ଅଜଣା ଜଗତର ଡାକ (୩୧)

ନିଆଁ ଦେଖିଲାବେଳକୁ ପ୍ରାୟ ପ୍ରଳୟ ଆକାର ଧାରଣ କଲାଣି । ପାଣ୍ଡାନାସ ଜଙ୍ଗଲ ଭିତରେ ନିଆଁ ଧରି ଜଙ୍ଗଲ ଭିତରକୁ ସୁଡଙ୍ଗମାନ କରିଦେଇଛି । ଏ ଅବସ୍ଥାରେ ଜଙ୍ଗଲ ଭିତରକୁ ଯିବା ସହଜ ନୁହେଁ । ଚଉଡା ଫାଙ୍କରେ ତଳ ନିଆଁ ହୁତୁହୁତୁ ହୋଇ ଜଳୁଥିଲା । ପାଣ୍ଡାନାସ ବଣଟା ସମୁଦ୍ର ଆଡକୁ, ପିଚୁ ରାସ୍ତାର ବାମ ପଟେ ଆଉ ଆଗକୁ ରାସ୍ତା ଚଢିଯାଇଛି ପାହାଡକୁ । ସେପଟୁ ତଳକୁ ଓହ୍ଲାଇ କିଛି କରିବା ପ୍ରାୟ ଅସମ୍ଭବ । ଏପଟୁ ଯାହା କିଛି କରିହେବ । ପାଣ୍ଡାନାସ ଗଛ ବା କେଓଡା ପ୍ରାୟ କଦଳୀ ଗଛ ଭଳି ପୋଲା, ଲମ୍ବା ସରୁଆ କଣ୍ଟାକଣ୍ଟା ପତ୍ର । ହଠାତ୍ କେଓଡା ବଣରେ ପଶିଲେ ଦେହହାତ ଚିରି ହୋଇଯିବା କଥା । ଶୁଖି ତଳେ ପଡିଥିବା ଲମ୍ବା ସରୁପତ୍ରମାନ ହାଉ କରି ଜଳି ଉଠିବ । ତେଣୁ ନିଆଁ ପାଖକୁ ଯାଇ ପାଣି ପକାଇ ନିଆଁକୁ ଲିଭାଇବାର କିଛି ସମ୍ଭାବନା ନାହିଁ । ନିଆଁ ଲିଭାଇବାର ସମ୍ଭାବନା ହେଉଛି ଆଗକୁ ଯେମିତି ନିଆଁ ନବଢିବ ତାହା ସୁନିଶ୍ଚିତ କରିବା । ଆଖ ପାଖ ଅଞ୍ଚଳରୁ ଶୁଖିଲା ପତ୍ରମାନ ଉଠାଇ ଦୂରକୁ ନେଇଯିବା କିମ୍ବା କଣ୍ଟ୍ରୋଲଡ ବର୍ଣ୍ଣିଙ୍ଗ ସହ ତଳକୁ ପରିଷ୍କାର ରଖିବା । ତାହାହେଲେ ନିଆଁ ତଳ ପତ୍ରକୁ ଧରି ଆଗକୁ ମାଡି ପାରିବ ନାହିଁ । ଗ୍ରାଉଣ୍ଡ ଫାୟାର କଣ୍ଟ୍ରୋଲ ପରେ ଲକ୍ଷ୍ୟ ହେଉଛି କ୍ରାଉନ ଫାୟାରକୁ ସମ୍ଭାଳିବା । କ୍ରାଉନ ଅର୍ଥ ଅଗ ପତ୍ରର ଛତା । ଆଉ ଡାଳରୁ ଅନ୍ୟ ଭଲଗଛ ବା ପତ୍ର ବା ଡାଳକୁ ନିଆଁ ନମାଡୁ । ଭଲ ଗଛମାନଙ୍କର ଟିକେ ଟିକେ ଶୁଖିଲା ପତ୍ର ଡାଳକୁ ସାଙ୍ଗେ ସାଙ୍ଗେ ଉଂଛି ସଫା କରିଦେବା ଦରକାର ଆଉ ଗଛ ଗଛ ମଧ୍ୟରେ ଏକ ଦୂରତା ରଖିବା ଦରକାର ।
ଅସୀମ ସାଙ୍ଗେ ସାଙ୍ଗେ ଅନ୍ୟମାନଙ୍କୁ ନେଇ ଦୌଡିବାକୁ ଲାଗିଲେ । ଯେମିତି ହେଲେ ଏ ଜଙ୍ଗଲ ରକ୍ଷା କରିବାକୁ ପଡିବ । ହାତରେ ଭାବିବାକୁ ସମୟ ନାହିଁ । ଏ ସମୟରେ କିଛି ତାଙ୍କ ମୁଣ୍ଡ ଭିତରକୁ ପଶୁନଥିଲା । ଏକ ଭୟଙ୍କର ଚିତ୍ର ତାଙ୍କ ଆଖି ଆଗରେ ନାଚିଗଲା । ନିଆଁ ପଡପଡ କରି କେଓଡା ଗଛର ପତ୍ରମାନଙ୍କୁ ଜାଳି ଦେଉଛି, ସେଠି ଆଉ ଗଛ ପତ୍ରର ରୂପ ଠଉରାଇ ହେଉନି । କେବଳ ଗୋଟାଏ ରଙ୍ଗ, ହଳଦିଆ, ଲାଲ-କମଳା ଆଉ କଳା ରଙ୍ଗ, ଉପରକୁ ଶିଖା ଲହଲହ କରୁଛି । ସାପ ଭଳି ଗୋଟାଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଲମ୍ଫ ଲଗାଇବାକୁ ପ୍ରସ୍ତୁତ । ସିଧା ଗଛ, ଛୋଟ ଡାଳମାନ ଜଳି ମୁଣ୍ଡ ନୁଆଁଇଦେଇ ତଳକୁ ଝଡି ପଡୁଛି । ପରେ ବଡ ଗଣ୍ଡିଟା ଧୀରେ ଜଳି ଯାଇଉଛି । ବଡ ଗଣ୍ଡିରେ ରଡ ନିଆଁ ଜଙ୍ଗଲରେ ନିଆଁ ଲିଭିଗଲା ପରେ ମଧ୍ୟ ଭିତରେ ରହିଥାଏ । ନିଆଁ ଲାଗିଲେ ମନକୁ ମନ ପବନ ବୋହିବା ଆରମ୍ଭ କରେ । ଏକ ତତଲା ପବନ ପାଖ ଦେଇ ଜୋରରେ ବୋହିଯାଏ । ସେଥିରେ ଜଣେ ମଣିଷ ଶିଝି କଇନ୍ଥା ହୋଇଯିବା କଥା । ଜାଗାଏ ଜାଗାଏ ନିଆଁ ଯେମିତି ଏକ ଏକ ଛୋଟ ପାହାଡ ଗଢିଥିଲା । ତଳୁ ନିଆଁ ଧୀରେ ସଣସଣ ଶବ୍ଦ କରି ଗଛକୁ ଜଳାଇ ଚାଲିଛି । ମଝିରେ ମଝିରେ କିଛି ଠୋ ଠୋ କରି ଫୁଟୁଛି । ନିଆଁ ପାଖକୁ ଜମା ପଶି ହେଉନଥିଲା । ଅସୀମଙ୍କ ଲୋକମାନେ ଉଦୟରାଜଙ୍କ ନେତୃତ୍ୱରେ ନିଆଁ ଲିଭାଇବାକୁ ଲାଗିଯାଇଥିଲେ । ସେତେବେଳକୁ ଜଙ୍ଗଲ ତଳେ ଚାରିଆଡେ ନିଆଁ ଲାଗିଯାଇଥାଏ । ଅସୀମଙ୍କ ଲୋକମାନଙ୍କ ପାଖରେ ନିଆଁ ଦଉରୁ ରକ୍ଷା ପାଇବା ପାଇଁ କିଛି ପୋଷାକ ପତ୍ର ବା ସାରଂଜମ ନଥିଲା । ନିଆଁ ଭିତରକୁ ହଠାତ୍ ଧସେଇ ପଶିଲେ କପଡାରେ ନିଆଁ ଲାଗି ଜଳିଯିବା କଥା । ସେମାନେ ଜଲଦି ଜଲଦି ଶୁଖଲାପତ୍ର ସବୁକୁ ଦୂରକୁ ଫୋପାଡି ଦେଲେ ଆଉ ପୋଡି ନଥିବା ଗଛମାନଙ୍କୁ ଉଂଛି ପକାଇଲେ । କିଛି ଲୋକ ତଳେ ବନ୍ୟା ଭଳି ମାଡି ଆସୁଥିବା ତଳ ନିଆଁକୁ କଂଚା ଡାଳରେ ବାଡେଇବାକୁ ଲାଗିଲେ । ସେମାନଙ୍କ କଳା କଳା ହାତ କଂଚା ଡାଳସବୁରେ ବୃତ୍ତକରାଇ ଗ୍ରାଉଣ୍ଡ ଫାୟାରକୁ ବାଡାଉଥିଲା । ଫଳରେ ତଳ ନିଆଁ ଖଣ୍ଡ ଖଣ୍ଡ ହୋଇ ଛୋଟ ହୋଇଯାଉଥିଲା ଆଉ କ୍ରମାଗତ ବାଡେଇବାଦ୍ୱାରା ଲିଭିଯାଉଥିଲା । ଅଧିକାଂଶ ଲୋକ ସେମାନଙ୍କ ଉପର ପିନ୍ଧା କପଡାକୁ ଫୋପାଡି ଦେଇଥିଲେ । ଦେହରେ ପ୍ରାୟ ହାଫ ପ୍ୟାଣ୍ଟ ଆଉ ଗୋଡରେ ଚପଲ । ହାତରେ ଖଣ୍ଡେ ଖଣ୍ଡେ କଂଚା ଡାଳ ବା ବାଡି । ଏତିକି ମାତ୍ର ସାରସଂରଜାମ । ଏମିତି ବାଡେଇବା ଦ୍ୱାରା ତଳ ଗ୍ରାଉଣ୍ଡ ଫାୟାର ଆଗକୁ ବଢିପାରେ ନାହିଁ । ଲୋକଙ୍କୁ ନିଆଁ ଲିଭାଇବା ସହଜ ହୋଇଯାଏ । ବଡ ଗଛରୁ ନିଆଁ ଲିଭାଇବା ଅସମ୍ଭବ । 
ତଳେ ଗଛ ସବୁ ପାଉଁଶ ହୋଇ ଝଡି ପଡିଥାନ୍ତି । ଗଛ ମୂଳରେ ପାଣ୍ଡାନାସ ବଣରେ ଆଶ୍ରୟ ନେଇଥିବା ଅନେକ କଙ୍କଡା ମରିପଡିଥାନ୍ତି । ସେମାନେ ନିଜର ଛୋଟ ଛୋଟ ଗୋଡରେ ପଳାଇବାକୁ ଚେଷ୍ଟ କରି ଜଳିଯାଇଛନ୍ତି । ଭିନ୍ନ ଭିନ୍ନ ଆକାରର ପ୍ରାୟ ସବୁ କଙ୍କଡା ବା ଗେଣ୍ଡା ନିଜ ଗାତରୁ ବାହାରି ଆସି ନିଜର ଲମ୍ବା ସରୁଆ ବଙ୍କା ଗୋଡରେ ମାଟିକୁ ଧରିଥିଲେ । ମୋଟା ଗୋଡମାନ ଶରୀର ଭିତରକୁ ପଶିଯାଇଥିଲା ସେମାନଙ୍କ ଗୋଡ ତଳେ ପାଉଁଶ ଝରିପଡିଥିଲା । ଧଳା ଧୂଆଁ ଜଙ୍ଗଲରେ ଜୋରରେ ଉଠୁଥିଲା । 
ସେ ମନେ ମନେ ଶୋଭନା ଆଉ ତାଙ୍କର ପୁରୁଣା ଗୀତ ମନେ ପକାଇଲେ । “ନିଆଁ ଛୁଇଁବନି କେବେ ଆମ ପତ୍ରର କୁଟୀର । ନିଆଁର ଝୁଲକୁ, ପାଣିର ଛିଟିକାମାନ ଧରିନେବେ ଆକାଶରୁ, ପତଙ୍ଗକୁ ପବନରେ ହାୱାବିଲ ଧରିଲା ପରାୟେ ।” ଏହା ତାଙ୍କ ମନ ଭିତରେ ଏକ ଶକ୍ତିର ପ୍ରବାହ ସୃଷ୍ଟି କରୁଥିଲା ।  ଏପଟେ ନୂଆ ଜାଗାରେ ନିଆଁ ମାଡୁଥିଲା । ପୁରୁଣା ଜାଗାରେ ଆଉ କିଛି କରିହେବ ନାହିଁ । ଯେଉଁ ଗଛ ଅପେକ୍ଷାକୃତ ଶୁଖିଲା ଥିବ ତାହା ଜଳିଯିବ । ନିଆଁ ଭିରକୁ ପଶିହେଉନାହିଁ ଆଉ କିଛି ଗଛର ଉପର କ୍ରାଉନରେ ନିଆଁ ଧରଲାଣି । ଗୋଟାଏ ଗୋଟାଏ ବେଶ କଂଚା ଥିବା ଗଛ ଜଳିବା ଆରମ୍ଭ କରିଥିଲା । ସେମାନେ ଜଳୁଥିବା ଜାଗାରେ ଆଉ କିଛି କରିପାରିବେ ନାହିଁ । ଏହିସବୁ ଜଳୁଥିବା ଜାଗାରେ ସମୟକ୍ରମେ ଗଛ ଉଠିବ । ବର୍ଷାରେ ପାଉଁଶ ପାଣିକୁ ବୋହିଯିବ, କିଛି ସାରରେ ପରିଣତ ହୋଇ ମାଟିକୁ ଉର୍ବର କରିବ । ଧୀରେ ଟାଣ ହୋଇଯାଇଥିବା ମାଟି ଅନେକ ବର୍ଷପରେ ନିଜ ପୁରୁଣା ରୂପ ଫେରିପାଇବ ଆଉ କଙ୍କଡାମାନେ ନୂଆ ଭାବରେ ନୂତନ ପାଣ୍ଡାନାସ ବଣରେ ବାସ କରିବାକୁ ଆସିବେ । ସେମାନେ ମାଟିରେ ନିଜ ରହିବା ପାଇଁ ଗାତ ଖୋଳି ଟାଣ ମାଟିକୁ ଧୀରେ ନରମ କରିଦେବେ । ପାଣ୍ଡାନାସ ଜଙ୍ଗଲ ସମୟର ସହ ନିଜର ପୂର୍ଣ୍ଣର୍ରୂପ ପାଇବ ।
ଅରଣ୍ୟରେ ଅଗ୍ନିର ବିଶାଳ ରୂପ ଅବର୍ଣନୀୟ ତଥା ରୁଦ୍ର ଲାଗେ । ଅସଂଖ୍ୟ ଶିଖା, ଗଣି ହେଉନଥିବା ଦୀପ ସମୂହରେ ବଳିତା ଲଗାଇ ସନ୍ଧ୍ୟାର ନିଆଁ କିଏ ଅନ୍ଧାରର ଚଉରା ଆଗରେ ଲଗାଇ ଦେଇଛି । ଆଗକୁ ଶିଖାର ଶେଷଭାଗ କମଳାରୁ କଳାବର୍ଣ୍ଣ ଧାରଣ କରୁଛି । ତଳ ଆଡକୁ ଏହା ବେଶ ହଳଦିଆ କମଳା ଆଉ ଅତି ଉଜ୍ଜ୍ୱଳ ଲାଗୁଛି । ସବୁ ସଳିତା ଏକା ସାଙ୍ଗରେ ଜଳି ଉଠୁଛି । ଜଳିବା ସହ ଏକ ସଣସଣ ଶବ୍ଦ ଜଙ୍ଗଲରେ ପହଁରି ଯାଉଛି । ମଣିଷର ଦେବାଳୟରେ, ଘରେ ଆଳତି ସମୟରେ କ୍ରମାଗତ ଘଣ୍ଟି ବାଜିଲା ଭଳି ଜଙ୍ଗଲରେ ଏହି ସଣସଣ ଶବ୍ଦ ଶୁଣାଯାଉଛି । ନିଆଁକୁ ଏଇଥି ପାଇଁ ବୋଧେ ଅଗ୍ନିଦେବ କୁହାଯାଏ । ଅଗ୍ନିଦେବଙ୍କର ଆଗମନ ସହ ତାଙ୍କର ତୁଷ୍ଟି ପାଇଁ ଏମିତି ପଡପଡ ଆଉ ସଣସଣ ସଙ୍ଗୀତ ତାଙ୍କ ଦରବାରରେ ଚାଲିଥାଏ । ଶିଖାର ରଙ୍ଗ ଆଉ ଆକାର ସେମିତି ବଦଳି ଚାଲିଛି । କେଓଡା ଗଛର ଲମ୍ବା ଚେରମାନ ଧୀରେ ଜଳୁଛି । ସେଥିରେ ପାଣି ଥିବାରୁ ଜଳିବା କମ ହେଉଛି କିନ୍ତୁ ଉପର ଆଡକୁ ଛତା କରି ରହିଥିବା ପତ୍ରମାନ ପଡପଡ କରି ଜଳି ଚାଲିଛି । ଦୂରକୁ କଞ୍ଚା ଗଛମାନ ଏ ନିଆଁର ଧାସରେ ଯେମିତି ଶାଙ୍କୁଡି ଯାଉଛି ।  ନିଆଁ ଲିଭାଳି ଦଳ ଦୌଡି ଦୌଡି କାମ କରିବାକୁ ଲାଗିଯାଇଥିଲେ । ସେମାନେ ତଳେ ପଡିଥିବା ଶୁଖିଲା ପତ୍ରକୁ ବାଡିରେ ଆଡେଇ ଚାଲୁଥିଲେ । ଶୁଖିଲା ପତ୍ର ଦେଇ ନିଆଁ ନୂଆ ଜାଗାକୁ ଆଉ ନମାଡୁ । ଜଙ୍ଗଲରେ ପତ୍ର ପଡିରହେ । ସଢେ ପଚେ । ସେହି ସଢାପଚା ପତ୍ର ଆଉ କେଉଁ ପ୍ରାଣୀର ଖାଦ୍ୟ ବା ବା ଆଶ୍ରୟ ସ୍ଥଳରେ ପରିଣତ ହୁଏ । ଜଙ୍ଗଲ ତଳ ସଢା, ପଚା ଆଉ ଶୁଖିଲା ପତ୍ରରେ ଭରା ରହିବ । ସେଗୁଡିକୁ ବାହାର କରିଦେବା ଜଙ୍ଗଲର ଇକୋ ସିଷ୍ଟମରେ ହସ୍ତକ୍ଷେପ କରିବା ହେବ, ଯାହା ବୈଜ୍ଞାନିକ ଦୃଷ୍ଟକୋଣରୁ ଅଗ୍ରହଣୀୟ । ଯାହାହେଉ ସେମାନେ ପରିଶ୍ରମ କରି ନୂଆ ଜାଗାକୁ ନିଆଁ ନମାଡିବରେ ସକ୍ଷମ ହେଲେ । କେଓଡା ଜଙ୍ଗଲରେ କେବଳ କେଓଡା ଗଛ ନଥାଏ । କିଛି ଅନ୍ୟ ବୃକ୍ଷମଧ୍ୟ ଥାଏ । ଶୁଖିଯାଇଥିବା ଗଛମାନଙ୍କରେ ବେଶ ଉପରେ ନିଆଁଥିଲା । ପ୍ରାୟ ୨୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଗଣ୍ଡିରେ ତଥାପି ରଡ ନିଆଁ ଥିଲା । ଯଦି ଗଛଟା ଜଳି ଭାଙ୍ଗି ପଡିଲା ତେବେ ସାଙ୍ଗେ ସାଙ୍ଗେ ନିଆଁ ପଡିଥିବା ଜାଗାକୁ ବାଡେଇ ଲିଭାଇ ଦେବାକୁ ପଡିବ । ଫଳରେ ନୂଆ ଜାଗାକୁ ନିଆଁ ମାଡିବନି । (କ୍ରମଶଃ)
ଭୁବନେଶ୍ୱର