କିଛି ନୁହଁ ସ୍ଥିର

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଏ ସଂସାରରେ କେମିତି କିଛି ମଧ୍ୟ ସ୍ଥିର ନୁହେଁ, ସେ ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଏ ପୃଥିବୀରେ କିଛି ବି ସ୍ଥିର ନୁହେଁ  । ପରିସ୍ଥିତି ସବୁବେଳେ ବଦଳେ । ଆଜି ଯିଏ ଦରିଦ୍ର କାଲି ସିଏ ହୁଏତ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇପାରେ  । ଠିକ୍ ସେହିପରି ଆଜି ଯିିଏ ଧନୀ କାଲି ସିିଏ ପରିସ୍ଥିତିରେ ପଡି ଗରିବ ହୋଇଯାଉଛି  ।
ଲକ୍ଷ୍ୟ କରିବାର କଥା ଯେ ପରିବର୍ତ୍ତିତ ଏ ପୃଥିବୀରେ ନିଜର କୌଣସି ଏକ ଭଲ ପରିସ୍ଥିତିକୁ ନେଇ କେବେ ବି ଗର୍ବ କରିବା ଉଚିତ୍ ନୁହେଁ  । ଗୋଟେ ପ୍ରାକୃତିକ ବିପର୍ଯ୍ୟୟ ବି ନିମିଷକ ମଧ୍ୟରେ ଧନୀକୁ ଦରିଦ୍ର କିମ୍ବା ଦରିଦ୍ରକୁ ଧନୀରେ ପରିଣତ କରି ଦେଇପାରେ  । ପରିସ୍ଥିତି କେତେବେଳେ କାହାକୁ ବଦଳାଇ ଦେବ ବା କାହାକୁ ନେଇ କୋଉଠି ଥୋଇ ଦେବ, ତାହାର ପୂର୍ବାନୁମାନ କେହି କରିପାରନ୍ତି ନାହିଁ  । ତେଣୁ ନିଜର ଧନ ଗର୍ବରେ ଅନ୍ୟମାନଙ୍କୁ ତାସôଲ୍ୟ କରିବା ଜୀବନର ସବୁଠାରୁ ବଡ ଭୁଲ୍  । ଏଭଳି କରୁଥିବା ବ୍ୟକ୍ତିମାନେ କେତେବେଳେ କିଭଳି ପରିସ୍ଥିତିର ସମ୍ମୁଖୀନ ହେବେ ତାହା କେହି କହିପାରିବେ ନାହିଁ  । କ୍ଷମତା ସବୁଦିନେ ସାଙ୍ଗରେ ଛିଡା ହୁଏ ନାହିଁ  । କ୍ଷମତାପ୍ରାପ୍ତି ଏକ ସାମୟିକ ଅବସ୍ଥା  । ଠିକ୍ ସେହିପରି ଧନ, ଯୌନବ, ଶକ୍ତି, ପ୍ରତିପତ୍ତି ଆଦି ସବୁ ହେଉଛି କ୍ଷଣିକ ମାତ୍ର  ।
ଆଜି ଜଣଙ୍କର ଭଲ ପରିସ୍ଥିତି ଅଛି ବୋଲି ଜଣେ ଜଣଙ୍କୁ ହୀନମାନ୍ୟ କରିପାରେ  । କିନ୍ତୁ ଅନ୍ୟକୁ ଦେଇଥିବା ଅପମାନ ନିଜେ ଭୁଲିଗଲେ ମଧ୍ୟ ଅପମାନିତ ହୋଇଥିବା ବ୍ୟକ୍ତି ଭୁଲେ ନାହିଁ । ଏଇଟା ଗୋଟେ ବଡ କଥା ନୁହେଁ  । ସୁଯୋଗ ଆସିଲେ ପ୍ରତିିଶୋଧ ନେବା ପାଇଁ ଏ ପୃଥିବୀରେ କେହି ପଛାଇ ନଥାନ୍ତି  । ଯେଉଁଠି ମଣିଷ ବନ୍ଧୁଟିଏ ସୃଷ୍ଟି କରିପାରୁନାହିଁ ସେଠାରେ ଶତ୍ରୁଟିଏ ସୃଷ୍ଟି କରିବା ଖୁବ୍ ସହଜ  । ଏହାକୁ ମନ ଭିତରେ ସବୁବେଳେ ରଖିବା ଉଚିତ୍  ।
ବନ୍ଧୁ ସୃଷ୍ଟି କରିବାକୁ ହେଲେ ଜୀବନବ୍ୟାପୀ ପରିଶ୍ରମ କରିବାକୁ ପଡ  । ବନ୍ଧୁ ସୃଷ୍ଟି କରିବା ଏକ ସାଧନା  । କିନ୍ତୁ ନିଜ ବ୍ୟବହାରରେ ସାମାନ୍ୟ ଟିକିଏ ତ୍ରୁଟି ପାଇଁ ବନ୍ଧୁ ଚିରଦିନ ପାଇଁ ଶତ୍ରୁ ହୋଇ ଯାଇପାରେ  । କିନ୍ତୁ ଗର୍ବୀ ମଣିଷ ଏହା ବୁଝିପାରେ ନାହିଁ  । ଆଜିର ପରିସ୍ଥିତି କାଲିକି ନଥାଏ ପରା  ।  କାହା ପାଇଁ ସବୁଦିନ ସମାନ ନଥାଏ  । ଦିନେ କ୍ଷମତା ପଳେଇଲେ ଏବଂ ନିଜର ପଛଦିନର ଖରାପ ବ୍ୟବହାର ଯୋଗୁଁ ନିଜେ ସୃଷ୍ଟି କରିଥିବା ଶତ୍ରୁମାନେ କେତେବେଳେ ବି ପ୍ରତିଶୋଧ ନେଇପାରନ୍ତି ବୋଲି କୌଣସି ପରିସ୍ଥିତିରେ ମଣିଷ ଭୁଲିବା ଉଚିତ୍ ନୁହେଁ  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।