ଓଡିଆ ନାଟକ ଓ ଆର୍ତ୍ତବନ୍ଧୁ ରାଉତରାୟ

 ହିମାଂଶୁ ଶେଖର :  ନାଟକ ମନୋରଞ୍ଜନର ଖାଲି ଏକ ମାଧ୍ୟମ ନୁହେଁ, ଏହା ସମାଜକୁ ସୁଶିକ୍ଷା ଦେଇଥାଏ । ସମାଜରେ ପରିବର୍ତ୍ତନ ଆଣିଥାଏ । ସେଥିପାଇଁ ବିଶ୍ୱ ବିଶ୍ୱବିଖ୍ୟାତ ନାଟ୍ୟକାର ସେକ୍ସପିୟର କହିଥିଲେ, ‘ବିଶ୍ୱ ହେଉଛି ଏକ ରଙ୍ଗ ମଞ୍ଚଞ୍ଚ, ଆମେ ସମସ୍ତେ ଜଣେ ଜଣେ ଅଭିନେତା’ । ନାଟକ କଥା ପଡିଲେ ସ୍ୱତଃ ମନକୁ ଆସେ ଅଭିନେତାଙ୍କ କଥା । ଅଭିନୟ କରିବା ଏକ କଳା  । ଏହି କଳା ସମସ୍ତଙ୍କର ସହଜାତ ନୁହେଁ । କଳାକୁ ନିଶା ଓ ପେସା ରୂପେ ବରି ନେଇଥିବା କଳାକାରମାନେ ବହୁ ଘାତ, ପ୍ରତିଘାତ ଭିତରେ ଗତିକରିଥାନ୍ତି । ହେଲେ ସେମାନଙ୍କର ମୁଖ୍ୟ ଉଦେ୍ଦଶ୍ୟ ଥାଏ ଦର୍ଶକମାନଙ୍କୁ ନିଜ ଅଭିନୟକଳାରେ ବାନ୍ଧି ରଖିବା । ଅନେକ କଳାକାର ଅଛନ୍ତି ସମସ୍ତଙ୍କୁ ମନେରଖି ହୁଏନାହିଁ । କେତେକ ସୁନାମଧନ୍ୟ  କଳାକାର ଅଛନ୍ତି ଯେଉଁମାନଙ୍କର ନିଖୁଣ ଓ ନିପୁଣ ଅଭିନୟ ଦର୍ଶକ ମାନସରେ ସ୍ମରଣୀୟ ହୋଇ ରହିଥାଏ । ସେମିତି ଜଣେ କଳାକାର ଥିଲେ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ । 
ଜଗତସିଂହପୁର ଜିଲ୍ଲା ସମଙ୍ଗ ଗ୍ରାମର ଏକ ଛୋଟିଆ ପଡା ଜେନା ସାହି । ଏଇଠି ଜନ୍ମ ନେଇଥିଲେ  ଯୋଗଜନ୍ମା କଳାକାର ଆର୍ତ୍ତବନ୍ଧୁ ୧୯୨୮ ମସିହା ମେ ୧୧ ତାରିଖରେ । ତାଙ୍କ ପିତାଙ୍କ ନାମ ଅଚୁ୍ୟତାନନ୍ଦ ରାଉତରାୟ ଓ ମାତାଙ୍କ ନାମ ଶୁଆ ଦେବୀ ।ବାଲ୍ୟକାଳ ତାଙ୍କର ମାମୁଁ ଘରେ କଟିଥିଲା  ସେଠାରେ ରହଣି ମଧ୍ୟରେ ମଣିକାଞ୍ଚନ ସଂଯୋଗପରି ସେ ନାଟ୍ୟାଚାର୍ଯ୍ୟ କବି ବାଳକୃଷ୍ଣ ମହାନ୍ତିଙ୍କର ସାନିଧ୍ୟ ଲାଭ କରିଥିଲେ । ତାଙ୍କରି ଆଶୀର୍ବାଦରୁ ସେ ଜୟଦୁର୍ଗା ନାଟ୍ୟମଣ୍ଡଳୀରେ ଯୋଗଦେଲେ ପ୍ରଥମେ ସାହାଯ୍ୟକାରୀ ପିଲାଭାବରେ । ଆଖଡା ପିଲାଙ୍କୁ ସାହାଯ୍ୟ କରିବା, ରାତି ଉଜାଗର ହୋଇ ଆଖଡା ଦେଖିବା, ଆଖଡା ପିଲାଙ୍କ ସହ ମିଶିବା, ତାଙ୍କ ଚାଲିଚଳନ ଲକ୍ଷ୍ୟ କରିବା ଭିତରେ ପରବର୍ତ୍ତୀକାଳରେ ସେ ନିଜକୁ ଏକ ଅଭିନେତା ଭାବରେ ପ୍ରସ୍ତୁତ କରୁଥିଲେ । ଏହାପରେ ଓଡିଶା ଥିଏଟର, ନୟାର ଥିଏଟର ଓ ଜନତାରେ କିଛିଦିନ କାର୍ଯ୍ୟକଲାପରେ ସେ ଫେରି ଆସିଲେ ଗାଁ ମାଟିକୁ । ସେତେବେଳେ ଏହି ଅଞ୍ଚଳର ଅନ୍ୟତମ ବିଶିଷ୍ଟ କଳାକାର ପ୍ରାଣକୃଷ୍ଣ ସ୍ୱାଇଁ  ବେଣୀରାମପୁର ଯାତ୍ରା ଦଳର ନିଦେ୍ର୍ଦଶକ ଥିଲେ । ଅନୁଜ ପ୍ରତିମ ଆର୍ତ୍ତବନ୍ଧୁଙ୍କୁ ବେକାର ହୋଇ ବୁଲୁଥିବାର ଦେଖି ସେ ତାଙ୍କୁ ନେଇ ଗଲେ ସେ ଯାତ୍ରା ଦଳକୁ  । ସେଇଠାରେ ହିଁ ଯୁବକ ଆର୍ତ୍ତବନ୍ଧୁଙ୍କର ପ୍ରତିଭା ବିକଶିତ ହେବାର ବାଟ ଫିଟିଲା । ସେଠାରେ ସହିଦ ବୀରରେ ପାଗଳପୁଅ,ସାବତ ମାରେ କୁନାଳ, ଲୁହାଚାନ୍ଦରେ ଲୁହାଚାନ୍ଦ ଏମିତି ଏକାଦିକ୍ରମେ ୨୦ବର୍ଷ କାଳ  ସେହିଦଳରେ ଅଭିନୟ କରି ସେ ଓଡିଶା, ବଙ୍ଗ, ବିହାର, ମଧ୍ୟପ୍ରଦେଶରେ ଚହଳ ପକାଇଦେଲେ । କହିବାକୁ ଗଲେ ଏହି ୨୦ବର୍ଷ ହିଁ ତାଙ୍କ ଜୀବନର ସୁବର୍ଣ୍ଣ ଯୁଗ ଥିଲା । ବିଶେଷକରି ସାବତ ମା ନାଟକର କୁନାଳ ଅଭିନୟ ତାଙ୍କୁ ସର୍ବଶ୍ରେଷ୍ଠ ଗୌରବ ଆଣି ଦେଇଥିଲା । ସେହିଦିନଠାରୁ ସେ ସର୍ବତ୍ର କୁନାଳ ରୂପେ ହିଁ ସୁପରିଚିତ ଥିଲେ ।  
ତାପରେ ପୁଣି ୧୦ବର୍ଷ  । ବେଣୀରାମପୁର ଯାତ୍ରାପାଟି ଛାଡିବାପରେ ସେ ଯୋଗଦେଲେ ବୀଣାପାଣି କଳାକୁଞ୍ଜ,  ତାରପୁରରେ । ଥରେ ଦେଖନ୍ତୁ, ଦଳବେହେରା, ଆଲେକଜାଣ୍ଡର ପ୍ରଭୃତି ନାଟକମାନଙ୍କରେ ତାଙ୍କର ଜ୍ୱଳନ୍ତ ଅଭିନୟ ଯିଏ ଦେଖିଛି ସେ ଆର୍ତ୍ତବନ୍ଧୁଙ୍କୁ କେବେ ଭୁଲିପାରିବ ନାହିଁ ।  ଏହାପରେ ସେ  ଫେରିଆସିଲେ ତୁଳସୀ ଗଣନାଟ୍ୟକୁ । ଏହି ଦଳରେ ଥିଲାବେଳେ ଭକ୍ତ ମହିଷାସୁର ଓ ଯୋଗଜନ୍ମା ରାବଣ ନାଟକର ନାମ ଭୂମିକାରେ ଅବତୀର୍ଣ୍ଣ ହୋଇ ସିଏ ଯେଉଁ ଉକ୍ରୃଷ୍ଟ ଅଭିନୟ ପ୍ରଦର୍ଶନ କରିଥିଲେ, ତାହା ଆଗାମୀ ଅନେକ ବର୍ଷପାଇଁ ଦର୍ଶକମାନଙ୍କ ମନର ପରଦାରେ ଝଲମଲ ହେଉଥିବ । ତୁଳସୀରୁ ରାଜେଶ୍ୱରୀ, ସାବିତ୍ରୀ ଗଣନାଟ୍ୟ, ବାଣେଶ୍ୱରୀ, ନାରାୟଣୀ ଅପେରା, ରାଢଙ୍ଗ ଓ ଯାଜପୁରର ଗଜପତି ଗଣନାଟ୍ୟରେ ସଫଳତାର ସହ ଅଭିନୟ ଓ ନିଦେ୍ର୍ଦଶନା ଦେଇ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେଥିପାଇଁ ତାଙ୍କର ସାମଗ୍ରିକ କଳାକୃତି ନିମନ୍ତେ ତାଙ୍କୁ ସଂଙ୍ଗୀତ ନାଟକ ଏକାଡେମୀ ତରଫରୁ ଶ୍ରେଷ୍ଠ ଅଭିନେତା ଓ ନିଦେ୍ର୍ଦଶକ ରୂପେ ପୁରସ୍କୃତ କରାଯାଇଥିଲା ୧୯୯୦ ମସିହାରେ  । ଏଥିସହିତ ରାଜ୍ୟ ସରକାର ୧୯୯୧ ମସିହାରେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ନିଦେ୍ର୍ଦଶକ ଭାବେ ସମ୍ମାନିତ କରିଥିଲେ ।   ଜୀବନରେ ବହୁ ପ୍ରଶଂସାପତ୍ର ପାଇଥିଲେ ହେଁ ସାଧାରଣ ଜୀବନରେ ସେଥିଲେ ବନ୍ଧୁବସôଳ, ନିରଅହଂକାରୀ ଓ ଜଣେ ଅତି ସାଧାରଣ ମଣିଷ ।  
ଜଣେ ଦକ୍ଷ କଳାକାର ଓ ଉଚ୍ଚମାନର ନିଦେ୍ର୍ଦଶକ ହିସାବରେ ଆର୍ତ୍ତବନ୍ଧୁ  କେବଳ ଓଡିଶା କାହିଁକି ଓଡିଶା ବାହାରେ ମଧ୍ୟ ସୁନାମ ଅର୍ଜନ କରିଥିଲେ । ନାଟ୍ୟ ଜଗତରେ ଆର୍ତ୍ତବନ୍ଧୁ ରାଉତରାୟଙ୍କୁ ନଜାଣେ କିଏ?  ମନେପଡେ ତତ୍କାଳୀନ ବିଶିଷ୍ଟ କଳାକାର ଭାଗବତ ସ୍ୱାଇଁ , ଶ୍ୟାମ ବାବୁ, ଉତ୍ତମ ପାଳ ଆଦିଙ୍କ କଥା । କିନ୍ତୁ ସିଏ ଥିଲେ ଅଭିନୟରେ ଓସ୍ତାଦ  । ତାଙ୍କ ଅଭିନୟ ଥିଲା ଜୀବନ୍ତ ଓ ହୃଦୟ ସ୍ପର୍ଶୀ । ଯଥାର୍ଥରେ ସେଥିଲେ  ଯାତ୍ରା ଆକଶରେ  ଧ୍ରୁବତାରା ସଦୃଶ । ସିଏ ହସି ହସାଇଛନ୍ତି , କାନ୍ଦି କନ୍ଦାଇଛନ୍ତି, ଦର୍ଶକମାନଙ୍କର ହୃଦୟକୁୁ ଜୟ କରିପାରିଛନ୍ତି ତାଙ୍କ ଅଭିନୟ ଚାତୁରୀରେ । ଯେ ତାଙ୍କ ଅଭିନୟ ଦେଖିଛି ସେ ଭୁଲିନାହିଁ, ଭୁଲିପାରିବନାହିଁ ଜୀଇଁ ଥିବା ପର୍ଯ୍ୟନ୍ତ । ବିଶେଷ କରି କରୁଣ ରସ ସୃଷ୍ଟି କରିବାରେ ସେ ଥିଲେ ମାହିର । ସେଥିପାଇଁ ତାଙ୍କୁ ହିନ୍ଦୀ ଚଳଚିତ୍ର ଜଗତର ସୁନାମଧନ୍ୟ କଳାକାର ଦୀଲିପ୍ କୁମାରଙ୍କ ପରି ଟ୍ରାଜିକ୍ ହିରୋର ମାନ୍ୟତା ଦିଆଯାଇଥିଲା । ଖାଲି  ସାବତ ମା ନାଟକର କୁନାଳ ଚରିତ୍ର ନୁହେଁ ପ୍ରତ୍ୟେକ ନାଟକରେ ତାଙ୍କର  ନିଖୁଣ ଅଭିନୟ ଦର୍ଶକଙ୍କୁ ନାଟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଥିଲା । ଦିନକର ଘଟଣା ସେ ନାଟକ ଭକ୍ତ ମହିଷାସୁର ନାଟକରେ ନିଦେ୍ର୍ଦଶନା ଦେବା ସହ ଅଭିନୟ କରୁଥିଲେ । ସେଥିରେ ତାଙ୍କ ମହିଷାସୁର ଅଭିନୟ ଏତେ ଜୀବନ୍ତ ଥିଲା ତାହା ଭାଷାରେ ପ୍ରକାଶ କରିହେବନାହିଁ ।  ସତେ ଯେମିତି ଲାଗୁଥିଲା ଆର୍ତ୍ତବନ୍ଧୁ ନୁହେଁ ସତସତିଆ ମହିଷାସୁର ଆସି ଯେମିତି ସେ ଅଭିନୟ କରୁଛି । ଆଉ ଗୋଟିଏ ନାଟକ ଥିଲା ଛାଇ ଆଲୁଅ ଯେଉଁଥିରେ ସିଏ ସପନି ବରାଳ ଚରିତ୍ର ସେ  ଅଭିନୟ କରୁଥିଲେ ।ଯେଉଁ ପରିବାରକୁ ଦୁଃଖ ପରେ ଦୁଃଖ ମାଡିଆସିଛି ଅନେକ କାରଣରୁ । ବୋଝ ଉପରେ ନଳିତା ବିଡା ପରି ଏହି ଦରଦୀ ଭୂମିକାକୁ ସେ ଅତି ସୁନ୍ଦର ଭାବେ ଚିତ୍ରଣ କରିଥିଲେ । ଆଉ ସାଉଁଟି ଥିଲେ ଦର୍ଶକର କରତାଳି । 
୧୯୯୧ ମସିହା ଫେବୃଆରୀ ମାସ ୨୦ ତାରିଖ । ବିଶ୍ୱ ରଙ୍ଗମଞ୍ଚରୁ ଏହି ମହାନ ଅଭିନେତାଙ୍କ ହେଲା ମହାପ୍ରସ୍ଥାନ । ତାଙ୍କ ମର ଶରୀର ମାଟିରେ ମିଶିଯାଇଛି ସତ କିନ୍ତୁ ସ୍ମୃତି ଅମଳିନ ହୋଇ ରହିଛି । ଆଜିବି ଅପେରା ଜଗତରେ ତାଙ୍କ ସମକକ୍ଷ ଅଭିନେତା ଅଛନ୍ତି କି ନାହିଁ ସନେ୍ଦହ ।ପ୍ରକୃତରେ ସେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ, ଅସାମାନ୍ୟ ତଥା ଅପେରା ସମ୍ରାଟ ଥିଲେ । ଏବେ ଅପେରା ନାଟକରେ ଅନେକ ପରିବର୍ତ୍ତନ ଆସିଛି । ଚଳଚିତ୍ର ସହିତ ତାଳ ଦେଇ ଅପେରା ନାଟକ ଗତିଶୀଳ ହୋଇଛି । ଅଭିନେତା ଅଭିନେତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିଛି । କିନ୍ତୁ ଆର୍ତ୍ତବନ୍ଧୁ ରାଉତରାୟଙ୍କ ସ୍ଥାନ ଏବେବି ଅପୂରଣୀୟ ହୋଇ ରହିଛି ।
                           ଜଗତସିଂହପୁର ମୋ - ୯୩୩୭୨୨୧୯୨୪