କାନାଡ଼ା-ଆମେରିକାରେ ଭାରତ ବିରୋଧୀ


ଭାରତରେ ଆତଙ୍କବାଦ ଚଳାଇ ରଖିବା ପାଇଁ ବିଭିନ୍ନ ପ୍ରକାରର ଧାର୍ମିକ ତଥା ଅନ୍ୟାନ୍ୟ ଗୋଷ୍ଠୀ ଦୀର୍ଘ ବର୍ଷ ହେଲା ସକ୍ରୀୟ ଅଛନ୍ତି । ଏବେ ଏକ ଚାଞ୍ଚଲ୍ୟକର ତଥ୍ୟରୁ ପ୍ରକାଶ ପାଇଛି ଯେ ଭାରତ ବିରୁଦ୍ଧରେ ଆତଙ୍କବାଦକୁ ଚଳାଇ ରଖିବା ପାଇଁ ଲୁଚି ରହିଥିବା ଆତଙ୍କବାଦୀମାନେ ୧୭ଟି  ଦେଶରେ ଅଛନ୍ତି । ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ସବୁଠାରୁ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ହେଉଛି ଦାଉଦ୍ ଇବ୍ରାହିମ୍ । ସେ ୧୯୮୬ ମସିହାରୁ ଫେରାର୍ ଅଛି । ଏବେ ସେ ପାକିସ୍ତାନରେ ଥିବା ନେଇ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଏହାର ସତ୍ୟାସତ୍ୟ ଖବର ଏଯାଏଁ ଆସିନାହିଁ । 
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୩୪ ଜଣ ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀଙ୍କର ତାଲିକା ତିଆରି କରିଛି । ଏହି ଅପରାଧୀମାନେ ବିଭିନ୍ନ ସମୟରେ ଭାରତରେ ଅପରାଧ ଘଟାଇ ବିଦେଶକୁ ଫେରାର୍ ହୋଇ ଯାଇଛନ୍ତି । ବିଦେଶରେ ଲୁଚି ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇ ରଖିଛନ୍ତି । ଏହି ଆତଙ୍କବାଦୀମାନେ ବିଭିନ୍ନ ପ୍ରକାର ସଙ୍ଗଠନର ସଦସ୍ୟ ଭାବରେ ବିଦେଶରେ ରହି ସେମାନଙ୍କ ଅପରାଧର ସାମ୍ରାଜ୍ୟକୁ ଚଳାଉଛନ୍ତି । ଏଥିପାଇଁ ଏମାନେ ହତ୍ୟା, ବଟି ଆଦାୟ, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ, ନିଶାଦ୍ରବ୍ୟ ଚୋରା ଚାଲାଣ ଭଳି କାରବାରରୁ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି ଏବଂ ଏହି ପାଣ୍ଠିରେ ସେମାନଙ୍କର ସଙ୍ଗଠନକୁ ଚଳାଉଛନ୍ତି । ଏଭଳି ଅପରାଧୀମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରାଳୟ ତରଫରୁ ଇଣ୍ଟରପୋଲ୍ର ସହାୟତା ମଗାଯାଇଛି । ଖାଲି ସେତିକି ନୁହେଁ, ଏହି ସମସ୍ତ ଅପରାଧୀଙ୍କୁ ଧରାଇ ଦେଲେ ବଡ଼ଧରଣର ଏକ ଅର୍ଥରାଶି ପୁରଷ୍କାର ଦିଆଯିବ ବୋଲି କୁହାଯାଇଛି । ଏମାନଙ୍କ ନାମରେ ରେଡ୍ କର୍ଣ୍ଣର୍ ନୋଟିସ୍ ଜାରି କରାଯାଇଛି । ଏହି ସତ୍ତ୍ୱେ ଭାରତୀୟ ଯାଞ୍ଚ୍ ଏଜେନ୍ସି ଏବଂ ବିଭିନ୍ନ ଦେଶର ଯାଞ୍ଚ୍ ଏଜେନ୍ସିଙ୍କ ଆଖିରେ ଧୂଳି ଦେଇ ଏହି ଅପରାଧୀମାନେ ନିର୍ବିଘ୍ନରେ ବିଦେଶରେ ରହୁଛନ୍ତି । 
ପାକିସ୍ତାନ୍ ଭଳି କେତେକ ସରକାର ନୀତିଗତ ଭାବରେ ଆର୍ନ୍ତଜାତିକ ଅପରାଧୀମାନଙ୍କୁ ସୁରକ୍ଷା ଦେଉଛନ୍ତି । ଏହାଫଳରେ ଏହି ଅପରାଧୀମାନଙ୍କୁ ଧରିବା କିମ୍ବା ଭାରତକୁ ଫେରାଇ ଆଣିବା ସହଜ ହେଉ ନାହିଁ । ଏହି ଅପରାଧୀମାନେ ବିଭିନ୍ନ ସମୟରେ ବିଭିନ୍ନ ରାଷ୍ଟ୍ରରେ ପାସପୋର୍ଟ୍କୁ ମଧ୍ୟ ଜାଲିଆତି କରୁଛନ୍ତି ଏବଂ ପ୍ରକୃତ ପାସ୍ପୋର୍ଟ୍ ମଧ୍ୟ ହାସଲ କରିନେଇଛନ୍ତି । ଏହାପରେ ସେହି ରାଷ୍ଟ୍ରରେ ଏହି ଅପରାଧୀମାନଙ୍କୁ ଠାବ କରିବା ଆଉ ସମ୍ଭବ ହେଉନାହିଁ । ଏମାନଙ୍କର ନାଗରିକତା କ୍ଷେତ୍ରରେ ମଧ୍ୟ ଅନେକ ପ୍ରକାରର ଜାଲିଆତି ଏବଂ ମିଥ୍ୟା ତଥ୍ୟ ରହିଥିବା ଦେଖାଯାଉଛି । ଭାରତ ବିରୁଦ୍ଧରେ ଆତଙ୍କବାଦ ସୃଷ୍ଟି କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ଅଧିକାଂଶ ପାକିସ୍ତାନ ସମେତ ଆମେରିକା ଓ କାନାଡ଼ାରେ ରହିଥିବା ଜଣାପଡ଼ିଲାଣି । ଏହାପରେ ଅଷ୍ଟ୍ରେଲିଆ, ଆଇଜର୍ ବୈଜାନ୍, ଜର୍ମାନ୍, ଇଣ୍ଡୋନେସିଆ, ବ୍ରିଟେନ୍ ଭଳି ଦେଶରେ ସେମାନେ ବାହ୍ୟଗୋପନ କରି ରହିଥିବା ଜଣାପଡ଼ିଛି । ୩୪ ଜଣ ମୋଷ୍ଟ୍ ୱାଣ୍ଟେଡ୍ଙ୍କ ମଧ୍ୟରୁ ୧୧ ଜଣ କେବଳ କାନାଡ଼ାରେ ଅଛନ୍ତି । ସେମାନେ ରହୁଥିବା ରାଷ୍ଟ୍ର ସମ୍ପର୍କରେ ତଥ୍ୟ ପ୍ରକାଶ ପାଉଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହି ଅପରାଧୀମାନଙ୍କୁ ଭାରତକୁ ଫେରାଇ ଅଣାଯାଇପାରୁନାହିଁ । ତେବେ ଏ କ୍ଷେତ୍ରରେ ସେହିସବୁ ରାଷ୍ଟ୍ର ସହିତ ଆମ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଯୋଗାଯୋଗରେ ଅଛି । କାନାଡ଼ା ପରେ ସର୍ବାଧିକ ମୋଷ୍ଟ୍ ୱାଣ୍ଟେଡ୍ ଆମେରିକାରେ ରହୁଛନ୍ତି । ଏମାନେ ବିଭିନ୍ନ ସମୟରେ ନିଜର ନାମ ଏବଂ ଠିକଣା ମଧ୍ୟ ବଦଳାଇ ଦେଉଛନ୍ତି । ଏହା ଫଳରେ ସେମାନଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ହାସଲ କରିବା କଷ୍ଟକର ହୋଇପଡୁଛି । ଇତିମଧ୍ୟରେ ଅପରାଧୀ ଗୋଲ୍ଡଡିନ୍ ଏବଂ ପନ୍ନୁ ଦିନକୁ ୪/୫ ଥର ସେମାନଙ୍କ ରହିବା ସ୍ଥାନ ବଦଳାଉଛନ୍ତି । ଏହା ଫଳରେ ସେମାନଙ୍କୁ ଧରିବା ସମ୍ଭବ ହେଉନାହିଁ । ତେବେ ଯାହା ବି ହେଉ ଅପରାଧୀମାନଙ୍କ ବିରୁଦ୍ଧରେ ଆଇନ୍ର ପ୍ରକ୍ରିୟା ଚାଲୁ ରହିଛି ଏବଂ ସେମାନେ ଯେତେ ଖେଳ ଖେଳିଲେ ବି ଖୁବ୍ ଶୀଘ୍ର ଧରା ପଡ଼ିଯିବେ ବୋଲି ଭାରତ ପକ୍ଷରୁ ଆଶା ପ୍ରକାଶ କରାଯାଉଛି ।