ପରିଚାଳନା ବିଭ୍ରାଟରେ ସର୍ବଭାରତୀୟ ନିଟ୍ ପରୀକ୍ଷା


ସର୍ବଭାରତୀୟ ନିଟ ପରୀକ୍ଷାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ, ଆଲୋଚନା ଆରମ୍ଭ ହୋଇଯାଇଛି । ଦେଶରେ ୬୦୦ରୁ ଅଧିକ ମେଡ଼ିକାଲ କଲେଜରେ ଏମବିବିଏସ ପାଠପଢ଼ା ହେଉଛି । ୨୦୨୪ରେ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ-ୟୁଜି ପରୀକ୍ଷା ଦେଇଥିଲେ । ସେମାନଙ୍କ ଭିତରୁ ଅଧିକାଂଶ ସରକାରୀ ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ ଆଶାୟୀ ଥିଲେ । ଦେଶରେ ୩୮୬ଟି ସରକାରୀ ମେଡ଼ିକାଲ କଲେଜରେ ମାତ୍ର୫୫୦୯୫ଟି ସିଟ ରହିିଛି । ସେହିପରି ୩୨୦ଟି ଘରୋଇ ମେଡ଼ିକାଲ କଲେଜରେ ୫୩୬୨୫ ସିଟ ରହିଛି । ସେହି କଲେଜଗୁଡ଼ିକରେ ପଢ଼ିବାକୁ ହେଲେ ବିପୁଳ ପରିମାଣର ଫି ଗଣିବାକୁ ପଡ଼ୁଛି ।
ମେଧା ସୃଷ୍ଟି ଓ ଅନ୍ୱେଷଣରେ ବିଶ୍ୱଗୁରୁ ଆଖ୍ୟା ପାଇଥିବା ଭାରତ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ପରୀକ୍ଷା ପରିଚାଳନା ବିଭ୍ରାଟ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏନଟିଏ ଦ୍ୱାରା ପରିଚାଳିତ ଚଳିତ ବର୍ଷର ନିଟ-ୟୁଜି (ଡାକ୍ତରୀ ପରୀକ୍ଷ)ରେ ଗ୍ରେସ ମାର୍କ ବିବାଦ ଓ ପ୍ରଶ୍ନପତ୍ର ପ୍ରଘଟ ପରି ଗୁରୁତର ଅଭିଯୋଗ ଆସିବା ପରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଘେରକୁ ଚାଲିଯାଇଛି । କେବଳ ସେତିକି ନୁହେଁ, ନିଟ ୟୁଜି ପରୀକ୍ଷା ବିଭ୍ରାଟ ଜଣାପଡ଼ିବା ପରେ ଏନଟିଏ ଦ୍ୱାରା ପରିଚାଳିତ  ନିଟ ପିଜି ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ଏବଂ ଅଧ୍ୟାପନା ଓ ଗବେଷଣା ପାଇଁ ଉଦ୍ଦିଷ୍ଟ ଯୋଗ୍ୟତା ପରୀକ୍ଷା ନିଟ ୟୁଜିସିକୁ ବାତିଲ କରିଦିଆଯାଇଛି । ଫଳରେ ଏହି ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଶ୍ରମ, ଅଧ୍ୟବସାୟ ନିଷ୍ପଲ ହେବା ସହିତ ସେମାନଙ୍କ କ୍ୟାରିୟର ଗଠନ ଆଶା ମଧ୍ୟ ମଉଳି ଯାଇଛି । ସୂଚନା ଥାଉକି ସରକାରୀ କଲେଜରେ ଏମବିବିଏସ ପଢ଼ିବା ଲାଗି ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ମାତ୍ର ଘରୋଇ କଲେଜରେ ସେହି ପାଠ ପଢ଼ିଲେ ବାର୍ଷିକ ୧୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି । କୋର୍ସ ପୁରା ଶେଷ କରିବା ଭିତରେ ୮୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ଉନ୍ନତ ଭିତ୍ତିଭୂମି ଓ ଫାକଲଟି ପାଇଁ ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ଅଧିକ ଫି ନେଉଥିବା ଦାବି କରୁଛନ୍ତି । କିନ୍ତୁ ଦେଶର ଅଧିକାଂଶ ମଧ୍ୟବିତ୍ତ ପରିବାରର ଯୋଗ୍ୟ ଛାତ୍ରଛାତ୍ରୀ ଏହି ଫି ଯୋଗାଡ଼ କରିବାକୁ ଅସମର୍ଥ ହୋଇପଡ଼ିଥାନ୍ତି । ପ୍ରଶ୍ନପତ୍ର ପ୍ରଘଟ ନିରୋଧ ଆଇନାନୁସାରେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଅନ୍ୟ ପରୀକ୍ଷା ସହ କମ୍ପୁ୍ୟଟର ପର୍ଯ୍ୟବସିତ ପରୀକ୍ଷା ଗୁଡ଼ିକ ନିମନ୍ତେ ଜାତୀୟ ନିଯୁକ୍ତି ସଂସ୍ଥା ଆବଶ୍ୟକ ଏସଓପି ଜାରି କରିବାକୁ ବାଧ୍ୟତାମୂଳକ କରାଯାଇଛି । ବିଜ୍ଞପ୍ତି ଅନୁସାରେ, ପ୍ରତ୍ୟେକ ପରୀକ୍ଷା ଓ ପ୍ରବେଶିକା ପରୀକ୍ଷା ପୂର୍ବରୁ ସହଯୋଗୀ ସଂସ୍ଥା, ବ୍ୟକ୍ତିବିଶେଷ, ଅନୁଷ୍ଠାନ ଆଦି ସହ ସମାଲୋଚନା କରି ଏନଆରଏ ଆବଶ୍ୟକ ଗାଇଡ଼ଲାଇନ, ଏସଓପି ଆଦି ପ୍ରସ୍ତୁତ କରିବ । ପ୍ରତି ପରୀକ୍ଷା ପୂର୍ବରୁ ଏହି ଗାଇଡ଼ଲାଇନ, ଏସଓପି ଗୁଡ଼ିକୁ କେନ୍ଦ୍ର ସରକାର ସର୍ବସାଧାରଣରେ ପ୍ରକାଶ କରିବେ । ଏସଓପିରେ ପରୀକ୍ଷା କେନ୍ଦ୍ରର ପ୍ରାକ ନିରୀକ୍ଷଣ, ପରୀକ୍ଷା କେନ୍ଦ୍ର ନିକଟରେ ପ୍ରାର୍ଥୀଙ୍କୁ ଯାଞ୍ଚ, ବାୟୋମେଟ୍ରିକ ପଞ୍ଜୀକରଣ, ସୁରକ୍ଷା ଓ ସ୍କ୍ରିନିଂ ପରୀକ୍ଷା କେନ୍ଦ୍ରରେ ବସିବା ସ୍ଥାନର ବ୍ୟବସ୍ଥା, ପ୍ରଶ୍ନପତ୍ର ସେଟିଂ ଏବଂ ପରୀକ୍ଷା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ବିସ୍ତୃତ ନୀତି ରହିବ ।  ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆଗରେ ଦୁଇଟି ପ୍ରଶ୍ନ । ପ୍ରଥମଟି ହେଲା ଏ ବର୍ଷ ନିଟ-ୟୁଜି ପରୀକ୍ଷା ଦେଇଥିବା ପ୍ରାୟ ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି କିଭଳି ନ୍ୟାୟ କରାଯିବ? ସୁପ୍ରିମକୋର୍ଟ ଏ ପର୍ଯ୍ୟନ୍ତ ନାମଲେଖା କାଉନସେଲିଂ ପ୍ରକ୍ରିୟା ଉପରେ ରହିତାଦେଶ ଦେଇନାହାନ୍ତି । ଆସନ୍ତା ଜୁଲାଇ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି କାଉନସେଲିଂ ପ୍ରକ୍ରିୟାରେ ଯେଉଁମାନେ ନାମଲେଖା ପାଇଁ କଲେଜ ଚୟନ କରିସାରିବେ ସେମାନେ ସେଇଠି ନାମ ଲେଖାଇବା ସୁନିଶ୍ଚି ତ? ଯୋଗ୍ୟ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ଏଥିପାଇଁ କି ପ୍ରକାର ମାନସିକ ଚାପରେ ଥିବେ ତାହା ସହଜରେ ଅନୁମେୟ । ଏକ ତ ନିଟ-ୟୁଜି ପରୀକ୍ଷା ପାଇଁ ପିଲାମାନେ ବର୍ଷ ବର୍ଷ ଧରି କୋଚିଂ କ୍ଲାସରେ ନାଁ ଲେଖାଇ ଖର୍ଚ୍ଚାନ୍ତ ହୋଇ ପ୍ରସ୍ତୁତି କରୁଛନ୍ତି । ତାହା ପୁଣି ପରୀକ୍ଷାର୍ଥୀଙ୍କୁ ଯେଭଳି କଠିନ ପ୍ରତିଯୋଗିତା ଓ ମାନସିକ ଚାପର ସମ୍ମୁଖୀ କରାଉଛି ସେଥିରେ ସହି ନପାରି ଅନେକ ଛାତ୍ର ଆତ୍ମହତ୍ୟା କରୁଛନ୍ତି ଅଥବା କୋଚିଂ ଛାଡ଼ି ପଳାଉଛନ୍ତି । ତା ପରେ ଯଦି ପରୀକ୍ଷା ଫଳ ପ୍ରକାଶନ ଓ ପରବର୍ତ୍ତୀ କାଉନସେଲିଂ ପ୍ରକି୍ରୟା ଏଭଳି ଘୋର ଅନିଶ୍ଚିତତା ମଧ୍ୟରେ ଝୁଲି ରହିବ ତେବେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନସ୍ଥିତି ସହଜେ ଅନୁମେୟ । 
ଦ୍ୱିତୀୟ ପ୍ରଶ୍ନଟି ହେଲା ବର୍ତ୍ତମାନର ନିଟ ପରୀକ୍ଷା ଓ ମୂଲ୍ୟାଙ୍କନ ପ୍ରକ୍ରିୟାରେ କେଉଁଠି ତ୍ରୁଟି ବିଚୁ୍ୟତି ରହୁଛି ତାହା ଅନୁଧ୍ୟାନ କରି ସୁଧାରିବା ପାଇଁ ଯେଉଁ ସାତଜଣିଆ ବିଶେଷଜ୍ଞ କମିଟିକୁ ଦାୟିତ୍ୱ ଦିଆଯାଇଛି ସେମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ପାଇଁ ତରବର ନହୋଇ ଆବଶ୍ୟକୀୟ ସମୟ ନେଇ ଅନୁଧ୍ୟାନ ଓ ସୁପାରିସ କରିବା ଆବଶ୍ୟକ । ଏନଟିଏ ସ୍ଥାପନ ହେବା ଦିନଠାରୁ କେତେ ଗୁଡ଼ିଏ ଅଘଟଣ ଘଟୁଥିବାରୁ ସେହି ଅନୁଷ୍ଠାନର କାର୍ଯ୍ୟ ଦକ୍ଷତା ଓ ସାଧୁତା ଉପରେ ସନେ୍ଦହ ଉପୁଜିବା ସ୍ୱାଭାବିକ । ଏ ସବୁ ଅନିୟମିତା, ଅନିଶ୍ଚିତତା, ରାଜନୀତି କୋଳାହଳ ଓ ନ୍ୟାୟିକ ପ୍ରକ୍ରିୟାରେ ପୃଷ୍ଠଭୂମିରେ ଏକ ଦକ୍ଷ, ସ୍ୱଚ୍ଛ ଓ ଛାତ୍ରମଙ୍ଗଳ ଅନୁକୂଳ କେନ୍ଦ୍ରୀୟ ପରୀକ୍ଷଣ ଏଜେନ୍ସିକୁ ଭାଙ୍ଗି ଦେବା ପାଇଁ କୌଣସି ପଦକ୍ଷେପ ନେବା ଉଚିତ ହେବନାହିଁ । ପ୍ରବେଶିକା ପରୀକ୍ଷା ବିକେନ୍ଦ୍ରୀକରଣ ତଥା ଘରୋଇକରଣ ଯେ ସାମ୍ପ୍ରତିକ ସମସ୍ୟାର ସମାଧାନ ନୁହେଁ, ଏକଥା ସମସ୍ତଙ୍କୁ ମନେ ରଖିବାକୁ ହେବ । 
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦