ଜେଲ୍ ପାଲଟୁଛି ଯମପୁର

ରାଜ୍ୟର ଜେଲ୍ ଗୁଡ଼ିକରେ ବର୍ତ୍ତମାନ କ୍ଷମତା ଠାରୁ ଅଧିକ ସଂଖ୍ୟାରେ କଏଦୀ ରହୁଛନ୍ତି । ଏହି କାରଣରୁ କଏଦୀମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟର ଯତ୍ନ ଏବଂ ପରସ୍ପର ମଧ୍ୟରେ ଘଟୁଥିବା ସଂଘର୍ଷ ଆଦି ବନ୍ଦ କରିବା କ୍ଷେତ୍ରରେ ଜଟିଳ ସମସ୍ୟା ଉପୁଜୁଛି । ବିଭିନ୍ନ କାରଣକୁ ନେଇ ରାଜ୍ୟର ଜେଲ୍ ଗୁଡ଼ିକରେ କଏଦୀମାନଙ୍କ ମୃତୁ୍ୟହାର ମଧ୍ୟ ବଢ଼ି ବଢ଼ି ଚାଲିଛି । ସରକାରଙ୍କ ନିୟନ୍ତ୍ରଣରେ ଜେଲ୍ ଗୁଡ଼ିକ ଥିବାରୁ ସେଠାରେ ଥିବା କଏଦୀଙ୍କର ଯଦି ମୃତୁ୍ୟ ଘଟେ, ସେଥିପାଇଁ ସିଧାସଳଖ ଜେଲ୍ ବିଭାଗ ହିଁ ଦାୟୀ । ତେବେ ଦିନକୁ ଦିନ ଜେଲ୍ ଭିତରେ ଆତ୍ମହତ୍ୟା, ସନେ୍ଦହଜନକ ମୃତୁ୍ୟ, ବାର୍ଦ୍ଧକ୍ୟଜନିତ ମୃଦୁ୍ୟ, ଦୁରାରୋଗ୍ୟଜନିତ ମୃତୁ୍ୟ ଏବଂ ହତ୍ୟାଜନିତ ମୃତୁ୍ୟ ବଢୁଛି । ଜେଲ୍ର ଚାରିକାନ୍ଥ ଭିତରେ ବନ୍ଦୀମାନଙ୍କର ଅସ୍ୱାଭାବିକ ମୃତୁ୍ୟ ଏକ ଗୁରୁତର ପ୍ରସଙ୍ଗ ହୋଇପଡ଼ିଛି । 
ଗତ ୬ ବର୍ଷ ଭିତରେ ରାଜ୍ୟର ବିଭିନ୍ନ ଜେଲ୍ ରେ ୩୭୦ ଜଣ କଏଦୀଙ୍କର ମୃତୁ୍ୟ ହୋଇ ସାରିଲାଣି । ୨୦୧୯ରେ ୫୩ ଜଣ, ୨୦୨୦ରେ ୭୮ ଜଣ, ୨୦୨୧ରେ ୬୧ ଜଣ, ୨୦୨୨ରେ ୭୨ ଜଣ, ୨୦୨୩ରେ ୫୭ ଜଣ ଏବଂ ୨୦୨୪ର ନଭେମ୍ବର ସୁଦ୍ଧା ୪୯ ଜଣ କଏଦୀଙ୍କ ମୃତୁ୍ୟ ହୋଇଥିବା ସରକାରୀ ଭାବରେ ପ୍ରକାଶ ପାଇଛି । ଜେଲ୍ ଭିତରେ ମାନସିକ ଅବସାଦ କାରଣରୁ ସବୁଠାରୁ ଅଧିକ କଏଦୀଙ୍କର ଆତ୍ମହତ୍ୟା ହେଉଛି । ବ୍ଲେଡ୍ ଏବଂ ଅନ୍ୟାନ୍ୟ ଛୋଟ ଛୋଟ ମାରଣାସ୍ତ୍ର ବିଭିନ୍ନ ସମୟରେ କଏଦୀମାନଙ୍କ ଠାରୁ ଜବତ୍ ହୋଇଛି । କିଭଳି ଭାବରେ ଏସବୁ ଜିନିଷ ସେମାନଙ୍କ ନିକଟକୁ ଆସୁଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସବୁଠାରୁ ସୁରକ୍ଷିତ ସ୍ଥାନରେ ଯଦି ଜୀବନ ପ୍ରତି ବିପଦ ରହିଛି ଏବଂ ମୃତୁ୍ୟକୁ ରୋକା ଯାଇପାରୁନାହିଁ ତେବେ ଆଉ ଅଧିକ ସୁରକ୍ଷିତ ସ୍ଥାନ ଅଛି କି ବୋଲି ପ୍ରଶ୍ନବାଚୀ ଉଠିଲାଣି । 
ବିଭିନ୍ନ ସମୟରେ ବିଚାରାଧୀନ ବନ୍ଦୀମାନଙ୍କୁ ଜେଲ୍ରେ ବର୍ଷ ବର୍ଷ ଧରି ରହିବାକୁ ପଡ଼ିଥାଏ । ବିଚାରପ୍ରକି୍ରୟା ଶେଷ ହୁଏ ନାହିଁ କିମ୍ବା ସେମାନଙ୍କୁ ଜାମିନ୍ ମିଳେ ନାହିଁ । ଏଭଳି ପରିସ୍ଥିତିରେ ବନ୍ଦୀମାନେ ସୁଯୋଗ ପାଇବା ମାତ୍ରକେ ପରସ୍ପରକୁ ଆକ୍ରମଣ କରିବା, ଆତ୍ମହତ୍ୟା କରିବା ଭଳି ଦୁର୍ଘଟଣାମାନ ଘଟୁଛି । ଅନେକ ଜେଲ୍ରେ ଡ଼ାକ୍ତର ନାହାଁନ୍ତି କି ଆମ୍ବୁଲାନ୍ସ ମଧ୍ୟ ନାହିଁ । ତେଣୁ କେହି କୌଣସି ରୋଗରେ ପଡ଼ିଲେ ସେମାନଙ୍କର ଉତ୍ତମ ଚିକିତ୍ସା କରାଯାଇପାରୁନାହିଁ । ଆମ୍ବୁଲାନ୍ସ ଅଭାବରୁ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ପାଇଁ ଅସୁସ୍ଥ କିମ୍ବା ଆହତ ହୋଇଥିବା ସମସ୍ତ କଏଦୀଙ୍କୁ ଗୋଲ୍ଡେନ୍ ଆୱାର୍ ଭିତରେ ଡ଼ାକ୍ତରଖାନାକୁ ଅଣାଯାଇପାରୁନାହିଁ । ତେଣୁ ସଙ୍କଟାପନ୍ନ ଅବସ୍ଥାରେ ଥିବା କଏଦୀମାନଙ୍କ ଚିକିତ୍ସା ଆବଶ୍ୟକ ସମୟରେ ଠିକ୍ ଭାବରେ ହୋଇ ପାରୁନାହିଁ । କଏଦୀମାନଙ୍କର ଚିକିତ୍ସା ପୂର୍ବରୁ ମୃତୁ୍ୟ ହୋଇଯାଉଛି । ଡ଼ାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଜେଲ୍ ଭିତରକୁ ଅଣାଯାଉଥିବାରୁ ସେମାନଙ୍କର କି କି ରୋଗ ଅଛି ତାହା ଲିପିବଦ୍ଧ ହୋଇ ରହୁଛି । ସେହି ରୋଗ ଗୁଡ଼ିକ ପାଇଁ ଔଷଧ କିମ୍ବା ଚିକିତ୍ସା ବ୍ୟବସ୍ଥା ଠିକ୍ ସମୟରେ ହୋଇନାହିଁ । 
ଆହୁରି ମଧ୍ୟ ଜେଲ୍ ଭିତରେ ସନେ୍ଦହଜନକ ମୃତୁ୍ୟ ଗୁଡ଼ିକର ତଦନ୍ତ ଠିକ୍ ଭାବରେ ହେଉନାହିଁ । କେଉଁ ପରିସ୍ଥିତିରେ ମୃତୁ୍ୟ ଘଟୁଛି କିମ୍ବା ଜଣେ ଆତ୍ମହତ୍ୟା କରୁଛି, ତାହା ଉପରେ ସନ୍ତୋଷଜନକ ତଦନ୍ତ ହେଉନାହିଁ । ପ୍ରକୃତ କାରଣ ଜଣା ପଡୁନଥିବାରୁ ଶେଷରେ ଗୋଷ୍ଠୀ ସଂଘର୍ଷ କିମ୍ବା ଆତ୍ମହତ୍ୟା ବୋଲି ଲେଖି ଦେଇ ଘଟଣାର ତଦନ୍ତ ଶେଷ କରି ଦିଆଯାଉଛି । ଗତ ୬ ବର୍ଷର କଏଦୀମାନଙ୍କ ମୃତୁ୍ୟର ତାଲିକାକୁ ଦେଖିଲେ ରାଜ୍ୟର ଜେଲ୍ ଗୁଡ଼ିକରେ କିଭଳି ପରିସ୍ଥିତିରେ ବନ୍ଦୀମାନେ ରହୁଛନ୍ତି ତାହାର ଏକ ନଗ୍ନ ଚିତ୍ର ଆସିଯାଉଛି । ବନ୍ଦୀମାନଙ୍କର ଅସ୍ୱଭାବିକ ମୃତୁ୍ୟ ରାଜ୍ୟର ପ୍ରଶାସନିକ ଚିତ୍ର ପ୍ରତି ଏକ କଳଙ୍କ ହୋଇଥିବାରୁ ଏ ଦିଗରେ ଜେଲ୍ ବିଭାଗ ସତର୍କ ହେବା ଆବଶ୍ୟକ ।