ସାକାର ହେବ "ସବ୍କା ସାଥ୍, ସବ୍କା ବିକାଶ'ର ସଂକଳ୍ପ
ନୂଆଦିଲ୍ଲୀ/ଭୁବନେଶ୍ୱର : ସଂସଦରେ ୮ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ । ଏହି ବଜେଟ୍ରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଗରିବ, ଯୁବକ, ଅନ୍ନଦାତା, ମହିଳା ଓ ଏମ୍ଏସ୍ଏମ୍ଇ ଆଦି ଉପରେ ଫୋକସ ରହିଛି । ଅନ୍ୟପଟେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବଜେଟକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି " ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ତାହା ବିକଶିତ ଭାରତର ସଂକଳ୍ପ ପାଇଁ ଏକ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍ । ଗୋଟିଏ ଶିଶୁ ଜନ୍ମ ହେବା ପର ଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ତଥା ମାନବ ପୁଞ୍ଜିର ସର୍ବାଙ୍ଗୀନ ବିକାଶକୁ ଏହି ବଜେଟ୍ ପୂରଣ କରିବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଗରିବ, ମହିଳା, କୃଷକ, ଯୁବକ, ମଧ୍ୟବିତ୍ତ ଏବଂ ବଞ୍ଚିତ ବର୍ଗଙ୍କ ହିତରେ ଏକ ଉସôର୍ଗୀକୃତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ବିକଶିତ ଭାରତର ସଂକଳ୍ପକୁ ନୂଆ ଉଚ୍ଚତାରେ ପହଞ୍ଚାଇବ । ଏହି ବଜେଟ୍ "ସବକା ସାଥ୍, ସବକା ବିକାଶ'ର ସଂକଳ୍ପକୁ ସାକାର କରିବାର ବଜେଟ୍ । ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ । ପ୍ରତ୍ୟେକ ବର୍ଗଙ୍କୁ ସଶକ୍ତ କରୁଥିବା ଏହି ସର୍ବସ୍ପର୍ଶୀ ଓ ସମାବେଶୀ ବଜେଟ୍ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମଧ୍ୟବିତ୍ତଙ୍କ ପାଇଁ ମୋଦି ସରକାରଙ୍କ ତରଫରୁ ଏହା ବଡ ଉପହାର ବୋଲି ସେ କହିଛନ୍ତି ।