ଧାରା ୩୭୦ ପ୍ରସଙ୍ଗ ଓ ବିଚ୍ଛିନ୍ନତାବାଦ
ଗୋପାଳ ମହାପାତ୍ର : ରାଜନୀତିରେ ସାଧାରଣତଃ ରାଜନେତା ଯାହାକିଛି କହିଥାନ୍ତି ତାକୁ କଦବା କ୍ୱଚିତ କାର୍ଯ୍ୟକାରୀ କରିଥାନ୍ତି । କିନ୍ତୁ ଯାହା କହିନଥାନ୍ତି ତାକୁ କାମରେ କରି ଦେଖାଇଥାନ୍ତି । ଏହାକୁ ଉଚ୍ଚାରଣରେ ପାର୍ଥକ୍ୟ କୁହାଯାଏ । ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଗଣମାଧ୍ୟମକୁ କହିଥିଲେ ଯେ ସେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଳିମିଶି କାମ କରିବେ । ଜାମ୍ମୁ- କାଶ୍ମୀର ବିଧାନସଭା ନିର୍ବାଚନ ସମୟରେ ଉମର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ ଥରେ ମାତ୍ର କହିନଥିଲେ ଯେ ଯଦି ସେ ମୁଖ୍ୟମନ୍ତ୍ରୀ ହେବେ ତେବେ ବିଧାନ ସଭାରେ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ପାଇଁ ପ୍ରସ୍ତାବ ଆଣିବେ । କିନ୍ତୁ ନଭେମ୍ବର ୪ ତାରିଖରେ ଜାମ୍ମୁ- କାଶ୍ମୀରର ବିଧାନସଭା ଅଧିବେଶନ ଆରମ୍ଭ ହେବାର ୩ୟ ଦିନ ଅର୍ଥାତ୍ ୬ତାରିଖରେ ଧାରା ୩୭୦କୁ ପୁନଃ ଲାଗୁ କରାଯିବା ପାଇଁ ପ୍ରସ୍ତାବ ଆସିଥିଲା । ଜାମ୍ମୁ- କାଶ୍ମୀରର ନ୍ୟାସନାଲ କନଫରେନ୍ସ ଏବଂ ଉମର ଅବଦୁଲ୍ଲା ସରକାର ବିଧାନସଭାରେ ବହୁମତ ଥିବା କାରଣରୁ ନଭେମ୍ବର ୬ ତାରିଖରେ ଧାରା ୩୭୦ର ପୁନଃ ଲାଗୁ କରାଯିବା ଓ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବା ପ୍ରସ୍ତାବକୁ ଧ୍ୱନିମତରେ ଗୃହୀତ କରାଇ ଦେଇଥିଲେ । ଏ ସବୁରୁ ସ୍ପଷ୍ଟ ଯେ ଜାମ୍ମୁ- କାଶ୍ମୀରରେ ବିଛିନ୍ନତାବାଦ ଏବଂ ତୁଷ୍ଟିକରଣ ରାଜନୀତି ପୁଣି ଆରମ୍ଭ ହୋଇଯାଇଛି । ବିଧାନସଭାରେ ଗୃହୀତ ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କ ଉଦେଶ୍ୟରେ କୁହାଯାଇଛି ଯେ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ସରକାର ରାଜ୍ୟ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରନ୍ତୁ । ବିଧାନ ସଭାରେ ଜାମ୍ମୁ-କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ସିଂହ ଚୌଧୁରୀ ପ୍ରସ୍ତାବ ଆଗତ କରଥିଲେ । ସୁରିନ୍ଦର ସିଂହଙ୍କୁ ପ୍ରସ୍ତାବ ଆଗତ କରିବା ପାଇଁ ଚୟନ କରାଯିବାର ଉଦେ୍ଦଶ୍ୟ ସ୍ପଷ୍ଟ ଯେ ଭାରତୀୟ ଜନତା ପାର୍ଟି ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ପାରିବ ନାହିଁ । କିନ୍ତୁ ବିଜେପି ବିଧାୟକ ମାନେ ପ୍ରସ୍ତାବକୁ ବିରୋଧ କରିଥିଲେ । ବିଜେପିର ଏକ ନିଶାନ ଏକ ବିଧାନ ଏବଂ ରାଷ୍ଟ୍ରବାଦ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ପ୍ରସ୍ତାବକୁ ବିରୋଧ କରିବା ସହ ପୁନଃ ୩୭୦ ଧାରା ଲାଗୁ ଅସମ୍ଭବ ବୋଲି କହିଛି ବିଜେପି ।
ଏ ପ୍ରସଙ୍ଗରେ ସର୍ବ ପ୍ରଥମେ ଜାଣିବାର କଥା ହେଉଛି ଯେ ଜାମ୍ମୁ-କାଶ୍ମୀରକୁ ଏବେ ଧାରା ୩୭୦ ଅନୁସାରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବା ଅସମ୍ଭବ । କାରଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ଧାରା ୩୭୦ର ସମାପ୍ତିକୁ ପୂର୍ଣ୍ଣତଃ ସାମ୍ବିଧାନିକ ଓ ବୈଧ ବୋଲି କହିଛନ୍ତି । ଏବେ ସୁପ୍ରିମକୋର୍ଟରେ ଏ ପ୍ରସଙ୍ଗରେ ଯଦି ପୁନଃ ବିଚାର ପାଇଁ ମାମଲା ଦାଏର କରାଯାଏ ତେବେ କୋର୍ଟ ତାଙ୍କ ରାୟର ସମୀକ୍ଷା କରିପାରନ୍ତି । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ସଂସଦରେ ପୁର୍ଣ୍ଣ ବହୁମତରେ ଧାରା ୩୭୦ ଉଛେଦ ପ୍ରସ୍ତାବ ଗୃହୀତ ହୋଇଛି ଓ ପ୍ରସ୍ତାବ ଅନୁସାରେ ପୂର୍ବର ଜାମ୍ମୁ- କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରାଯାଇଛି । ଅନ୍ୟ ପକ୍ଷରେ ଧାରା ୩୫ (ଏ) କୁ ରାଷ୍ଟ୍ରପତି ରଦ୍ଦ କରି ଦେଇଛନ୍ତି । ଧାରା ୩୫ (ଏ) ଅନୁସାରେ ମଧ୍ୟ ଜାମ୍ମୁ- କାଶ୍ମୀରର ଲୋକଙ୍କୁ ବିଶେଷାଧିକାର ମିଳିଥିଲା । ଏଥିରେ ସେମାନଙ୍କ ନାଗରିକତା ଓ ସମ୍ପତ୍ତିର ଅଧିକାର ସଂରକ୍ଷିତ ଥିଲା । କିନ୍ତୁ ଧାରା ୩୭୦କୁ ଲାଗୁ କରାଯିବା ବେଳେ ଭାରତର ପ୍ରଥମ ମନ୍ତ୍ରୀମଣ୍ଡଳ ବା ନେହେରୁ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ବିଜେପି (ପୂର୍ବର ଜନସଂଘ)ର ସଂସ୍ଥାପକ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଶିଳ୍ପ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ । ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇଥିଲେ ମଧ୍ୟ ଜାମ୍ମୁ- କାଶ୍ମୀରର ଭାରତରେ ମିଶ୍ରଣ ୧୯୪୭ ମସିହା ଅକ୍ଟୋବର ୨୬ ତାରିଖରେ ହୋଇଥିଲା । ମହୀଶୂର ରାଜ୍ୟ ଓ ଅନ୍ୟ ବଡ଼ ବଡ଼ ରାଜ୍ୟ (ସେତେବେଳେ ରାଜାମାନଙ୍କ ଦ୍ୱାରା ଶାସିତ ରାଜ୍ୟ)ର ମିଶ୍ରଣ ପାଇଁ ଯେଉଁ ସବୁ ସର୍ତ୍ତ ଥିଲା ଜାମ୍ମୁ- କାଶ୍ମୀର ମିଶ୍ରଣ ପାଇଁ ମଧ୍ୟ ସେହି ସର୍ତ୍ତ ରହିଥିଲା । ମହୀଶୂର ରାଜ୍ୟ ଦେଶ ସ୍ୱାଧୀନ ହେବାର ଦିନକ ପୁର୍ବରୁ ଭାରତୀୟ ସଂଘରେ ମିଶିଯାଇଥିଲା । କିନ୍ତୁ ଜାମ୍ମୁ- କାଶ୍ମୀରର ମହାରାଜା ହରସିଂହ ସ୍ୱତନ୍ତ୍ର ରାଜ୍ୟ ଭାବେ ରହିବାକୁ ଚାହୁଁଥିଲେ ।
କିନ୍ତୁ ପାକିସ୍ଥାନ ଉଗ୍ରବାଦୀଙ୍କ ବେଷରେ ପାକିସ୍ଥାନୀ ସେନାକୁ କାଶ୍ମୀରରେ ୧୯୪୭ ମସିହା ସେପ୍ଟେମ୍ବର ମାସରେ ପ୍ରବେଶ କରାଇ ଥିଲା । ଅକ୍ଟୋବର ମାସ ପର୍ଯ୍ୟନ୍ତ ପାକ୍ ସମର୍ଥôତ ସେନା/ ଉଗ୍ରବାଦୀ କାଶ୍ମୀରରେ ଆକ୍ରମଣ ଜାରି ରଖିଥିଲା । ଯେତେବେଳେ ସେମାନେ ଅକ୍ଟୋବର ୨୪ ତାରିଖରେ ଶ୍ରୀନଗରରେ ପହଞ୍ଚôଲେ ସେତବେଳେ କାଶ୍ମୀରର ମହାରାଜା ହରିସିଂହ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରି ସଫଳ ନହେବା ପରେ ଭାରତ ସାରକାରଙ୍କ ସହାୟତା ଲୋଡିଥିଲେ ଓ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ । କିନ୍ତୁ ସେତେବେଳେ ପାକିସ୍ଥାନ ଓ ଭାରତ ଉଭୟ ଦେଶର ସେନା କମାଣ୍ଡର ଇଂରେଜ ଥିଲେ ଓ ଭାରତର ଗଭର୍ଣ୍ଣର ଜେନେରାଲ ମଧ୍ୟ ଲର୍ଡ ମାଉଣ୍ଟ ବାଟେନ ଥିଲେ । ସେତେବେଳେ ଲର୍ଡ ମାଉଣ୍ଟ ବାଟେନ ଏକପ୍ରକାର ଭାରତ ଶାସନାଧ୍ୟକ୍ଷ ଥିଲେ । ଏଣୁ ପଣ୍ଡିତ ନେହେରୁ ମାଉଣ୍ଟ ବାଟେନଙ୍କ ପରାମର୍ଶ ନେଇଥିଲେ, ଏପରିକି ମହାତ୍ମା ଗାନ୍ଧୀଙ୍କ ସହ ପରାମର୍ଶ କରିଥିଲେ । ଗାନ୍ଧୀ କାଶ୍ମୀରର ସୁରକ୍ଷା ପାଇଁ ସେନା ପଠାଇବାକୁ ପରାମର୍ଶ ଦେଇଥିଲେ । ସେତେବେଳେ ହରିସିଂହ ତାଙ୍କ ରାଜ୍ୟ (ଜାମ୍ମୁ- କାଶ୍ମୀର)କୁ ଭାରତରେ ମିଶାଇବା ପାଇଁ ରାଜି ହୋଇଥିଲେ । ମହାରାଜା ହରିସିଂହ କିନ୍ତୁ ମିଶ୍ରଣ ପାଇଁ କେତେକ ସର୍ତ୍ତ ରଖିଥିଲେ । ସେତେବେଳେ ବର୍ତ୍ତମାନର ମୁଖ୍ୟ ମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଜେଜେ ବାପା ଶେଖ ଅବଦୁଲ୍ଲା ରାଜତନ୍ତ୍ର (ହରି ସିଂହ)କୁ ବିରୋଧ କରି ଆନେ୍ଦାଳନ ଚଳାଇ ଥିଲେ । ଶେଖ ଅବଦୁଲ୍ଲା ମଧ୍ୟ କାଶ୍ମୀରକୁ ପାକିସ୍ଥାନରେ ମିଶାଇବା କଥା ଚାହୁଁନଥିଲେ ବୋଲି ଅନେକ ଐତିହାସିକଙ୍କ ମତ । ଧର୍ମ ଆଧାରରେ ଭାରତର ବିଭାଜନକୁ ମଧ୍ୟ ସେ ବିରୋଧ କରୁଥିଲେ । ଭାରତୀୟ ସେନା କାଶ୍ମୀରରୁ ପାକିସ୍ଥାନୀ ମାନଙ୍କୁ ହଟାଇବାରେ ସକ୍ଷମ ହୋଇଥିଲେ ଓ ଭାରତରେ କାଶ୍ମୀରର ବିଲୟ ଘଟିଥିଲା ।
୧୯୫୩ ମସିହାରେ କିନ୍ତୁ ଜାମ୍ମୁ- କାଶ୍ମୀର ରାଜନୀତିରେ ପରିବର୍ତ୍ତନ ଘଟିଥିଲା । କାଶ୍ମୀରର ମିଶ୍ରଣ ପରେ ଶେଖ ଅବଦୁଲାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ କରାଚି ଷଡ଼ଯନ୍ତ୍ର (ପାକିସ୍ଥାନ ସହ ମିଶି ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରିବା) ଅଭିଯୋଗରେ ନେହେରୁ ସରକାର ଶେଖ ଅବଦୁଲାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ନଜରବନ୍ଦୀ ଭାବେ ରଖିଥିଲେ । ବିଜେପିର ଭୀଷ୍ମ ପିତାମହ କୁହାଯାଉଥିବା ଲାଲକୃଷ୍ଣ ଆଡ଼ଭାନୀ ଏ ପ୍ରସଙ୍ଗରେ କହିଥିଲେ ଯେ ପଣ୍ଡିତ ନେହେରୁ କାଶ୍ମୀରର ମିଶ୍ରଣ ବେଳେ ଲୋକଙ୍କ ମତାମତ ବା ସ୍ୱୀକୃତି କଥା ଚାହୁଁଥିଲେ । ଧାରା ୩୭୦ ସମ୍ପର୍କରେ ଆଡ଼ଭାନୀଙ୍କ ମତ ଥିଲା ଯେ ମହାରାଜା ହରିସିଂହଙ୍କ ପରାମର୍ଶ/ ସର୍ତ୍ତ କାରଣରୁ ଏହାକୁ ସମ୍ବିଧାନରେ ଏକ ଅସ୍ଥାୟୀ ପ୍ରାବଧାନ ଭାବେ ଯୋଡା ଯାଇଥିଲା । ଜାମ୍ମୁ- କାଶ୍ମୀରରେ ଅକ୍ଟୋବର ୧୯୪୯ରେ ଧାରା ୩୭୦ ଲାଗୁ କରାଯାଇଥିଲା । ଏହା ଫଳରେ ଜାମ୍ମୁ- କାଶ୍ମୀରର ରାଜ୍ୟ ସରକାରଙ୍କୁ ଆଭ୍ୟନ୍ତରୀଣ ପ୍ରଶାସନ ପାଇଁ ସ୍ୱାୟତତ୍ତା ମିଳିଥିଲା । ଧାରା ୩୭୦ ଅନୁସାରେ ସଂସଦ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଏବଂ ସଂଚାର ବିଶୟରେ ଜାମ୍ମୁ- କାଶ୍ମୀର ପାଇଁ ଆଇନ ପ୍ରଣୟନ କରିପାରୁଥିଲା କିନ୍ତୁ ଅନ୍ୟ ବିଷୟ ପାଇଁ କେନ୍ଦ୍ର ସରକାରଙ୍କୁ ଜାମ୍ମୁ- କାଶ୍ମୀର ସରକାରଙ୍କ ଅନୁମୋଦନର ଆବଶ୍ୟକତା ପଡୁଥିଲା । ସଂବିଧାନର ଧାରା ୩୫୬ ମଧ୍ୟ ଏହି ରାଜ୍ୟରେ ଲାଗୁ ହେଉନଥିଲା । ୧୯୭୬ର ଜମିଜମା ଆଇନ ମଧ୍ୟ ଲାଗୁହେଉନଥିଲା । ଏହି ଧାରା ଅନୁସାରେ ଜାମ୍ମୁ- କାଶ୍ମୀରରେ ଅନ୍ୟ ରାଜ୍ୟର ଲୋକେ ଜମି କ୍ରୟ କରିପାରୁନଥିଲେ । ଧାରା ୩୬୦ ଅନୁସାରେ ଆର୍ଥôକ ଜରୁରୀକାଳୀନ ପରିସ୍ଥିତି ମଧ୍ୟ ଲାଗୁ କରାଯାଇ ପାରୁ ନଥିଲା । ଅନେକ ସୁବିଧା ସୁଯୋଗ ମଧ୍ୟ ଜାମ୍ମୁ- କାଶ୍ମୀରକୁ ଦିଆଯାଉଥିଲା । କିନ୍ତୁ ଧାରା ୩୭୦ ହଟିବା ପରେ ଏସବୁ ବିଶେଷାଧିକାର ଏବେ ସମାପ୍ତ ହୋଇଯାଇଛି ଯେଉଁଥିପାଇଁ କାଶ୍ମୀରର ନେତା ମାନେ ବିଚଳିତ ହୋଇ ପଡୁଛନ୍ତି ।
ପ୍ରଶ୍ନ ଉଠୁଛି ଯେ ୩୭୦ ଧାରା ଭଳି ଅସ୍ଥାୟୀ ପ୍ରାବଧାନକୁ ହଟାଇ ଦେଇ ସରକାର କ’ଣ ଭୁଲ କରିଛନ୍ତି ଯେଉଁଥିପାଇଁ ଜାମ୍ମୁ- କାଶ୍ମୀର ବିଧାନ ସଭାରେ ହଟଗୋଳ ହେବା ସହ ଏହାକୁ ପୁନଃ କାର୍ଯ୍ୟକାରୀ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏହାକୁ କେବଳ ରାଜନୈତିକ ଆଖଡାବାଜି ବୋଲି କୁହାଯାଇପାରେ । କାରଣ ଏହି ପ୍ରସ୍ତାବ ଆଗତ କରିଥିବା ଉପ-ମୁଖ୍ୟମନ୍ତ୍ରୀ ଓ ପ୍ରସ୍ତାବର ସମର୍ଥକମାନେ ଜାଣିଛନ୍ତି ଯେ ଧାରା ୩୭୦ ଜାମ୍ମୁ- କାଶ୍ମୀରରେ ଲଗାଯିବା କଥା କହିବା ନିରର୍ଥକ ଏବଂ ଏହା ଏକ ସ୍ୱପ୍ନ ମଧ୍ୟ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ୨୦୨୩ରେ ଇଂରାଜୀ ସମ୍ବାଦପତ୍ର ଇଣ୍ଡିଆନ ଏକ୍ସପ୍ରେସର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ “ଆମେ ଏବେ ଧାରା ୩୭୦କୁ ଭୁଲିଯିବା ଆବଶ୍ୟକ”? ଉମର ଅବଦୁଲ୍ଳା ଜାମ୍ମୁ- କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା କଥା କହିଥିଲେ ଯାହା ଏବେ ମୋଦୀ ସରକାର ମଧ୍ୟ କହୁଛନ୍ତି । ସୁପ୍ରିମ କୋର୍ଟଙ୍କ ୫ ଜଣିଆ ପୀଠ ୩୭୦ ଧାରା ଉଛେଦକୁ ସାମ୍ବିଧାନିକ ବୋଲି କହିଥିବା ବେଳେ ଏବେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଛି ତାହା ସୁପ୍ରିମକୋର୍ଟଙ୍କ ଅବମାନନା ନୁହେଁ କି? ଏଣୁ ଏବେ ଧାରା ୩୭୦ କଥା କହିବାର ଉଦେଶ୍ୟ ହେଉଛି ବିଛିନ୍ନତାବାଦ । ସାରା ଭାରତର ଜନତା ଧାରା ୩୭୦କୁ ବିରୋଧ କରୁଥିଲେ । ଏବେ ଏହାକୁ ପୁନଃ ଲାଗୁ କରାଯିବା ଦେଶ ପାଇଁ ହିତକର ନୁହେଁ । ଏବେ ଭାରତ ପାକ୍ ଅଧିକୃତ କାଶ୍ମୀରକୁ ଭାରତର ଅଂଶ ବୋଲି କହୁଥିବା ବେଳେ କାଶ୍ମୀର ନେତା ମାନଙ୍କ ଭାରତ ବିରୋଧୀ କାର୍ଯ୍ୟକୁ ନେଇ ଦେଶରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । କିଛି ବିଛିନ୍ନତାବାଦୀଙ୍କୁ ଏକଥା ଭଲ ଲାଗୁଥାଇପାରେ କିନ୍ତୁ ଜାମ୍ମୁ- କାଶ୍ମୀରକୁ ଆଉ ଧାରା ୩୭୦ ଫେରିବାର ନାହିଁ । ଏହା ଏକ ସ୍ୱପ୍ନ ହୋଇପାରେ କିନ୍ତୁ ସତ୍ୟ ଠାରୁ ବହୁ ଦୁରରେ ।
ରାମଚନ୍ଦ୍ରପୁର, ରଣପୁର
ମୋ ୯୪୩୮୪୮୫୦୯୪