ଏ ପଥର କଥା କହେ

ମାୟାଧର ନାୟକ : ପୁରାଣ କଥା ଯେତେ ପୁରୁଣା, ପଥର କଥା ତା’ଠୁ କାହିଁ କେତେଗୁଣା ପୁରୁଣା  । ସେଇ ଶ୍ରୀରାମଚନ୍ଦ୍ର ସମୁଦ୍ରରେ ସେତୁ ବାନ୍ଧି ଲଂକାବିଜୟ କରିବାକୁ ପଣ କଲାବେଳେ କ’ଣ କରାଯିବ ଭାବିଲାବେଳକୁ ବୁଦ୍ଧିବାଟ ଦିଶିନଥିଲା ତାଙ୍କୁ । ସେ ଯୁଗରେ ସମୁଦ୍ରରେ ସେତୁବନ୍ଧ ପ୍ରତିଷ୍ଠା କରିବା କେବଳ ସଂଭବପର ହୋଇପାରିଥିଲା - ଆମେ ପଥରମାନେ ଯେତେବେଳେ ପ୍ରସ୍ତୁତ ହେଲୁ ଭାସମାନ ଭୂମିକାରେ ଥାଇ ପିଠି ପାତିଦେବୁ  । ପାଣିରେ ନ ବୁଡ଼ି ଆମେ ପତାଇଦେଲୁ ପିଠିଟିମାନ ଆମର - ଆଉ ତା’ ଉପରେ ଅସୁରସାମ୍ରାଜ୍ୟ ବିରୋଧରେ ଯୁଦ୍ଧ ଘୋଷଣା କରି ଲଙ୍କା ଅଭିମୁଖେ ଆଗେଇଚାଲିଲେ ସମ୍ମିଳିତ ନର ବାନର । ଏକ ଲକ୍ଷ୍ୟରେ ଏଇ ମହାସଂଗଠିତ ଐକ୍ୟ ଆଗରେ ଭୂଲୁଂଠିତ ହେଲା ବିଶାଳ ଆସୁରିକ ଅପଶକ୍ତି ।
ମୁନିମନୀଷୀ, ଋଷିମହର୍ଷିମାନେ ପୁରାଣରୁ ପୋଥିପତ୍ର ଯାଏଁ କେତେ କଥାର ନଥା ଛାଡ଼ିଯାଇ ନାହାନ୍ତି ! ନା କଥା ବୁଝିଛି ନା ନଥା ବୁଝିଛି ମଣିଷ ? ସେ ବୁଝିଛି କେବଳ ଜୟପରାଜୟର ବିବରଣୀ - ହତ୍ୟା, ଲୁଂଠନ, ବର୍ବରତାର ବୃତ୍ତାନ୍ତ  । ମାତ୍ର ଦୁଃସହ ଦୁଃଖରେ ମଣିଷ ବି କେମିତି ପଥର ହୋଇଯାଏ, ସେ କଥା ବୁଝିଛି କି?
ପ୍ରାଚୀନ ଲୋକଗଳ୍ପରେ ଅଛି ଏଇ କଥାଟି  ।
ଦୁଇ ସଂଗାତ ସେମାନେ  । ରଜାପୁଅ, ମନ୍ତ୍ରୀପୁଅ  । ଦିନେ ବାଟବଣା ହେଇ ଘୋର ବନସ୍ତରେ ଗୋଟିଏ ଗଛମୂଳେ ରାତି କାଟିଲେ ଦୁହେଁ  । ରଜାପୁଅ ଶୋଇଥାଏ, ମନ୍ତ୍ରୀପୁଅ ଜଗିଥାଏ । ଗଛଡ଼ାଳରେ କଥାବାର୍ତ୍ତା ହେଉଥାନ୍ତି ଦୁଇ ଚଢ଼େଇ  । ଗୋଟିଏ କହୁଥାଏ ଆରଗୋଟିକୁ - ଏ ଗଛମୂଳରେ ଆଜି ଯେଉଁ ରଜାପୁଅଟି ଶୋଇଛି, କାଲି ସୂର୍ଯ୍ୟ ବୁଡ଼ିବା ଆଗରୁ ତା’ର ମରଣ ନିଶ୍ଚିତ ।
ଆର ଚଢେଇଟି ପଚାରିଛି - ଏ ମରଣରୁ ତରିବା ପାଇଁ କ’ଣ କିଛି ଉପାୟ ନାହିଁ  । 
ପୂର୍ବ ଚଢେଇ କହିଛି - ଅଛି ଯେ, ହେଲେ ବିପଦ ଅଛି  । 
ଆର ଚଢେଇ - କି ବିପଦ? 
ତହୁଁ ପୂର୍ବ ଚଢେଇ ଉପାୟମାନ ବତାଇଦେଲା ପରେ ଚେତାଇ ଦେଇଛି - ଏ ଉପାୟ ଜାଣି ଯିଏ ରଜାପୁଅକୁ ଉଦ୍ଧାର କରିବ, ସିଏ ଏସବୁ କଥା କିନ୍ତୁ ଗୁପ୍ତ ରଖିବ । ଯଦି ଗୁପ୍ତକଥା ପ୍ରଘଟ କଲା, ତା’ହେଲେ ଜାଣ ସେ ପାଦରୁ ମୁଣ୍ଡଯାଏଁ ପଥର ହେଇଗଲା - ଅର୍ଥାତ୍ ବଂଚି ଥାଉଥାଉ ମଲା  । ଆର ଚଢେଇକୁ ରଜାପୁଅ କିପରି ମରଣଦାଢ଼ରୁ ବର୍ତ୍ତିପାରିବ, ତା’ର ଗୁପ୍ତଭେଦ କହିଦେଇସାରିବା ପରେ ବି ପୂର୍ବଚଢେଇଟି ଅତି ଦୁଃଖରେ କହିଲା - ଆମ ଚଢେଇଙ୍କ ଭାଷା କିଏ ବୁଝିବ ଯେ ରଜାପୁଅକୁ ବଂଚାଇପାରିବ? ହେଲେ ମନ୍ତ୍ରୀପୁଅକୁ ମାଲୁମ୍ ଥିଲା ଚଢେଇମାନଙ୍କ ଭାଷା  । ସକାଳ ହେଲା  । ମନ୍ତ୍ରୀପୁଅ ରଜାପୁଅକୁ ଉଠାଇ ରାଜ୍ୟ ଆଡ଼କୁ ବାଟ କଢ଼ାଇଲା  । ବାଟରେ ଯେତେ ବିପଦଆପଦ, ରଜାପୁଅର ଜୀବନ ପ୍ରତି ଯେତେ ମହାବିପତ୍ତି ଉପୁଜିଲେ ବି ସବୁକୁ ମନ୍ତ୍ରୀପୁଅ ଚଢେଇ କହିଥିବା ଗୁପ୍ତଭେଦ ଅନୁସାରେ ଗୋଟାକ ପରେ ଗୋଟାଏ ଟାଳିଦେବାରେ ସଫଳ ହେଲା  । ରଜାପୁଅ ଏକାବେଳକେ ତାଟକା  । ସେ ସଂଦେହ କଲା ଯେ ମନ୍ତ୍ରୀପୁଅ ଆଗରୁ ଜାଣିଲା ପରି କେମିତି ଏ ବିଘ୍ନବିପତ୍ତିରୁ  ତାକୁ  ଉଦ୍ଧାର କରିଦେଉଛି ?  ସେ  ଗୁଡ଼େଇତୁଡ଼େଇ ମନ୍ତ୍ରୀପୁଅକୁ ପ୍ରଶ୍ନ କଲା । ମନ୍ତ୍ରୀପୁଅ ଉତ୍ତର ଦେବାକୁ ଅମଙ୍ଗ ହେବାରୁ ତା’ର ସଂଦେହ ଆହୁରି ବଢିଲା । ଶେଷରେ ବାଧ୍ୟ ହୋଇ ମନ୍ତ୍ରୀପୁଅ କହିଲା: ସଂଗାତ, ଇଏ ଗୁପ୍ତଭେଦ । ୟାକୁ ପ୍ରଘଟ କଲେ ମୁଁ ପାଦରୁ ମଥାଯାଏଁ ପଥର ହେଇଯିବି  । ରଜାପୁଅ ହସିହସି କଥାଟାକୁ ଉଡେଇଦେଇ ତାକୁ ଅବିଶ୍ୱାସ କରିବାକୁ ଆରମ୍ଭ କଲା  । ମନ୍ତ୍ରୀପୁଅ ବିଚରା ଦୁଃଖରେ କଳା ପଡ଼ିଗଲା ସଂଗାତର ଅବିଶ୍ୱାସ ଅନୁଭବ କରି  । ବାଧ୍ୟ ହୋଇ ସେ ଗୁପ୍ତଭେଦ ରହସ୍ୟ ବୃତ୍ତାନ୍ତ ବଖାଣୁ ବଖାଣୁ ପାଦରୁ ବେକଯାଏଁ ପଥର ହେଇଆସିଲାବେଳକୁ ରଜାପୁଅର ଚେତା ପଶିଲା  । ବଂଧୁର ଏ ଅବସ୍ଥା ଦେଖି ସେ ଭୋ ଭୋ କାନ୍ଦି ପକାଇଲା.... ।
ମୁଁ ଏ ଲୋକଗଳ୍ପଟିର ଶେଷଭାଗ ଜାଣିଶୁଣି କହୁନି  । ଯେଉଁଠି ମନ୍ତ୍ରୀପୁଅ ପଥର ହେଇଗଲା, ସେଇଠି ମୋ ବକ୍ତବ୍ୟ ସାରୁଛି । ତମ ମଣିଷମାନଙ୍କୁ କେବଳ ଚେତାଇଦେଉଛି - ତମେସବୁ ସଂଦେହୀ ରଜାପୁଅର ଅୟସଭରା ଜୀବନ ବଂଚିବାକୁ ଚାହୁଚ, ମାତ୍ର ତମ ଚାରିପଟର ବଂଧୁପରିଜନମାନଙ୍କ କୁଶଳ କଥା କେବେହେଲେ ଚିନ୍ତୁନାହଁ - ତାଙ୍କୁସବୁ ପର ମଣି,  ପରତେ ନ ଯାଇ ପଥର ହେବାର ବାଟରେ ଛାଡ଼ିଦେଇ ଚାଲିଯିବାକୁ ଦ୍ୱିଧାବୋଧ କରୁନାହଁ ତିଳାର୍ଦ୍ଧ । ହଁ, ମୁଁ ଆଜି କହିବି ଯେ ଏମିତି ମଣିଷ ରୂପରେ ଅମଣିଷ ହେବା ଅପେକ୍ଷା ପଥର ହେବା ବରଂ ଶତଗୁଣେ ଶ୍ରେୟସ୍କର ।
ହେ ଆତ୍ମକୈନ୍ଦି୍ରକ ବସ୍ତୁଲୋଭୀ ମଣିଷ, ନିଜ ସଭ୍ୟତାର ଇତିହାସକୁ ଅନା । ଯେତେବେଳେ ସଭ୍ୟତାର ସମୟ ଆସି ନ ଥିଲା, ସେତେବେଳେ  ତମେସବୁ ରହୁଥିଲ ଘନ ଅନ୍ଧକାର ଯୁଗରେ - ସେ ଯୁଗ ଥିଲା ପ୍ରାଗୈତିହାସିକ ଯୁଗ  । ଜଙ୍ଗଲରେ ଫଳମୂଳ ଖାଇ ବଂଚୁଥିଲ  । ଯେଉଁଦିନ ତମେମାନେ ଜାଣିଗଲ ନିଆଁର ରହସ୍ୟ, ସେଇଦିନ ସଭ୍ୟତା ଅନୁଭବ କଲା ଆଲୋକର ସତ୍ୟତା । ଚକ୍ମକ ପଥରକୁ ଘଷି ଛୋଟପିଲାଟିଏ ଖେଳୁଖେଳୁ ନିଆଁର ଛିଟିକା ବାହାରିଲା । ସେ ଦୃଶ୍ୟ ଦେଖିଦେଇ ବଡ଼ମଣିଷଗୁଡ଼ାକ ଖୁସିରେ କୁରୁଳି ଉଠିଥିଲେ ସେଦିନ । ସେଦିନ ସେମାନେ ଜାଣିଗଲେ ନିଆଁ ଜଳାଇବାର କୌଶଳ  । 
ଏଇ ନିଆଁ ବଳରେ ସେମାନେ ଡରାଇରଖିଲେ ବଡ଼ବଡ଼ ଜଙ୍ଗଲି ଜାନୁଆର୍ଙ୍କୁ । କୁଟ୍ରା, ଠେକୁଆ, ହରିଣ, ସମ୍ବର, ବାର୍ହା ମାରି ସେମାନଙ୍କ ମାଂସଖଣ୍ଡକୁ ପୋଡ଼ି ଖାଇବାର ସ୍ୱାଦ ଶିଖିଗଲେ  । ସେତେବେଳେ ସବୁଆଡ଼ ଖାଲି ଅନ୍ଧାର ନ ଥିଲା, ବରାବର ବର୍ଷା ଆଉ ଶୀତ ଲାଗିରହୁଥିଲା - ଗୁଂଫା, ଗିରିଗୁହାବାସୀ ମଣିଷ ଗୋଟାଏ ଗୋଟାଏ ବଡ଼ ପଥରଖଣ୍ଡକୁ କବାଟ ପରି ମଧ୍ୟ କ୍ରମେ ବ୍ୟବହାର କଲେ  । ପଥରର ଶେଯ, ତକିଆରେ ଶୋଇଲେ  । ପଦାରେ ଡାଳପତ୍ରରେ ନିଆଁ ଲଗାଇ ଥଣ୍ଡାରୁ ବର୍ତ୍ତିଲେ ।
ନିଆଁ ଆସିଲା, ଅନ୍ଧାର ଗଲା, ସଭ୍ୟତା ଆରମ୍ଭ ହେଲା  । ପଥରକୁ ହତିଆର କରାଯିବା ପରେ ତମେ ମଣିଷମାନେ ଖାଲି ଜୀବଜନ୍ତୁକୁ ଶିକାର କଲନାହିଁ, ନିଜନିଜ ଭିତରେ କନ୍ଦଳ ଆରମ୍ଭ କରିଦେଲ - ସ୍ୱାର୍ଥ ପାଇଁ ନିଜ  ଭାଇବିରାଦରମାନଂକୁ ବି ହତ୍ୟା କରିବାକୁ ପଛାଇଲ ନାହିଁ  ।  ବାଇବେଲ୍ରେ ପଢ଼ିବ ତୁମ ପ୍ରଥମ ପାପର ଫର୍ଦ  । ଯେଉଁଦିନ ଭାଇ ହତ୍ୟା କଲା ଭାଇକୁ, ସେଇଦିନି ପ୍ରଥମ ପାପର ପ୍ରବେଶ । ତା’ପରେ ତ ତୁମ ସଭ୍ୟତାର ସୁଦୀର୍ଘ ଶୋଭାଯାତ୍ରା - ଦଳବଳ ଧରି ଗୋଷ୍ଠୀ ଗଢ଼ିଲ, ବାହିନୀ ଗଢିଲ, ଗୋତ୍ର ଓ ବଂଶ  ବିସ୍ତାରିଲ, ଦେଶେଦେଶେ ରାଜ୍ୟସାମ୍ରାଜ୍ୟର ଧ୍ୱଜ ଉତ୍ତୋଳନ କଲ  । ବହୁ ପ୍ରଜା, ଏକ ରଜା - ଅନେକ ପୋଇଲି, ଜଣେ ପାଟରାଣୀ - ଗଣସମାଜର କବର ଉପରେ ପ୍ରତିଷ୍ଠିତ ହେଲା ରାଜତନ୍ତ୍ର  । ରଜା-ରଜା ଭିତରେ ଲଢେଇରେ ତୁମ ଇତିହାସ ରକ୍ତାକ୍ତ । କିଏ କାହାର ସୁନ୍ଦରୀ ରାଣୀ ଉପରେ ଆଖି ପକାଇଲାଣି ତ ଆଉ କିଏ ଅନ୍ୟର ସଂଚିତ ଧନରତ୍ନ, ମୋତିମାଣିକ୍ୟମଣି ଉପରେ ଲାଖି ଗଲାଣି - ତାପରେ ରାଜ୍ୟବିସ୍ତାର - ସାମ୍ରାଜ୍ୟ ସ୍ଥାପନ । ହାତୀର ଖୋଜଚିହ୍ନ, ଘୋଡ଼ାର ଖୁରାଚିହ୍ନ ଆଉ ପଦାତିକର ପଦଚିହ୍ନରେ ପାଂଶୁଳ ତୁମ ଇତିହାସର ଅକ୍ଷର  । ତୁମେ ସେ ଇତିହାସ ପଢ଼ି ଗର୍ବ ଅନୁଭବ କରିଥାଅ, ପରବର୍ତ୍ତୀ ପିଢ଼ି ପାଇଁ ଛାଡ଼ିଯାଇଥାଅ ବିରଳ ବୀରତ୍ୱର ବିସ୍ତାରିତ ବିବରଣୀ; ମାତ୍ର ତୁମ ଇତିହାସର ଆରପଟେ ଯେଉଁ ବିଭୀଷିକା, ବିପର୍ଯ୍ୟୟ, ବ୍ୟଥାବେଦନାର ଆର୍ତ୍ତନାଦ - ବାଦବିସଂବାଦ - ନିର୍ଦୟ ନିପୀଡ଼ନ ଓ ନିର୍ଯାତନାର ନିରବଚ୍ଛିନ୍ନ ନିନାଦ - ରକ୍ତପାତ ଓ ଅଶ୍ରୁପାତର ସକରୁଣ ସ୍ୱରଶବ୍ଦ - ତା’ କ’ଣ କେବେ ହୃଦୟଙ୍ଗମ କରିଛ? ଦେଶଦେଶାଂତରବ୍ୟାପୀ ଦାରୁଣ ଯୁଦ୍ଧର ଦୁଂଦୁଭିନାଦ ମଧ୍ୟରେ ହଜିଯାଇଛି ଯୁଗଯୁଗାଂତର ଦୁଃଖ, ଦୀର୍ଘଶ୍ୱାସ ! ଏଇ ତୁମ ସଭ୍ୟତା - ବୀଭତ୍ସ ବର୍ବରତା  । ମାତ୍ର ମନେରଖ, ତୁମ ସଭ୍ୟତାର ପ୍ରଥମ ଦୁଇଟି ପର୍ଯ୍ୟାୟ ଆମ ପଥରମାନଙ୍କୁ ନେଇ ଚିହ୍ନିତ - ପ୍ରାଚୀନ ପ୍ରସ୍ତରଯୁଗ ଓ ନୂତନ ପ୍ରସ୍ତର ଯୁଗ  ।
ଆମେ  ପଥରମାନେ ସବୁ ଦେଖିଛୁ,  ସବୁ  ସହିଛୁ । ତୁମ ସଭ୍ୟତାରେ ପ୍ରଥମେ ଦେଖିଥିଲୁ ମାତୃପ୍ରଧାନ ସମାଜର ଚେହେରା  । ସେ ସମାଜରେ ନାରୀ ଥିଲା ନେତ୍ରୀ  । ନାରୀର ପରିଚୟରେ ଚିହ୍ନଟ ହେଉଥିଲା ଗଣ - ଗୋତ୍ର - କୁଳ  । ତୁମ ମଣିଷ ସମାଜର ପୁରୁଷମାନଙ୍କ ଦେହ ସହିଲା ନାହିଁ  । ସେମାନେ ନାରୀର ସର୍ବବିଧ ସହାୟତା ଓ ସାହଚର୍ଯ୍ୟ ପାଇ ସୁଦ୍ଧା ଅନ୍ତଃକରଣରେ କେବେହେଲେ ନାରୀର ମୁକ୍ତ ପଦକ୍ଷେପ, ସ୍ୱାଧୀନତା ପ୍ରତି ସମର୍ଥନ ଦେଉ ନ ଥିଲେ । ସେମାନେ ଭୁଲିଗଲେ ଯେ ପୃଥିବୀର ପ୍ରଥମ ଶସ୍ୟବୀଜର ଆବିଷ୍କର୍ତ୍ରୀ ହେଉଛି ନାରୀ  । ମଂଜିଟିରୁ ଗଛ ହୁଏ - ଏ ସତ୍ୟ ପୁରୁଷକୁ ପ୍ରଥମେ କହିଛି ନାରୀ । ସୁନାରୁପା, ହୀରାନୀଳାଠୁ କାହିଁ କେତେ ଦରକାରୀ ଫଳମୂଳ, ପନିପରିବା - ସ୍ୱର୍ଣ୍ଣକଣାଠାରୁ କେତେ ମହାର୍ଘ ଶସ୍ୟକଣା - ଏଇ ମହାଚେତନାର ମନ୍ତ୍ରଦାତ୍ରୀ ସେ । ସମାଜ ପ୍ରତି ତାର ଦାନ, ଅବଦାନ, ଅନୁଦାନ ଅତୁଳନୀୟ  । ସମାଜ ଯେତେବେଳେ ସ୍ଥିର ନ ଥିଲା, ଖୋଦ୍ ନିଜର ଓ ନିଜ ପାଳିତ ପଶୁପକ୍ଷୀଙ୍କ ଖାଦ୍ୟ ସନ୍ଧାନରେ ଯାଯାବର ପରି ଘୂରିବୁଲୁଥିଲା ଏ କ୍ଷେତ୍ରରୁ ସେ କ୍ଷେତ୍ର, ଏ ଅରଣ୍ୟରୁ ସେ ଅରଣ୍ୟ, ଏ ହ୍ରଦ-ଗିରିପର୍ବତରୁ ସେ କନ୍ଦର - ସେତେବେଳେ ତାକୁ ତା’ର ଚାରଣଭୂମିର କ୍ଳେଶକର ଅନୁସନ୍ଧାନ ଅଭିଯାନରୁ ନିବୃତ୍ତ କରାଇ କୃଷିଭିତ୍ତିକ ସଂସ୍କୃତି ଆଡ଼କୁ ମାର୍ଗ ଦେଖାଇଲା ନାରୀ । ମଣିଷ ଘର କଲା, ନଦୀକୂଳର ଉପକଣ୍ଠରେ, ଅବବାହିକାରେ ବସତି ବିସ୍ତାରିଲା, ବସତି ପରେ  ସଂପତ୍ତି ସଂଚୟ ଦିଗରେ ଧ୍ୟାନ ଦେଲା  । ଏଇଠି ଆସିଲା ସ୍ୱାର୍ଥୀ ମନୋଭାବ ।(କ୍ରମଶଃ)
         ଯାଜପୁର ରୋଡ, ଯାଜପୁର             ମୋ : ୯୮୬୧୦୩୪୧୬୩