କୋଟି ପ୍ରେରଣାର ଉତ୍ସ ଡା. ପ୍ରଧାନ


ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ସାରା ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି । ମଣିଷର ଜନ୍ମ ଏବଂ ମୃତୁ୍ୟ ଏକ ଚିରାଚରିତ ପ୍ରକ୍ରିୟା, ସବୁ ଭଗବାନଙ୍କ ନିଦେ୍ର୍ଦଶରେ ହୁଏ । ସେହିଭଳି ରାଜନୀତିରେ ମଧ୍ୟ ନେତା ଆସିବେ ଯିବେ, ଏ ପ୍ରକ୍ରିୟା ଚାଲିଛି, ଆଗକୁ ଚାଲିଥିବ । କିନ୍ତୁ ଡା. ପ୍ରଧାନଙ୍କର ରାଜନୈତିକ ଜୀବନକୁ ଯିଏ ସଠିକ ଏବଂ ସୂକ୍ଷ୍ମ ଭାବରେ ବିଶ୍ଳେଷଣ କରିଥିବେ, ଏହା ଯେ ଅନ୍ୟମାନଙ୍କ ଠାରୁ ଅନେକ କଥାରେ ଭିନ୍ନ ଏବଂ ସ୍ୱତନ୍ତ୍ର ଥିଲା ତାହା ଅନୁଭବ କରିପାରିବେ । ଓଡିଶାରେ ଏକ ବିକଳ୍ପ ରାଜନୈତିକ ଦଳ, ଏକ ନୂଆ ରାଜନୈତିକ ବିଚାରକୁ ନେଇ ଲୋକଙ୍କ ପାଖରେ ପହଁଚାଇବା ଭଳି ସୁଃସାଧ୍ୟ କାମ କେବଳ ଡା. ପ୍ରଧାନଙ୍କ ଭଳି ନିଷ୍ଠାବାନ ଏବଂ ଗଭୀର ଆତ୍ମବିଶ୍ୱାସୀ ଲୋକ ହିଁ କରିପାରିବ । ତାଙ୍କ ପାଇଁ ଦୁର୍ଗମ ରାସ୍ତାରେ ଦୁଃସାହସିକ ଅଭିଯାନର ଅନ୍ୟ ନାମ ଥିଲା ରାଜନୀତି । 
ଆମେ ଯେତେବେଳେ ଜଣେ ରାଜନେତାଙ୍କର ଜୀବନୀ, ସଫଳତା, ପ୍ରଭାବ ବିଷୟରେ ଆଲୋଚନା କରିବା ଆମକୁ ଦୃଷ୍ଟି ଦେବାକୁ ପଡିବ ଯେ ସେହି ବ୍ୟକ୍ତି ଜଣଙ୍କ କେଉଁ ପୃଷ୍ଠଭୂମିରୁ ଆସିଛନ୍ତି, ସେ ରାଜନୀତି ଆରମ୍ଭ କରିବା ବେଳେ ରାଜନୈତିକ ଚିତ୍ର କଣ ଥିଲା, କେଉଁ ଦଳରୁ ରାଜନୀତି କରୁଥିଲେ, ରାଜନୀତି ଛାଡିବା ବେଳେ କେଉଁ ପରିଚୟରେ ଗଲେ । ସେତେବେଳେ ରାଜ୍ୟରେ ଡାକ୍ତରୀ ଶିକ୍ଷା ଆସନ ସଂଖ୍ୟା ଥିଲା ମାତ୍ର ୧୦୦ ସେତେବେଳେ ଜଣେ ଡାକ୍ତରର ସମାଜରେ ସମ୍ମାନ, ଅର୍ଥ ରୋଜଗାରର ସୁଯୋଗ ଏସବୁ ଢେର ଅଧିକ ଥିଲା । ଜଣେ ମଧ୍ୟବିତ୍ତ ପରିବାରରୁ ଆସିଥିବା ଯୁବକଟିଏ ଡାକ୍ତର ବୃତ୍ତିକୁ ପଛରେ ପକାଇ ଏକ ନୂଆ କରି ଗଠନ ହୋଇଥିବା ରାଜନୈତିକ ଦଳରେ ରାଜନୀତି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେବା କେତେ ଯେ କଠିନ ହୋଇଥିବ ତାହା  ଆଜି ଅନୁମାନ କଲାବେଳେ ଆଶ୍ଚର୍ଯ୍ୟ ଲାଗେ । କେତେ ବ୍ୟକ୍ତିଗତ ଆଶା ଆକାଂକ୍ଷାକୁ ସମାଧି ଦେବାକୁ ପଡିଥିବ । ନିଶ୍ଚିନ୍ତତାର ମହଲରୁ ବାହାରି ରାଜରାସ୍ତାରେ, କାହା ବାରଣ୍ଡାରେ ବସି ନିରାଶ ହେବାର ଦିନ ମଧ୍ୟ ସେ ଦେଖିଥିବେ । ତଥାପି ନିଜର ନିଷ୍ଠା, ବିଚାର ଏବଂ ପ୍ରତିବଦ୍ଧତା ସହିତ ବୁଝାମଣା କରିନଥିବା ବ୍ୟକ୍ତି ଥିଲେ ଡା. ପ୍ରଧାନ । 
୧୯୮୦ ଦଶକରେ ଓଡିଶାରେ ରାଜନୈତିକ ସ୍ଥିତି କିଭଳି ଥିଲା । ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ନନ୍ଦିନୀ ଶତପଥୀ ଏମିତି ଆହୁରି ଅନେକ ତୁଙ୍ଗ ନେତାମାନେ ସକ୍ରିୟ ଓ ପ୍ରଭାବୀ ଥିଲେ । ସେ ସମୟରେ ରାଜନୀତି କହିଲେ ଓଡିଶାରେ କଂଗ୍ରେସ ଏବଂ ଜନତା ଦଳକୁ ବୁଝାଉଥିଲା । ଏପରିସ୍ଥିତିରେ ଜଣେ ଡାକ୍ତର ବୃତ୍ତି ଭଳି ସମ୍ମାନଜନକ  ବୃତ୍ତିକୁ ଛାଡି ରାଜନୀତି ଆରମ୍ଭ କରିବା, ତାହା ପୁଣି ନୂଆ ଏକ ରାଜନୈତିକ ଦଳ ସହିତ, ଯାହାର ଓଡିଶାରେ କୌଣସି ସ୍ଥିତି ହିଁ ନଥିଲା । ଏଇଟା ପ୍ରମାଣ କରୁଛି ଡା. ପ୍ରଧାନ କ୍ଷମତା ପାଇଁ ରାଜନୀତିକୁ ଆସିନଥିଲେ । କ୍ଷମତା ପାଇଁ ଆସିଥିଲେ ସେ ଅନ୍ୟ ଦଳକୁ ଯାଇପାରିଥାନ୍ତେ । ସେ ଆସିଥିଲେ ଏକ ବିକଳ୍ପ ରାଜନୈତିକ ବିଚାରକୁ ନେଇ, ରାଜନୀତିରେ ସକାରାତ୍ମକ ପରିବର୍ତ୍ତନ ପାଇଁ, ରାଜନୀତି ବ୍ୟବସ୍ଥା ଭିତରକୁ ନୂଆ ଲୋକଙ୍କୁ ଆଣି ରାଜନୀତିକୁ ସ୍ୱଚ୍ଛ କରିବାପାଇଁ, ଯେଉଁଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ଓଡିଶାରେ ଏମିତି ବହୁ କମ୍ ନେତୃତ୍ୱ ପାଇବେ ଯେଉଁମାନେ ଏଭଳି କରିପାରିବାରେ ସଫଳ ହୋଇଛନ୍ତି । ଓଡିଶା ରାଜନୀତିରେ ବର୍ତ୍ତମାନ ଏମିତି ଅନେକ ବିଧାୟକ, ସାଂସଦ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ପାଇବେ ଯେଉଁମାନଙ୍କୁ ଦିନେ ଡା. ଦେବେନ୍ଦ୍ର ପ୍ରଧାନ ହାତ ଧରି ରାଜନୀତିକୁ ଆଣିଥିଲେ । ଆଉ ସବୁଠାରୁ ବଡ କଥା ହେଉଛି ଯେ ଏମାନେ ପ୍ରାୟତଃ ସମସ୍ତେ ଅଣ ରାଜନୈତିକ ପୃଷ୍ଠଭୂମିରୁ ଆସିଛନ୍ତି । ଆଉ ସମସ୍ତେ ପ୍ରାୟତଃ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ଓଡିଶା ରାଜନୀତିରେ ନୂଆ ନେତା ତିଆରି କରିବାରେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରେ ବୋଧହୁଏ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଅଧିକ ଶ୍ରେୟ ଦିଆଯିବ । 
୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ୧୯୭୭ ନିର୍ବାଚନରେ ଦେଶରେ ପ୍ରଥମ ଥର ପାଇଁ ଅଣ କଂଗ୍ରେସ ସରକାର ଗଠନ ହେଲା । ମାତ୍ର ୩ବର୍ଷ ଭିତରେ ଦେଶ ଦୁଇ ଜଣ ପ୍ରଧାନମନ୍ତ୍ରୀ ଦେଖିଲା ଓ ସରକାର ୫ବର୍ଷ ଚାଲିପାରିଲା ନାହିଁ । ୧୯୮୦ ନିର୍ବାଚନରେ ଦେଶରେ କଂଗ୍ରେସ ଦଳ ପୁଣି ସରକାରକୁ ଫେରିଲା । ଏକ ଏଭଳି ବାତାବରଣ ପ୍ରଚାର ହୋଇଥିଲା ଯେ ଲାଗୁଥିଲା ଯେ କଂଗ୍ରେସ ହିଁ କେବଳ ସ୍ଥିର ସରକାର ଦେଇପାରିବ । ସେତେବେଳେ ଓଡିଶାରେ ମଧ୍ୟ କଂଗ୍ରେସ ସରକାର । ସେଭଳି ପରିସ୍ଥିତିରେ ଅଣକଂଗ୍ରେସ ରାଜନୀତି ଆରମ୍ଭ କରିବା ତାହା ପୁଣି ଆଦୌ ସାଂସଦ କି ଆଦୌ ବିଧାୟକ ନଥିବା ଏକ ରାଜନୀତି ଦଳରୁ, ତାହାକୁ ଆଜିର ସାମ୍ପ୍ରତିକ ସ୍ଥିତିରେ ବିଶ୍ଳେଷଣ କଲେ ଚକିତ ଲାଗେ । ଜଣେ ଦୃଢ ଇଚ୍ଛାଶକ୍ତି, ସମର୍ପଣ ଭାବନା, ନିଜ ଦାୟିତ୍ୱ ପ୍ରତି ଯତ୍ନବାନ ଥିବା ବ୍ୟକ୍ତି ଚାହିଁଲେ କିଛି ବି କରିପାରେ, ଏହା ହେଉଛି ଡା. ପ୍ରଧାନଙ୍କର ଜୀବନୀରୁ ଆମ ପାଇଁ ପ୍ରେରଣା । ଆମ ଭଳି ଯେଉଁମାନେ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି, ସ୍ୱଚ୍ଛତାର ସହ କାମ କରିବା ବେଳେ ରାଜନୀତିରେ ବିଭିନ୍ନ ଘଟଣା ଏବଂ କୁଘଟଣାରେ ନିଜକୁ ହତୋସôାହ ବା ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି ସେମାନଙ୍କ ପାଇଁ ଡା. ପ୍ରଧାନଙ୍କ ଜୀବନୀ ଏକ ଆଦର୍ଶ ଭଳି । ମନରେ ଆନେ୍ଦାଳିତ ହେଉଥିବା ବହୁ ଅସମାହିତ ପ୍ରଶ୍ନ, ଭୟର ସମାଧାନ ଅଛି ତାଙ୍କ ଜୀବନ ଦର୍ଶନରେ । 
ସେ ସମୟରେ ବିଜେପିର ଚିହ୍ନ କ’ଣ ଓଡିଶାର ଅଧିକାଂଶ ଲୋକ ଜାଣିନଥିଲେ । ବିଜେପି ଯେ ଏକ ରାଜନୈତିକ ଦଳ, ତାହା ମଧ୍ୟ ବହୁ ଲୋକଙ୍କୁ ଓଡିଶାରେ ଜଣାନଥିଲା । ବିଧାୟକ ସାଂସଦ ହେବା କଥା ଛାଡ, ନିର୍ବାଚନରେ ଲଢିବା ପାଇଁ ପ୍ରାର୍ଥୀ ମିଳିବା ମଧ୍ୟ କଷ୍ଟ ଥିଲା । ସେ ସମୟରେ ଗାଁକୁ ଗାଁ ଯିବା, ଯାତ୍ରୀବାହୀ ବସ୍ରେ ବୁଲି ରାଜନୈତିକ ସଙ୍ଗଠନ କରିବା କେତେ କଷ୍ଟ ହୋଇଥିବ ତାହା ବୁଝାପଡେ । ନିଜେ କାମ କରିବା ସହିତ କଠିନ ସମୟରେ ଅନ୍ୟମାନଙ୍କୁ ପ୍ରେରଣା ଦେଇ କାମ କରାଇବା ହିଁ ନେତୃତ୍ୱର ମାପକାଠି, ଯାହାକୁ ସେ କରି ଦେଖାଇଥିଲେ । ଡା. ପ୍ରଧାନ କୌଣସି ରାଜନୈତିକ ପରିବାରରୁ ଆସିନଥିଲେ । ଛାତ୍ର ରାଜନୀତି ମଧ୍ୟ କରିନଥିଲେ । ଡାକ୍ତରୀ ବୃତ୍ତିରୁ ଆସିଥିବା ଜଣେ ବ୍ୟକ୍ତି କିଭଳି ଏତେ ନିଖୁଣତାର ସହିତ ରାଜନୀତି କରିପାରେ ତାହା ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ଚମକପ୍ରଦ ଦିଗ । ସେ ମଣ୍ଡଳ ସଭାପତିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ପଦ ପର୍ଯ୍ୟନ୍ତ ପହଁଚିଥିଲେ । ଅନେକ ଥର ନିର୍ବାଚନ ହାରିଛନ୍ତି । କିନ୍ତୁ ପରାଜୟରେ ଅଟକି ଯାଇ ନାହାଁନ୍ତି କି ଗତିପଥ ବଦଳାଇ ନାହାଁନ୍ତି । ନିଜର ସଂଘର୍ଷରେ ବିରାମ ଆଣିନାହାଁନ୍ତି । ନିଜେ ନିରାଶ ହୋଇନାହାଁନ୍ତି କି ସହକର୍ମୀ ମାନଙ୍କ ମନର ଆତ୍ମବିଶ୍ୱାସକୁ କମ୍ କରିବାକୁ ଦେଇନାହାଁନ୍ତି । କେନ୍ଦ୍ରରେ ଦୁଇ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି । ନିଜର ପାଖାପାଖି ୩୦ବର୍ଷର ରାଜନୈତିକ ଜୀବନରେ ଗୋଟିଏ ଛୋଟିଏ କାଳି ଦାଗ ମଧ୍ୟ ଲଗାଇବାକୁ ଦେଇନାହାଁନ୍ତି । ସେ କ୍ଷମତାରେ ଥିଲାବେଳେ ହେଉ ଅବା ବିରୋଧରେ ଥିଲାବେଳେ ତାଙ୍କ ବିରୋଧରେ ଗଣମାଧ୍ୟମରେ କୌଣସି ଖବର ବାହାରିବା କେହି  କେବେ ଦେଖିନାହାଁନ୍ତି । 
ଅଟଳ ବିହାରୀ ବାଜପେୟୀଙ୍କର ସ୍ୱପ୍ନର ଯୋଜନା ସ୍ୱର୍ଣ୍ଣ ଚର୍ତୁଭୁଜ ଯୋଜନା ୧୯୯୯ରେ ଶୁଭ ଦିଆଯାଇଥିଲା । ଯେଉଁ ଯୋଜନାରେ ଦେଶର ଚାରି ମହାନଗରୀକୁ ୬ ଲେନ୍ ଜାତୀୟ ରାଜପଥ ଦ୍ୱାରା ଯୋଡାଗଲା । ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଦେଶର ସେହି ମନ୍ତ୍ରଣାଳୟର ମନ୍ତ୍ରୀ ଥିଲେ ଡାକ୍ତର ପ୍ରଧାନ । ସେହିପରି ବାଜପେୟୀଙ୍କ ସରକାରରେ କୃଷି ମନ୍ତ୍ରୀ ଥିବାବେଳେ ଚିନି ଶିଳ୍ପର ପୁନରୁଦ୍ଧାର, କପା ଚାଷରେ ବିଟ୍ କଟନର ଆରମ୍ଭ କରିବା ପଦକ୍ଷେପ ନେବାରେ ତାଙ୍କର ବଡ ଭୂମିକା ଥିଲା । ଯାହାଫଳରେ ଆଜି ଦେଶର ମୋଟ କଟନ୍ର ୯୫ ପ୍ରତିଶତ ହେଉଛି ବିଟ୍ କଟନ । ସେହିଭଳି ଭାରତ ଆଜି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଚିନି ଉପ୍ତାଦନକାରୀ ଦେଶ ପାଲଟିଛି । ଓଡିଶାରେ ମଧ୍ୟ ବ୍ୟବସାୟିକ ଭିତ୍ତିରେ ଛତୁ ଚାଷ ଡାକ୍ତର ପ୍ରଧାନ କୃଷିମନ୍ତ୍ରୀ ଥିବାବେଳେ ଆରମ୍ଭ ହୋଇଥିଲା । ଆଜି ଓଡିଶାରେ ଲକ୍ଷ ଲକ୍ଷ ଚାଷୀ ଛତୁ ଚାଷରେ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି । ଦେଶର ରାଜନୀତିରେ ବିଜେପିର ଉତ୍ଥାନ ପାଇଁ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କର ଯେତିକି ଅବଦାନ ଅଛି, ଓଡିଶାରେ ବିଜେପିର ଉତ୍ଥାନ ପାଇଁ ଡାକ୍ତର ପ୍ରଧାନଙ୍କର ସେତିକି ଅବଦାନ ଅଛି କହିଲେ ଭୁଲ ହେବ ନାହିଁ । ଆଗାମୀ ଦିନରେ ଓଡିଶାର ଇତିହାସରେ ଯେବେ ଲେଖାଯିବ ଡା. ପ୍ରଧାନଙ୍କ ରାଜନୈତିକ ବିଚାର ଏକ ଗୁରୁତ୍ୱପୂର୍ଣ୍ଣ ଓ ସବୁଠାରୁ ପ୍ରେରଣାଦାୟୀ ପୃଷ୍ଠା ଭାବରେ ସ୍ଥାନ ପାଇବ । ତାଙ୍କ ଜୀବନୀ ସାଧାରଣ ପରିବାରରୁ ଆସି ରାଜନୀତିରେ ସଂଘର୍ଷ କରୁଥିବା ହଜାର ହଜାର ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିଥିବ ।
ହରିରାଜପୁର, ଜଟଣୀ
ରାଜ୍ୟ ମୁଖପାତ୍ର, ବିଜେପ