ସଂଯମିତ ଜୀବନଶୈଳୀ ଓ ସ୍ୱାସ୍ଥ୍ୟ

ମଣିଷ ଆନନ୍ଦ ଖୋଜୁଛି । ଏଥିଲାଗି ଯାବତୀୟ ଭୋଗବିଳାସକୁ ଆପଣାଉଛି । ଆଧୁନିକ ଜୀବନଶୈଳୀ, ଉପଭୋଗର ଲାଳସା ଭିତରେ ସେ ସୁଖର ସନ୍ଧାନ କଲାବେଳେ ତାକୁ ମାଡ଼ି ବସୁଛି ଯାବତୀୟ ରୋଗ । ପୁରୁଣାକାଳିଆ ଲୋକେ କହନ୍ତି ଆଗେ କୁଆଡ଼େ ଏତେ ରୋଗ ନଥିଲା । ଏହାର ଦୁଇଟି ଅର୍ଥ ହୋଇପାରେ - ପ୍ରଥମତଃ ପ୍ରଦୂଷିତ ଜଳବାୟୁ, ପରିବେଶ, ବାତାବରଣ, ଖାଦ୍ୟପେୟ ଯୋଗୁଁ ନୂଆ ନୂଆ ରୋଗ ମଣିଷକୁ ଆକ୍ରମଣ କରୁଛି ।  ତେବେ ସେ ଯାହାକି ହେଉ ଏକଥା ନିରାଟ ସତ୍ୟ ମଣିଷ ଦିନକୁ ଦିନ ଅଧିକରୁ ଅଧିକ ପ୍ରକାର ରୋଗର ଶିକାର ହେଉଛି ।   କ୍ୟାନ୍ସର, ଏଡ଼୍ସ, ମାରାତ୍ମକ ହେଉଥିବାବେଳେ ଡାଇବେଟିସ, ଉଚ୍ଚରକ୍ତଚାପ ପରି ଘରେ ଘରେ ବ୍ୟାପିଗଲାଣି । 
ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ସମଗ୍ର ବିଶ୍ୱରେ ମଧୁମେହ ଦିବସ ଭାବେ ପାଳନ କରାଯାଏ । ଏଡି ଦିବସ ୧୯୯୧ ମସିହାରୁ ପାଳିତ ହୋଇ ଆସୁଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ହେଲା ମଧୁମେହ ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ବିଶ୍ୱରେ ମଧୁମେହ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ନିୟୁତରେ ପହଞ୍ଚôଥିବାବେଳେ ୨୦୪୦ ସୁଦ୍ଧା ଏହା ୬୪୦ ନିୟୁତରେ ପହଞ୍ଚôବ ବୋଲି ଆକଳନ କରାଗଲାଣି, ଅର୍ଥାତ୍ ପ୍ରତି ୧୦ଜଣରେ ଜଣେ ମଧୁମେହରେ ଆକ୍ରାନ୍ତ ହେବାର ଆଶଙ୍କା ଦେଖାଦେଲାଣି । ଏମାନଙ୍କ ଭିତରେ ୩୧୬ ନିୟୁତ ଲୋକ ଭୟଙ୍କର ବା ଟାଇପ-୨ ମଧୁମେହରେ ଆକ୍ରାନ୍ତ ।  ମଧୁମେହ କେବଳ ବ୍ଲଡ଼ ସୁଗାର ଭିତରେ ସୀମିତ ନୁହେଁ ଏଥିଯୋଗୁଁ ଶରୀରର ପ୍ରାୟ ସବୁ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହେଉଛି । ହୃଦ୍ରୋଗ, କିଡ଼ନୀ, ଚକ୍ଷୁ, ପାଦ ଆଦି ପ୍ରଭାବିତ ହେଉଛି । ଓଡ଼ିଶାରେ ପ୍ରାୟ ୩୦ ଲକ୍ଷରୁ ଊଦ୍ଧ୍ୱର୍ ଏହି ରୋଗରେ ଆକ୍ରାନ୍ତ । ରାଜ୍ୟର ଗ୍ରାମାଞ୍ଚଳରେ ୬ରୁ ୭ ପ୍ରତିଶତ ଓ ସହରାଞ୍ଚଳରେ ୯ରୁ ୧୨ ପ୍ରତିଶତ ଏଥିରେ ଆକ୍ରାନ୍ତ । ସରକାର ଏବେ ମଧୁମେହର ଚିକିତ୍ସା ଲାଗି ବିଶେଷ ବ୍ୟବସ୍ଥା କରୁଛନ୍ତି । ରାଜ୍ୟର ଅନେକ ଜିଲ୍ଲାରେ ନ୍ୟାସନାଲ ପ୍ରୋଗ୍ରାମ ଫର ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ ଅଫ୍ କ୍ୟାନସର ଡାଇବେଟିସ, ସିଭିଡି ଏବଂ ଷ୍ଟ୍ରୋକ୍ସ କାର୍ଯ୍ୟକ୍ରମ ଜରିଆରେ ଚିକିତ୍ସା ସେବା ମାଗଣାରେ ଯୋଗାଇବାର ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୨.୩୪ ଲକ୍ଷ ମଧୁମେହ ରୋଗୀ ଠାବ କରାଯାଇ ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । ସେମାନଙ୍କ ଭିତରୁ ଇତିମଧ୍ୟରେ ୨.୮୬ ଲକ୍ଷ ଡାଇବେଟିସରେ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ନିୟମିତ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । 
ଆଜିକାଲି ଫାଷ୍ଟ ଫୁଡ, ଜଙ୍କଫୁଡ, ଶ୍ୱେତସାର ତଥା ତୈଳଯୁକ୍ତ ଖାଦ୍ୟ ଯୋଗୁଁ ମଧୁମେହ ବ୍ୟାପୁଛି । ଆଧୁନିକ ଜୀବନଶୈଳୀରେ ଏ ଧାରା ବଦଳିଯିବା ସହିତ ଛୋଟଠୁ ବଡ଼ ସମସ୍ତେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏମିତିକି ଦୁର୍ଗମ ଗ୍ରାମାଞ୍ଚଳରେ ଏହି ରୋଗ ବ୍ୟାପୁଥିବାରୁ ଲୋକେ ନାନାଦି ସମସ୍ୟାର ଶିକାର ହେଉଛନ୍ତି । ସ୍ୱାସ୍ଥ୍ୟ ସେବା ସୁବିଧା ନଥିବାରୁ ରୋଗ ନିରୂପଣରେ ବିଳମ୍ବ କାରଣରୁ ରୋଗୀ ଭୟାନକ ରୋଗରେ ପ୍ରାଣ ହରାଉଛନ୍ତି ।  ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷ ପାଦ, ଚକ୍ଷୁ, ଦାନ୍ତ ଓ ଦାନ୍ତମାଢ଼ିର ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ । ଏକ ସୁସ୍ଥ, ନିୟନ୍ତ୍ରିତ, ସଂଯମଶୀଳ ଜୀବନଚର୍ଯ୍ୟା ହିଁ ମଧୁମେହ କବଳରୁ ମୁକ୍ତ କରିପାରିବ । ମଧୁମେହ ଲାଗି ବ୍ୟାୟାମ ଏକ ଅତ୍ୟାବଶ୍ୟକ କାର୍ଯ୍ୟ ଯାହାକି ମଧୁମେହକୁ ନିୟନ୍ତ୍ରଣସ୍ତରକୁ ଆଣିଥାଏ । ଆପଣ ଭଲ ପାଉଥିବା ବା ଆନନ୍ଦ ନେଉଥିବା ଯେ କୌଣସି କାର୍ଯ୍ୟ ଚେଷ୍ଟାକରି କରନ୍ତୁ । ଖେଳିବା, ନାଚିବା, ଯୋଗ, ଚାଲିବା ଏବଂ ପହଁରିବା ହେଉଛି ତନ୍ମଧ୍ୟରୁ କେତୋଟି ଯାହାକି ଆପଣଙ୍କର ହୃଦ୍ସ୍ପନ୍ଦନ ହାର ବୃଦ୍ଧି କରିବାରେ ସାହାଯ୍ୟ ହୋଇଥାଏ । ବୃଦ୍ଧବ୍ୟକ୍ତି ଯେଉଁମାନଙ୍କର ଦୀର୍ଘଦିନରୁ ଡାଇବେଟିସ୍ ରହିଛି, ସେମାନେ ମାଂସପେଶୀକୁ ଶକ୍ତିଶାଳୀ ରଖିବା ପାଇଁ ସକ୍ରିୟ ରହନ୍ତୁ, ଗତିଶୀଳତା ବଜାୟ ରଖନ୍ତୁ ଏବଂ ଇନ୍ସୁଲିନ୍ ସମ୍ବେଦନଶୀଳତା ରକ୍ଷା କରନ୍ତୁ । ଶାରୀରିକ ବ୍ୟାୟାମ ସାଙ୍ଗକୁ ନିୟନ୍ତ୍ରିତ ଆହାର ସାହାଯ୍ୟରେ ଜଣେ ରକ୍ତ ଶର୍କରା ଉପରେ ନିୟନ୍ତ୍ରଣ ଜାରି କରିପାରିବ ।
ଡା.ଗୁରୁପଦ ମିଶ୍ର