ଡେଙ୍ଗୁ ଓ ଯକୃତ ସଂକ୍ରମଣ
ହାଡ଼ଭଙ୍ଗା (ବ୍ରେକ ବୋନ ଫିଭର୍) ବା ଡେଙ୍ଗୁଜ୍ୱର ସାଧାରଣତଃ ଗ୍ରୀଷ୍ମମଣ୍ଡଳ ବା କ୍ରାନ୍ତି ବଳୟରେ ଦେଖାଯାଇଥାଏ । ପ୍ରତିବର୍ଷ ପାଞ୍ଚଶହ ଲକ୍ଷ ଲୋକ ଡେଙ୍ଗୁଜ୍ୱରରେ ଆକ୍ରାନ୍ତ ହେଉଛନ୍ତି ଓ ପାଞ୍ଚଲକ୍ଷ ଲୋକ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି । ସମଗ୍ର ଦକ୍ଷିଣ ଏସିଆ, ଆଫ୍ରିକା ଓ ଆମେରିକାରେ ଏହି ରୋଗର ପ୍ରାର୍ଦୁଭାବ ଦେଖାଯାଏ । ପୁଣି ସେହି ଦେଶକୁ ଯେଉଁମାନେ ବୁଲିବାକୁ ଯାଆନ୍ତି ସେମାନେ ମଧ୍ୟ ଏ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ବର୍ଷ ବଢ଼ିବାରେ ଲାଗିଛି । ୧୯୯୦ରୁ ୧୯୯୯ ମଧ୍ୟରେ ପ୍ରତିବର୍ଷ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪.୭ଲକ୍ଷ ଥିଲାବେଳେ ୨୦୦୦ରୁ ୨୦୦୫ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ଦୁଇଗୁଣ ବଢ଼ି ୯.୨ ଲକ୍ଷ ହୋଇଛି । ଏହି ଜ୍ୱର ଏଡ଼ିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ । ମ୍ୟାଲେରିଆ ଓ ଡେଙ୍ଗୁ ଉଭୟେ ମଶା ଦ୍ୱାରା ସଂକ୍ରମିତ ହୁଏ । ଏହି ଜ୍ୱର ଫ୍ଲେଭିଭାଇରସ୍ ଭୂତାଣୁ ଦ୍ୱାରା ହୋଇଥାଏ । ଏହା ଏକ ଆରଏନ୍ଏ ଭୂତାଣୁ ଓ ଏହାର ଜିନୋମ୍ ଏକଧାରାବାହୀ । ସମ୍ପ୍ରତି ଡେଙ୍ଗୁର ଭୟାବହତା ରାଜ୍ୟର କେତେକ ସ୍ଥାନରେ ଦେଖାଯାଇଛି । ଏହି ଭୂତାଣୁକୁ ବହନ କରୁଥିବା ମଶା ହେଉଛି ଏଡ଼ିସ୍ ଇଜିପ୍ଟି ଏବଂ ଏଡ଼ିସ୍ ଆଲ୍ବୋପିକ୍ଟସ୍ । ଦେଖିବାକୁ କଳା ରଙ୍ଗର ଏବଂ ସେମାନଙ୍କ ଉପରେ ଧଳା ଦାଗ ଥିବାରୁ ଏହି ମଶାକୁ ବାଘୁଆ ମଶା କୁହାଯାଏ । ଏହି ମଶାମାନେ ବିଶେଷକରି ସନ୍ତସନ୍ତିଆ ଜାଗା, ପାଣି ଜମା ହୋଇଥିବା ସ୍ଥାନ ଏବଂ ଆବର୍ଜନା ଜମି ଥିବା ସ୍ଥାନରେ ବଂଶ ବୃଦ୍ଧି କରିଥାନ୍ତି । ଦେଖାଯାଇଥାଏ ଏହି ମଶା କାମୁଡ଼ିବାର ପାଞ୍ଚଛଅ ଦିନ ପରେ ଡ଼େଙ୍ଗୁର ଲକ୍ଷଣ ଦେଖାଯାଇଥାଏ । ଏହି ଭୂତାଣୁ ଶରୀରରେ ଚାରିରୁ ଦଶଦିନ ପର୍ଯ୍ୟନ୍ତ ରହିଥାଏ । ଡ଼େଙ୍ଗୁ ଭୂତାଣୁ ଶରୀରର ବିଭିନ୍ନ ଅଙ୍ଗକୁ ଅଚଳ କରିଥାଏ । ଡେଙ୍ଗୁ ଯୋଗୁଁ ରକ୍ତଚାପ କମିଯାଏ, ଶରୀରରେ ପ୍ଲାଟିଲେଟ ହ୍ରାସ ପାଇଥାଏ । ଡେଙ୍ଗୁ ଭୂତାଣୁ ଜଣ୍ଡିସ୍ରୋଗ ସୃଷ୍ଟି କରିବାର ସମ୍ଭାବନା ବି ରହିଛି । ଏହା ଯକୃତ, ବୃକକ୍, ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । କେବଳ ସେତିକି ନୁହେଁ ଡେଙ୍ଗୁ ଯୋଗୁଁ ମଲ୍ଟି ଅର୍ଗାନ ଫେଲୁଅର ହେବାର ସମ୍ଭାବନା ବି ରହିଛି । ଡେଙ୍ଗୁ ଭୂତାଣୁ ଯକୃତ ଉପରେ ବିଶେଷ ପ୍ରଭାବ ପକାଇଥାଏ । ଯକୃତର ଏନ୍ଜାଇମ ଗୁଡ଼ିକ ବଢ଼ିଯାଏ । ଜଣ୍ଡିସ୍ ଦେଖାଦିଏ ଓ ଜଣ୍ଡିସ୍ ବଢ଼ିଗଲେ ଯକୃତ ପୁରାପୁରି ଅକାମି ହୋଇଯାଏ । ଏହାକୁ ଏକୁ୍ୟଟ୍ ଲିଭର ଫେଲୁଅର କୁହନ୍ତି ।
ଏହି ଜ୍ୱରର ଯନ୍ତ୍ରଣା ଦାୟକ ଅବଧି ତିନିଦିନରୁ ଦୁଇସପ୍ତାହ ରହିଥାଏ । କିନ୍ତୁ ବିଶେଷକରି ପାଞ୍ଚଛଅ ଦିନ ପ୍ରାରମ୍ଭିକ ଅବସ୍ଥାରେ ମାଂସପେଷୀ ଓ ଗଣ୍ଠି ବ୍ୟଥା ହୋଇ ଯନ୍ତ୍ରଣାଦାୟକ ହୁଏ । ରୋଗୀର ମୁଣ୍ଡବିନ୍ଧା ଓ ଆଖିର ପଛପଟ ବିନ୍ଧା ହେବା ସହ ଖାଇବା ପ୍ରତି ଆଗ୍ରହ କମିଯାଏ । ଖାଦ୍ୟର ସ୍ୱାଦ ରୋଗୀଟି ଜାଣିବାକୁ ସମର୍ଥ ହୋଇନଥାଏ । କେତେକ ରୋଗୀଙ୍କ କ୍ଷେତ୍ରରେ ମୁହଁ ଲାଲ ଦିଶିଥାଏ । ତେବେ ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି ଜ୍ୱର ହେବାର ଦିନେ ଦୁଇଦିନ ଭିତରେ ଶରୀରର ବିଭିନ୍ନ ଅଂଶରେ ଲାଲି ରଙ୍ଗର ମିଳିମିଳା ଭଳି ଚାରିଆଡ଼େ ଫଳି ଯାଏ । ରୋଗୀଟିକୁ ଜ୍ୱର ପ୍ରାୟତଃ ଲାଗି ରହିଥାଏ । ନାକରୁ ପାଣି ବୋହିବା ସହ ଖାଦ୍ୟନଳୀରେ ଯନ୍ତ୍ରଣା ଦେଖାଯାଏ ଏବଂ ବେଳେବେଳେ ପତଳା ଝାଡ଼ା ମଧ୍ୟ ହୋଇଥାଏ । ଦେହରୁ ଯଥେଷ୍ଟ ପରିମାଣରେ ଝାଳ ବୋହିବା ଦ୍ୱାରା ରୋଗୀ ଜଣଙ୍କ ଅତ୍ୟନ୍ତ ଦୁର୍ବଳ ଅନୁଭବ କରିଥାନ୍ତି । ଏହି ସମ୍ବେଦନଶୀଳ ରୋଗ ହୋଇଥିଲେ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଜରୁରୀ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଡେଙ୍ଗୁର ପାର୍ଦୁଭାବକୁ ଚାରିଟି କ୍ରମରେ ବିଭକ୍ତ କରିଛନ୍ତି । ଏହି କ୍ରମ ଗୁଡ଼ିକ ହେଲା - ଜ୍ୱର ସହିତ କିଛି କ୍ଷେତ୍ରରେ ବାନ୍ତି ହେବା ସହ ନିଦ୍ରା ହୋଇନଥାଏ । ରୋଗୀଟି ପ୍ରାୟତଃ ଅସ୍ଥିର ରହି ଦୀର୍ଘ ସମୟ ଧରି କାନ୍ଦି ଥାଏ । ନିଶ୍ୱାସ ନେବାରେ କଷ୍ଟ ହେବା ସହ ଦ୍ୱିତୀୟ କ୍ରମରେ ଶରୀରର ନାକ, ପାଟି, ଦାନ୍ତମାଢ଼ିରୁ ରକ୍ତସ୍ରାବ ହୋଇଥାଏ । ତୃତୀୟ କ୍ରମରେ ରକ୍ତଚାପ କମିଯିବା ସହ ନାଡ଼ିର ଗତି ଦୁର୍ବଳ ହୋଇଥାଏ । ଚତୁର୍ଥ କ୍ରମରେ ନାଡ଼ିର ସ୍ପନ୍ଦନ ଜଣା ନପଡ଼ିଲେ ଏବଂ ରକ୍ତଚାପ କମିଗଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଭୟ ବି ରହିଥାଏ । ଏହାକୁ ଯଥାକ୍ରମେ ଡେଙ୍ଗୁ ଜ୍ୱର ଓ ଡେଙ୍ଗୁ ରକ୍ତଜ୍ୱର ଓ ଡେଙ୍ଗୁ ସକ୍ସିଣ୍ଡ୍ରୋମ କୁହାଯାଏ । ଲିଭର ସଂକ୍ରମଣ ସାଧାରଣତଃ ମହିଳା ଓ ଶିଶୁମାନଙ୍କ ଠାରେ ବିଶେଷ ଭାବେ ଦେଖାଦିଏ ଏବଂ ଏମାନଙ୍କ କ୍ଷେତ୍ରରେ ଡେଙ୍ଗୁର ପ୍ରାର୍ଦୁଭାବ ବେଶୀ । ଡାଇବେଟିସ୍, ଆଜ୍ମା, କ୍ରୋନିକ୍ ଲିଭର ଡିଜିଜ ଓ ଅନ୍ୟାନ୍ୟ ରୋଗୀଙ୍କୁ ଡେଙ୍ଗୁ ହେଲେ ଡେଙ୍ଗୁର ପ୍ରାର୍ଦୁଭାବ ବିଶେଷ ଭାବେ ଉପଲବ୍ଧି ହୁଏ । ଯକୃତ ଆକ୍ରାନ୍ତ ହେଲେ ପେଟ ବ୍ୟଥା ହୁଏ, ଭୋକ କମିଯାଏ, ବାନ୍ତି ହୁଏ, ପେଟରେ ଓ ଛାତିରେ ପାଣି ଜମିଯାଏ । ଯକୃତ ଫୁଲିଯାଏ ଓ ବେଳେ ବେଳେ ବ୍ରେନ୍ ଓ ହୃତ୍ପିଣ୍ଡ ମଧ୍ୟ ଆକ୍ରାନ୍ତ ହୁଏ । ଏହି ଭୂତାଣୁ ସିଧାସଳଖ ଲିଭରକୁ ଆକ୍ରମଣ କରନ୍ତି । ବେଳେ ବେଳେ ରୋଗପ୍ରତିରୋଧକ ଶକ୍ତିର ପରିବର୍ତ୍ତନ ଯୋଗୁଁ ମଧ୍ୟ ଲିଭର କୋଷ ଆକ୍ରାନ୍ତ ହୁଏ । ଦେହରେ ଆଲବୁମିନ୍ କମିଯାଏ ଓ ଦେହ ହାତ ଫୁଲିଯାଏ । ରକ୍ତଜମାଟ ବାନ୍ଧିବା ପଦ୍ଧତି ବା ସ୍କନ୍ଦନରେ ମଧ୍ୟ ତ୍ରୁଟି ଦେଖାଦିଏ । ଯକୃତ ଖରାପ ହେବା ଯୋଗୁଁ ଶରୀରରେ ସ୍କନ୍ଦନ ଉପାଦାନ କମିଯାଏ ଓ ରକ୍ତ ଜମାଟ ବାନ୍ଧି ନପାରି ବିଭିନ୍ନ ଅଂଶରେ ବ୍ଲିଡିଂ ବା ରକ୍ତସ୍ରାବ ହୁଏ ।
ଯଦିଓ ଏହା ଏକ ଭୟାବହ ରୋଗ କିନ୍ତୁ ଅଧିକାଂଶ କ୍ଷେତ୍ରରେ ରୋଗୀମାନେ ଆରୋଗ୍ୟ ଲାଭ କରନ୍ତି । ଏହି ରୋଗର ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଏ । ଶରୀରରେ ପ୍ଳାଟିଲେଟ ଓ ସ୍କନ୍ଦନ ଉପାଦାନ କମିଗଲେ ରୋଗୀକୁ ପ୍ଲାଟିଲେଟ ଦିଆଯାଏ । ବେଳେ ବେଳେ ଆଲବୁମିନ୍ ମଧ୍ୟ ଦେବାକୁ ପଡ଼େ । ଜଣ୍ଡିସ୍ ରୋଗର ଚିକିତ୍ସା ମଧ୍ୟ କରିବାକୁ ପଡ଼ିଥାଏ । ବାନ୍ତି, ଜ୍ୱର ଓ ଡିହାଇଡ୍ରେସନ୍ ହେଲେ ତଦନୁଯାୟୀ ଚିିକିତ୍ସା କରିବାକୁ ପଡ଼େ । ବେଳେ ବେଳେ ଗୁରୁତର ରୋଗୀଙ୍କୁ ଆଇସିୟୁରେ ମଧ୍ୟ ରଖାଯାଏ । ଯକୃତ ଅକାମି ହେଲେ ଭେଣ୍ଟିଲେସନ୍ର ମଧ୍ୟ ଆବଶ୍ୟକତା ରହିଛି । ଡେଙ୍ଗୁ ଆକ୍ରାନ୍ତ ହେଲେ ତୁରନ୍ତ ଚିକିତ୍ସଙ୍କ ପରାମର୍ଶ ନିଅନ୍ତୁ । ବିଶେଷ ଭାବରେ ଭୟଭୀତ ନହୋଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ହସ୍ପିଟାଲରେ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । ଘର ପରିବେଶରେ ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରନ୍ତୁ । ଦୀର୍ଘ ଦିନ ଧରି ଜମି ରହିଥିବା ଜଳୀୟଆବର୍ଜନାର ନିଷ୍କାସନ ବ୍ୟବସ୍ଥା କରନ୍ତୁ । ମଶା ମାରିବା ପାଇଁ ତୁରନ୍ତ ସ୍ପ୍ରେ ବ୍ୟବସ୍ଥା ଏବଂ ସନ୍ଧ୍ୟାରେ ମଶା ଧୂଆଁ ଦିଅନ୍ତୁ । ପରିବାରରେ ସମସ୍ତେ ମଶାରୀ ଟାଙ୍ଗି ଶୋଇବା ଖୁବ୍ ଭଲ । ଘରେ ଥିବା ଛୋଟ ପିଲାମାନଙ୍କୁ ଫୁଲ୍ ହାତ ଓ ଫୁଲ୍ ଗୋଡ଼ ପର୍ଯ୍ୟନ୍ତ ଲମ୍ବା ପ୍ୟାଣ୍ଟ ସାର୍ଟ ପିନ୍ଧାନ୍ତୁ । ଧୂଳି, ଧୂଆଁ ଓ ଆବର୍ଜନା ଠାରୁ ରୋଗୀଟିକୁ ଦୂରେଇ ରଖନ୍ତୁ । ଗରମ ଖାଦ୍ୟ ଖାଇବାକୁ ଦେବା ସହ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଯଥେଷ୍ଟ ପରିମାଣରେ ରୋଗୀଟିକୁ ପିଇବା ପାଣି ଦିଅନ୍ତୁ । ତାଙ୍କର ପିନ୍ଧିବା ଲୁଗାପଟା ଠାରୁ ସେ ବିଶ୍ରାମ ନେଉଥିବା ବିଛଣା ପତ୍ର ମଧ୍ୟ ଭଲଭାବରେ ସଫାସୁତୁରା ହୋଇ ଖରାରେ ଶୁଖାଇବା ଜରୁରୀ । ଗାଧୋଇବା ସମୟରେ ପରିଷ୍କାର ପରିଚ୍ଛନ୍ନ କରି ବିଶୋଧିତ ଜଳରେ ପିଲାଟିକୁ ସ୍ନାନ କରାନ୍ତୁ । ରୋଗୀଟିକୁ ଭଲ ଭାବରେ ଯେପରି ନିଦ ହୁଏ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ପରିବେଶର ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନ ଉପରେ ଡେଙ୍ଗୁର ନିରାକରଣ ନିର୍ଭର କରେ । ଡ୍ରେନ୍ ମାନଙ୍କରେ ମଶାମରା ଔଷଧ ଓ ମଶା ଧୂଅାଁ ଦେବାର ବନେ୍ଦାବସ୍ତ ହେଲେ ଭଲ । ଶିଳ୍ପାଞ୍ଚଳ ଓ ଖଣିଖାଦାନରେ ପାଣି ନ ଜମିବା ଓ ବୃକ୍ଷରୋପଣ ଇତ୍ୟାଦିର ବନେ୍ଦାବସ୍ତ କଲେ ମଶାମାନେ ବଢ଼ିପାରିବେ ନାହିଁ । ସ୍ୱଚ୍ଛ ଭାରତ ଯୋଜନାର ଉପଯୁକ୍ତ ରୂପାୟନରେ ଡେଙ୍ଗୁର ନିରାକରଣ ହୋଇପାରିବ । ଡେଙ୍ଗୁ ପାଇଁ ସମ୍ପ୍ରତି ସରକାର ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଜିଲ୍ଲାସ୍ତରୀୟ ହସ୍ପିଟାଲ ଏବଂ ବଡ଼ ମେଡ଼ିକାଲ ସବୁଠି ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି । ରୋଗୀମାନଙ୍କୁ ମାଗଣାରେ ଚିିକିତ୍ସା ଯୋଗାଇ ଦେବା ପାଇଁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନା ପରିଦର୍ଶନ କରି ସମସ୍ତ ପ୍ରକାର ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା କରିଛନ୍ତି । ସ୍ୱାସ୍ଥ୍ୟର୍କମୀଙ୍କ ଦ୍ୱାରା ବିଭିନ୍ନ ସଚେତନଧର୍ମୀ ସୂଚନା ପ୍ରଦାନ ସହ ଡ୍ରେନ୍ରେ ମଶା ତେଲ ଓ ସନ୍ଧ୍ୟାବେଳେ ମଶାଧୂଆଁର ବ୍ୟବସ୍ଥା କରାଯାଇଛି । ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡେଙ୍ଗୁ ୟୁନିଟ୍ ଖୋଲା ଯିବା ସହ ଭେଷଜ ବିଭାଗର ପ୍ରଫେସର ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଚିକିତ୍ସକ ମଣ୍ଡଳୀ ଗଠନ କରାଯାଇଛି । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ନିୟନ୍ତ୍ରଣ, ଚିକିତ୍ସା ଓ ଏହାକୁ ନେଇ ସାଧାରଣରେ ସଚେତନତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଓ ଯୋଜନା ହାତକୁ ନେଇଛନ୍ତି । ଏ କ୍ଷେତ୍ରରେ ତୁଟୁକା ତୁଟୁକି ଚିକିତ୍ସା ବା ବିଶ୍ୱାସ ଅପେକ୍ଷା ସରକାରୀ ଚିକିତ୍ସା ଓ ସହାୟତା ହିଁ ନିର୍ଭରଯୋଗ୍ୟ ଓ ଜରୁରୀ । ସହରାଞ୍ଚଳରେ ସରକାର ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଡେଙ୍ଗୁର ଭୟାବହତା ଓ ସଚେତନତା ପାଇଁ ପ୍ରଚାର ଗାଡ଼ି ଠାରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ସବୁଠାରୁ ବଡ଼ ଜରୁରୀ ।
ମୋ : ୯୪୩୭୦୫୧୯୫୭