ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି ସୂର୍ଯ୍ୟ ଉପାସନାର ପର୍ବ । ସୂର୍ଯ୍ୟ ନାରାୟଣଙ୍କ ସ୍ତୁତି କରି ଅନ୍ଧକାରରୁ ଆଲୋକ ଆଡ଼କୁ ଯିବା ଲାଗି ଏହି ପର୍ବ ପ୍ରେରଣା ପ୍ରଦାନ କରିଥାଏ । ଏହି ପର୍ବ ଜୀବନରେ ଶୁଷ୍କତାକୁ ସମାପ୍ତ କରି ନୂତନ ଶକ୍ତି ଭରିଥାଏ । ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବାକୁ ମକର ସଂକ୍ରାନ୍ତି କୁହାଯାଏ । ଭାରତ ଭୂଖଣ୍ଡ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ । ମକର ସଂକ୍ରାନ୍ତି ପୂର୍ବରୁ ସୂର୍ଯ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଥାଆନ୍ତି । ମକର ସଂକ୍ରାନ୍ତି ପର ଠାରୁ ସେ ଉତ୍ତର ଗୋଲାର୍ଦ୍ଧକୁ ପ୍ରବେଶ କରିଥାନ୍ତି । ଏହାର ଅର୍ଥ ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରେ ଥାଆନ୍ତି । ସୂର୍ଯ୍ୟ ନିକଟକୁ ଆସୁଥିବାର ମକର ସଂକ୍ରାନ୍ତିରେ ତାଙ୍କର ପୂଜା କରାଯାଇଥାଏ । ମକର ସଂକ୍ରାନ୍ତିର ଅନେକ ପୌରାଣିକ ମହତ୍ୱ ରହିଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ଠାରୁ ସମସ୍ତ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଥାଏ । ମହାଭାରତ ଯୁଦ୍ଧ ସମୟରେ ଶର ଶଯ୍ୟାରେ ଶୋଇଥିବା ପିତାମହ ଭୀଷ୍ମ ସୂର୍ଯ୍ୟଙ୍କ ଉତ୍ତରାୟଣ ହେବାକୁ ଅପେକ୍ଷା କରିଥିଲେ । ସୂର୍ଯ୍ୟ ଉତ୍ତରାୟଣ ହେବା ମାତ୍ରେ ସେ ପ୍ରାଣ ତ୍ୟାଗ କରିଥିଲେ । ପୌରାଣିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ସୂର୍ଯ୍ୟ ନିଜ ପୁତ୍ର ଶନିକୁ ଦେଖା କରିବା ଲାଗି ତାଙ୍କ ଘରକୁ ଯାଇଥିଲେ । ଶନିଦେବ ମକର ରାଶିର ସ୍ୱାମୀ ହୋଇଥିବାରୁ ଏହି ଦିବସର ନାମ ମକର ସଂକ୍ରାନ୍ତି ହୋଇଥିଲା । ମକର ସଂକ୍ରାନ୍ତି ଦିନ ଦେବୀ ଗଙ୍ଗା ଭଗୀରଥଙ୍କ ପଛେ ପଛେ ଆସି କପିଳ ମୁନିଙ୍କ ଆଶ୍ରମରେ ପହଞ୍ଚôଥିଲେ । ଏହାପରେ ଭଗୀରଥଙ୍କ ବଂଶର ଉଦ୍ଧାର ହୋଇଥିଲା । ଶେଷରେ ଦେବୀ ଗଙ୍ଗା ସାଗରରେ ମିଶିଥିଲେ । ସେଥିପାଇଁ ମକର ସଂକ୍ରାନ୍ତି ଦିନ ଗଙ୍ଗାସାଗର ସ୍ନାନର ବିଶେଷ ମହତ୍ତ୍ୱ ରହିଛି ।
ଭାରତର ଅଧିକାଂଶ ଅଞ୍ଚଳରେ ମକର ସଂକ୍ରାନ୍ତି ପାଳିତ ହୁଏ । ଏକଦା ପ୍ରାଚୀନ ରୋମାନ୍ ଓ ଇହୁଦିମାନେ ମଧ୍ୟ ଏହି ପର୍ବ ପାଳନ କରୁଥିବା ଜଣାଯାଏ । ଏହି ଦିନରୁ ମାଘ ମାସ ଆରମ୍ଭ ହୁଏ । ଦକ୍ଷିଣ ଭାରତରେ ଏହା ନବ ବର୍ଷର ପ୍ରଥମ ଦିନ । ଦକ୍ଷିଣ ଭାରତୀୟମାନେ ଏହାକୁ କହନ୍ତି ପୋଙ୍ଗଲ । ପୋଙ୍ଗଲରେ ଅଗ୍ନି ଉତ୍ସବ ପାଳନ ସହ ନବ ବସ୍ତ୍ର ପିନ୍ଧାଯାଏ ଏବଂ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ମକରରେ ଓଡ଼ିଆ ଘରମାନଙ୍କରେ ହୋମ ହୁଏ । ନୂଆ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, ଖିରି ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ କରାଯାଏ । ଏହି ଭୋଗ ଦେବତାଙ୍କୁ ଅର୍ପଣ କଲା ପରେ ସାହି ପଡ଼ିଶାରେ ବଣ୍ଟାଯାଏ । ଏହି ଦିନରେ ଗଙ୍ଗାସାଗର ମେଳା ଅନୁଷ୍ଠିତ ହୁଏ । ମକର ସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଗତି ଉତ୍ତରାୟଣ ଓ ତେଜ ପ୍ରଖର ହୁଏ । ସୂର୍ଯ୍ୟ, ମକର ରାଶିରୁ ବିଷୁବ ରେଖା ଆଡ଼କୁ ଗମନ କରନ୍ତି । ଏହି ସମୟରେ ମୃତୁ୍ୟ ହେଲେ, ଦେବଲୋକ ପ୍ରାପ୍ତ ହେଉଥିବା ଏକ ହିନ୍ଦୁ ବିଶ୍ୱାସ । ପିତାମହ ଭୀଷ୍ମ ଇଛାମୃତୁ୍ୟ ବର ପାଇଥିଲେ । ସେ ଶରଶଯ୍ୟାରେ, ସୂର୍ଯ୍ୟଙ୍କ ଉତ୍ତରାୟଣକୁ ଅପେକ୍ଷା କରିଥିଲେ ।
ଡ. ତପନ କୁମାର ପାଳ,କଟକ