ଟୋଲ୍ଗେଟ୍ ଜଗିବ ଗାଡ଼ି କାଗଜପତ୍ର

ଆଜିକା ଦିନରେ ରାସ୍ତାରେ ଚଳାଚଳ କରୁଥିବା ଅଧିକାଂଶ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ହିଁ ନାହିଁ । ମୋଟର ଯାନ ଫାଇନ୍ରେ ବ୍ୟାପକ ପରିବର୍ତ୍ତନ କରି ହାଇସ୍ୱୀକୁ୍ୟରିଟି ନମ୍ବର ପ୍ଲେଟ୍ ପ୍ରଚଳନ କରାଗଲା । ଏହି ନମ୍ବର ପ୍ଲେଟ୍ ପ୍ରଚଳନ ସମୟରେ କୁହାଯାଇଥିଲା ଯେ-ଏହି ନମ୍ବର ପ୍ଲେଟ୍ ଲଗାଇବା ଫଳରେ ଗାଡ଼ି ଚୋରିକୁ ରୋକା ଯାଇପାରିବ ଏବଂ ଗାଡ଼ି ଗୁଡ଼ିକର ଚଳାଚଳ କ୍ଷେତ୍ରରେ କୃତି୍ରମ ବୁଦ୍ଧିମତ୍ତା ପ୍ରୟୋଗ କରାଯାଇ ଅପାରାଧୀମାନଙ୍କର ଗତିବିଧି ଉପରେ ଦୃଷ୍ଟି ରଖାଯାଇପାରିବ । ଏଥିସହିତ ଗାଡ଼ିର ବିସ୍ତୃତ ବିବରଣୀ ମିଳିପାରିବ । ହେଲେ ନୂଆ ହାଇସ୍ୱୀକୁ୍ୟରିଟି ନମ୍ବର ପ୍ଲେଟ୍ ବ୍ୟବହାର କରିବା ପରେ ମଧ୍ୟ ଗାଡ଼ି ଚୋରି ହେବା ଘଟଣାକୁ ନିୟନ୍ତ୍ରଣ କରାଯାଇପାରିନାହିଁ । 
ତେବେ ଏ ଦିଗରେ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ନୀରବ ହୋଇ ବସିନାହିଁ । ଏଣିକି ଟୋଲ୍ ଗେଟ୍ ଗୁଡ଼ିକରେ ବର୍ଷ ବର୍ଷ ଧରି ବୀମା ନଥିବା ଗାଡ଼ି କିମ୍ବା ଆବଶ୍ୟକୀୟ କାଗଜପତ୍ର ନଥିବା ଗାଡ଼ି ଗୁଡ଼ିକ ସମ୍ପର୍କରେ ତଥ୍ୟ ମିଳିଯାଇପାରିବ । ପରିବହନ ଆଇନ୍ର ଉଲଙ୍ଘନ କରାଗଲେ ଏଣିିକି ଟୋଲ୍ଗେଟ୍ ଗୁଡ଼ିକରେ ଏକ ସ୍ୱଂୟକ୍ରୀୟ ପ୍ରଣାଳୀରେ ଏସବୁର ଧରପଗଡ଼ ହେବ । ଏଠି ଏହି ଇ-ଚିହ୍ନଟ ପ୍ରକ୍ରିୟାରେ ବୀମା ନଥିବା ଗାଡ଼ି କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ନଥିବା ଗାଡ଼ି ଚିହ୍ନଟ ହୋଇ ଇ-ଚାଲାଣ ମାଧ୍ୟମରେ ଫାଇନ୍ କଟାଯିବ । ଆସନ୍ତା ଫେବୃଆରୀ ପହିଲା ଠାରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥରେ ରହିଥିବା ସମସ୍ତ ଟୋଲ୍ଗେଟ୍ରେ ଏହି ପ୍ରକି୍ରୟା କାର୍ଯ୍ୟକାରୀ ହେବାକୁ ଯାଉଛି । 
ଅନେକ ସମୟରେ ଦେଖାଯାଉଛି ଯେ ଘରୋଇ ଏବଂ ବ୍ୟବସାୟିକ ଗାଡ଼ି ଗୁଡ଼ିକ ନିୟମ ଉଲଙ୍ଘନ କରି ବୀମା କରୁନାହାନ୍ତି । ଏହି ଗାଡ଼ି ଗୁଡ଼ିକର ଦୁର୍ଘଟଣା ଘଟିଲେ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପାମୂଳକ ବୀମାରାଶି ମିଳୁନାହିଁ । ଏଭଳି ଘଟଣା ଗୁଡ଼ିକରେ ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ଏହାର ଧରପଗଡ଼ କରିବା ପାଇଁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ରାଜ୍ୟ ପରିବହନ ଆୟୁକ୍ତ ପ୍ରକାଶ କରିଛନ୍ତି । ମୋଟର ଯାଇ ଆଇନ୍ର ଧାରା-୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ । ଏହାର ଉଲଙ୍ଘନରେ ୨ ହଜାର ଟଙ୍କା ଜୋରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଉଭୟ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ଦ୍ୱିତୀୟ ବାର ନିୟମ ଉଲଙ୍ଘନ କରିଲେ ୪ ହଜାର ଟଙ୍କା ଜୋରିମାନା ଏବଂ ୩ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି । ପୂର୍ବରୁ ଇ-ଚିହ୍ନଟ ବ୍ୟବସ୍ଥାରେ ରୋଡ୍ ପର୍ମିଟ୍, ଫିଟ୍ନେସ୍ କିମ୍ବା ଟିକସ ଆଦି ସମ୍ପର୍କରେ ତଥ୍ୟ ମିଳିଯାଉଥିଲା । ଏବେ ବୀମା ନିୟମକୁ ଇ-ପ୍ରକ୍ରିୟାରେ ଚିହ୍ନଟ କରାଯିବ । ଯଦି କୌଣସି ଗାଡ଼ିର ବୀମା ନଥାଏ, ତୁରନ୍ତ ସେସବୁ କରାଇ ନେବା ପାଇଁ ପରିବହନ ପ୍ରାଧିକରଣ ରାଜ୍ୟ ପକ୍ଷରୁ ଗାଡ଼ି ମାଲିକମାନଙ୍କୁ ଚେତାଇ ଦିଆଯାଇଛି । 
ଏ ପ୍ରକାରର ଏକ ନିୟମ ଏବଂ ବ୍ୟବସ୍ଥା ଲାଗୁ କରାଯିବା ପରେ ସଡ଼କ ଦୁର୍ଘଟଣା କ୍ଷେତ୍ରରେ କି ପ୍ରକାରର ପରିବର୍ତ୍ତନ କିମ୍ବା ଉନ୍ନତି ଆସିବ ତାହା ସମୟ କହିବ । ଅଥଚ ଭାରତ ଭଳି ଏକ ବିବିଧତାରେ ପରିପୂର୍ଣ୍ଣ ଦେଶରେ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରି ଅବୈଧ ଭାବରେ ଚଳାଚଳ କରୁଥିବା ଗାଡ଼ି ଗୁଡ଼ିକର ଧରପଗଡ଼ କରିବା ଅସମ୍ଭବ ନୁହେଁ, କିନ୍ତୁ ଅତ୍ୟନ୍ତ କଠିନ କାର୍ଯ୍ୟ । ଏଭଳି କିଛି ଗାଡ଼ି ରହିଛି ଯେଉଁ ଗୁଡ଼ିକ ଦୁଇ ଟୋଲ୍ ଗେଟ୍ ମଝିରେ ଥିବା ଅଞ୍ଚଳ ଗୁଡ଼ିକରେ ହିଁ କାରବାର କରେ । ସେଭଳି ଗାଡ଼ି ଗୁଡ଼ିକ କିଣା ହେବା ବେଳେ କେବଳ ଥରେ ମାତ୍ର ହିଁ ଟିକସ ଓ ଅନ୍ୟାନ୍ୟ ବୀମା ଆଦି କରାଯାଇଥାଏ । ତାହା ପରେ ଆଉ ଦ୍ୱିତୀୟଥର ସେହି ଯାନ ଗୁଡ଼ିକ ଆରଟିଓ ଅଫିସ୍ ଦୁଆର ମାଡ଼ନ୍ତି ନାହିଁ । ଏଭଳି କ୍ଷେତ୍ରରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ଦିଗରେ ମଧ୍ୟ ଚିନ୍ତା କରାଯିବା ଆବଶ୍ୟକ ।