ଗାନ୍ଧିଙ୍କ ସତ୍ୟାଗ୍ରହ ଓ ସିଦ୍ଧାନ୍ତ
ଗୋପାଳ ମହାପାତ୍ର : ମହାତ୍ମାଗାନ୍ଧିଙ୍କୁ ଆମେ କେତେ ବୁଝିଛେ ସେକଥା ଜାଣିବା ପାଇଁ ଆମ ମନ/ହୃଦୟ ନିର୍ମଳ ହେବା ଆବଶ୍ୟକ । ମହାନହୃଦୟ ଭିତରେ ଘୃଣାଭାବ ରଖି ଗାନ୍ଧିଙ୍କୁ ବୁଝିହେବ ନାହିଁ । ସାଧାରଣତଃ ଏଇ ପାଠ ପଢ଼ୁଆ ସମାଜରେ ଯେତେବେଳେ ଗାନ୍ଧିଙ୍କ କଥାକୁ ନେଇ ଚର୍ଚ୍ଚା ହୁଏ ସେତେବେଳେ ଅନେକ ଲୋକ ଭାବନ୍ତି ଯେ ବର୍ତ୍ତମାନର ସମୟରେ ଗାନ୍ଧିଙ୍କର ଆଦର୍ଶକୁ ଆପଣେଇ ବଞ୍ଚôହେବ ନାହିଁ । ଏଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଯେ ଗାନ୍ଧିଙ୍କ ଆଦର୍ଶ କ’ଣ? ସତ୍ୟ ଅହିଁସା ଏବଂ ସଚ୍ଚୋଟତା ହିଁ ଗାନ୍ଧିଙ୍କ ଆଦର୍ଶ । ଗାନ୍ଧିଙ୍କ ବ୍ୟକ୍ତିତ୍ୱ ଏତେ ବଡ଼ ଯେ ସମୁଦ୍ର ମଧ୍ୟ ଛୋଟ ପଡିଯିବ । ଗାନ୍ଧିଙ୍କ ବିଷୟରେ ଯେତେ ଜାଣିବାକୁ ଚାହିଁବା ସେତିକି ଅଧିକ ଅଧିକ ଜାଣିବାକୁ ପାଇବା । ଗାନ୍ଧି ଲୋକଙ୍କ ହୃଦୟ ପରିବର୍ତ୍ତନ ପାଇଁ ଆନେ୍ଦାଳନ କରୁଥିଲେ । ସେ କାହାରିକୁ ତାଙ୍କର ଶତ୍ରୁବୋଲି ଭାବୁ ନଥିଲେ ବରଂ ଲୋକଙ୍କ ହୃଦୟରେ ଥିବା ଭୁଲ କୁ ସୁଧାରିବାର ଉଦ୍ୟମ କରୁଥିଲେ । ସେ ସବୁବେଳେ ତାଙ୍କ କଥା ଓ କାର୍ଯ୍ୟର ଆତ୍ମନିରୀକ୍ଷଣ କରୁଥିଲେ । ଏପରିକି ସେ ଯଦି ଭାବୁଥିଲେ ଯେ ତାଙ୍କ କଥା ଓ କାର୍ଯ୍ୟରେ କିଛି ଭୁଲ ରହି ଯାଇଛି ତେବେ ତାକୁ ସୁଧାରିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ । ଅନେକ ସମୟରେ ସେ ସର୍ବସାଧାରଣରେ କ୍ଷମା ମାଗିବାର ନିଜର ମଧ୍ୟ ରହିଛି । ଆନେ୍ଦାଳନ କରିବା ଏପରିକି ଆନେ୍ଦାଳନକୁ ବନ୍ଦ କରିବାର ସାହସ ମଧ୍ୟ ତାଙ୍କର ଥିଲା । ଗାନ୍ଧିଙ୍କ ମତ ଥିଲା କାହା ଉପରେ ଚାପ ପକାଇବାର ଅର୍ଥ ହେଉଛି ହିଁସାର ଅନ୍ୟଏକ ରୂପ । ଏଇଥିପାଇଁ ଆତ୍ମସୁଧାର ପାଇଁ ସେ ଅନଶନ କରୁଥିଲେ । ଗାନ୍ଧିଙ୍କ ଅନଶନ ହିଁ ଅନ୍ୟ ମାନଙ୍କୁ ତାଙ୍କ ଆଦର୍ଶର ପଥରେ ଚାଲିବା ପାଇଁ ଏକପ୍ରକାର ସମ୍ମତ କରାଇ ପାରୁଥିଲା । ଏ ପ୍ରସଙ୍ଗରେ ଗାନ୍ଧିଙ୍କ ସତ୍ୟର ପ୍ରୟୋଗ ପୁସ୍ତକରେ ଅନେକ ବର୍ଣ୍ଣନା ରହିଛି । ନେଟାଲର ଏକ ଓକିଲ ସଭାରେ ଯେତେବେଳେ ନ୍ୟାୟାଧୀଶ ଗାନ୍ଧିଙ୍କ ପ୍ରବେଶ ଉପରେ ନିଷ୍ପତ୍ତି ଶୁଣାଇଥିଲେ ଏବଂ ତାଙ୍କୁ ପଗଡି କାଢ଼ିବା ପାଇଁ କହିଥିଲେ ସେତେବେଳେ ଗାନ୍ଧି ସ୍ୱତଃ ପଗଡି କାଢ଼ିବା ପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ଏଥି ପୂର୍ବରୁ ଏକ ଘଟଣାରେ ସେ ଅନେକ ଚାପ ପରେ ମଧ୍ୟ ପଗଡି କାଢ଼ିବା ପାଇଁ ମନାକରିଦେଇଥିଲେ । ଏ ପ୍ରସଙ୍ଗରେ ତାଙ୍କ ମତ ଥିଲା ନ୍ୟାୟାଳୟରେ କାର୍ଯ୍ୟ କରିବାବେଳେ ନ୍ୟାୟାଳୟର ନିୟମ ପାଳନ କରିବା ଉଚିତ୍ ଏବଂ ପଗଡି ପିନ୍ଧିବା ପାଇଁ ଅନାବଶ୍ୟକ ଦୃଢ଼ତା ତାଙ୍କ ଉଦେଶ୍ୟ ସାଧନରେ ବାଧା ସୃଷ୍ଟି କରିପାରେ । ତାଙ୍କର ଅନେକ ବଂଧୁ ଏହି ବୁଝାବଣା ପାଇଁ ଗାନ୍ଧିଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ କିନ୍ତୁ ଗାନ୍ଧି ତାଙ୍କ କଥାରେ ଦୃଢ଼ଥିଲେ । ଓକିଲାତି ପେସାରେ ଗାନ୍ଧି ତାଙ୍କ ପ୍ରତିପକ୍ଷଙ୍କୁ ମଧ୍ୟ ନ୍ୟାୟଦେବା କଥାକୁ ବିଶ୍ୱାସ କରୁଥିଲେ । ଏଇଥିପାଇଁ ତ ତତ୍କାଳୀନ କଲିକତାରେ ‘ଇଂଗ୍ଲିସମେନ’ର ସଂପାଦକ କହିଥିଲେ ଯେ ଗାନ୍ଧି ଗୋରାଙ୍କ (ଇଂରେଜୀଙ୍କ) ପକ୍ଷକୁ ମଧ୍ୟ ନିରପେକ୍ଷତାର ସହ ଦେଖୁଥିଲେ । ଏପରିକି ପ୍ରତିପକ୍ଷଙ୍କୁ କିଭଳି ତୁରନ୍ତ ନ୍ୟାୟ ମିଳିବ ସେଥିପାଇଁ ପ୍ରୟାସ କରୁଥିଲେ । ଗାନ୍ଧି କୌଣସି ସଂପ୍ରଦାୟ ବା ବ୍ୟକ୍ତିଙ୍କୁ ଘୃଣା କରୁନଥିଲେ ଓ ସେମାନଙ୍କ ଭଲ ଗୁଣକୁ ଶ୍ରଦ୍ଧା କରୁଥିଲେ । ତାଙ୍କ ଆଗରେ ଇଂରେଜ ହୁଅନ୍ତୁ ବା ଭାରତୀୟ ସମସ୍ତେ ସମାନ ଥିଲେ । ଗାନ୍ଧି କହୁଥିଲେ ଯେ ବ୍ୟକ୍ତି ତାର ଅଜ୍ଞାନତା କାରଣରୁ ଭୁଲ କରିଥାଏ ଏଣୁ ତାର ଅଜ୍ଞାନତା ଦୁର କରିବାର ପ୍ରୟାସ କରାଯିବା ଉଚିତ୍, ତା ଉପରେ ଦ୍ୱେଷ ବା ରାଗ କରିବା ଉଚିତ ନୁହେଁ ।
ଗାନ୍ଧି ତାଙ୍କ ପାଇଁ କୌଣସି କ୍ଷେତ୍ରରେ ବା କଥାରେ ସୀମା ଧାର୍ଯ୍ୟ କରୁନଥିଲେ । ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ବ୍ୟକ୍ତିର ଆତ୍ମା ଯଦି ପବିତ୍ର ହୋଇଥାଏ ତେବେ ସେ କୌଣସି ଭୁଲ କଲେ ମଧ୍ୟ ସେ ସେକଥାକୁ ବୁଝିପାରେ ଓ ଭୁଲକୁ ସୁଧାରିପାରେ । ଅତଏବ ସେ କାହାରି ଠାରୁ ଦୁରେଇ ଯାଇପାରେ ନାହିଁ । ସତ୍ୟାଗ୍ରହୀ ସହଯୋଗୀ ମାନଙ୍କର ମାନସିକତାକୁ ବୁଝି ଗାନ୍ଧି ସେମାନଙ୍କ ପ୍ରତି ଅନୁକୂଳ ମନୋଭାବ ପୋଷଣ କରୁଥିଲେ ଫଳରେ ସେମାନଙ୍କ ସହ ଆଲୋଚନା ମଧ୍ୟ ସହଜ ହୋଇ ଯାଉଥିଲା । ଥରେ ସେ ଯେତେବେଳେ ସତ୍ୟାଗ୍ରହ ପାଇଁ ପୁରାପୁରି ପ୍ରସ୍ତୁତ ହୋଇ ଭାରତରେ ପହଞ୍ଚôଲେ ସେତେବେଳେ ମୁମ୍ବାଇର ତତ୍କାଳୀନ ଗଭର୍ଣ୍ଣର ତାଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଥିଲେ ଏବଂ ଅନୁରୋଧ କରିଥିଲେ ଯେ ଯେତେବେଳେ ସେ (ଗାନ୍ଧି) ସରକାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବେ ତା ପୂର୍ବରୁ ତାଙ୍କ (ଗଭର୍ଣ୍ଣର) ସହ ଆଲୋଚନା କରିବେ । କିନ୍ତୁ ଗାନ୍ଧି ମୁମ୍ବାଇର ଗଭର୍ଣ୍ଣରଙ୍କୁ ଉତ୍ତରରେ କହିଥିଲେ “ଏଭଳି ପ୍ରତିଶୁ୍ରତି ଦେବା ମୋ ପାଇଁ ଅତି ସହଜ କାରଣ ସତ୍ୟାଗ୍ରହୀ ଭାବେ ମୋର ପ୍ରଥମ କାମ ହେଉଛି କାହାରିକୁ ବିରୋଧ କରିବା ପୁର୍ବରୁ ତାର ମନୋଭାବ ବୁଝିବା ଆବଶ୍ୟକ ଏବଂ ଯେତେଦୁର ପର୍ଯ୍ୟନ୍ତ ସମ୍ଭବ ସେତେଦୁର ପର୍ଯ୍ୟନ୍ତ ଅନୁକୁଳ ହୋଇଯିବା ଆବଶ୍ୟକ ।” ଗାନ୍ଧିଙ୍କର ସତ୍ୟାଗ୍ରହ ପାଇଁ ଏହାଥିଲା ଦିଗ୍ଦର୍ଶୀ ସିଦ୍ଧାନ୍ତ । ଗାନ୍ଧିଙ୍କ ସତ୍ୟାଗ୍ରହର ଦ୍ୱିତୀୟ ଦିଗ୍ଦର୍ଶୀ ସିଦ୍ଧାନ୍ତ ଥିଲା ଯେ ସତ୍ୟକୁ ଛାଡି କିଛି କରିହେବ ନାହିଁ । ସବୁବେଳେ ସେ ଏହି ସିଦ୍ଧାନ୍ତକୁ ମାନି ଚଳୁଥିଲେ ଯେ ତାଙ୍କର ଭୁଲ ବି ହୋଇପାରେ କିନ୍ତୁ ଏ କଥା ଜାଣିବା ପରେ ଯେତେ କଷ୍ଟ ହେଉବା କାହିଁକି ନିଜର ଭୁଲକୁ ସ୍ୱୀକାର କରାଯିବା ଉଚିତ୍ । ଗାନ୍ଧିଙ୍କର ଓ ସତ୍ୟାଗ୍ରହ ଉପରେ ଏତେ ବିଶ୍ୱାସ ଥିଲା ଯେ ଠକିଯିବାର ଭୟ ତାଙ୍କର ନଥିଲା । ଈଶ୍ୱରଙ୍କ ଉପରେ ତାଙ୍କର ପୁରା ଭରସା ଥିଲା । ଏହା ଥିଲା ଗାନ୍ଧିଙ୍କ ସତ୍ୟାଗ୍ରହ ଗାନ୍ଧି ଶାନ୍ତି ଓ ଅହିଁସା ପଥକୁ ବିଶ୍ୱାସ କରୁଥିଲେ । ଗାନ୍ଧି ଶାନ୍ତ ରହି ଅହିଁସା ମାଧ୍ୟମରେ ଭୁଲର ପ୍ରତିକାର କରିଥିଲେ । ଗାନ୍ଧି ଆଜିବି ପ୍ରାସଙ୍ଗିକ ପ୍ରେମ ସ୍ନେହ ହୃଦୟରେ ନଥିଲେ ଗାନ୍ଧିଙ୍କୁ ବୁଝିବେ ନାହିଁ । ଗାନ୍ଧିଙ୍କୁ ଜାଣିବା ଓ ବୁଝିବା ପାଇଁ ପ୍ରେମର ଶକ୍ତି ଆବଶ୍ୟକ ।
ରାମଚନ୍ଦ୍ରପୁର, ରଣପୁର
ମୋ - ୯୪୩୮୪୮୫୦୯୪