ନୀରବ ରହିବାର କଳା
ଆଜ୍ଞା ନମସ୍କାର,
ମଣିଷ କଥା କହିପାରେ । ତେବେ କଥା କହିପାରୁଛି ବୋଲି ମଣିଷ ଯାହା ଇଛା ତାହା କହି ନିଜର ପରିଚୟ ଦେବା ଅନୁଚିତ୍ । କାରଣ କଥା କହିବାର ଗୋଟିଏ ସୀମା ଅଛି ଏବଂ ଅଧିକ କଥା କହିବା ଅପେକ୍ଷା ଅଳ୍ପ କଥା କହିବା ବହୁତ ଭଲ । ପୁଣି ଅଳ୍ପ କଥା କହିବା ଠାରୁ ମୌନ ରହିବା ଆହୁରି ଭଲ । ମୌନବ୍ରତର ଅର୍ଥ ନୁହେଁ ମୂକ ହେଇଯିବା । ମୌନବ୍ରତର ଅର୍ଥ ହେଲା ଅନାବଶ୍ୟକ ଭାବରେ କଥା ନକହି ସଂକ୍ଷିପ୍ତ ଭାବରେ କଥା ହେବା ଏବଂ ଅଧିକାଂଶ ସମୟ ନୀରବତା ଅବଲମ୍ବନ କରିବା । ନୀରବତା ହେଉଛି ଏକ ଅମୀୟ ସାଧନା । ସମସ୍ତେ ନୀରବତାକୁ ରକ୍ଷା କରିପାରିବେ ନାହିଁ । କୌଣସି ନା କୌଣସି ପରିସ୍ଥିତିରେ ଅନାବଶ୍ୟକ ଭାବରେ କଥା କହି ନିଜର ବ୍ୟକ୍ତିତ୍ୱକୁ ବହୁ ଲୋକ ଉପହାସିତ କରନ୍ତି । ଅନାବଶ୍ୟକ କଥା ହିଁ ସବୁତକ ସମସ୍ୟାର ମୂଳ କାରଣ । ଯେତିକି ଆବଶ୍ୟକ ତା' ଠାରୁ କମ୍ କହି ଭାବକୁ ପ୍ରକାଶ କରିପାରିଲେ ତାହା ବୁଦ୍ଧିମତା ଏବଂ ବିଜ୍ଞତାର ପରିଚୟ ହୁଏ । ଯେତିକି ଆବଶ୍ୟକ ତା'ଠାରୁ ଅଧିକ କହିଲେ ନିଜର ମୂର୍ଖତା ବା ଅଜ୍ଞତା ପ୍ରକାଶ ପାଏ । ତେଣୁ ବାକ୍ ସଂଯମ ଏବଂ ନୀରବତା ମନୁଷ୍ୟର ଏକ ଭୂଷଣ ଆଉ ଅନାବଶ୍ୟକ ଭାବରେ କଥା ନକହି ନୀରବ ରହିବା ସବୁଠାରୁ ଏକ ଉତ୍ତମ ଅଭ୍ୟାସ ।
ଅନେକ ବ୍ୟକ୍ତି ଆଉ କାହାକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଜର ବିଜ୍ଞତା ଏବଂ ସର୍ବଜ୍ଞତା ଦେଖାଇ ହେବାକୁ ଚାହାନ୍ତି । ଏ ପ୍ରକାରର ଅଭ୍ୟାସ ମନୁଷ୍ୟକୁ ଅପ୍ରୀତିକର ପରିସ୍ଥିତିର ପକାଏ । ତେଣୁ ନୀରବ ରହିବା ପାଇଁ ସାଧନାର ଆବଶ୍ୟକତା ରହିଛି । ମଣିଷ ନୀରବ ରହିପାରିଲେ ତାର ଅନେକ କିଛି ସମସ୍ୟାର ସମାଧାନ ହୋଇଯାଇପାରନ୍ତା । କିନ୍ତୁ ପ୍ରବୃତ୍ତି ଏବଂ ସ୍ୱଭାବ ଏ ଦୁଇଟି ମନୁଷ୍ୟକୁ ନୀରବ ରହିବାକୁ ଦିଅନ୍ତି ନାହିଁ । ଏହା ଫଳରେ ମନୁଷ୍ୟ କେବେ କେମିତି ନିଜର ମାନସମ୍ମାନ ହରାଇ ବସେ । ନୀରବତା ଅବଲମ୍ବନ କରିବା ଏକ ବଡ଼ ସାଧନା । ଯିଏ ନୀରବ ରହିନପାରେ, ସେ ତା' ଜୀବନରେ ଅନେକ କଥା କହି କିଛି ଲାଭ ମଧ୍ୟ ପାଏ ନାହିଁ । ତେଣୁ ଜୀବନରେ ଏକ ଆଦର୍ଶ ଭାବରେ ନୀରବତା ଅବଲମ୍ବନ କରୁଥିବା ବ୍ୟକ୍ତିମାନେ ଅନେକ ପରିସ୍ଥିତିରେ ଲୋକହସା ହୁଅନ୍ତି ନାହିଁ । ଏଥିପାଇଁ ପ୍ରାଚୀନ ମୁନୀ, ଋଷି ମାନେ ଅଧିକାଂଶ ସମୟରେ ମୌନ ରହୁଥିଲେ, ତୁନି ହେଇ ରହୁଥିଲେ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।