ସଙ୍ଗଦୋଷର ପ୍ରଭାବ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ' । ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ସଙ୍ଗଦୋଷର ପ୍ରଭାବ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସାମାଜିକ ଜୀବନରେ ମନୁଷ୍ୟ ସଙ୍ଗଦୋଷରେ ପ୍ରଭାବିତ ହୁଏ । ମନୁଷ୍ୟକୁ ଯେଭଳି ସାଙ୍ଗସାଥି ମିଳିବେ ତାର ଚରିତ୍ର ସେହିଭଳି ବଦଳିଯିବ । ଖରାପ ପ୍ରକୃତିର ଲୋକଙ୍କ ସଙ୍ଗ ହେଲେ ମନୁଷ୍ୟ ଅସାମାଜିକ ହୋଇଯିବ । ଭଲ ଲୋକଙ୍କ ସହିତ ସାଙ୍ଗ ହେଲେ ସମାଜରେ ସେ ପୂଜ୍ୟ ହୋଇଯିବ । ଏଥିପାଇଁ ଓଡିଆ ଭାଗବତରେ କୁହାଯାଇଛି "ଉତ୍ତମ ସଙ୍ଗେ ସଙ୍ଗ ଯାର, ସେଜାଣେ ତାହାର ବେଭାର ।'' ଏହାର ଅର୍ଥ ହେଲା ଯିଏ ଯେଉଁଭଳି ଲୋକଙ୍କ ସଂସ୍ପର୍ଶରେ ଆସିବ କି ସାଙ୍ଗସାଥିଙ୍କ ସାଙ୍ଗରେ ମିଶିବ ତାର ଚରିତ୍ର ସେହିଭଳି ହୋଇଯିବ ଏବଂ ବ୍ୟବହାର, ଆଚରଣ, ଚିନ୍ତାଧାରା ମଧ୍ୟ ସେହିଭଳି ହୋଇଯିବ । କାଠ କେବେ ଚନ୍ଦନ ହୋଇନପାରେ । କିନ୍ତୁ ଚନ୍ଦନ ବିଡାରେ କାଠକୁ ଦୀର୍ଘ ଦିନ ଧରି ବାନ୍ଧିରଖିଲେ ତା ଠାରେ ମଧ୍ୟ ଚନ୍ଦନର ସୁଗନ୍ଧ କିଛି ପରିମାଣରେ ପରିଲକ୍ଷିତ ହୁଏ । ସାଧୁବ୍ୟକ୍ତି ବା ଉତ୍ତମ ଚରିତ୍ରର ଲୋକମାନେ ମଳୟ ପବନ ସଦୃଶ । ସେମାନଙ୍କୁ ଦେଖିବା ମାତ୍ରକେ ଲୋକମାନେ ଆନନ୍ଦିିତ ହୁଅନ୍ତି ଏବଂ ସେମାନଙ୍କର ସଙ୍ଗଲାଭ କରି ଜ୍ଞାନ ଲାଭ ମଧ୍ୟ କରନ୍ତି । ତେଣୁ ସାମାଜିକ ଜୀବନରେ ନିଜେ ବିଚାର କରି ସତ୍ ଚିନ୍ତା କରିବା ସହିତ ସତ୍ ଗୁଣ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପନା କରିବା ଉଚିତ୍ ।
"ସାଧୁ ଯେ ମଳୟ ପବନ, କାଷ୍ଠକୁ କରାଏ ଚନ୍ଦନ'' ଏହି ଲୋକବିଶ୍ୱାସ ଅନୁଯାୟୀ, ବସନ୍ତ ଋତୁର ମଳୟ ପବନକୁ ଏକ ଚମକôାରୀ ବାୟୁ ପ୍ରବାହ ଭାବରେ ବିଭିିନ୍ନ ସାହିତ୍ୟରେ ବର୍ଣ୍ଣନା କରାଯାଇଛି । ବସନ୍ତ ଆଗମନରେ ମଳୟ ପବନ ଦକ୍ଷିଣ ଦିଗରୁ ବହିବା ଆରମ୍ଭ କରିଲେ ତାର ସ୍ପର୍ଶ ପାଇ ନିମ୍ବ ଗଛ ଚନ୍ଦନରେ ପରିଣତ ହୋଇଯାଏ । ଏକଥା କହିବାର ଉଦେ୍ଦଶ୍ୟ ହେଲା, ଯେମିତି ବ୍ୟକ୍ତିତ୍ୱଙ୍କ ସହିତ ଆମର ସଙ୍ଗତ ହେବ, ଆମ ଚରିତ୍ର ଓ ସ୍ୱଭାବ ଠିକ୍ ସେମିତି ହିଁ ପରିପ୍ରକାଶ ପାଇବ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।