ମାର୍ଥାପୁର ଅଗ୍ନିକାଣ୍ଡ-୧

୧୯୬୪ ମସିହା ଜାନୁୟାରୀ ମାସରେ ଢେଙ୍କାନାଳରେ ରୟମନ୍ ସର୍କସ ଦୁଇମାସ ପର୍ଯ୍ୟନ୍ତ ପ୍ରଦର୍ଶନ ହେଲା । ରୟମନ ସର୍କସ ସେତେବେଳେ ପୃଥିବୀର ବଡ ସର୍କସ ଥିଲା । ଏହି ସର୍କସ ଦେଖିବାକୁ ଢେଙ୍କାନାଳରେ ପ୍ରବଳ ଭିଡ ହେଲା । ଭୁବନ, କାମାକ୍ଷାନଗର, ପର୍ଜଙ୍ଗ, ଭାପୁର, ଆଠଗଡ଼, ହିନେ୍ଦାଳ, ରାସୋଳ, ଗାଁଦିଆ ଅଞ୍ଚଳରୁ ହଜାର ହଜାର ଲୋକ ସକର୍ସ ଦେଖିବାକୁ ଢେଙ୍କାନାଳ ସହରରେ ଜମା ହେଲେ । ଏହି ସର୍କସ ଦୁଇଗୋଟି ସୋ ପ୍ରତିଦିନ ଦେଖାଉଥାଏ । ତଥାପି ଭିଡ କମୁନଥାଏ । ଆମ ଗାଁରୁ ପ୍ରାୟ ୩୦୦ ବ୍ୟକ୍ତି ସର୍କସ ଦେଖିବାକୁ ଆସିଥିଲେ । ମୁଁ ବି ସେମାନଙ୍କ ସାଥୀରେ ଆସିଥିଲି । ସେମାନେ ସର୍କସ ଦେଖି ଫେରିଗଲେ, ମୁଁ ସାତ ଆଠ ଦିନ ରହିଗଲି । ଢେଙ୍କାନାଳରେ ମୋର ବହୁତ ବାଲ୍ୟବନ୍ଧୁ ଥିଲେ । ମୁଁ ସେମାନଙ୍କ ସାଥିରେ ପ୍ରତିଦିନ ସନ୍ଧ୍ୟା ସୋ ଦେଖିବାକୁ ଯାଏ । ଯେତେ ଦେଖିଲେ ମଧ୍ୟ ମନ ପୁରୁନଥାଏ । ମୁଁ ବିମଳ ମାମୁଁଙ୍କ ଘରେ ରହିଥାଏ । ଏହି ସମୟରେ ଗୋଟିଏ ଅଘଟଣ ଘଟିଲା । ସର୍କସ ଗାଡି ବାବାଜୀ ମଧୁସୂଦନ ଦାସଙ୍କୁ ଧକ୍କା ଦେଲା ଏବଂ ସେ ଡାକ୍ତରଖାନାରେ ପଡିରହିଲେ । ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସର୍କସ ମାଲିକ ବହନ କଲେ । କିନ୍ତୁ ସେ ବଞ୍ଚôଲେ ନାହିଁ । ଡାକ୍ତରଖାନାରେ ପରଲୋକ ଘଟିବାପରେ ମହାସମାରୋହରେ ସଂକୀର୍ତ୍ତନ ସହ ତାଙ୍କ ଶବକୁ ଦଧିବାମନ ମଠକୁ ଅଣାଗଲା ଓ ମଠ ମନ୍ଦିର ସମ୍ମୁଖରେ ସମାଧି ଦିଆଗଲା । ମଧୁସୂଦନ ଦାସ ଦଧିବାମନ ମଠର ବାବାଜୀ ଥିଲେ । ତାଙ୍କ ଗୁରୁ ଥିଲେ ରାଧାଚରଣ ଦାସ । ଦଧିବାମନ ମଠ ଷୋଡଶ ଶତାବ୍ଦୀରେ ଢେଙ୍କାନାଳ ସହରରେ ପ୍ରତିଷ୍ଠିତ ହୋଇଥିଲା । ଏହି ମଠର ଆରାଧ୍ୟ ହେଉଛନ୍ତି ଶ୍ରୀଜଗନ୍ନାଥ । ଯାହାଙ୍କୁ ଦଧିବାମନ କୁହାଯାଉଛି । ମଧୁସୂଦନ ଦାସ ଜଣେ ପ୍ରାତଃ ସ୍ମରଣୀୟ ସନ୍ଥ ଥିଲେ । ତାଙ୍କୁ ସହରବାସୀ ସମ୍ମାନ ପ୍ରଦର୍ଶନ କରନ୍ତି । ତାଙ୍କ ସ୍ମୃତିରେ କୁଞ୍ଜ ସାହୁ ଛକରେ ମଧୁସୂଦନ କ୍ଲବ ପ୍ରତିଷ୍ଠିତ ହୋଇଛି ।
ମଧୁସୂଦନ ଦାସଙ୍କ ତିରୋଧନ ଉତ୍ସବକୁ ପୁରୀ, କପିଳାସ, ସପ୍ତଶଯ୍ୟା ଏବଂ ସ୍ଥାନୀୟ ମଠମାନଙ୍କରୁ  ବହୁ ସାଧୁ ସନ୍ଥ ଆସିଥିଲେ । ସମସ୍ତଙ୍କୁ ଭୋଜନ, ବସନ ଓ ଦକ୍ଷିଣା ପ୍ରଦାନ କରାଗଲା । ସମାଧି ଉତ୍ସବର ସକଳ ଖର୍ଚ୍ଚ ରୟମନ ସର୍କସର ମାଲିକ ବହନ କଲେ । ସେହି ଉତ୍ସବକୁ ସପ୍ତଶଯ୍ୟାରୁ ସୀତାରାମ ଦାସ ଆସିଥିଲେ । ମୁଁ ତାଙ୍କୁ ଦଣ୍ଡ ପ୍ରଣାମ କଲି ଏବଂ ସେ ମୋତେ ଆଶୀର୍ବାଦ କଲେ । ସାହସ କରି ଆମ ଗାଁର ବିପଦ କଥା ପଚାରିଲି । ସେ  ବିପଦ ପଡିବା କଥା କହିଲେ , କିନ୍ତୁ କେଉଁ ବପଦ କିପରି ଭାବରେ ପଡିବ କହିଲେ ନାହିଁ । ମୋତେ ମଧ୍ୟ ଘରକୁ ତୁରନ୍ତ ଫେରିଯିବାକୁ ଉପଦେଶ ଦେଲେ । ମୁଁ ଗାଁକୁ ଆସି ସୀତାରାମ ଦାସଙ୍କ କଥା ଲୋକଙ୍କୁ କହିଲି । ସମସ୍ତେ ଆତଙ୍କରେ ଥାଆନ୍ତି । ବିପଦ ଟାଳିବା ସକାଶେ ଗ୍ରାମଦେବତୀ ବ୍ରାହ୍ମଣୀଦେବୀଙ୍କ ପୀଠରେ ଯନ୍ତାଳ ହେଲା ଓ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିରରେ ରୁ୍ଦ୍ରାଭିଷେକ ହେଲା । ଶବର ଶବରୁଣୀଙ୍କର ମଧ୍ୟ ମାନସୀ କରାଗଲା । କାରଣ ସମସ୍ତ ଗ୍ରାମବାସୀ ନିଶ୍ଚିନ୍ତ ଥିଲେ ଯେ, ସୀତାରାମ ଦାସଙ୍କ ବାଣୀ ଅନ୍ୟଥା ହେବନାହିଁ ।  ସଂଯୋଗକ୍ରମେ  ଆମ ଗାଁ ବାଙ୍କନିଧି ଦାଶଙ୍କ ସାଥିରେ ଛତିଆ ଅଞ୍ଚଳରେ ଜଣେ ସାଧୁ ବେଣୁଧର ଦାସ ମଧ୍ୟ ଶିବରାତ୍ରି ଦିନ ପହଁଞ୍ଚôଲେ । ସେ ମଧ୍ୟ କହିଲେ ଗାଁକୁ ବିପଦ ପଡିବ । ତେଣୁ ଲୋକଙ୍କର ଆତଙ୍କ ଦ୍ୱିଗୁଣିତ ହୋଇଗଲା ।
ଆମ ଗାଁ ଗୋଟିଏ ପ୍ରାଚୀନ ବ୍ରାହ୍ମଣ ଶାସନ ।  ଉତ୍ତର ଓ ଦକ୍ଷିଣପାଶ୍ୱର୍ରେ ଦୁଇ ସାହାଲା ଘର ଓ ମଝିରେ ପୁରୀ ବଡଦାଣ୍ଡ ସଦୃଶ ପ୍ରାୟ ଏକ କିଲୋମିଟରର ଦାଣ୍ଡ । ଚାଳଘର ଗୁଡିକ ଲଗାଲଗି । ତେଣୁ ଚୈତ୍ର ମାସ ଠାରୁ  ପ୍ରତ୍ୟେକ ଗୃହସ୍ଥ ଦୁଆର ମୁହଁରେ ମାଠିଆଏ ପାଣି ରଖିବାକୁ ଆଦେଶ ହୋଇଥାଏ ତଥା ପ୍ରତ୍ୟେକ ମଧ୍ୟ ରଖନ୍ତି । ଆମ ଗାଁଟି ବ୍ରାହ୍ମଣୀ ଓ ରାମିଆଳ ଦୁଇ ନଦୀ ମଧ୍ୟରେ ଅବସ୍ଥିତ ହେଲେ ହେଁ ଗୋଟିଏ ଜଳାଭାବ ଗାଁ । ଗାଁରେ ପାଞ୍ଚ ଛଅଗୋଟି କୂଅ ଏବଂ ପ୍ରତ୍ୟେକ କୂଅର ଗଭୀରତା ଅଶୀଫୁଟ ଲେଖାଁଏଁ, ସେହି କୂଅମାନଙ୍କରେ ମଧ୍ୟ ଖରାଦିନେ ପାଣି ରହେନାହିଁ । ଏହି କାରଣରୁ  ଲୋକେ ଜଳକଷ୍ଟ ଭୋଗନ୍ତି । ଖରାଦିନେ ମଧ୍ୟ ଗାଁରେ ନିଆଁ ଜବତ କରାଯାଏ । ପ୍ରତି ଘରେ ଦଶଟା ମଧ୍ୟରେ ରୋଷେଇ କରିବାକୁ ହୁଏ । ଯିଏ ଦଶଟା ପରେ ଚୁଲି ଜାଳିବ ସେ ଜୋରିମନା ଦେବ । ସ୍ୱେଚ୍ଛାସେବୀମାନେ ଦଶଟା ପରେ ଘର ଘର ବୁଲି ତନଖି କରନ୍ତି । କାହା ଚୁଲିରେ ନିଆଁ ଥିଲେ ଲିଭାଇ ଦିଅନ୍ତି । ଓପରଓଳି କାହାଘରେ ରୋଷେଇ ହୁଏନାହିଁ । ସମସ୍ତେ ରାତିରେ ପଖାଳ ଖାଆନ୍ତି । ଏତେ କଟକଣା ସତ୍ତ୍ୱେ ଗାଁରେ ଅଗ୍ନିକାଣ୍ଡ ଘଟିଲା । ସେଦିନ ଥିଲା ୧୯୬୪ ମେ ୧୭ ତାରିଖ । ତଳସାହି ହାଡିବନ୍ଧୁ ମିଶ୍ର ଘର ଛାଆଣି କରିବାକୁ ଦାଣ୍ଡଘରେ ନଡା ରଖିଥିଲେ । ସେହି ନଡାରୁ ନିଆଁ ବାହାରି ଘରପୋଡି ଆରମ୍ଭ ହେଲା । କେହି କହିଲେ ତାଙ୍କ ସ୍ତ୍ରୀ କଳହ ଯୋଗୁଁ ନିଆଁ ଲଗାଇଦେଲେ । ନିଆଁ ଚାଳକୁ ଚାଳ ଡେଇଁଲା । ମାତ୍ର ଦୁଇଘଣ୍ଟା ମଧ୍ୟରେ ସମସ୍ତ ଗାଁର ତିନିଶହ ପରିବାରର ଘର ନିଆଁ ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇଗଲା । ଆଖପାଖ ଗାଁରୁ ଶହ ଶହ ଲୋକ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ମଠକରଗୋଳାର ପାରିଜାତ ଯୁବକ ସଂଘର ପ୍ରାୟ ପଚାଶ ଜଣ ସ୍ୱେଚ୍ଛାସେବୀ ନିଆଁ ଲିଭାଇବାକୁ ବାଲ୍ଟି ଧରି ଆସିଥିଲେ । ନିଆଁ ଲିଭାଇବାକୁ ପାଣି ଏକାନ୍ତ ଅଭାବ ହେଲା । ଦକ୍ଷିଣପାଶ୍ୱର୍ ସାହାଲାର ପ୍ରାୟ ୨୦/୨୫ଟି ଘର ଛାଡି ଅନ୍ୟ ସମସ୍ତ ଘର ପୋଡି ପୋଡିଗଲା । ବଡ, କରୁଣ ସେ ଦୃଶ୍ୟ । ତିନିଶହ ପରିବାର ଗୃହଶୂନ୍ୟ ହୋଇଗଲେ । ଅଗ୍ନି ଭୟରେ ଧାନ, ଚାଉଳ, ବିରି, ମୁଗ ଓ ଆସବାବ ପତ୍ର ଛାଡି ଲୋକେ ଜୀବନବିକଳରେ ବାହାରକୁ ଆସିଗଲେ । ଶହ ଶହ ଲୋକଙ୍କ ଧାନ ଘର ପୋଡିଗଲା । ଯାହାହେଉ, କୌଣସି ମନୁଷ୍ୟ ବା ଗୃହପାଳିତ ପଶୁ ମରିନଥିଲେ । ଏବେ ବଡ ଗାଁ ଟା ଶ୍ମଶାନ ପରି ଦିଶୁଥାଏ । ଚାଳଗୁଡିକ ପୋଡିଗଲାପରେ ଆଟୁ ଘର ଗୁଡିକ ରେଳଡବା ପରି ଦେଖାଯାଉଥାଏ । ଗାଁ ଯାକ ସର୍ବସ୍ୱାନ୍ତ ହୋଇଗଲେ । କଥାରେ ଅଛି, “ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ, ଘରପୋଡି ଠାରୁ ବିପତ୍ତି ନାହିଁ ।” ଏକଥା ସତ ହେଲା । ଗାଁ ଯାକ ବିପଦରେ । କିଏ କାହାକୁ ସାହାଯ୍ୟ କରିବ । ସୀତାରାମ ଦାସଙ୍କ କଥା ସତ୍ୟ ହେଲା । ଗାଁକୁ ବଡ଼ ବିପତ୍ତି ପଡିଲା । ଘରପୋଡି ପରେ ଲୋକେ ଡହଳ ବିକଳ ହେଉଥାନ୍ତି । ତଳସାହିରେ ଯେତେବେଳେ ନିଆଁ ଲାଗିଲା ଅଁଳାପାଳରୁ କେତେଜଣ ଲୋକ ଆମର ଗୋଟିଏ କାଠ ଆଲମାରୀ, ଦୁଇଟି ଖଟ, ୩ଟି ଚୌକୀ, ଗୋଟିଏ ମେଜ, ମୋ ପଢା ବହିି ଓ ଦୁଇଟି ବାକ୍ସ ବାଡି ଆମ୍ବମୂଳକୁ ବୋହିନେଲେ । ଧାନ ଚାଉଳ ରହିଗଲା । ମା ଠାକୁରଙ୍କ ଖଟୁଲି ଆମ୍ବମୂଳକୁ ନେଇଗଲା । ମାତ୍ର ଅଧଘଣ୍ଟାଏ ମଧ୍ୟରେ ଆମର ଛଅ ବଖରା ଘର ଅଗ୍ନିରେ ଭସ୍ମୀଭୂତ ହୋଇଗଲା । ଆମେ ଗୃହଶୂନ୍ୟ ହୋଇ ଆମ୍ବମୂଳେ ବସି ରହିଲୁ । ସନ୍ଧ୍ୟା ହେବାରୁ ଲଣ୍ଠନଟିଏ ଜାଳି ବସିଲୁ । ରାତି ପ୍ରାୟ ଦଶଟା ବେଳକୁ ବାପା ଢେଙ୍କାନାଳରୁ ଆସି ପହଁଞ୍ଚôଲେ । ଯୋରନ୍ଦା ଠାରୁ ଘରପୋଡି ଖବର ପାଇ ସେ ସାଥିରେ ଦୁଇଜଣ ଲୋକଧରି ଆସିଥିଲେ । ସେମାନେ ବାପାଙ୍କୁ ଛାଡିଦେଇ ଫେରିଗଲେ । ଆମେ ରାତିସାରା ଆମ୍ବମୂଳେ ଖଟରେ ବସି ରହିଲୁ । ନିଦ ଆଖିକୁ ଆସିଲା ନାହିଁ । ଘରପୋଡିର ସେହି କରାଳଦୃଶ୍ୟ କେବଳ ଦିଶୁଥାଏ । ରୋମ ଟାଙ୍କୁରି ଉଠୁଥାଏ । ରାତିସାରା ଉପବାସ । ସକାଳୁ ବାପା ନିକଟସ୍ଥ ଗ୍ରାମ ଆଦିପୁରାକୁ ଯାଇ ଚୁଡା, ଦହି ଓ ଚିନି ଆଣିଲେ । ବାପା, ମାଆ ଓ ମୁଁ ଚୁଡା ଖାଇଲୁ । କେହି ସାହାଯ୍ୟ କରିବାକୁ ନାହିଁ । ଗାଁ ଯାକର ତ ଘରପୋଡି ଯାଇଛି । ସାହାଯ୍ୟ କରିବ କିଏ ? ସାରା ଗାଁ ସ୍ତବ୍ଧ । କେତେ ଲୋକଙ୍କର କ’ଣ କ’ଣ ଅଗ୍ନିରେ ଭସ୍ମ ହୋଇଗଲା ତହିଁର ହିସାବ ନାହିଁ । ଆମ ଧାନଗୋରଡି ପୋଡିଗଲା । ଆଠଟି ଦୁଆରେ ଲାଗିଥିବା କବାଟ ପୋଡିଗଲା । ସିନ୍ଦୁକ ଓ ତହିଁ ଭିତରେ ଥିବା ସକଳ ପଦାର୍ଥ ପୋଡିଗଲା । ଛାତ ପୋଡିବା ସହ ଖୁଣ୍ଟଗୁଡିକ ମଧ୍ୟ ପୋଡିଗଲା । ମଉସା ଗୟାଧର ମିଶ୍ରଙ୍କ ଧାନଗୋରଡି, ଅନନ୍ତ ଦାସଙ୍କ ଚାରି ଗୋଟି ଗୋରଡି, ଭିକାରି ଦାଶଙ୍କ ଚାରିଗୋଟି ଗୋରଡି, ବଂଶୀଧର ମିଶ୍ରଙ୍କ ଗୋରଡି ଏରୂପ ମୋଟ ୧୦୦ରୁ ଊଦ୍ଧ୍ୱର୍ ଧାନଗୋରଡି ପୋଡିଗଲା । ଗ୍ରାମବାସୀ ସର୍ବସ୍ୱାନ୍ତ ହୋଇଗଲେ । ବହୁ କଷ୍ଟରେ ବାପା ଦୁଇ ଜଣ ମୂଲିଆ ଆଣିଲେ । ମୂଲିଆ ବି ମିଳୁନଥାନ୍ତି । ଏହି ଦୁଇଜଣ ମୂଲିଆଙ୍କ ଦ୍ୱାରା ଘରୁ ପାଉଁଶ କଢାଗଲା । କେତେକ ସ୍ଥାନରେ ନିଆଁ ମଧ୍ୟ ଥିଲା । ସେମାନେ ପାଣିପକାଇ ନିଆଁ ଲିଭାଇଲେ ଓ ପାଉଁଶ ଆଣି ବାଡିମୁଣ୍ଡ ଆମ୍ବତୋଟାରେ ଗଦାକଲେ । ଦୁଇଜଣ ମୂଲିଆ ଚାରିଦିନ ଅକ୍ଲାନ୍ତ ପରିଶ୍ରମ କରି ଘର ସଫା କଲେ । ଆମର ଖିଆପିଆ କିଛି ଠିକ୍ ନଥାଏ ।
ଗାଁରେ ଉପରସାହି ଓ ତଳସାହିରେ ଦୁଇଟି ଭାଗବତ ଘର ଥିଲା ।  ସେହି ଦୁଇଟି ଭାଗବତ ଘରେ ରାଧାକୃଷ୍ଣଙ୍କ ସହିତ ବହୁ ପ୍ରାଚୀନ ପୋଥି ରହିଥିଲା । ପ୍ରତିବର୍ଷ ବୈଶାଖ ଶୁକ୍ଳ ନବମୀ ଠାରୁ  ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ଶ୍ରୀମଦ୍ ଭଗବତ ସପ୍ତାହ ଦୁଇଟି ଭାଗବତ ଘରେ ମହାସମାରୋହରେ ହୁଏ । ଗାଁରେ ଏହା ଏକ ମୁଖ୍ୟପର୍ବ । ଶ୍ରୀମଦ୍ ଭଗବତ ସପ୍ତାହରେ ଦୁଇ ଭାଗବତ ଘରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରଯାଇ ପଦ୍ମପୁରାଣ ବିଧି ମତେ ଅତିବଡି ଜଗନ୍ନାଥଙ୍କ ଓଡ଼ିଆ ଭାଗବତ ପରାୟଣ ହୁଏ । ପ୍ରତ୍ୟେକ ଘରୁ ଦୁଇଟି ଲେଖାଏ ଭୋଗ ପ୍ରତ୍ୟହ ଭାଗବତ ଘରକୁ ଯାଏ । ବୈଶାଖ ମାସରେ ଆମ ଗାଁରେ ପ୍ରଚୁର ପାଚିଲା ଆମ୍ବ ମିଳେ । ଆମ ଗାଁ ତୋଟା ପ୍ରାୟ ତିନିକିଲୋମିଟର ଲମ୍ବ । ଏହି ତୋଟାରେ ସମସ୍ତଙ୍କର ଆମ୍ବଗଛ ଅଛି । ତେଣୁ ସଭିଁଏ ନିଜ ନିଜ ଗଛର ସୁସ୍ୱାଦୁ ଆମ୍ବ ଭାଗବତ ଗୋସାଇଁଙ୍କୁ ଭୋଗ ଦିଅନ୍ତି । ଭୋଗ ଲାଗିଲା ପରେ  ଆମ୍ବ ସୋରୁଅରେ ଉଖୁଡା ଗୋଳାଯାଇ ବଣ୍ଟାଯାଏ । ସେହି ଉଖୁଡା ଗୋଳା ଆମ୍ବସୋରୁଅ ଭୋଗ ଘରେ ଘରେ ବଣ୍ଟାଯାଏ । ବୈଶାଖ ପୂର୍ଣ୍ଣମୀରେ ଭାଗବତ ବଢେ ଅର୍ଥାତ୍ ସପ୍ତାହର ପରିସମାପ୍ତି ଘଟେ । ଏହି ଦିନ ସନ୍ଧ୍ୟାବେଳେ ବ୍ୟାସାସନରେ ଭାଗବତ ପୋଥି ରଖି ଗୋବିନ୍ଦ ଗୋବିନ୍ଦ ଉଚ୍ଚାରଣ ପୂର୍ବକ ଗ୍ରାମବାସୀ ଗ୍ରାମ ପରିକ୍ରମା କରନ୍ତି । ଗାଁ ଘରପୋଡିରେ ଭାଗବତ ଘର ଦୁଇଟି ମଧ୍ୟ ପୋଡିଗଲା । ଶହ ଶହ ବର୍ଷର ପ୍ରାଚୀନ ପୋଥି ଅଗ୍ନିରେ ଭସ୍ମୀଭୂତ ହୋଇଗଲା । କେବଳ ଠାକୁରଙ୍କୁ ଉଦ୍ଧାର କରାଗଲା ।
ଘରପୋଡି ପରେ ଗାଁ ଯାକ ସଭିଁଏ ନିଜ ନିଜ ଘର ସଫା କରିବାରେ ଲାଗିଲେ । ଯେଉଁମାନଙ୍କର ମୂଲିଆ ପ୍ରାପ୍ୟ ଦେବାକୁ ପଇସା ନାହିଁ, ସେମାନେ ନିଜେ ସଫା କରୁଥାନ୍ତି । ପୁର ୁଷ, ସ୍ତ୍ରୀ ଓ ପିଲାମାନେ ସଭିଁଏ ଏହି କାମରେ ଲାଗିଗଲେ । ଘରମାନଙ୍କ ମଧ୍ୟରୁ ପାଉଁଶ ଓ ଅଙ୍ଗାର ସଫା କରିବାକୁ ପ୍ରାୟ ସପ୍ତାହେ ଲାଗିଥିଲା । ତାପରେ ଲାଗିଲା ନୂଆ ଘର ତିଆରି ଚିନ୍ତା । ସମସ୍ତଙ୍କର ତ ଘର ପୋଡିଯାଇଛି । ଏତେ ବାଉଁଶ, କାଠ ଓ ନଡା ଆସିବ କେଉଁଠୁ ?ନଡା, ପାଳ, ବିରିବୋଡି ସବୁ ଘରପୋଡିରେ ଭସ୍ମ ହୋଇଗଲା । ତେଣୁ ବଳଦ, ଗାଈ, ଗୋରୁ ଖାଇବାକ ୁ ପାଉନାହାଁନ୍ତି । ସମସ୍ତଙ୍କ ଗୁହାଳ ପୋଡିଯାଇଥିବାରୁ ଗାଈ ଗୋର ୁ ବାନ୍ଧି ରଖିବା ସମ୍ଭବ ହେଲାନାହିଁ । ନୂଆ ଘର ଓ ଗୁହାଳ ତିଆରି ହେବା ପାର୍ଯ୍ୟନ୍ତ ଗାଈ ବଳଦ ପ୍ରଭୃତି ପଦାରେ ବୁଲିଲେ ଓ ବିଲ ଘାସ ପାଣି ଖାଇ ବଞ୍ଚô ରହିଲେ । ଆମ ମେଣ୍ଢା ଗୁହାଳ ପୋଡିଯାଇଥିଲା । ସେତେବେଳକୁ ଆମର ପ୍ରାୟ ୫୦ଟି ମେଣ୍ଢା ଥାଆନ୍ତି । ସବୁ ମେଣ୍ଢା ବଁଳାପାଳରେ ଅସ୍ଥାୟୀ ଗୁହାଳରେ ରହିଲେ । ଆମ ଗାଈ, ବଳଦ ମଧ୍ୟ ଅଁଳାପାଳରେ ଜମି ଭାଗଚାଷୀଙ୍କ ତତ୍ତ୍ୱାବଧାନରେ ରହିଲେ । ଆମେ ରହିବାକୁତ ଜାଗା ନାହିଁ । ତାଙ୍କୁ ରଖିବୁ କେଉଁଠି ? ଆମ୍ବମୂଳେ ଗୋଟିଏ ଅସ୍ଥାୟୀ ପଲାକରି ଆମେ ରହୁଥିଲୁ । ଘରପୋଡିରୁ ଉଦ୍ଧାର ହୋଇଥିବା ଜିନିଷ ଗୁଡିକ ସେହି ଆମ୍ବମୂଳେ ପଦାରେ ପଡିଥାଏ । ଚୋର ଭୟ ଥିଲେ ହେଁ ଜଗିବାକୁ କେହି ଲୋକ ନାହାଁନ୍ତି । ଗାଁ ତରଫରୁ ପ୍ରାୟ ସାତ ଆଠ ଜଣ ଚୌକିଦାର ରାତିରେ ଗାଁରେ ଜଗନ୍ତି । ଏ ସବୁ ସତ୍ତ୍ୱେ କିଛି ଲୋକଙ୍କର ଚୋରି ହୋଇଛି ବୋଲି ଶୁଣିବାକୁ ମିଳିଲା ।
ଅଗ୍ନିକାଣ୍ଡ ଥିଲା ଆମ ଗାଁ ନମିତ୍ତ ବଡ ବିପତ୍ତି । ଏଥିରେ ଅନେକ ଗରିବ ଓ ମଧ୍ୟବିତ୍ତ ଲୋକଙ୍କର ଅଣ୍ଟା ଭାଙ୍ଗିପଡିଲା । ଆମ ଘରେ ଥିବା ଦୁଇ ଆଲମାରୀ ବହି ଆଲମାରୀ ସହ ଭସ୍ମ ହୋଇଗଲା । ଘରେ ଥିବା ବହୁ ଆସବାବ ପତ୍ର, ଘରକରଣା ଜିନିଷ, ସୌଖିନ ପଦାର୍ଥ, କାନ୍ଥରେ ଟଙ୍ଗା ହୋଇଥିବା ଫଟୋ, ଘରେ ଥିବା ହାତବୁଣା ଆସନ ପ୍ରଭୃତି, ପିପିଲିରୁ ଆସିଥିବା ନୂଆଛୋଟ ଚାନ୍ଦୁଆ, ଦୁଇଟି ଚରଖା, ଚାରିଗୋଟି ଆଲଣା, ଶିଶୁ କାଠରେ ଗୋଟିଏ ଗୋଲଟେବୁଲ, ଦୁଇଟି ବେଞ୍ଚ୍ , ଦୁଇଟି ଟୁଲ, ବାପାଙ୍କର ଆଠଗୋଟି ଖଦଡ, ଲୁଗା, ପାଞ୍ଚଗୋଟି ଗାନ୍ଧୀଟୋପି, ମାଆଙ୍କର କେତୋଟି ମୂଲ୍ୟବାନ ଶାଢି, ଆଟୁ ଉପରେ ଥିବା ଚବିଶ ଖଣ୍ଡ ପିଆଶାଳ ପଟ୍ଟା, ଦୁଇଗୋଟି ଢ଼ିଙ୍କି, ଦୁଇଟି ସିଡି, ବିଛଣା ଚାଦର, କନ୍ଥା, ତକିଆ,ରେଜେଇ, କୁଲା, ଟୋକେଇ, କୋରଟିଆ ବୋଝ, ଗାଣ୍ଡୁଆ ସବୁକିଛି ପୋଡି ପାଉଁଶରେ ପରିଣତ ହୋଇଗଲା । ସିନ୍ଦୁକ ଭିତରେ ଥିବା ପ୍ରାୟ ୧୫୦ ପୋଥି ସିନ୍ଦୁକ ସହ ପୋଡିଗଲା । ଏହି ପୋଥିଗୁଡିକୁ ଭିତରେ ଚାରିବେଦ, ଉପନିଷେଦ, କିଛି ସ୍ମୃତି ଶାସ୍ତ୍ର ଓ ସଂହିତା ରହିଥିଲା । ଏହି ପୋଥିଗୁଡିକ ଥିଲା ଆମ ବଂଶର ବିଦ୍ୟାବିଭବ, ଯାହା ଘରପୋଡିରେ ଧ୍ୱଂସସ୍ତୂପରେ ପରିଣତ ହୋଇଗଲା ।
ଆନନ୍ଦନଗର, କାଠଗଡ଼ା
ଢେଙ୍କାନାଳ- ୭୫୯୦୦୧
 ମୋ- ୮୮୯୫୨୩୦୭୨୨