ନିଜ ଉପରେ ଭରସା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ନିଜ ଉପରେ ଭରସା କେତେ ଗୁରୁତ୍ୱପୂର୍ଣ୍ଣ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନନରେ ନିଜ ଉପରେ ଭରସା ରଖିବା ଆମର ପ୍ରଧାନ ଏବଂ ପରମ କର୍ତ୍ତବ୍ୟ । ଏହି ଭରସା ଦୃଢ ହେବା ଉଚିତ୍ । ଏହାକୁ ପ୍ରତିଟି ମୁହୂର୍ତ୍ତରେ ସଶକ୍ତ ଏବଂ ସବଳ କରିବା ଦିଗରେ ମଧ୍ୟ ପ୍ରୟାସ ଜାରି ରଖିବାକୁ ହେବ । ଆମେ ଏହାକୁ ଆତ୍ମବଳ ବା ଆତ୍ମଭରସା ମଧ୍ୟ ବିବେଚନା କରିପାରିବା । ଏଥିପାଇଁ ନିରନ୍ତର ସାଧାନର ଆବଶ୍ୟକତା ରହିଛି ।
ମନେ ରଖିବାକୁ ହେବ ଯେ ମୁଁ ବୀର, ଦୁର୍ବଳ ନୁହଁ । ପୁୁର୍ନବାର ସ୍ମରଣ ରଖିବାକୁ ହେବ ଯେ ମୁୁଁ ପରମପିତାଙ୍କ ସନ୍ତାନ । ମୋ ଭିତରେ କେବଳ ତାଙ୍କରି ଇଚ୍ଛା ପୂର୍ଣ୍ଣ ହେଉ । ସକାରାତ୍ମକ ପରିବେଶ ଭିତରେ ମଣିଷର ଚରିତ୍ର ଅଧିକ ମଜଭୁତ ହୋଇ ଉଠେ । ମନର ଶକ୍ତିକୁ ସଂରକ୍ଷିତ କରିବାରେ ହିଁ ବିଜୟ ସହଜ ଏବଂ ସମ୍ଭବ ହୋଇ ଉଠେ । ସଫଳତା ବା ବିଫଳତାକୁୁ କେବଳ ଜୀବନର ଆଦର୍ଶ ବୋଲି ବିଚାର କରିବା ଅନୁଚିତ୍ । ଦୁହେଁ ଦୁହିଁଙ୍କ ପରିପୂରକ ମାତ୍ର । କାରଣ, ସଫଳତା ବା ବିିଫଳତା କେହି ଚିରସ୍ଥାୟୀ ନୁହେଁ । ଏଥିପାଇଁ ପ୍ରଥମେ ନିଜକୁ ଭଲପାଇବା ଉଚିତ୍ । ନିଜ ଉପରେ ଅକାଟ୍ୟ ଭରସା ରଖି ଆଗକୁ ବଢିବା ଉଚିତ୍ ।
ନିଜ ଉପରେ ଯିଏ ବିଶ୍ୱାସ, ଭରସା ରଖିପାରିବ ନାହିଁ ସେ ସେହି ବିଶ୍ୱାସ, ଭରସା ଅନ୍ୟ ଉପରେ ରଖିବା ବି ସମ୍ଭବ ନୁହେଁ । ଏହାକୁ ସଂରକ୍ଷଣ କରିବାକୁ ପଡେ । ଆପଣା ଛାଏଁ କିଛି ବି ହାସଲ ହୋଇଯାଏ ନାହିଁ । କିଛି ନକରି ପାଇବାର ଆଶା ମଧ୍ୟ ପରିହାର କରିଦେବା ଉଚିତ୍ । ଭଲପାଇବା ଦେଲେ ଯେପରି ଭଲପାଇବା ମିଳେ, ଠିକ୍ ସେହିପରି ନିଜ ଭିତରଟାକୁ ଠିକ୍ କରିଲେ ହିଁ ତାର ପ୍ରତିଫଳନ ବାହର ଦୁନିଆରେ ସ୍ୱତଃ ଦେଖାଯାଏ । ଏଥିପାଇଁ ଆମ ସମସ୍ତଙ୍କୁ ସୁକର୍ମ କରିବାକୁ ହେବ । ଆଦର୍ଶଙ୍କୁ ବହନ କରି ଚାଲିବାକୁ ପଡିବ । ଏହା ହିଁ ସତ୍ୟର ପଥ, ମୁକ୍ତିର ପଥ, ଆନନ୍ଦର ପଥ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।