୁଦର୍ଶନଚକ୍ର ଧାରଣ ପୂର୍ବକ ରଥର ସାରଥି ଆସନରୁ ଲଂଫପ୍ରଦାନ କରିବେ ଆଉ ରେରେକାର ଧ୍ୱନି ଦେଇ ରଣରଙ୍କ ରୁଦ୍ରଭୈରବ ରୂପରେ ଯୁଗପୁରୁଷ ପିତାମହ ଭୀଷ୍ମଙ୍କୁ ବଧ କରିବା ପାଇଁ ସେଦିନ ଯୁଦ୍ଧଭୂମିରେ ପଦ ପ୍ରହାର କରି କରି ଧାଇଁବାକୁ ଲାଗିବେ ଊଦ୍ଧ୍ୱର୍ଶ୍ୱାସ ହୋଇ?
ଅଥଚ ଏ ନ ଘଟିବା କଥା ବି ଘଟିଲା ।
ଭୀଷ୍ମଙ୍କ ଆଡ଼କୁ ‘ଭଗବାନ’ ବୋଲି ପୂଜା ପାଉଥିବା ଧାବମାନ କୃଷ୍ଣଙ୍କର ସେ ରୂପ ଥିଲା ତାଙ୍କ ବିଶାଳ ବିଶ୍ୱରୂପର ଆଉଏକ ବିସ୍ମୟକର ବିକଟ ସଂସ୍କରଣ । ପ୍ରଳୟ ଆସିଗଲା ପରି ପ୍ରତୀତ ହେଲା ସେ ମୁହୂର୍ତ୍ତରେ । କୁରୁକ୍ଷେତ୍ରରେ ପବନର ଗତି ହେଲା ବ୍ୟାହତ, ଗଗନମଣ୍ଡଳର ସୂର୍ଯ୍ୟ ହଜିଗଲେ କୃଷ୍ଣଙ୍କର ପଦାଘାତରେ ସୃଷ୍ଟି ହୋଇଥିବା ଭୀଷଣ ଧୂଳିଝଡ଼ର ଘନାୟମାନ ଘୂର୍ଣ୍ଣିବଳୟରେ । ମନେହେଲା, ସଦ୍ୟ ସନ୍ନିକଟବର୍ତ୍ତୀ ଯେପରି ସେ ଆସନ୍ନ ଅନ୍ତିମ କାଳ ... ପୃଥିବୀ ଟଳମଳ - ବ୍ୟୋମଭାଗର ବର୍ଣ୍ଣ ପିଙ୍ଗଳ - ସହସ୍ର ସୁନାମିର ସ୍ରୋତ ଉତରଳ... ସ୍ୱତଃ ସଂତ୍ରସ୍ତ ସ୍ୱର୍ଗ-ମର୍ତ୍ୟ-ପାତାଳ! ହେଲେ ଯାହାଙ୍କୁ ନିଧନ କରିବା ନିମନ୍ତେ ସ୍ୱୟଂ ଅବତାରପୁରୁଷ ବଚନଭ୍ରଷ୍ଟ ହୋଇ ଆଗେଇ ଆସୁଛନ୍ତି, ସେଇ ଯୁଗପୁରୁଷ ଭୀଷ୍ମ କିନ୍ତୁ ଅକୁତୋଭୟ, ସ୍ମିତହାସମୟ!
କୁରୁକ୍ଷେତ୍ରକୁ ସାକ୍ଷୀ ରଖି ଶାନ୍ତସଂଯତ, ଶତଯୁଦ୍ଧର ଅପରାଜେୟ ବୀରପୁଙ୍ଗବ ଭୀଷ୍ମ ସେଦିନ କୃଷ୍ଣଙ୍କର ଏଇ ଆକସ୍ମିକ ସଶସ୍ତ୍ର ଆବିର୍ଭାବରେ ପରମ ପୁଲକିତ ହୋଇ ଯୋଡ଼ହସ୍ତରେ ତାଙ୍କୁ ପ୍ରଣାମ କରି କହୁଛନ୍ତି - “ଅହୋ ଭାଗ୍ୟ! ଭଗବାନ ଯେ ଭକ୍ତର ମନସ୍କାମନା ପୂରଣ କରିବାରେ ସଦାସଦୟ, ଆଜି ଭଗବାନ କୃଷ୍ଣଙ୍କର ମତେ ହତ୍ୟା କରିବାକୁ ଏଭଳି ଉନ୍ମତ ଯୋଦ୍ଧୃବେଶରେ ଆବିର୍ଭାବ ହିଁ ତାହାର ଶ୍ରେଷ୍ଠ ପ୍ରମାଣ । ମୋର ଅନ୍ତିମ କାଳ ସମାଗତ ହୋଇଛି ଜାଣି ସେ ମୋର ମନୋବାସନା ପୂର୍ଣ୍ଣ କରିବାକୁ ସୁଦର୍ଶନଚକ୍ର ଧାରଣ କରିଛନ୍ତି । ଯାହାଙ୍କ କ୍ଷଣିକ ପଲକପାତରେ କ୍ଷତି୍ରୟମାନେ ନିଷ୍ପ୍ରଭ ହୋଇପଡ଼ନ୍ତି, ଯାହାଙ୍କ ବରାଭୟ ମୁଦ୍ରାରେ ଉତ୍ତୋଳିତ ଆଶୀର୍ବାଚକ ହସ୍ତ ଆଗରେ ବ୍ରାହ୍ମଣମାନେ ବେଦମନ୍ତ୍ର ଉଚ୍ଚାରଣ କରନ୍ତି, ଯାହାଙ୍କ ସାମାନ୍ୟତମ ସ୍ମିତହାସ୍ୟର ଛଟାରେ ଚରାଚର ଚକିତ ହୋଇ କୃତାର୍ଥତା ଅନୁଭବ କରିଥାଏ - ସେହି ବିଧାତାପୁରୁଷ ଆଜି କ୍ରୋଧପିଙ୍ଗଳ ଚକ୍ଷୁରେ ମୋ ଭଳି ଅକିଂଚନ ବୃଦ୍ଧକୁ ଚାହିଁ, ସ୍ୱଭାବସୁଲଭ ସଦାସସ୍ମିତ ଭଙ୍ଗିମା ବିସର୍ଜନ ଦେଇ - ଏଇ ଦେଖ - କିପରି ରୁଦ୍ରସଂହାର ରୂପ ପ୍ରଦର୍ଶନ କରୁଛନ୍ତି । ଏଇ ଦେଖ, କୁରୁକ୍ଷେତ୍ରରେ ସମବେତ ଧର୍ମଯୋଦ୍ଧାଗଣ, ସ୍ୱୟଂ ମହାପ୍ରଭୁ ଜଣେ ସାମାନ୍ୟ ମାନବକୁ ମୋକ୍ଷ ଦେବା ପାଇଁ କିପରି ନିଜ ଶପଥ ଭୁଲି ପଥ-ଅପଥ ନ ମାନି ଅସ୍ତ୍ର ଉଦ୍ୟତ କରିଛନ୍ତି! ଯେଉଁଦିନ ଶୁଣିଲି, କୃଷ୍ଣ ଏ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ ବୋଲି କୌରବ-ପାଣ୍ଡବ ଉଭୟ ପକ୍ଷଙ୍କୁ ସଂକଳ୍ପର ସ୍ୱର ଶୁଣାଇ ଦେଇଛନ୍ତି - ସେଦିନ ସତରେ ମୁଁ ଭାରି ଦୁଃଖୀ ହୋଇପଡ଼ିଥିଲି । ଉଦାସ ହୋଇପଡ଼ିଥିଲି । କାରଣ ଏଇ ଯୁଦ୍ଧରେ ମୁଁ କୃଷ୍ଣଙ୍କୁ ସେଇ ଅସାଧାରଣ ମହାନାୟକର ବିରଳ ବୀରବେଶରେ ଦର୍ଶନ କରିବା ପାଇଁ ମନରେ ଆଶା ପୋଷଣ କରିଥିଲି । ଆଜି ମୁଁ କୃତାର୍ଥ - ସ୍ୱୟଂ ବିଧାତାପୁରୁଷ ମୋର ସେ ବହୁପୋଷିତ ଆଶା ଏତେଦିନକେ ପୂରଣ କରିଛନ୍ତି ।”
ସହାସ୍ୟ ଭୀଷ୍ମଙ୍କର ଭକ୍ତିପ୍ରଣାମପୂତ ଏ ବିନୟୋକ୍ତି ଉଚ୍ଚାରଣରେ ସାରଥି କୃଷ୍ଣଙ୍କର ପି୍ରୟସଖା ଅର୍ଜୁନ କିନ୍ତୁ ବେଳକୁବେଳ ବିବ୍ରତ, ବିଚଳିତ, ସଲଜ୍ଜ ଭାବରେ ସଂକୁଚିତ । ହଁ, ମହାଭାରତ ଯୁଦ୍ଧ ଆରମ୍ଭ ହେବା ଆଗରୁ କଥା ଦେଇଥିଲେ କୃଷ୍ଣ - ନା, ସେ ଅସ୍ତ୍ର ସ୍ପର୍ଶ କରିବେ ନାହିଁ ଏ ଯୁଦ୍ଧରେ । ଅନ୍ତିମ ଦିବସ ପର୍ଯ୍ୟନ୍ତ ସେ ରହିବେ ଅଯୁ୍ମମାନ । ମାତ୍ର ନିଜ ଦେଇଥିବା କଥା ସେ ଆଜି ନିଜେ ରକ୍ଷା କରୁନାହାନ୍ତି । ବରଂ ଅପରାଜେୟ ପିତାମହଙ୍କ ପ୍ରାଣସଂହାର ପାଇଁ ସେ ଏବେ ସୁଦର୍ଶନ ଚକ୍ର ହସ୍ତରେ ସ୍ୱୟଂ ଧାବମାନ କୁରୁକ୍ଷେତ୍ରରେ! ଏବେ ସମସ୍ତେ ନିରୁପାୟ ନୀରବ ଦର୍ଶକ ଏ ଅଘଟଣ ଦେଖି । କ’ଣ କରିବେ ଅର୍ଜୁନ? ନର ହୋଇ ସୁଦ୍ଧା ତାଙ୍କୁ ନାରାୟଣଙ୍କୁ ସମୁଚିତ ମାର୍ଗ ପ୍ରଦର୍ଶନ କରାଇବା ନିତାନ୍ତ ଜରୁରି । ଯଦି କୃଷ୍ଣ ନିଜର ଶପଥଭଙ୍ଗ କରିବେ, ତା’ହେଲେ ସମଗ୍ର ସଂସାର ପାଇଁ ଆଉ କି ତାତ୍ପର୍ଯ୍ୟ ରହିଲା ଭବିଷ୍ୟତର ଭାଷ୍ୟକାରବର୍ଗଙ୍କ ପକ୍ଷରେ?(କ୍ରମଶଃ)
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩