ସାମ୍ପ୍ରତିକ ସମୟରେ ଶିକ୍ଷାଋଣ


ଆଜିର ସମୟରେ ପିଲାମାନଙ୍କ ପାଠପଢ଼ା ହେଉ ବା ଗବେଷଣା କ୍ଷେତ୍ରରେ ଉଚ୍ଚତର ଅଧ୍ୟୟନ ନିମିତ୍ତ ପ୍ରାୟତଃ ଋଣ କରିବାକୁ ଚାହିଁଥାନ୍ତି । ଭାରତର ବିଭିନ୍ନ ଜାତୀୟକରଣ, ବ୍ୟବସାୟିକ, ଗ୍ରାମୀଣ ଓ ଅନ୍ୟାନ୍ୟ ବ୍ୟାଙ୍କମାନେ ମଧ୍ୟ ନିର୍ଦ୍ଦିଷ୍ଟ ନୀତିନିୟମକୁ ବିଚାର କରି ଶିକ୍ଷା ପାଇଁ ଋଣ ପ୍ରଦାନ କରିଥାନ୍ତି । ଅନେକ ସମୟରେ ଶିକ୍ଷା ପାଇଁ ଋଣ ନେବା ସମୟରେ ବ୍ୟାଙ୍କ ପକ୍ଷରୁ ଅସହଯୋଗ ମିଳୁଥିବାର କେହି କେହି କୁହନ୍ତି । ଅନ୍ୟପଟେ ଶିକ୍ଷା ପାଇଁ ଋଣ ନେଇ ଏହା ଅନ୍ୟତ୍ର ବିନିଯୋଗ କରି ସେପରି ମଧ୍ୟ କିଛି କିଛି ଖବର ପ୍ରକାଶ ପାଇଥାଏ । ଭାରତର ବିଭିନ୍ନ ବ୍ୟାଙ୍କମାନେ ଆଜିକାଲି ବେଶ ସହଜରେ ଶିକ୍ଷା ପାଇଁ ଋଣ ପ୍ରଦାନ କରୁଛନ୍ତି । କେନ୍ଦ୍ର ସରକାର ଏକ ମଜଭୁତ ଅର୍ଥନୀତିକୁ ଗୁରୁତ୍ୱ ଦେଉଥିବାବେଳେ ପିଲାମାନଙ୍କ ଉଚ୍ଚଶିକ୍ଷା ନିମିତ୍ତ ଶିକ୍ଷାଋଣ ନେଇ ଅନେକ ଅସଙ୍ଗତିର ସମାଧାନ ସବୁ କରିଦେଇଛନ୍ତି । ଶିକ୍ଷା ପାଇଁ ଋଣ ଚାହୁଁଥିବା କଲେଜ ପଢ଼ୁଆ ପିଲାମାନେ ମଧ୍ୟ ନିଜେ ନିଜର ମୋବାଇଲ ଫୋନର ସୂଚନା ବ୍ୟବସ୍ଥା ଦ୍ୱାରା ଏ ନେଇ ଅନଲାଇନରେ ସମସ୍ତ ପ୍ରକାର ଯୋଗାଯୋଗ କରି ନିଜର ଜ୍ଞାତବ୍ୟ ତଥ୍ୟ ପାଇପାରୁଛନ୍ତି । ଭାରତର ବିଭିନ୍ନ ବ୍ୟାଙ୍କ ଶିକ୍ଷା ପାଇଁ ଋଣ ଦେଉଥିଲେ ମଧ୍ୟ ସବୁଠାରୁ ବିଶ୍ୱସନୀୟର ସହ ପ୍ରଥମେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ମେଧାବୀ ଓ ଗବେଷଣାରେ ରତ ଉଚ୍ଚଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷାଋଣ ଦେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କେବଳ ଅର୍ଥନୀତି ନୁହେଁ ଭାରତର ଶିକ୍ଷାନୀତିକୁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଓ ପ୍ରୋତ୍ସାହନ ଦେଉଛି । ତେବେ ବିନା ବନ୍ଧକରେ ଶିକ୍ଷା ପାଇଁ ଋଣ ସମ୍ଭବ କିମ୍ବା ନାହିଁ ଏ ନେଇ ଛୋଟିଆ ଆଲୋଚନାଟି ରଖୁଛୁ । 
ବ୍ୟାଙ୍କମାନେ ଋଣ ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣତଃ ଋଣ ଦେବାବେଳେ କିଛି ବନ୍ଧକ ରଖନ୍ତି । ମାତ୍ର ଆର୍ଥିକ ଭାବେ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାଋଣ କୌଣସି ବନ୍ଧକ ନ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିଦେ୍ର୍ଦଶନାମା ରହିଛି । ଶିକ୍ଷାଋଣରେ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ପିତାମାତା ଓ ଅଭିଭାବକଙ୍କୁ ସହ ଆବେଦନକାରୀ ଭାବରେ ନିଆଯାଇଥାଏ । ସାଧାରଣତଃ ସାଢ଼େ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେବା ପାଇଁ କେବଳ ଗ୍ୟାରେଣ୍ଟି ଓ ତା'ଠାରୁ ଅଧିକ ଋଣ କ୍ଷେତ୍ରରେ ବନ୍ଧକ ଆବଶ୍ୟକ ହୋଇଥାଏ । ତେବେ ଆଜିକାଲି ଅନେକ ବ୍ୟାଙ୍କ ଆଇ.ଆଇ,ଟି, ଆଇ.ଆଇ.ଏମ୍ ଓ ଏନ.ଆଇ.ବି. ଭଳି ଉଚ୍ଚ ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଅଧିକ ପରିମାଣରେ ଋଣ ପାଇଁ ମଧ୍ୟ ବନ୍ଧକ  ଛାଡ଼ କରୁଛନ୍ତି । 
ଅନେକଙ୍କ ଭିତରେ ସୁଧ ପ୍ରସଙ୍ଗକୁ ନେଇ ଟିକିଏ ସମସ୍ୟା ରହିଥାଏ । ବାସ୍ତବ କଥା ହେଉଛି ସ୍ୱାଧୀନ ଭାବେ ସୁଧର ହାର ସ୍ଥିର କରିବା ପାଇଁ ବ୍ୟାଙ୍କ ମାନଙ୍କର ଅଧିକାର ରହିଛି । ଋଣ ପାଇଁ ମାନକ ସୁଧହାର (ବେଞ୍ଚମାର୍କ ଲେଣ୍ଡିଂ ରେଟ) ସହ ରିସ୍କ ପ୍ରିିମିୟମ ମିଶାଇ ଏହି ସୁଧହାର ସ୍ଥିର କରାଯାଇଥାଏ । ଆଜି ଦିନରେ ମୁଖ୍ୟ ବ୍ୟବସାୟିକ ବ୍ୟାଙ୍କ ଗୁଡ଼ିକ ଶିକ୍ଷାଋଣ ଉପରେ ପ୍ରାୟ ୯ରୁ ୧୪ ପ୍ରତିଶତ ସୁଧ ଧାର୍ଯ୍ୟ କରୁଛନ୍ତି । ଉଚ୍ଚ ମାନ୍ୟତା ପ୍ରାପ୍ତ ପାଠ୍ୟକ୍ରମ ଶିକ୍ଷାନୁଷ୍ଠାନ ତଥା ଅତ୍ୟନ୍ତ ମେଧାବୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବ୍ୟାଙ୍କମାନେ ସୁଧ କୋହଳ କରିବାର ଦେଖାଯାଏ । ସାଧାରଣତଃ ଋଣ ପରିଶୋଧ ଆରମ୍ଭ ନହେବା ପର୍ଯ୍ୟନ୍ତ ସରଳ ସୁଧ ହିସାବ କରାଯାଇଥାଏ ।
ସର୍ବପ୍ରଥମେ ଜାଣନ୍ତୁ ଋଣର ପରିମାଣ କିପରି ହିସାବ କରାଯାଏ । ଶିକ୍ଷା ଋଣର ପରିମାଣ ନିରୂପଣ କରିବା ପାଇଁ ବ୍ୟାଙ୍କମାନେ ଯେଉଁସବୁ ଖର୍ଚ୍ଚ ବିଚାରକୁ ନିଅନ୍ତି, ସେଗୁଡ଼ିକ ହେଲା ପାଠ୍ୟକ୍ରମ ପାଇଁ ଟୁ୍ୟସନ ଫିସ, ହଷ୍ଟେଲ ଫିସ, ବହି, କମ୍ପୁ୍ୟଟର ଓ ଲାବେରେଟୋରୀ ଖର୍ଚ୍ଚ ଇତ୍ୟାଦି । ବିଲଡିଂ ଫଣ୍ଡ ଜମା ବା କସନ ମନି ଆଦି କଲେଜ ଟୁ୍ୟସନ ଫିସର ଶତକଡ଼ା ଦଶ ଭାଗ ମଧ୍ୟରେ ଥିଲେ, ତାହା ମଧ୍ୟ ବିଚାରକୁ ନିଆଯାଇପାରେ । ଏହାଛଡ଼ା ବିଦେଶରେ ପଢ଼ିବାକୁ ଯାଇଥିଲେ ଯାତ୍ରା ଖର୍ଚ୍ଚ ମଧ୍ୟ ହିସାବକୁ ନିଆଯାଏ । ମୋଟ ଆକଳନ କରାଯାଇଥିବା ଖର୍ଚ୍ଚରୁ ମାର୍ଜିନ କାଟି ଋଣର ପରିମାଣ ସ୍ଥିର କରାଯାଏ । ଆଇ.ବି.ଏ. ଦ୍ୱାରା ପ୍ରସ୍ତୁତ ସ୍କିମ ଅନୁସାରେ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାଋଣ ପାଇଁ ମାର୍ଜିନ ନିଆଯାଏ ନାହିଁ । ୪ଲକ୍ଷରୁ ସାଢ଼େ ୭ଲକ୍ଷ ଋଣ ପର୍ଯ୍ୟନ୍ତ ଦେଶ ଭିତରେ ଶିକ୍ଷା ପାଇଁ ୫ ପ୍ରତିଶତ ଓ ବିଦେଶରେ ଶିକ୍ଷା ପାଇଁ ୧୫ ପ୍ରତିଶତ ମାର୍ଜିନ ଧାର୍ଯ୍ୟ କରାଯାଇଛି । ଶିକ୍ଷାନୁଷ୍ଠାନରୁ ମିଳୁଥିବା ଶିକ୍ଷାବୃତ୍ତିକୁ ମାର୍ଜିନ ହିସାବରେ ବିବେଚନା କରାଯାଇପାରିବ । 
ଋଣ ପରିଶୋଧର ବ୍ୟବସ୍ଥାଟି ହେଉଛି ସାଧାରଣତଃ ପାଠ୍ୟକ୍ରମ ଅବଧି ଶେଷ ହେବାର ୧ ବର୍ଷ ପର ଠାରୁ ଋଣ ପରିଶୋଧ ଆରମ୍ଭ ହୋଇଥାଏ ଏବଂ ପରିଶୋଧ ଅବଧି ୧୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ବ୍ୟବସ୍ଥାରେ ଆୟକର ରିହାତିର ସୁଯୋଗ ରହିଛି । ଶିକ୍ଷାଋଣ ପାଇଁ ଦିଆଯାଉଥିବା ସୁଧ ଉପରେ ଆୟକର ରିହାତିର ବ୍ୟବସ୍ଥା ଅଛି । ଆଜିକାଲି ବିଭିନ୍ନ ବ୍ୟାଙ୍କ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷାଋଣକୁ ସହଜ ଓ ସରଳ କରିବା ପାଇଁ ସର୍ତ୍ତରେ କିଛି କିଛି ପରିବର୍ତ୍ତନ କରୁଛନ୍ତି । ଏଣୁ ଋଣ ନେବା ପୂର୍ବରୁ ଏସବୁ ଯୋଜନାର ସର୍ତ୍ତଗୁଡ଼ିକୁ ଭଲ ଭାବେ ଅନୁଧ୍ୟାନ କରିବା ଜରୁରି । ଶିକ୍ଷା ପାଇଁ ଋଣ ନେବା ସମୟରେ ଆପଣ ଆଇନ ଅନୁମୋଦିତ ସମସ୍ତ ପ୍ରାମାଣିକ ତଥ୍ୟ ଓ ସୂଚନା କେବଳ ନିଜ ସୁବିଧା ପାଇଁ ନୁହେଁ ବ୍ୟାଙ୍କ ସହ ଦେଶର ଜଣେ ଯଥାର୍ଥ ନାଗରିକ ଭାବେ ଆପଣଙ୍କ ଦାୟିତ୍ୱ ନିର୍ବାହ କରନ୍ତୁ । ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଶିକ୍ଷା ଋଣ ନେଇଥିବା ପିଲାଟି କୌଣସି ଅସୁବିଧାକୁ ସାମ୍ନା ନକରେ । 
ଡ.ତପନ କୁମାର ପାଳ
ଦୂରଭାଷ : ୯୯୩୭୬୫୮୩୬୨