ସ୍ୱର୍ଗାରୋହଣ ପଥରେ ପାଣ୍ଡବମାନେ
ଲଳିତ ଲେଙ୍କା :
ଦ୍ରୋପଦୀଙ୍କ ସହିତ ପାଣ୍ଡବମାନେ ସ୍ୱର୍ଗ ଗମନ ପାଇଁ ହେମବନ୍ତ ପର୍ବତ ଉପରକୁ ଯାତ୍ରା କଲେ । ସର୍ବାଗ୍ରେ ଯୁଧିଷ୍ଠିର ପବନ ଠାରୁ ଅଧିକ ବେଗରେ ଚାଲୁଥାନ୍ତି । ପଛରେ ଚାଲୁଥାନ୍ତି ଭୀମସେନ, ଅର୍ଜୁନ, ନକୁଳ, ସହଦେବ ଓ ଦ୍ରୋପଦୀ । ଚାଲି ଚାଲି କ୍ଷୁଧା ଓ ତୃଷ୍ଣାରେ ଆତୁର ହୋଇ ଦେବୀ ଦ୍ରୋ÷ପଦୀ ପାଣ୍ଡବମାନଙ୍କ ସହ ସମତାଳରେ ଚାଲିପାରୁନଥାନ୍ତି । ଦ୍ରୌପଦୀ ଯୁଧିଷ୍ଠିରଙ୍କୁ କହିଲେ ଆଜି ଏଠାରେ ଅବସ୍ଥାନ କରି କାଲି ପୁଣି ଯାତ୍ରା ଆରମ୍ଭ କରିବା । କାରଣ ସେ ଏବେ ଚାଲିବା ଅବସ୍ଥାରେ ନାହାଁନ୍ତି । ଯୁଧିଷ୍ଠିର କହିଲେ ଏହି ପଥ ହେଉଛି ପୁଣ୍ୟ ଭୁବନ । ଏଠାରେ ଅନ୍ନ ଆବଶ୍ୟକ ନାହିଁ । ଉପବାସରେ ରହିବା କଥା । ଆଗରେ ଅନେକ ଫଳ ବୃକ୍ଷ ଅଛି । ପର୍ବତ ଉପରେ ଫଳମୂଳ ଖାଇବା, ଅନ୍ନକୁ ଆଶା ନକରି ଶୀଘ୍ର ଶୀଘ୍ର ଚାଲିଆସିବାକୁ ଯୁଧିଷ୍ଠିର ଦ୍ରୌପଦୀଙ୍କୁ ଡାକି ପର୍ବତ ଉପରକୁ ଚାଲିବାକୁ ଲାଗିଲେ ।
ଦ୍ରୌପଦୀ ଚାଲି ନପାରି ମୁହଁ ମାଡି ତଳେ ପଡିଯିବା ସମୟରେ ସ୍ୱାମୀ ରଖ ରଖ ବୋଲି ଡାକ ଦେଲେ । ଯୁଧିଷ୍ଠିର ଦ୍ରୌପଦୀଙ୍କ ଡାକକୁ କର୍ଣ୍ଣପାତ ନକରି ଚାଲିଗଲେ । ମାତ୍ର ଭୀମସେନ ହା ହା ପି୍ରୟା ବୋଲି କହି ଦ୍ରୋ÷ପଦୀଙ୍କୁ କୋଳେଇ ଧରି ପକାଇଲେ । ଯୁଧିଷ୍ଠିରଙ୍କୁ ଡାକି କହିଲେ ଆପଣଙ୍କ ପ୍ରାଣର ଭାବିନୀ ପଥ ମଧ୍ୟରେ ମୃତୁ୍ୟମୁଖରେ ପଡିଛି । ଆପଣ କିପରି ବିମୁଖ ହେଉଛନ୍ତି ? ଆପଣଙ୍କ ଶରୀର କ’ଣ ପାଷାଣ ହୋଇଗଲା ? କିପରି ଏତେ ନିଗ୍ରୋହି ହୋଇପାରିଲ ? ଦ୍ରୌପଦୀ ଗୋଟିଏ ସ୍ତ୍ରୀ ହୋଇ ପାଞ୍ଚ ସ୍ୱାମୀଙ୍କର କେତେ ଅଳି ଅର୍ଦ୍ଦଳି ନ ସହିଛି ? ଅଗ୍ନି ସମ୍ଭୁତା ଦ୍ରୌପଦୀ ସର୍ବଗୁଣ ସମ୍ପନ୍ନା ହୋଇ ମଧ୍ୟ କିପରି ଏହାକୁ ତେଜ୍ୟା କରି ଯିବା ପାଇଁ ଆପଣଙ୍କ ମନ ବଳିଲା ? ପ୍ରିୟବତାକୁ ତେଜ୍ୟା କଲେ ଧର୍ମ ହାନି ହୁଏ । ଆପଣଙ୍କ ଧର୍ମରାଜ ପଣ ଏବେ କୁଆଡେ ଗଲା ?
ଯୁଧିଷ୍ଠିର କହିଲେ ଭୀମସେନ ଦ୍ରୌପଦୀକୁ ସେଠାରେ ଛାଡି ତୁମେ ଚାଲିଆସ । ଯିଏ ଯାହାର କର୍ମଫଳ ହିଁ ଭୁଞ୍ଜିଥାଏ । ଦ୍ରୌପଦୀର ବହୁତ ଅବିଗୁଣ ରହିଛି । ଏହାର ପାଇଁ ଆମ ଭାଇ ଭାଇ ଭିତରେ କଳି ହୋଇଛି । ସଂସାରରେ ଯିଏ ଯାହାର ପୁଣ୍ୟଘେନି ସ୍ୱର୍ଗକୁ ଯାଇଥାଏ । ଦ୍ରୌପଦୀ ହେଉଛନ୍ତି ମହାପାପୀ । ଆମ ପାଞ୍ଚଭାଇରେ ସେ ମଧ୍ୟମ ପାଣ୍ଡବଙ୍କୁ ଅଧିକ ଭଲପାଏ । ତେଣୁ ଦ୍ରୌପଦୀଙ୍କୁ ଛାଡି ତୁ ଚାଲିଆସ । ଦ୍ରୌପଦୀ ପାଇଁ ଶୋକ କଲେ ତୁ ପ୍ରାଣ ହରାଇବୁ । ପୁଣ୍ୟ ଥିଲେ ସେ ଆମ ସହିତ ଯାଇଥାନ୍ତା । ତେଣୁ ଦ୍ରୌପଦୀଙ୍କୁ ସେଠାରେ ଛାଡି ଦେଇ ତୁମେ ଆମ ସହିତ ଚାଲିଆସ । ଦେଖୁ ଦେଖୁ ଦ୍ରୌପଦୀ ସେଠାରେ ପ୍ରାଣତ୍ୟାଗ କଲେ । ଭୀମସେନ ଦ୍ରୌପଦୀଙ୍କୁ ସେଠାରେ ଛାଡିଦେଇ କହିଲେ ଆପଣ ଏତେ ନିର୍ଦ୍ଦୟ । ଏହାପରେ ଯୁଧିଷ୍ଠିରଙ୍କ ପଛେ ପଛେ ଏକା ନିମିଷକେ ପାଞ୍ଚ ଯୋଜନ ପଥ ଅତିକ୍ରମ କରିଗଲେ । କନିଷ୍ଠ ପାଣ୍ଡବ ସହଦେବ ଚାରିଭାଇଙ୍କ ପଛେ ପଛେ ଚାଲିନପାରି ବିକଳ ହୋଇ କହିଲେ ଭ୍ରାତା ଆଜିକ ଏଠାରେ ରହି ଆସନ୍ତାକାଲି ଯାତ୍ରା କରିବା । ଏହା କହୁ କହୁ ବାଟରେ ସହଦେବ ଝୁଣ୍ଟି ପଡି ରଖ ରଖ ଧର୍ମ ଦେବ ବୋଲି ଡାକଦେଲା । ସହଦେବ ତଳେ ପଡିଯିବାରୁ ଏକ ନିର୍ଘାତ ଶବ୍ଦ କଲା । ସହଦେବ ପଡନ୍ତେ ଭୀମସେନ ହା ହା ଭାଇ ବୋଲି କହି ତାହାଙ୍କୁ କୋଳରେ ଧରି ପକାଇଲା । ଯୁଧିଷ୍ଠିରଙ୍କୁ କହିଲେ ମନ୍ତ୍ରୀ ଚୂଡାମଣି ସହଦେବ ଆମର ଅଚେତ ହୋଇପଡିଛି । ଟିକେ ବିଶ୍ରାମ କରନ୍ତୁ, ପୁଣି ଯାତ୍ରା କରିବା । ସହଦେବଙ୍କ ମୃତୁ୍ୟ ହେବାରୁ, ଭୀମସେନ ମନଦୁଃଖରେ ସହଦେବର ଗୁଣ ସ୍ମରଣ କରିବାକୁ ଲାଗିଲେ । ଭୀମସେନ କହିଲେ, ଧର୍ମରାଜ! ଯାହାର ବୁଦ୍ଧି ବଳରେ ଆପଣ ଏ ପୃଥ୍ୱୀ ଜୟ କଲେ ତାହାଙ୍କୁ ଛାଡିଯିବା ପାଇଁ କିପରି ଆପଣଙ୍କ ମନ ବଳୁଛି ।
ଯୁଧିଷ୍ଠିର କହିଲେ ଭୀମସେନ ସହଦେବଙ୍କୁ ଛାଡ । ତାହାର ଯେତିକି ପୁଣ୍ୟ ଥିଲା ସେ ସେତିକି ଦୂର ପର୍ଯ୍ୟନ୍ତ ଆସି ପାରିଲା । ତୁମେ ଯେତେ ଆକୁଳ ହେଲେ ସେ କ’ଣ ପ୍ରାଣ ଫେରି ପାଇବ ? କାହିଁକି ଏ ମାୟା ମୋହରେ ପଡୁରେ ଭୀମସେନ? ଭୀମସେନ କହିଲେ ଏପରି ବିବେକୀ, ଗୁଣବନ୍ତ ଓ ଆଗତ ଭବିଷ୍ୟ ଜ୍ଞାତା ଭାଇକୁ ଛାଡିଯିବାକୁ ଆପଣଙ୍କ ମନ କିପରି ବଳୁଛି ? ଧର୍ମରାଜ କହିଲେ ସହଦେବର ବହୁ ଅବିଗୁଣ ଥିଲା । ସେ ତାହାର କରକୁ ଚାହିଁଲେ ଆଗତ ଭବିଷ୍ୟ ଜାଣିପାରେ । ମାତ୍ର ନ ପଚାରିଲେ କିଛି କୁହେ ନାହିଁ । ପ୍ରାଣ ଅନ୍ତ କାଳରେ ମଧ୍ୟ ସେ ସନେ୍ଦଶ କୁହେ ନାହିଁ । ପଶାଖେଳ ବେଳେ ସେ ଯଦି ସତ କଥା କହିଥାନ୍ତା, ଆମ୍ଭେ କାହିଁକି ରାଜ୍ୟ ହରାଇ ଦୁଃଖୀ ହୋଇଥାନ୍ତୁ ? ଏହାର ମୃତୁ୍ୟ ପାଇଁ ମୋର ଦୁଃଖ ନାହିଁ । ଭୀମସେନ ତୁମେ ଏହାକୁ ସେହିଠାରେ ଛାଡି ଆସ । ଭୀମସେନ ସହଦେବ ପାଇଁ ଯେତେ କ୍ରୋଧ (କାନ୍ଦିବା) କଲେ ମଧ୍ୟ ଯୁଧିଷ୍ଠିର ପଛକୁ ଫେରି ନଚାହିଁ ଆଗେଇ ଚାଲିଲେ ।
ଭୀମସେନ ସହଦେବଙ୍କୁ ସେହି ହିମ ଭୂମିରେ ଛାଡି ଯୁଧିଷ୍ଠିରଙ୍କ ସହିତ ଆଗେଇ ଚାଲିଲେ । ଆଗରେ ଯୁଧିଷ୍ଠିର, ପଛରେ ଅର୍ଜୁନ, ମଧ୍ୟରେ ନକୁଳ ଓ ପଛରେ ଭୀମସେନ ପବନ ବେଗରେ ହିମଗିରି ଉପରକୁ ଉଠିବାରେ ଲାଗିଥାନ୍ତି । ନକୁଳ ବିକଳ ହୋଇ ଯୁଧିଷ୍ଠିରଙ୍କୁ କହିଲେ ମୁଁ ଆଗକୁ ଯାଇପାରୁ ନାହିଁ, ହେ ଧର୍ମ ନରେନ୍ଦ୍ର ମୋତେ ସମ୍ଭାଳି କରି ଆପଣଙ୍କ ସହିତ ନେଇ ଚାଲନ୍ତୁ । ପ୍ରାଣ ବିକଳରେ ନକୁଳ ଚାଲୁ ଚାଲୁ ବାଟରେ ଝୁଣ୍ଟିଣ ପଡିଲା । ନକୁଳ ପଡିବା ଦେଖି ଭୀମସେନ ତାହାଙ୍କୁ କୋଳ କରି ଧରି ପକାଇଲେ । ଯୁଧିଷ୍ଠିରଙ୍କୁ ଡାକି କହିଲେ ନକୁଳ ଅଚେତ ହୋଇପଡିଛି । ଆପଣ ଟିକେ ଅଟକି ଯାଆନ୍ତୁ । ଲେଉଟି ଚାହିଁ ଦେଖନ୍ତୁ ଆମର ସୁକୁମାର ଭାଇ ନକୁଳର ଶରୀର କିପରି ଅଚେତନ (ଅଚେତ) ହୋଇ ଯାଇଛି । କୁନ୍ତର ମୁନରେ ଯେ ପୃଥିବୀକୁ ଧାରଣ କରିଥିଲା, ଲକ୍ଷେ ରାଜାଙ୍କର ମଉଡମଣି ନକୁଳକୁ ଛାଡିଯିବାକୁ କିପରି ଆପଣଙ୍କ ମନ ବଳିଲା ? ବଇମାତ୍ରୀ ସୂତ ନକୁଳ ସହଦେବଙ୍କୁ ଆପଣ ଅତ୍ୟଧିକ ସ୍ନେହ କରିଥାନ୍ତି । ଆଜି ସେମାନଙ୍କ ନିଧନରେ କିପରି ଦେହ ଧରିବା ? ଯୁଧିଷ୍ଠିର କହିଲେ ସୁହାସ ନ ଲଗାଇ ନକୁଳକୁ ସେଠାରେ ଛାଡିଦେଇ ଶୀଘ୍ର ଭୀମସେନ ଚାଲିଆସ । ମାୟା ମୋହରେ ପଡି ଜ୍ଞାନ ହରାଅ ନାହିଁ । ନକୁଳ ତାହାର ମତଗର୍ବ ପଣ ଯୋଗୁ ବିନାଶ ଲଭିଲା ।
ନକୁଳ ଶରୀରକୁ ସେଠାରେ ଶୁଆଇ ଦେଇ ତା ଉପରେ ଡାଳପତ୍ର କିଛି ଆବରଣ କରି ଭଗ୍ନ ହୃଦୟରେ ଭୀମସେନ ଯୁଧିଷ୍ଠିର ଓ ଅର୍ଜୁନଙ୍କ ପଛେ ପଛେ ଚାଲିବାକୁ ଲାଗିଲେ । ହେମାଞ୍ଚଳର ଅଗମ୍ୟ ତଥା ଅନ୍ଧକାର ମଧ୍ୟରେ ଅର୍ଜୁନ ଅଶକତ ହୋଇ ଆଉ ଚାଲିପାରିଲେ ନାହିଁ । ଅର୍ଜୁନ ଯୁଧିଷ୍ଠିରଙ୍କୁ କହିଲେ ଏଠାରେ କ୍ଷଣେ ବିଶ୍ରାମ କରି, ତା ପରେ ଯାତ୍ରା କରିବା । ଧର୍ମରାଜ କହିଲେ ତୁମେ ପଛେ ପଛେ ଆସୁଥାଅ ମୁଁ ଆଗରେ ଯାଉଛି । ଯିବା ପଥରେ ଅର୍ଜୁନର ପାଦ ବିଭୋଳିତ ହୋଇ ସେ ତଳେ ପଡିଗଲା । ପଛରେ ଆସୁଥିବା ଭୀମସେନ ଅର୍ଜୁନଙ୍କୁ କୋଳକରି ଧରିଲେ । ଅର୍ଜୁନକୁ ଧରି ଭୀମସେନ କାନ୍ଦିବାକୁ ଲାଗିଲେ । ଅର୍ଜୁନର ଗୁଣ ସ୍ମରଣ କରି କାନ୍ଦି କାନ୍ଦି ଭୀମସେନ ଯୁଧିଷ୍ଠିରଙ୍କୁ ଡାକି କହିଲେ ଯାହାର ବାହୁବଳେ ଆପଣ ପୃଥିବୀରେ ଏକଛତ୍ର ସମ୍ରାଟ ହୋଇଥିଲେ ସେହି ଅର୍ଜୁନ ଆଜି ଭୂପତିତ ହୋଇଛି । ନିଜ ବାହୁବଳରେ ଅର୍ଜୁନ ଲକ୍ଷେକ ନୃପତିକୁ ଜିଣିଲା, ଖାଣ୍ଡବବନ ଦହନ କାଳରେ ଇନ୍ଦ୍ରଦେବତାକୁ ଜିଣିଲା ପୁଣି ସାଗରରେ ଶର ସେତୁ ବାନ୍ଧି ହନୁମନ୍ତର ପ୍ରଶଂସାର ପାତ୍ର ହୋଇଥିଲା । ଏପରି ଗୁଣବନ୍ତ ଭାଇକୁ ଛାଡିଯିବା ପାଇଁ କିପରି ଆପଣଙ୍କ ମନ ହେଉଛି ? ଅର୍ଜୁନର ପତନ ଦେଖି ଭୀମସେନ କାନ୍ଦିବାରେ ଲାଗିଲେ । ଯୁଧିଷ୍ଠିର କହିଲେ ମୃତୁ୍ୟ ହେଲେ ମଧ୍ୟ ଆତ୍ମା ହେଉଛି ଆମର । ତୁମେ ଯେତେ କାନ୍ଦିଲେ କ’ଣ ଅର୍ଜୁନ ଫେରି ଆସିବ ? ତାହାର ଯେତିକି ପୁଣ୍ୟ ଥିଲା ସେ ସେତେ ଦୂର ପର୍ଯ୍ୟନ୍ତ ଆସିପାରିଲା । ଜଗତ ତରିଣ ସ୍ୱୟଂ ଶ୍ରୀକୃଷ୍ଣ ଓ ନିଜେ ସଂସାରରୁ ଗଲେ, ଆମ୍ଭେମାନେ ତ ସାଧାରଣ ମନୁଷ୍ୟ । କାହିଁକି ମିଛଟାରେ କ୍ରନ୍ଦନ କରୁଅଛୁ? ନିଜେ ଭୀମସେନ ତୁମେ ତ ସ୍ୱର୍ଗକୁ ସ୍ୱଦେହରେ ଯାଇପାରିବ ନାହିଁ । ଭୀମସେନ କହିଲେ ହେ ଧର୍ମସୂତ ଆମ୍ଭେ ଆତ୍ମାରୁ ଅଭିନ୍ନ । ମୋର ହାତ ଧରି ଆପଣଙ୍କ ସହିତ ନେଇଯାଆନ୍ତୁ । ଯୁଧିଷ୍ଠିର କହିଲେ ତତେ କିପରି ନେବି । ତୋହର ଆତ୍ମା ତ ଅସମ୍ଭାଳ । ତୋତେ ନେଲେ ମୋର ଜଞ୍ଜାଳ ବଢିଯିବ । ତେଣୁ ଭୀମସେନ ତୁ ଆଉ କୁଟାଳ କରନା । ତୋର ଆତ୍ମା ତୋତେ ଅଗୋଚର । କ୍ଷଣକେ ପ୍ରାଣ ଅଛି ତୋହର କଳେବର । ଯୁଧିଷ୍ଠିର ଏହିପରି କହି ତାଙ୍କୁ ଅନୁରାଗ ଦେଖାଇଲେ ନାହିଁ । ଭୀମସେନ ଯୁଧିଷ୍ଠିରଙ୍କ ପଛେ ପଛେ ଆଗକୁ ଚାଲି ଚାଲି ଯିବା ସମୟରେ ହିମରେ ପାଦ ଖସି ଯିବାରୁ ମୁହଁ ମାଡି ପଡିଗଲେ । ଭୀମ ପଡିଯିବାରୁ ବଜ୍ରାଘାତ ପରି ଶବ୍ଦ ହେଲା । ଭୀମ ଧର୍ମରାଜଙ୍କୁ କହିଲେ ମୋତେ ସାଙ୍ଗରେ ନେଇ ଚାଲ । ମୋ ପରି ଭାଇକୁ ଏଠାରେ ଛାଡିକରି ଚାଲିଯିବା ଠିକ୍ ନୁହେଁ । ଭୀମଙ୍କ କଥା ଶୁଣି ଯୁଝେଷ୍ଠି ହସି କହିଲେ ଯେ ଯାହା ପୁଣ୍ୟ ଘେନି ସ୍ୱର୍ଗପୁରକୁ ଯାଅ । ଯେବେ ଆସି ନପାରିବ ତୁନି ହୋଇ ଶୁଅ । ଭୀମ ପଡିଗଲେ ବି ବାମହାତ ଭରା ଦେଇ ହିମବନ୍ତ ପର୍ବତରେ ଆଗେଇ ଚାଲିଥାଏ । କିଛି ବାଟ ପରେ ହିମବନ୍ତ ପର୍ବତରୁ ଭୀମସେନ ତଳକୁ ଗଡି ପଡିଲେ । ଯୁଧିଷ୍ଠିର ଦେଖିଲେ ପଞ୍ଚାଶ ସହସ୍ର ଯୋଜନ ତଳେ ଭୀମସେନ ସହିତେ ଚାରିଭାଇ ପଡି ରହିଲେ । ହିମବନ୍ତ ପର୍ବତ ଉପରେ ଉଠି ଶୁଣିବାକୁ ପାଇଲେ ସ୍ୱର୍ଗ ଦୁନ୍ଦୁଭି ବାଦ୍ୟ ।