ସବୁ ପରେ ବ୍ୟାଙ୍କ୍ ବି ନକଲି
ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ନକଲି ପଦାର୍ଥ ବଜାରରେ ଖାଉଟିମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଉଛି । ନକଲି ପଦାର୍ଥର ବୁଢ଼ୀଆଣି ଜାଲ ଭିତରେ କେତେବେଳେ ଯେ କିଏ ପଡ଼ିଯିବ, ତାହାର କିଛି ଠିକ୍ ଠିକଣା ନାହିଁ । ଏବେ ଏ କ୍ଷେତ୍ରରେ ଠକମାନେ ଆଉ ପାଦେ ଆଗକୁ ଯାଇ ଗୋଟିଏ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟାଙ୍କ୍ ପ୍ରତିଷ୍ଠା କରି ଦେଇଛନ୍ତି । ଏହି ବ୍ୟାଙ୍କ୍ଟି ସମ୍ପୂର୍ଣ୍ଣ ଭାବରେ ନକଲି । ଘଟଣାଟି ଘଟିଛି ଛତିଶଗଡ଼ରେ । ଛତିଶଗଡ ରାଜଧାନୀ ରାୟପୁର ଠାରୁ ୨୫୦ କିଲୋମିଟର ଦୂରରେ ଏକ ଗ୍ରାମାଞ୍ଚଳରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଅଳ୍ପ ଦିନ ତଳେ ଏକ ଶାଖା ଖୋଲିଲା । ଏହି ଶାଖାରେ ଅନ୍ୟ ବ୍ୟାଙ୍କ୍ ଭଳି ଲୋକମାନେ ଆସି ଟଙ୍କା ଡ଼ିପୋଜିଟ୍ କଲେ । ଛାପୋରା ନାମକ ଏହି ଗ୍ରାମରେ ଏକ ପୂର୍ଣ୍ଣାଙ୍ଗ ବ୍ୟାଙ୍କ ଭଳି କ୍ୟାସ୍ କାଉଣ୍ଟର୍ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଥିଲା । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖା କହି ଏହି ବ୍ୟାଙ୍କ୍ କର୍ମଚାରୀମାନେ ବ୍ୟାଙ୍କ ନିକଟସ୍ଥ ଗ୍ରାମବାସୀଙ୍କୁ ଖାତା ଖୋଲିବାକୁ କହିଲେ । ଏହି ବ୍ୟାଙ୍କ୍ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଭଲ ଦରମା ଦେବା ସହିତ ନିଯୁକ୍ତି ଦେବାକୁ କହିଲେ । ଏହି ବ୍ୟାଙ୍କ୍ ଖୋଲିଥିବା ଠକମାନେ ମଧ୍ୟ କର୍ମଚାରୀ ନିଯୁକ୍ତି ଦେବା ପାଇଁ ୨-୬ ଲକ୍ଷ ଟଙ୍କା କିଛି ଯୁବକଯୁବତୀଙ୍କ ଠାରୁ ଲାଞ୍ଚ ମଧ୍ୟ ନେଇଗଲେ । କିଛି ଦିନ ଧରି ଏହି ବ୍ୟାଙ୍କ୍ ଲୋକଙ୍କ ଠାରୁ ଜମା ସଂଗ୍ରହ କରି ରସିଦ୍ ବି ଦେଲା । ତେବେ ଏହି ଗ୍ରାମର ଜଣେ ବ୍ୟକ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କିଓସ୍କ ଖୋଲିବା ପାଇଁ ପୂର୍ବରୁ ଆବେଦନ କରିଥିଲେ । ସେହି ଆଖପାଖ ଅଞ୍ଚଳରେ ବ୍ୟାଙ୍କ ନଥିବା ବେଳେ ଏବଂ ସେ କିଓସ୍କ ପାଇଁ ଆବେଦନ କରିଥିବା ବେଳେ ହଠାତ୍ କିପରି ଏକ ଷ୍ଟେଟ୍ ବ୍ୟାଙ୍କ୍ ସେଠାରେ ଏକ ଶାଖା ଖୋଲିଲା ସେ ଘଟଣା ନେଇ ସେ ଆଶ୍ଚର୍ଯ୍ୟ ହୋଇଗଲେ । ପରେ ସେ ନିକଟସ୍ଥ ଏସ୍ବିଆଇ ଶାଖାକୁ ଯାଇ ଏ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଲେ ଏବଂ ଶେଷରେ ଜଣାପଡ଼ିଲା ଯେ ତିନି ଜଣ ବ୍ୟକ୍ତିଙ୍କ ସଂପୃକ୍ତି ରେ ଏହି ନକଲି ବ୍ୟାଙ୍କ୍ଟି ସେଠାରେ କାର୍ଯ୍ୟ କରୁଥିଲା । ପୁଲିସ୍ ଚଢ଼ାଉ କରିବା ପାଇଁ ଉଦ୍ୟମ ହେଉଥିବା ଖବର ପାଇ ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ଏଭଳି ଘଟଣାରେ ଗ୍ରାହକମାନେ ଜମା କରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯଦି ଦେଶ ଭିତରେ ନକଲି ବ୍ୟାଙ୍କ ଭଳି ଏକ ଘଟଣା ଘଟିପାରୁଛି ଏବଂ କିଛି ଦିନ ଧରି ତାହା ମଧ୍ୟ ଚାଲିପାରୁଛି ଏହା ଠାରୁ ବଳି ଆଶ୍ଚର୍ଯ୍ୟ ଆଉ କଣ ହୋଇପାରେ? ଲୋକେ ବିଭିନ୍ନ ପ୍ରକାରର ଠକାମୀରୁ ସୁରକ୍ଷିତ ବୋଲି ଭାବିପାରିବେ କି?
ବର୍ତ୍ତମାନ ଦେଶରେ ଅର୍ଥନୀତିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଅପରାଧ ବଢ଼ି ବଢ଼ି ଚାଲିଛି । ବ୍ୟାଙ୍କ୍ ସାମ୍ନାରୁ ଟଙ୍କା ଛଡ଼େଇ ନେବା ଭଳି ଘଟଣା ଠାରୁ ଆରମ୍ଭ କରି ସାଇବର୍ ଅପରାଧ ପର୍ଯ୍ୟନ୍ତ ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସମସ୍ତଙ୍କର ନଜର ସାଇବର୍ ଅପରାଧ ଏବଂ ବ୍ୟାଙ୍କ୍ ସମ୍ମୁଖରୁ ଟଙ୍କା ଲୁଟ୍ ଭଳି ଘଟଣା ଉପରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ସମୁଦାୟ ବ୍ୟାଙ୍କ୍ଟିକୁ ନକଲ କରି ଆଉ ଏକ ବ୍ୟାଙ୍କ୍ ତିଆରି କରିଦେବା ଭଳି ଘଟଣା ଦେଶରେ ପ୍ରଥମ । ସ୍ୱାଭାବିକ ବ୍ୟାଙ୍କର ଶାଖା ଭଳି ଏଥିରେ ସବୁକିଛି ବ୍ୟବସ୍ଥା ଥିଲା । ବ୍ୟାଙ୍କ୍ର ସିଲ୍ ଠାରୁ ଆରମ୍ଭ କରି ଡ଼ିପୋଜିଟ୍ ସ୍ଲିପ୍ ପର୍ଯ୍ୟନ୍ତ ସବୁକିଛି ସମାନ ରହିଥିଲା । ସମ୍ଭବତଃ ଏସବୁ ଦସ୍ତାବିଜ୍ ଗୁଡ଼ିକୁ ଅନ୍ୟକୌଣସି ବ୍ୟାଙ୍କ୍ରୁ ଠକମାନେ ସଂଗ୍ରହ କରିଥିଲେ । ଯାହା ଫଳରେ ଲୋକଙ୍କର କୌଣସି ସନେ୍ଦହର ଅବକାଶ ନଥିଲା । ଯଦି କିଓସ୍କ ଆବେଦନକାରୀ ଜଣକ ସେଠାରେ ନଥାନ୍ତେ ଏବଂ ସେ ନିକଟସ୍ଥ ବ୍ୟାଙ୍କ୍ରୁ ଏଭଳି ଏକ ଶାଖା ଖୋଲାଯିବା ସମ୍ପର୍କରେ ଖୋଳତାଡ଼ କରିନଥାନ୍ତେ, ତାହା ହେଲେ ନିଶ୍ଚିତ ରୂପେ ଏହି ବ୍ୟାଙ୍କ୍ଟି ଆଉ କିଛି ଦିନ ସେଠାରେ କାର୍ଯ୍ୟ କରି ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କାର ଜମା ନେଇ ଦିନ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତା ।