ସାଇବର ଅପରାଧରେ କଲ୍ ମର୍ଜିଂ


ଏବେ କିଛି ଦିନ ହେଲା ସାଇବର୍ ଅପରାଧ କ୍ଷେତ୍ରରେ ଆଉ ଏକ ନୂଆପ୍ରକାର ତରିକା ଦେଖା ଦେଲାଣି । ତାହା ହେଉଛି କଲ୍ ମର୍ଜିଂ । ଏଥିରେ ଗ୍ରାହକଙ୍କ ନିକଟକୁ କୌଣସି ଓଟିପି ଆସିବ ନାହିଁ କିମ୍ବା ଅନ୍ୟ କୌଣସି ନମ୍ବରକୁ କିମ୍ବା ଲିଙ୍କ୍ କରିବାକୁ ମଧ୍ୟ ଅନୁରୋଧ ଆସିବ ନାହିଁ । ଏହି ନୂଆ ପ୍ରକାରର ଠକେଇରେ ଠକମାନେ କଲ୍ ମର୍ଜର୍ ମାଧ୍ୟମରେ ମୋବାଇଲ୍ଧାରୀର ସବୁକିଛି ନେଇ ଯାଉଛନ୍ତି । ଏ ସମ୍ପର୍କରେ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଲୋକମାନଙ୍କ ନିମିତ୍ତ ସୂଚନା ଏକ୍ସ ଆକାଉଣ୍ଟ୍ରେ ପୋଷ୍ଟ୍ କରିଛି । ଏହି ଠକେଇରେ ଏକ ଅଜଣା ନମ୍ବରରୁ କଲ୍ ଆସେ । ଏହି କଲ୍ ଉଠାଇବା ପରେ କୁହାଯାଏ ଯେ ସେମାନେ ଜଣେ ବନ୍ଧୁଙ୍କ ଠାରୁ ଏହି ନମ୍ବର ପାଇଛନ୍ତି । ସେ ଅନ୍ୟ ଏକ ନମ୍ବରରେ କଥାବାର୍ତ୍ତା ହେଉଥିବାରୁ ବ୍ୟସ୍ତ ଅଛନ୍ତି । ତେଣୁ ଅନ୍ୟ ନମ୍ବରକୁ କଲ୍ ମର୍ଜ୍ କରିବା ପାଇଁ ଅଜଣା ବ୍ୟକ୍ତି ଜଣଙ୍କ ଚାପ ପ୍ରୟୋଗ କରନ୍ତି । କଲ୍ ମର୍ଜ୍ ହେବା ମାତ୍ରକେ ଏହି ସାଇବର ଠକ ଓଟିପି ଯାଞ୍ଚ୍ କଲ୍ ସହିତ ସଂଯୋଗ ହୋଇଯାଏ । ଏହାପରେ ଓଟିପି ସେୟାର ହେବା ମାତ୍ରକେ ବ୍ୟାଙ୍କ୍ ଆକାଉଣ୍ଟରୁ ସମସ୍ତ ଟଙ୍କା ନିଜ ନକଲି ଆକାଉଣ୍ଟକୁ ଠକମାନେ ଟ୍ରାନ୍ସଫର୍ କରି ନେଇଯାନ୍ତି । 
କଲ୍ ମର୍ଜ୍ ଠକେଇରୁ ସୁରକ୍ଷିତ ରହିବାର ଉପଦେଶ ହେଲା ଅଜଣା ନମ୍ବରର କଲ୍ ସହିତ ଆଦୌ କଥାବାର୍ତ୍ତା ହେବା ଅନୁଚିତ୍ । ଯଦି ବି କଲ୍ ଉଠେଇ ଦେଲେ ଅନ୍ୟପଟରେ ଥିବା ବ୍ୟକ୍ତି କହୁଥିବା କଥାକୁ ସତର୍କତାର ସହିତ ଧ୍ୟାନ ଦେବାକୁ ପଡ଼ିବ । କଲ୍ ମର୍ଜ୍ କରିବା ପାଇଁ କହିଲେ ତୁରନ୍ତ ଫୋନ୍ କାଟି ଦେବାକୁ ପଡ଼ିବ । ନିଜକୁ ବ୍ୟାଙ୍କ୍ ମ୍ୟାନେଜର୍ କିମ୍ବା ପରିଚିତ ବ୍ୟକ୍ତି ବୋଲି ଯେତେ ପରିଚୟ ଦେଲେ ମଧ୍ୟ କୌଣସି ପ୍ରକାରର ସନେ୍ଦହାସ୍ପଦ ଘଟଣାରେ କଥାରେ ସେମାନଙ୍କ ଉପଦେଶ ଆଦୌ ମାନିବା ଅନୁଚିତ୍ । କୌଣସି ଏକ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ୍ରେ ଯଦି ଜଣେ ଓଟିପି ମାଗିନାହିଁ କିନ୍ତୁ ଓଟିପି ଆସୁଛି ଏଥିରୁ ନିଶ୍ଚିତ ହୋଇଯିବା ଉଚିତ୍ ଯେ କୌଣସି ଏକ ଠକ ଚକ୍ରବୁ୍ୟହ ତିଆରି ସାରିଲାଣି । ଓଟିପି ସେୟାର କରିବା ମାତ୍ରକେ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଯିବ । ଯଦି କୌଣସି ପ୍ରକାରର ବ୍ୟାଙ୍କ୍ ଧୋକାବାଜି ହୋଇଛି ବୋଲି ସନେ୍ଦହ କରାଯାଏ ତେବେ ତୁରନ୍ତ ୧୯୩୦ ନମ୍ବରକୁ ଏ ସମ୍ପର୍କରେ ଜଣାଇବା ଉଚିତ୍ । ୧୯୩୦ ନମ୍ବରକୁ ଦିଆଯାଇଥିବା ତଥ୍ୟ ସଙ୍ଗେ ସଙ୍ଗେ ବ୍ୟାଙ୍କ୍କୁ ପଠେଇ ଦିଆଯାଏ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏବେ ମୋଟ୍ ବ୍ୟାଙ୍କ ଠକେଇର ଏକ ତୃତୀୟାଂଶ ରିଅଲ୍ ଟାଇମ୍ ପେମେଣ୍ଟ ସିଷ୍ଟମର ଶିକାର ହେଉଛନ୍ତି । ବର୍ତ୍ତମାନ ବିଶ୍ୱସ୍ତରରେ ଏ ପ୍ରକାରର ଘଟଣାସବୁ ଘଟୁଛି ।  କେବଳ ଭାରତ ନୁହେଁ ସବୁ ରାଷ୍ଟ୍ରରେ ସାଇବର ଠକମାନେ ବ୍ୟାଙ୍କ୍ର ସଞ୍ଚିତ ଅର୍ଥକୁ ଲୁଟି ନେବା ପାଇଁ ବିଭିନ୍ନ ପ୍ରକାରର ଜାଲ ବସାଇଛନ୍ତି । ଡ଼ିଜିଟାଲ୍ ଆରେଷ୍ଟ ବୋଲି କୌଣସି ଶବ୍ଦ ଅପରାଧ ଜଗତରେ ନାହିଁ । ହେଲେ ଡ଼ିଜିଟାଲ୍ ଆରେଷ୍ଟ୍ ନାହିଁ କହି ଅନେକ ଲୋକଙ୍କୁ ମୋଟା ଅଙ୍କର ଠକେଇର ଶିକାର କରାଯାଇଛି । 
କୌଣସି ପ୍ରକାରର ସନେ୍ଦହାସ୍ପଦ କିମ୍ବା ଅସମ୍ଭବ କଥା ଶୁଣିଲେ ସେସବୁକୁ ବିଶ୍ୱାସ କରିବା ସର୍ବାଦୌ ଅନୁଚିତ୍ । ପରିବାରରୁ ବାହାରେ ଥିବା ସଦସ୍ୟଙ୍କ ନିକଟରୁ ନିଷିଦ୍ଧ ମାଦକଦ୍ରବ୍ୟ ଜବତ୍ ହୋଇଥିବା ଭଳି କଥା ସବୁ ଅଜଣା ନମ୍ବରରୁ ଭିଡ଼ିଓ କଲ୍ ମାଧ୍ୟମରେ ଜଣେଇ ଦିଆଯାଉ । ଏଥିରେ ପୁଲିସ୍ ବିଭାଗ, କଷ୍ଟମ ବିଭାଗ ଆଦିର ଅଧିକାରୀ କହି ମୋଟା ଅଙ୍କର ଟଙ୍କା ଦେଲେ ଛାଡ଼ି ଦିଆଯିବ ବୋଲି କୁହାଯାଏ । ଏ ପ୍ରକାରର ଫୋନ୍କୁ ପାଇବା ମାତ୍ରକେ ତୁରନ୍ତ କାଟି ଦେଇ ଧୈର୍ଯ୍ୟ ଧରି ଘଟଣାର ଯାଞ୍ଚ୍ କରିବା ଆବଶ୍ୟକ । ଅନ୍ୟଥା ଠକେଇର ଶିକାର ହେବ ସୁନିଶ୍ଚିତ ।