ଅସ୍ତିତ୍ୱକୁ ନେଇ ସଙ୍କଟରେ ବାମଦଳ


ଦେଶର କମୁ୍ୟନିଷ୍ଟ ଦଳମାନେ ଏବେ ସେମାନଙ୍କ ଅସ୍ତିତ୍ୱକୁ ନେଇ ସଙ୍କଟରେ ପଡ଼ିଛନ୍ତି । ୨୦୦୪ ପରଠାରୁ ଲୋକସଭାରେ ବାମଦଳ (କମୁ୍ୟନିଷ୍ଟ) ମାନଙ୍କ ପ୍ରତିନିଧିତ୍ୱ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି । ଏବେ ୧୮ଶ ଲୋକସଭା ନିର୍ବାଚନରେ ସେମାନେ ନିଜ ସ୍ଥିତିକୁ ବଞ୍ଚାଇ ପାରିବେ କି ନାହିଁ ସେ ନେଇ ମଧ୍ୟ ସନେ୍ଦହ ରହିଛି । ଦେଶ ସ୍ୱାଧନ ହେବା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ସାରା ଦେଶରେ ବାମଦଳମାନଙ୍କର ବେଶ୍ ପ୍ରଭାବ ଥିଲା । ଯଦିଓ ସେମାନେ ହାତଗଣତି କିଛି ରାଜ୍ୟରେ ସରକାର ଗଠନ ପାଇଁ ସକ୍ଷମ ହେଉଥିଲେ ତଥାପି ବାମଦଳ ଏବଂ ସେମାନଙ୍କର ଆନୁଷଙ୍ଗିକ ସଙ୍ଗଠନ ଗୁଡ଼ିକ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଥିଲେ । ବାମଦଳମାନଙ୍କର ଛାତ୍ର ସଂଙ୍ଗଠନ, ଶ୍ରମିକ ସଙ୍ଗଠନ ଏବଂ ଲେଖକ ସଙ୍ଘ ଭଳି କେତେକ ଆନୁଷଙ୍ଗିକ ସଙ୍ଗଠନ ଥିଲା । ଦେଶରେ ଏସବୁ ସଙ୍ଗଠନର ପତିଆରା ମଧ୍ୟ ବେଶ୍ ଥିଲା । କିନ୍ତୁ ସମୟ ସହ ତାଳ ମିଳାଇ ଚାଲି ନପାରିବାରୁ ଏସବୁ ସଙ୍ଗଠନ ଓ ବାମଦଳମାନଙ୍କର ପରିଚୟ ମଧ୍ୟ ଧୀରେ ଧୀରେ ହଜିଯିବାକୁ ବସିଲାଣି ।
ପଶ୍ଚିମବଙ୍ଗରେ ବାମଦଳର ସରକାର ୩ ଦଶନ୍ଧିରୁ ଅଧିକ ସମୟ ଶାସନ କରିଥିଲା । ଶାସନ ନକରି ଏହାକୁ ଏକଛତ୍ର ଶାସନ କହିଲେ ମଧ୍ୟ ଅତୁ୍ୟକ୍ତି ହେବ ନାହିଁ । ତ୍ରିପୁରାରେ ମଧ୍ୟ ବେଶ୍ କିଛି ବର୍ଷ ବାମଦଳର ଶାସନ ଥିଲା । ଏବେ କେରଳରେ ବାମଦଳର ସରକାର ଥିବାବେଳେ ତାମିଲନାଡୁରେ ଡିଏମକେ ସହ ବାମଦଳର ମେଣ୍ଟରେ ସରକାର ଚାଲିଛି । ୧୯୨୫ ମସିହାରେ ଭାରତରେ ଗଠନ କରାଯାଇଥିଲା କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ । ପରେ ଏହାର ବିଭାଜନ ହୋଇଥିଲା ଓ ଏଥିରୁ କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କସିଷ୍ଟ ବା ସିପିଆଇଏମ)ର ସୃଷ୍ଟି ହୋଇଥିଲା । ଆଉ ଏକ ଗୋଷ୍ଠୀ ହେଉଛନ୍ତି କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କସିଷ୍ଟ-ଲେଲିନିଷ୍ଟ) । କମୁ୍ୟନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୧୯୨୫ ମସିହା ଡିସେମ୍ବର ୨୬ ମସିହାରେ କାନପୁର ଠାରେ ତାର କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଦଳରୁ କିଛି ବିଭାଜିତ ଗୋଷ୍ଠୀ ୧୯୬୪ ମସିହାରେ କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କସିଷ୍ଟ) ଗଠିତ ହୋଇଥିଲା । ଅନେକଙ୍କ ମତରେ ୧୯୨୦ ମସିହା ଅକ୍ଟୋବର ମାସରେ କମୁ୍ୟନିଷ୍ଟ ପାର୍ଟି ଗଠନ କରାଯାଇଥିଲା, ଏହାର ଗଠନର ତାରିଖ (ମସିହା)କୁ ନେଇ ମଧ୍ୟ ବିବାଦ ରହଛି । ତଥ୍ୟ ଅନୁସାରେ ଦେଶରୁ ବ୍ରିଟିଶ୍ ଶାସନକୁ ହଟାଇବା ପାଇଁ ଏମ୍ଏନ୍ ରାୟଙ୍କ ନେତୃତ୍ୱରେ କେତେକ କ୍ରାନ୍ତିକାରୀ ତାସକେଣ୍ଟ ଯାଇ ତତ୍କାଳୀନ ସୋଭିଏତ ସଙ୍ଘର କମୁ୍ୟନିଷ୍ଟ ନେତାମାନଙ୍କୁ ଭେଟିଥିଲେ ଓ ୧୯୨୦ ମସିହା ଅକ୍ଟୋବର ୧୭ ତାରିଖରେ କମୁ୍ୟନିଷ୍ଟ ପାର୍ଟି ଅଫ ଇଣ୍ଡିଆର ଗଠନ କରିଥିଲେ । କିନ୍ତୁ ୧୯୨୫ ମସିହାରେ ବିଧିବଦ୍ଧ ଭାବେ ଭାରତରେ ଏହି ଦଳ କାର୍ଯ୍ୟ ଆରମ୍ଭ କରିଥିଲା ।
    ଏବେ ୭ଟି ରାଜ୍ୟର ବିଧାନସଭାରେ ବାମଦଳର ପ୍ରତିନିଧିତ୍ୱ ରହିଛି କିନ୍ତୁ ଏମାନଙ୍କ ସଂଖ୍ୟା କେରଳକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟମାନଙ୍କରେ ନଗଣ୍ୟ । ୧୯୭୭ ମସିହା ଠାରୁ ୨୦୧୧ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବାମଦଳର ଶାସନ ଥିଲା । ୧୯୭୭ ମସିହା ଠାରୁ ୨୦୧୧ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଜ୍ୟୋତିବସୁ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୦୦ ନଭେମ୍ବର ଠାରୁ ୨୦୧୧ ମସିହା ମେ ମାସ ପର୍ଯ୍ୟନ୍ତ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୧ରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ କିନ୍ତୁ କମୁ୍ୟନିଷ୍ଟ ଦୁର୍ଗ ଭୁଶୁଡ଼ି ପଡ଼ିଥିଲା ଓ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ, କଂଗ୍ରେସ ଓ ଏସ୍ୟୁସିଆଇ ସହ ମେଣ୍ଟ କରି ସରକାର ଗଠନ କରିଥିଲା । ୨୦୧୧ ଠାରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବାମଦଳର କିଛି ପ୍ରଭାବ ଥିଲା କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ବାମଦଳ ଗୋଟିଏ ମାତ୍ର ଲୋକସଭା ଆସନରେ ଜିତି ପାରିନଥିଲା । ସେହିପରି ୨୦୧୯ରେ ତ୍ରିପୁରାରେ ମଧ୍ୟ କୌଣସି ଲୋକସଭା ଆସନରେ ବାମଦଳ ଜିତି ପାରିନଥିଲା । କଥା  ହେଉଛି ସମୟର ଆବଶ୍ୟକତା ସହ ବୁଝାମଣା ଏବଂ ସେଇ ଅନୁସାରେ ସମୟାନୁକୂଳ ପରିବର୍ତ୍ତନ କରିବା ହେଉଛି ଏକ ଆବଶ୍ୟକତା । ଜନଭାବନାକୁ ମଧ୍ୟ ବୁଝିବା ଆବଶ୍ୟକ । କେବଳ ବିଚାରଧାରା ଓ ଉଗ୍ରତାକୁ ଧରି ରଖିଲେ କାମ ଚଳିବ ନାହିଁ । ପୁଣି ସମୟ ଅନୁସାରେ ଠିକ୍ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଜ୍ୟୋତିବସୁ ପ୍ରଧାନମନ୍ତ୍ରୀ ହେବାପାଇଁ ୩ଥର ସୁଯୋଗ ଥିଲା କିନ୍ତୁ ପଲିଟିବୁ୍ୟରୋ ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଅନୁମତି ଦେଇନଥିଲା । ଯଦି ପଲିଟିବୁ୍ୟରୋ ଜ୍ୟୋତିବସୁଙ୍କୁ ସେତେବେଳେ ପ୍ରଧାନମନ୍ତ୍ରୀ ହେବା ପାଇଁ ସହମତ ହୋଇଥାନ୍ତା ତେବେ ବାମଦଳ ମାନଙ୍କର ଅବସ୍ଥା ଆଜି ଏପରି ନଥାନ୍ତ ।
୨୦୦୪ର ଲୋକସଭା ନିର୍ବାଚନରେ ବାମଦଳ ୫୯ଟି ଆସନରେ ବିଜୟୀ ହୋଇଥିଲେ । ୨୦୧୯ର ଲୋକସଭା ନିର୍ବାଚନରେ ମାତ୍ର ୬ଟି ଆସନରେ ବିଜୟୀ ହୋଇଥିଲା । ଏବେ କମୁ୍ୟନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କସିଷ୍ଟ) କେବଳ ଜାତୀୟ ଦଳର ମାନ୍ୟତାକୁ ରଖିବାରେ ସକ୍ଷମ ହୋଇଛି । ସମୟ ଥିଲା ଯେତେବେଳେ ବାମଦଳର ନେତାମାନେ କେନ୍ଦ୍ରରେ ସରକାରକୁ ପ୍ରଭାବିତ କରି ପାରୁଥିଲେ । କିନ୍ତୁ ଏବେ ସେମିତି ଅବସ୍ଥା ନାହିଁ । ପ୍ରକାଶ କାରାତ ବା ସୀତାରାମ ୟେଚୁରୀଙ୍କ ନାମ କଦବା କ୍ୱଚିତ୍ ଶୁଣାଯାଉଛି । ବାମଦଳରେ ସୋମନାଥ ଚାଟାର୍ଜୀ, ଇନ୍ଦ୍ରଜିତ ଗୁପ୍ତ, ଏ ବି ବର୍ଦ୍ଧନ,ଜ୍ୟୋତିବସୁଙ୍କ ଭଳି ନେତା ଥିଲେ । ଏମାନଙ୍କ ପୂର୍ବରୁ ପି ସୁନ୍ଦରେୟା, ସି ରାଜେଶ୍ୱର ରାଓ, ଇଏମ୍ଏସ୍ ନମ୍ବୁଦ୍ରିପଦ, ଏ କେ ଗୋପାଳନ୍, ବିଟି ରଣଦୀବଙ୍କ ଭଳି ନେତା ମଧ୍ୟ ଥିଲେ । ଭାରତୀୟ ରାଜନୀତିରେ ଏମାନଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ଥିଲା । ୨୦୦୯ ନିର୍ବାଚନ ପରଠାରୁ ବାମଦଳର ସ୍ଥିତି ହ୍ରାସ ପାଇବାରେ ଲାଗିଲା । ୨୦୦୪ରେ ୫୯ ଆସନରେ ଜିତିଥିବା ଦଳ ୨୦୦୯ରେ ମାତ୍ର ୨୪ଟି ଲୋକସଭା ଆସନରେ ଜିତି ପାରିଥିଲା । ୨୦୧୪ ଲୋକସଭା ନିର୍ବାଚନରେ ଏହି ସଂଖ୍ୟା ୧୨କୁ କମି ଆସିଲା ଓ ୨୦୧୯ ନିର୍ବାଚନରେ ଏହି ସଂଖ୍ୟା ୬ ରହିଯାଇଥିଲା । ଏବେର ନିର୍ବାଚନରେ କ’ଣ ହେବ ସେକଥା ଫଳାଫଳ ଘୋଷଣା ପରେ ଜାଣିବେ । କିନ୍ତୁ ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ବାମଦଳର ଜିତିବାର ସମ୍ଭାବନା ନଥିବା ବେଳେ କେରଳରେ କିଛି ଆସନ ଜିଣିପାରେ ।
ବାମଦଳର ସ୍ଥିତି ବିପର୍ଯ୍ୟୟ ହେବାର କାରଣ ଗୁଡ଼ିକ ମଧ୍ୟରୁ ଗୋଟିଏ କାରଣ ହେଉଛି ବାମଦଳ ଯାହାକୁ ଭୋଟବ୍ୟାଙ୍କ ଭାବୁଥିଲା ସେଇ ଭୋଟ ବ୍ୟାଙ୍କକୁ କଂଗ୍ରେସ ହାତେଇବାକୁ ବସିଛି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ବିଜେପି ବାମଦଳର ଭୋଟବ୍ୟାଙ୍କକୁ ବିଭାଜିତ କରି ନିଜ ଅକ୍ତିଆରକୁ ଆଣିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । କେରଳରେ ସଂଖ୍ୟାଲଘୁ ଓ ହିନ୍ଦୁମାନେ ଯେଉଁମାନେ ବାମଦଳର ଭୋଟବ୍ୟାଙ୍କ ଭାବେ ପରିଚିତ ଥିଲେ ଏବେ ସେମାନଙ୍କୁ କଂଗ୍ରେସ ନିଜ ଆଡ଼କୁ ଟାଣିନେଉଛି । ବାମଦଳରେ ମଧ୍ୟ ଭଲ ବକ୍ତା ମଧ୍ୟ ନାହାଁନ୍ତି ଯିଏ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିପାରିବେ । ମିଡିଆ ବା ଗଣମାଧ୍ୟମ ପରିଚାଳନା କ୍ଷେତ୍ରରେ ମଧ୍ୟ ବାମଦଳ ବହୁ ପଛରେ ପଡ଼ିଛି । ଏଭଳି ଅବସ୍ଥାରେ ୧୮ଶ ଲୋକସଭା ନିର୍ବାଚନରେ ବାମଦଳର ଅବସ୍ଥା କ’ଣ ହେବ ତାହା ସମୟ କହିବ । ବାମଦଳରେ ଏବେ ଦ୍ୱିତୀୟ ଧାଡ଼ିର ନେତା ନାହାଁନ୍ତି କହିଲେ ଚଳେ । ଅନ୍ୟପକ୍ଷରେ କ୍ୟାଡରମାନଙ୍କୁ ମଜଭୁତ କରିବାର ପ୍ରୟାସ ମଧ୍ୟ କରାଯାଉନାହିଁ । ଏକଦା ଜନ ଆନେ୍ଦାଳନ ବାମଦଳର ପରିଚୟ ଥିଲା । ଏବେ ଏସବୁ ନୈପଥ୍ୟରେ । ଭାରତୀୟ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବାକୁ ହେଲେ ଠୋସ୍ ରଣନୀତି ପ୍ରସ୍ତୁତ କରିବା ବାମଦଳ ପାଇଁ ଏକ ଆବଶ୍ୟକତା ଓ ବାଧ୍ୟବାଧକତା ମଧ୍ୟ । ଅନ୍ୟଥା ଦଳକୁ ନିଜର ସ୍ଥିତି ବଞ୍ଚାଇ ରଖିବା ମଧ୍ୟ କଷ୍ଟକର ହୋଇପଡ଼ଇବ ଓ ଆଉ କିଛି ବର୍ଷ ପରେ ଲୋକେ ମଧ୍ୟ ବାମଦଳମାନଙ୍କୁ ଭୁଲିଯିବେ ।
 ରାମଚନ୍ଦ୍ରପୁର, ରଣପୁର