ବିଭ୍ରାନ୍ତିକର ବିଜ୍ଞାପନ, ଆଇନ୍
ବିଭିନ୍ନ ଗଣମାଧ୍ୟମରେ ଦିଆଯାଉଥିବା ବିଜ୍ଞାପନ କ୍ଷେତ୍ରରେ ଏହାର ସତ୍ୟତା ଏବଂ ବିଶ୍ୱସନୀୟତାକୁ ନେଇ ପ୍ରତ୍ୟେକ ଦେଶରେ ଅନେକ ପ୍ରକାରର ଆଇନ୍ ରହିଛି । ଆମ ଦେଶରେ ମଧ୍ୟ ଏ ପ୍ରକାରର ଅନେକ ଆଇନ୍ ରହିଛି । ବିଜ୍ଞାପନରେ କୌଣସି ପ୍ରକାରର ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରିଲେ ସେଥିପାଇଁ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ଅଛି । ତେବେ ଏସବୁ ସତ୍ତ୍ୱେ ବିଭିନ୍ନ ପ୍ରକାରର ଖାଉଟି ଦ୍ରବ୍ୟର ବିଜ୍ଞାପନ କ୍ଷେତ୍ରରେ ଅନେକ ପ୍ରକାରର ତ୍ରୁଟି ରହୁଥିବା ଦେଖାଯାଉଛି ।
ଅଳ୍ପ କିଛିମାସ ତଳେ ଏକ ବିସ୍କୁଟ୍ ବିଜ୍ଞାପନରେ ଦେଖାଯାଇଥିଲା ଯେ ଦୁଇ ଖଣ୍ଡ ବିସ୍କୁଟ୍ ସହିତ ଏକ ଗ୍ଲାସ୍ ଦୁଗ୍ଧକୁ ସମାନ ବୋଲି ଦର୍ଶାଯାଇଥିଲା । ଏ ପ୍ରକାରର ବିଜ୍ଞାପନ ଉପରେ ସେତେବେଳେ ଅନେକ ପ୍ରକାରର ଆପତ୍ତି ଅଭିଯୋଗ ଉଠିଥିଲା ଏବଂ ବିସ୍କୁଟ୍ କମ୍ପାନୀ ପକ୍ଷରୁ ଏ ପ୍ରକାରର ବିଜ୍ଞାପନକୁ ତୁରନ୍ତ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ ସେହିଭଳି ସମାନ ପ୍ରକାରର ଅଭିଯୋଗ ଦେଶ ସମେତ ବିଶ୍ୱବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିଥିବା ପତଞ୍ଜଳୀ କମ୍ପାନୀ ବିରୁଦ୍ଧରେ ଆସିଛି । ତାହା ବର୍ତ୍ତମାନ ସୁପି୍ରମକୋର୍ଟ୍ରେ ବିଚାରଧୀନ ଥିବାରୁ ସେ ସମ୍ପର୍କରେ କୌଣସି ପ୍ରକାରର ମନ୍ତବ୍ୟ ଏବେ ଦିଆଯାଇପାରିବ ନାହିଁ । କିନ୍ତୁ ସୁପି୍ରମକୋର୍ଟ୍ ମଝିରେ ମଝିରେ ଏହି ଘଟଣାଟିକୁ ନେଇ ଏଭଳି କିଛି ମନ୍ତବ୍ୟ ଦେଉଛନ୍ତି ଯାହାକି ସମଗ୍ର ବିଜ୍ଞାପନ ଜଗତକୁ ଦୋହଲାଇ ଦେଉଛି । ବିଜ୍ଞାପନର ମାର୍ଗଦର୍ଶିକାକୁ ନେଇ ସୁପି୍ରମକୋର୍ଟ୍ ପକ୍ଷରୁ ଦର୍ଶାଯାଇଛି ଯେ ମାର୍ଗଦର୍ଶିକା-୧୩ ଅନୁଯାୟୀ କୌଣସି ଏକ ଉତ୍ପାଦନର ପ୍ରଚାର କରୁଥିବା ବ୍ୟକ୍ତି ସେହି ଉତ୍ପାଦନ ବିଷୟରେ ଟିକିନିଖି ସବୁ ଜିନିଷ ଜାଣିବା ଦରକାର । ବିଜ୍ଞାପନରେ ପ୍ରକାଶ କରାଯାଇଥିବା ତଥ୍ୟ ଭ୍ରମାତ୍ମକ ନୁହେଁ ବୋଲି ସଂପୃକ୍ତ ବ୍ୟକ୍ତିବିଶେଷ ନିଜେ ନିଶ୍ଚିତ ହେବା ଦରକାର । ତେଣୁ ଏଭଳି ଏକ ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ବୈଦୁ୍ୟତିକ ଗଣମାଧ୍ୟମ ପାଇଁ ବିଜ୍ଞାପନଦାତା ଏକ ଘୋଷଣାପତ୍ର ମାଧ୍ୟମରେ କୌଣସି ପ୍ରକାରର ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ଲୋକଙ୍କୁ ଦିଆଯାଉନାହିଁ ବୋଲି ଦର୍ଶାଇବେ । ହେଲେ ବର୍ତ୍ତମାନ ଦେଖାଯାଉଛି ଯେ ସେଲିବ୍ରିଟିମାନଙ୍କୁ ବିଭିନ୍ନ ପ୍ରକାରର ବିଜ୍ଞାପନରେ ବ୍ୟବହାର କରାଯାଉଛି । ଯେଉଁସବୁ ଉତ୍ପାଦିତ ପଦାର୍ଥ ଉପରେ ବିଜ୍ଞାପନ ଗୁଡ଼ିକ ପ୍ରସ୍ତୁତ କରାଯାଉଛି, ସେସବୁର ପ୍ରକୃତ ଗୁଣ ଏବଂ ବିଜ୍ଞାପନ ମାଧ୍ୟମରେ ଦିଆଯାଉଥିବା ତଥ୍ୟ ମଧ୍ୟରେ ଅନେକ ପାର୍ଥକ୍ୟ ରହୁଛି । ଏଭଳି କ୍ଷେତ୍ରରେ ବିଜ୍ଞାପନରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷ ତଥା ସେଲିବି୍ରଟିମାନେ ମଧ୍ୟ ଅଭିଯୋଗ ହେଲେ ଆଇନ୍ର ପରିସର ଭିତରକୁ ଆସିବାକୁ ବାଧ୍ୟ ହେବେ ।
ବିଭିନ୍ନ ଖାଉଟି ଦ୍ରବ୍ୟର ବଜାର ସୃଷ୍ଟି କରାଯିବା ସହିତ ଔଷଧର ବଜାର ସୃଷ୍ଟି କରାଯିବା କ୍ଷେତ୍ରରେ ସମାନ ଧରଣର ବିଜ୍ଞାପନ ନୀତି ଲାଗୁ କରାଯିବା ଉଚିତ୍ । କାରଣ ଖାଦ୍ୟ ଦ୍ରବ୍ୟରେ ବିଭ୍ରାନ୍ତିକର ବିଜ୍ଞାପନ ଦିଆଗଲେ ତାହା ଲୋକଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଯେଭଳି ବିପଜ୍ଜନକ, ଔଷଧ କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ରୋଗୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ବିଭ୍ରାନ୍ତିକର ବିଜ୍ଞାପନ ଗୁଡ଼ିକୁ କଡ଼ାକଡ଼ି ଭାବରେ ଯାଞ୍ଚ୍ ନକରିଲେ ଏଥିରେ ଲୋକମାନେ ଜୀବନ ହରାଇବା ଭଳି ପରିସ୍ଥିତି ମଧ୍ୟ ଉପୁଜିପାରେ । ବିଭିନ୍ନ ଉତ୍ପାଦନର ଉତ୍ପାଦନକାରୀ ସଂସ୍ଥାମାନେ ନିଜର ବ୍ୟବସାୟ ବୃଦ୍ଧି ପାଇଁ ଯାହା ଇଚ୍ଛା ତାହା ବିଜ୍ଞାପନ ଗୁଡ଼ିକରେ ଲେଖି ଦେଇ ପାରିବେ ନାହିଁ । ବର୍ତ୍ତମାନ ବଜାରର ପରିସ୍ଥିତିକୁ ଅନୁଧ୍ୟାନ କରିଲେ ଦେଖାଯାଉଛି ଯେ ଅନେକ ପଦାର୍ଥର ନକଲି ଜିନିଷ ବଜାରରେ ମିଳୁଛି । କିନ୍ତୁ ବିଜ୍ଞାପନଦାତା ସବୁବେଳେ ମୂଳଦ୍ରବ୍ୟର ପ୍ରସ୍ତୁତକର୍ତ୍ତାଙ୍କ ଦ୍ରବ୍ୟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି । ଏହା ଫଳରେ ନକଲି ଦ୍ରବ୍ୟର ମଧ୍ୟ ବିଜ୍ଞାପନ ଆପେ ଆପେ ହୋଇଯାଏ । କିନ୍ତୁ ବଜାରରେ ଲୋକମାନେ ଅସଲି ଏବଂ ନକଲି ମଧ୍ୟରେ ରହିଥିବା ପ୍ରଭେଦକୁ ଜାଣିବାରେ ସମର୍ଥ ହୋଇପାରନ୍ତି ନାହିଁ । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ବିଜ୍ଞାପନ ନିୟମରେ ଆଉ ଏକ ସଂଶୋଧନ ମଧ୍ୟ କରାଯିବା ଆବଶ୍ୟକ । କାରଣ ମୂଳ ପଦାର୍ଥର ଉତ୍ପାଦକ ଦେଉଥିବା ବିଜ୍ଞାପନର ଲାଭ ନକଲି ପଦାର୍ଥରେ ଉତ୍ପାଦକମାନେ ସ୍ୱତଃ ପାଇଯାଉଥିବାରୁ ସେମାନଙ୍କୁ ମଧ୍ୟ ବିଭ୍ରାନ୍ତିକର ବିଜ୍ଞାପନର ବିଭିନ୍ନ ଧାରାରେ ଦଣ୍ଡିତ କରାଯିବାର ଆବଶ୍ୟକତା ରହିଛି ।