ଗଣତନ୍ତ୍ରରେ ବଂଶବାଦ ଓ ଭାରତୀୟ ମତଦାତା
ମୁଣ୍ଡ ଉପରେ ନିର୍ବାଚନର ଗରମ । ଛକମୁଣ୍ଡ ପାନ ଦୋକାନରୁ ଢ଼ିଙ୍କିଶାଳରୁ ଢ଼େଙ୍କାନାଳ ଯାଏ ସବୁଠି ନିର୍ବାଚନକୁ ନେଇ ଚର୍ଚ୍ଚା ଆଉ ଅନେକ ଗୁଡ଼ି ଉଡା । ରାଜନୀତିରେ ପରିବାରବାଦକୁ ନେଇ କିଛି ଦିନ ତଳେ ଆରଜେଡ଼ି ନେତା ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ପରିବାର ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ଆଉ ରାଜନୀତିରେ ପ୍ରତିପକ୍ଷଙ୍କ ଶବ୍ଦକୁ ନେଇ କିପରି ଏହାକୁ ଜନତାଭିମୁଖୀ କରିହେବ ସେ କୌଶଳ ବେଶ ଜଣା । ତେବେ ରାଜନୀତିରେ ପରିବାରବାଦ, ବଂଶବାଦ ଆଉ ରାଜତନ୍ତ୍ର ଯୋଡ଼ାଯୋଡ଼ି ଶବ୍ଦ କହିଲେ ଅତୁ୍ୟକ୍ତି ହେବନାହିଁ । ଏହା ପରସ୍ପରର ପ୍ରତିରୂପ କିନ୍ତୁ ଗଣତନ୍ତ୍ର ସହ ପରିବାରବାଦର ଦୂର ଯୋଜନା ପର୍ଯ୍ୟନ୍ତ ବିନ୍ଦୁଏ ସମ୍ପର୍କ ନଥାଏ । ସମସ୍ତଙ୍କ ପାଇଁ ସମାନ ଅଧିକାର, ସମାନ ସୁଯୋଗର ପବିତ୍ର ନାମଜପ କରୁଥିବା ଗଣତନ୍ତ୍ର ଓ ଜନ୍ମଗତ ସମ୍ପର୍କ ଆଧାରରେ ଉତ୍ତରାଧିକାରୀ ସୂତ୍ରେ ସୁଯୋଗ ଓ ଅଧିକାରର ପୃଷ୍ଠପୋଷକତା କରୁଥିବା ବଂଶବାଦ ପରସ୍ପରର ପରିପନ୍ଥୀ ।
ଭାରତୀୟ ଗଣତନ୍ତ୍ର ପରିବାରବାଦକୁ ଉଦାର ପୃଷ୍ଠପୋଷକତା ଦେଇ ଆସିଛି । ଏହି ନିଷ୍ଠୁର ବାସ୍ତବତା ପଛରେ ବିଡ଼ମ୍ବନା ବେଶ ଜଳ ଜଳ । ଏହା ନିଃସନେ୍ଦହ ଭାରତରେ ଗଣତନ୍ତ୍ର ଯେତିକି ଆଗକୁ ବଢ଼ୁଛି ଆଉ ପୁରୁଣା ହୋଇଚାଲୁଛି ରାଜନୈତିକ ବ୍ୟବସ୍ଥାରେ ପରିବାରବାଦର ମୋଟା ଚଉଡା ଚେରଟି ତଳକୁ ତଳ ବେଶ ଲମ୍ବି ଚାଲିଛି । ଚଳିତ ଲୋକସଭାର ତିନି ଭାଗରୁ ଭାଗେ ସାଂସଦଙ୍କର ପାରିବାରିକ ପୃଷ୍ଠଭୂମି ରହିଛି । ପାରିବାରିକ ପୃଷ୍ଠଭୂମିର ବିଶ୍ଲେଷଣ କରି ଅଶୋକ ବିଶ୍ୱବିଦ୍ୟାଳୟର ତ୍ରିବେଦୀ ସେଣ୍ଟର ଫର ପଲଟିକାଲ ଡାଟା ପକ୍ଷରୁ ପ୍ରସ୍ତୁତ ହୋଇଥିବା ରିପୋର୍ଟର ତଥ୍ୟ ଅନୁଯାୟୀ ଭାରତୀୟ ଗଣତନ୍ତ୍ରର ଶୀତୁଆ ଆଉ ସୁରକ୍ଷିତ ଛାଇରେ କାୟା ବିସ୍ତାର କରି ଚାଲିଥିବା ପରିବାରବାଦର ହିତାଧିକାରୀ ସାଂସଦଙ୍କ ସଂଖ୍ୟା ଢ଼େର ବଢ଼ୁଛି । ଗତଥର ଯାହା ପଚିଶ ଭାଗ ରହିଥିଲା ଚଳିତ ଥର କୌଣସି ରାଜନୈତିକ ପରିବାରର ଉତ୍ତରାଧିକାରୀ ଭାବେ ସଂସଦକୁ ପ୍ରବେଶର ସୁଯୋଗ ପାଇଥିବା ଭାଗ ତିରିଶକୁ ବଢ଼ିଛି । କୌତୁହଳପୂର୍ଣ୍ଣ ବିଡ଼ମ୍ବନାହେଲା ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା କରିଥିବା କଂଗ୍ରେସ ବଂଶବାଦ ଦ୍ୱାରା ସବୁଠାରୁ ଅଧିକ କବଳିତ । ଚଳିତ ଲୋକସଭାକୁ ନିର୍ବାଚିତ ସର୍ବପୁରାତନ ଦଳର ସାଂସଦଙ୍କ ମଧ୍ୟରୁ ପାଖାପାଖି ଅଧା କଂଗ୍ରେସରେ କୋଳି ଖାଇ ମଞ୍ଜି ପୋତିଥିବା ପରିବାର ଗୁଡ଼ିକର ଦ୍ୱିତୀୟ, ତୃତୀୟ, ଏପରିକି ଚତୁର୍ଥ, ପଞ୍ଚମ ପିଢ଼ିର ସଦସ୍ୟ ।
ଗଣତନ୍ତ୍ରରେ ବଂଶବାଦ ପ୍ରସଙ୍ଗରେ ଭାରତ ପରିପ୍ରେକ୍ଷୀରେ ଆଉ ଏକ ବିଷୟ ମଧ୍ୟ ବିଶେଷ ଉଲ୍ଲେଖର ଅପେକ୍ଷା ରଖୁଛି । ବଂଶବାଦକୁ ଭାରତୀୟ ମତଦାତା ପ୍ରଗହଣ କରି ନେଇଛନ୍ତି । ଅନ୍ୟଥା ପାରିବାରିକ ସମ୍ପର୍କକୁ ପୁଞ୍ଜି କରି ଏତେ ସଂଖ୍ୟାରେ ଜନ ପ୍ରତିନିଧିଙ୍କୁ ଜନତା ନିର୍ବାଚିତ କରନ୍ତେନାହିଁ । ଏମିତି ନୁହେଁ ଯେ, ଗୋଟିଏ ଜଣାଶୁଣା ରାଜନୈତିକ ପରିବାରର ନାମ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବଂଶବାଦର ହିତାଧିକାରୀ ପ୍ରାର୍ଥୀଙ୍କ ନିର୍ବାଚନରେ ବିଜୟ ସମ୍ଭାବନା ଅଧିକ । ଏକାଧିକ ଗବେଷଣା ଓ ସ୍ୱାଧୀନ ଅନୁଧ୍ୟାନରୁ ଏହି ନିର୍ଯାସ ବାହାରିଛି । ନୂଆ ଲୋକସଭାରେ ନବାଗତ ସାଂସଦଙ୍କ ମଧ୍ୟରେ ଏକ ଚତୁର୍ଥାଂଶ ଏହି ବର୍ଗର । ଯାହା ବଂଶ ପରିଚୟ ଯେ ରାଜନୀତିରେ ଏକ ବଡ଼ ପୁଞ୍ଜି ନିର୍ବାଚନରେ ଏକ ବନ ଯୋଗ୍ୟତା ତାର ପ୍ରମାଣ । ଯେହେତୁ, ବଂଶ ପରିଚୟ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ଜନମତକୁ ଢ଼ଳେଇବାରେ ଯଥେଷ୍ଟ ସହାୟକ ହେଉଛି ରାଜନୈତିକ ଦଳମାନେ ମଧ୍ୟ ବଂଶ ପରିଚୟକୁ ପ୍ରାର୍ଥୀତ୍ୱ ପାଇଁ ଏକ ବିଶେଷ ଯୋଗ୍ୟତା ଭାବେ ବିଚାର କରିବାକୁ ବାଧ୍ୟ ହେଉଛନ୍ତି । ପ୍ରାର୍ଥୀ ଚୟନରେ ବଂଶଗତ ପରିଚୟକୁ ଗୁରୁତ୍ୱ ସ୍ୱତଃ ପାତରଅନ୍ତରକୁ ପ୍ରୋତ୍ସାହିତ କରୁଛି ଯାହାର ଶିକାର ବହୁ ଅନ୍ୟଥା ଯୋଗ୍ୟ ପ୍ରାର୍ଥୀ ହେଉଛନ୍ତି ।
କେବଳ ଗତ କିମ୍ବା ଚଳିତ ଲୋକସଭାରେ ନୁହେଁ ପ୍ରତି ରାଜ୍ୟର ବିଧାନସଭା, ଏପରିକି ତୃଣମୂଳ ସ୍ତରରେ ନିର୍ବାଚିତ ପୌରସଂସ୍ଥା ଓ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ପରିବାରବାଦର ପତାକା ଧରିଥିବା ଜନପ୍ରତିନିଧିଙ୍କ ସଂଖ୍ୟା କିଛି କମ ନୁହେଁ । ଗଣତାନ୍ତ୍ରିକ ଅନୁଷ୍ଠାନ କଣ ପାରିବାରିକ ସମ୍ପତ୍ତି? ରାଜନୀତି କ'ଣ ଏକ କୌଳିକ ବୃତ୍ତି? ଭାରତର ନିର୍ବାଚିତ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକର ଚିତ୍ର ଓ ରାଜନୀତିର ଚରିତ୍ର ଦେଖିଲେ ଉପରୋକ୍ତ ପ୍ରଶ୍ନର ଉତ୍ତର ହଁ ରେ ମିଳିପାରେ । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ରାଜନୈତିକ ସଂସ୍କୃତିରେ ବଂଶବାଦ କ୍ଷୀର ନୀର ଭଳି ମିଶିଯାଇଛି । ସର୍ବପୁରାତନ ଦଳ କଂଗ୍ରେସକୁ ବଂଶବାଦ ମୁଖ୍ୟ ପୃଷ୍ଠ ପୋଷକ ଭାବେ ସର୍ବଦା କାଠଗଡ଼ାରେ ଠିଆ କରାଯାଇଥାଏ । କିନ୍ତୁ ବାସ୍ତବତା ହେଲା ଦେଶର ଅଧିକାଂଶ ଆଞ୍ଚଳିକ ଦଳ ଆଜି ଗୋଟିଏ ଗୋଟିଏ ପାରିବାରିକ ଉଦ୍ୟୋଗ । ସମାଜବାଦୀ ପାର୍ଟିରେ ଅଖିଳେଶ, ଡିଏମ୍କେରେ ଏମ.କେ. ଷ୍ଟାଲିନ ଆଜି ଉତ୍ତରାଧିକାରୀ ସୂତ୍ରରେ ଦଳର ମୁଖ୍ୟ । କର୍ଣ୍ଣାଟକର ଜେଡ଼ି ଓ ବିହାରରେ ଆରଜେଡ଼ି ସମ୍ପୂର୍ଣ୍ଣ ଭାବେ ଯଥାକ୍ରମେ ଏଚଡ଼ି ଦେବେଗୌଡ଼ା ଓ ଲାଲୁ ଯାଦବଙ୍କ ପାରିବାରିକ ସମ୍ପତ୍ତି । ଓଡ଼ିଶାରେ ମଧ୍ୟ ପରିବାରବାଦର ଯେତିକି ଲମ୍ବା ଲେଖିଲେ ବି କଳେବର ନିଅଣ୍ଟ ପଡ଼ିଯିବ । କେବଳ ମୁଖ୍ୟମନ୍ତ୍ରୀ ପରିବାରର ତାଲିକା ଭିତରେ ଅନେକ ଦଳର ରହିଛନ୍ତି । କଂଗ୍ରେସ ଭଳି ବିଜେପିର ତୁଙ୍ଗ ନେତୃତ୍ୱ ସ୍ତରରେ ବଂଶବାଦ ନାହିଁ କିନ୍ତୁ ମଧ୍ୟ ଓ ତଳ ସ୍ତରରେ ବିଜେପି ମଧ୍ୟ ପରିବାରବାଦରୁ ମୁକ୍ତ ନୁହେଁ । ବିଶ୍ୱ ରାଜନୀତିକୁ ଦେଖିଲେ ବଂଶବାଦର ପୃଷ୍ଠପୋଷକତା ଓ ପ୍ରୋତ୍ସାହନ କ୍ଷେତ୍ରରେ ଭାରତର ପଡ଼ୋଶୀ ରାଷ୍ଟ୍ରର ପାକିସ୍ତାନ, ଶ୍ରୀଲଙ୍କା, ବାଙ୍ଗଲାଦେଶ ସମେତ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ବଂଶବାଦର ପ୍ରଭାବିତ । ସାମ୍ୟବାଦୀ ଚୀନ ଓ ସମାଜବାଦୀ କୁ୍ୟବା ମଧ୍ୟ ବଂଶବାଦରୁ ବ୍ୟତିକ୍ରମ ହୋଇପାରିନାହିଁ । ଆଉ କମୁ୍ୟନିଷ୍ଟ ରାଜତନ୍ତ୍ର ବସ୍ତୁତଃ ଉତ୍ତରକୋରିଆ ସମ୍ପୂର୍ଣ୍ଣ ବଂଶବାଦ । ତେବେ ଗଣତନ୍ତ୍ରର ପରିଚାଳନା ଓ ବିଧି ବ୍ୟବସ୍ଥାରେ ବଂଶବାଦର ପ୍ରଭାବ କେବେ ବି ସକାରାତ୍ମକ ହୋଇନଥାଏ । ଗଣତନ୍ତ୍ରର ଗୁଣାତ୍ମକ ମାନର ଯେଉଁ ଆଘାତ ସୃଷ୍ଟି ହୋଇଥାଏ । ଏହା ଭିତରେ ଭିନ୍ନ ରୂପରେ ରହିଥିବା ବହୁରୂପୀମାନେ ଗଣତନ୍ତ୍ରର ଜମିଦାର ମୂଲକର ସାମନ୍ତ ଚରିତ୍ର ପରି । ଗଣତନ୍ତ୍ରର ଶ୍ରେଷ୍ଠ ଗୁଣଟି ହେଉଛି ଏହା କତିପୟଙ୍କ ହାତରେ ନରହି କ୍ଷମତାର ବିକେନ୍ଦ୍ରିକରଣ ହେଉ । ଲୋକମାନଙ୍କ ନିକଟରେ ପ୍ରଶାସନ ପହଞ୍ଚୁ ଗଣତନ୍ତ୍ରର ଅବକ୍ଷୟ ଘଟିଲେ ପରିବାରବାଦ ଭାରତୀୟ ଗଣତନ୍ତ୍ର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଭାରତୀୟ ମତଦାତାଙ୍କ ପାଖରେ ସେହି ସାମୁହିକ କ୍ଷମତା ଅଛି ଏହା ଉପରେ ଲଗାମ ଲଗାଇବା ପାଇଁ ।
ମୋ : ୯୪୩୭୨୪୨୩୧୭