କେହି ଜଣେ ତ ଦେଖୁଛି
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଆମେ ଯାହା କରୁଛେ, ତାହା କାହାରି ନା କାହା ନଜରରେ କେମିତି ଅଛି ସେ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ଆମ ଜୀବନ କାଳ ଭିତରେ ଆମେ ଯାହା କିଛି କରୁଛୁ ସେଥିମଧ୍ୟରୁ କିଛି କାର୍ଯ୍ୟ କେବଳ ଆମ ନିଜ ପାଇଁ ଗୋପନୀୟ । ଆଉ ଅନ୍ୟ କେହି ନଜାଣନ୍ତୁ ବୋଲି ଆମେ ଚାହୁଁ । ଅଥଚ ପ୍ରକୃତ ପକ୍ଷେ ଏ ପୃଥିବୀରେ ୮୦୦ କୋଟି ଲୋକ ଅଛନ୍ତି ଏବଂ ସେମାନଙ୍କର ୧୬୦୦ କୋଟି ଆଖି ଅଛି । ଯେତେ ଗୋପନୀୟ ଭାବରେ ଯାହାବି କରାଯାଉ, ନିଶ୍ଚିତ ରୂପେ କାହାରି ନା କାହାରି ନଜର ତା'ରି ଉପରେ ରହିଛି । ଯିଏ ଆମ ଉପରେ ନଜର ରଖିଛି ହୁଏତ ସେ ତାହା ପ୍ରକାଶ କରୁନାହିଁ , କିନ୍ତୁ ଆମର ପ୍ରତ୍ୟେକଟି କାର୍ଯ୍ୟ କାହାରି ନା କାହାରି ନଜରରେ ରହିଛି ।
ମନୁଷ୍ୟ ଜୀବନ କେବେହେଲେ ଏକୁଟିଆ ନୁହେଁ । ନିଜର ଦୁଇଟି ଆଖି ଅଛି । ଆମେ ବି ସମସ୍ତଙ୍କର କାର୍ଯ୍ୟ କଳାପ ଉପରେ ନଜର ରଖୁଛୁ । ଆମକୁ କେହି କେବେ ହେଲେ କହିନାହିଁ ଯେ ଅମୁକ ଲୋକ ଉପରେ ନଜର ରଖ । ହେଲେ ବି ଆମେ ଅନ୍ୟମାନଙ୍କ କାର୍ଯ୍ୟ କଳାପ ଉପରେ ନଜର ରଖିଥାଉ । ଆମ ବାଡିରେ ଫୁଟିଥିବା ଫୁଲ ଯେତେବେଳେ ଭୋରରୁ ଚୋରି ହୋଇଯାଏ ସେତେବେଳେ ଆମେ ହୁଏତ ଜାଣିପାରିନାହୁଁ, କିନ୍ତୁ ଆଉ କେହି ଜଣେ ଏ ଘଟଣା ଉପରେ ନଜର ରଖୁଛି । କାର୍ଯ୍ୟ ଯେତେ ଗୋପନୀୟ ହେଲେ ବି ତାହା କାହାରି ନା କାହାରି ନଜରରେ ରହିଛି । ଏପରିକି କୌଣସି ଏକ ଭିଡ଼ ଭିତରେ ଆମେ କିଛି ଗୋଟିଏ କରି ଦେଇ ଠକି ଚାଲିଯିବାକୁ ଚେଷ୍ଟା କରିଲେ ମଧ୍ୟ ଆମ ଉପରେ କେହି ଜଣେ ନଜର ରଖିଛି । କାରଣ ଭିଡ଼ ଭିତରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି । କାହାରି ସମୟ ନଥାଏ ସତ । ମାତ୍ର ଇଚ୍ଛା ନଥାଇ ମଧ୍ୟ ଆମ କାର୍ଯ୍ୟ ଉପରେ ଆଉ କେହି ନଜର ରଖିଥାଏ । ନିର୍ଦ୍ଦିଷ୍ଟ ଭାବରେ ଆମ ବିଷୟରେ ଜାଣିବା ପାଇଁ ହୁଏତ କେହି ନଜର ରଖିନଥାଇପାରେ । ଅଥଚ ଅନ୍ୟମନସ୍କ ଭାବରେ ମଧ୍ୟ ଆମ କାର୍ଯ୍ୟକଳାପକୁ କେହି ଜଣେ ଦେଖୁଛି । ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।