ଇଡ଼କୋ ଚାପି ବସିଛି ତ୍ରିପାକ୍ଷିକ ନିଷ୍ପତ୍ତି ଫାଇଲ
ଯାଜପୁର : ରାଜ୍ୟ ସରକାର ମେକ୍ ଇନ୍ ଓଡିଶା ଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରି ବଡ଼ ବଡ଼ ଉଦ୍ୟୋଗପତି ମାନଙ୍କୁ ଶିଳ୍ପ ବସାଇବାକୁ ଆମନ୍ତ୍ରଣ କରୁଛନ୍ତି । ନବେ ଦଶକରୁ ଆଜି ପର୍ଯ୍ୟନ୍ତ ଏସିଆ ମହାଦେଶର ଶିଳ୍ପରାଜଧାନୀ କଳିଙ୍ଗନଗରରେ ଜିନ୍ଦଲ, ଭିସା, ଟାଟା ଷ୍ଟିଲ, ରୋହିତ, ମେସ୍କୋ, ଦୀନବନ୍ଧୁ ଆଦି ଛୋଟ ବଡ ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ମୋଟ ପନ୍ଦରର ଅଧିକ କମ୍ପାନୀ ପାଦଥାପିଛନ୍ତି । ଏହାକୁ ଦେଖି କଳିଙ୍ଗନଗର ଶିଳ୍ପାଞ୍ଚଳ ପାଦଦେଶରେ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଇଡକୋ ଜରିଆରେ ବହୁ ଶିଳ୍ପପତି କଳିଙ୍ଗନଗରରେ ନୂତନ କାରଖାନା ବସିବା ପାଇଁ ଆଗେଇ ଆସୁଛନ୍ତି । ପନ୍ଦର ଏକର ପରିମିତ ଜମିରେ ଚାନ୍ଦିଆ ପଞ୍ଚାୟତର ଟାଙ୍ଗରସାହି ଠାରେ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗର ୩୫ ଗୋଟି ଛୋଟ ଶିଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଜଟିଆ ଷ୍ଟିଲ, ଇମ୍ଫା, ଭିସିଆଇ କେମିକାଲ, ଟାଟା ଗ୍ରୋଥ୍, ସନଭିରା, ବିକେ ଷ୍ଟିଲ ଆଦି କିଛି କମ୍ପାନୀ ଜନଶୁଣାଣୀ ଶିବିର ଆୟୋଜନ କରି ନିଜ ନିଜର ପାଚେରୀ କାମ ଶେଷ ପର୍ଯ୍ୟାୟକୁ ନେଇ ପାରିଛନ୍ତି । ବିଡମ୍ବନା ବା ପରିତାପର ବିଷୟ ଶିଳ୍ପ ପ୍ରତିଷ୍ଠା ଏବଂ ଶିଳ୍ପପତି ମାନଙ୍କ ପ୍ରତି କଳିଙ୍ଗନଗର ପ୍ରଶାସନ, ଇଡକୋ ସର୍ବପରି ରାଜ୍ୟ ସରକାର ଯେତିକି ଅନୁଗ୍ରହ ତତ୍ପରତା ଦେଖାଉଛନ୍ତି ବିସ୍ଥାପିତ ପରିବାରଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦେଖୁ ନାହାନ୍ତି । ସ୍ପଷ୍ଟ ଭାବେ କହିବାକୁ ଗଲେ ଶିଳ୍ପ ଦ୍ୱାରା ପ୍ରଭାବିତ ବା କ୍ଷତିଗ୍ରସ୍ତ ଗାଁ ଗୁଡ଼ିକର ଥଇଥାନକଥାକୁ ଗୁରୁତ୍ୱ ଦିଆଯାଉନି । ମଧ୍ୟମ-କ୍ଷୁଦ୍ର ଶିଳ୍ପ ଦ୍ୱାରା ଚାନ୍ଦିଆ ଗ୍ରାମ ପଞ୍ଚାୟତର କଚେରୀଗାଁ, ଅରାସାହି, ଟାଙ୍ଗରସାହି ଏବଂ ଜଖପୁରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁଡୁମୀସାହି ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହେବାର ଲକ୍ଷ୍ୟ କରି କଳିଙ୍ଗନଗର ବିସ୍ଥାପିତ ନୀତି ଅନୁଯାୟୀ ଚାରୋଟି ସାହିର୧୭୬ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ସହ ବିସ୍ଥାପିତ ଏବଂ ଥଇଥାନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବିସ୍ଥାପିତ ନୀତି ବହୁ ବର୍ଷ ପୂର୍ବର ଏହାକୁ ସଂଶୋଧନ କରିବା ଏବଂ ବୃଦ୍ଧି ହୋଇଥିବା ପରିବାରଙ୍କୁ ବିସ୍ଥାପିତ ତାଲିକାଭୁକ୍ତ ପାଇଁ ସାହି ପକ୍ଷରୁ ଏଡିଏମ ଅଫିସ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲାପାଳ, ଆରଡିସି, ଆଦିଙ୍କୁ ଦାବି ଯାଇଥିଲେ । ୨୦୨୩ ମସିହା ଅଗଷ୍ଟ ମାସରେ ଯାଜପୁର ଜିଲାର ବିଭିନ୍ନ ବ୍ଲକକୁ୫-ଟି ସଚିବ ଗସ୍ତକରି ସିଧାସଳଖ ଲୋକ ମାନଙ୍କ ଆପତି ଅଭିଯୋଗ ଗ୍ରହଣ କରିଥିଲେ । ସେହି ସମୟରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ତରବରିଆ ଭାବେ ସେବେକାର ଏଡିଏମ ସନ୍ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ତା୨୫ା୮ା୨୩ ରିଖରେ ଜେସିଡିଏଲ ଠାରେ ଏକ ତ୍ରିପାକ୍ଷିକ ବୈଠକ ଆୟୋଜନ କରାଯାଇଥିଲା । ବୈଠକରେ କଳିଙ୍ଗନଗର ପ୍ରଶାସନ, ଦାନଗଦୀ ତହସିଲଦାର, ଭୂ-ଅର୍ଜନ ଅଧିକାରୀ, ଇଡକୋ(ସିଇଓ), ବିସ୍ଥାପିତ ହେବାକୁଥିବା ପରିବାର, ଆଠ ଗୋଟି ନୂତନ କାରଖାନା ମୁଖ୍ୟ ଏବଂ ଗ୍ରାମ୍ୟ ଉନ୍ନୟନ ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷିକ ବୈଠକରେ କଚେରୀଗାଁ ୭୬ ପରିବାର, ଅରାସାହି ୫୯ ପରିବାର, ଟାଙ୍ଗରସାହି ୫୨ପରିବାର ଏବଂ କୁଡୁମୀ ସାହିର ୮୫ ପରିବାରଙ୍କୁ ମୋଟ ୨୫୨ ପରିବାରଙ୍କୁ ବିସ୍ଥାପିତ କରାଯିବା ସହ ସ୍ଥାୟୀ ନିଯୁକ୍ତି, ଘର ଅନୁଯାୟୀ କ୍ଷତି ପୂରଣ, ୧୦ଡିସିମିଲ ଜମିପଟ୍ଟା, ଥଇଥାନ ପାଇଁ କଲୋନୀ ବ୍ୟବସ୍ଥା ସହ ୨୦୦୫ ମସିହାର ମୂଳ ପରିବାରଙ୍କୁ ଅତିରିକ୍ତ ୩ଲକ୍ଷ ୮୫ ହଜାର ଟଙ୍କା ଅତିରିକ୍ତ କ୍ଷତି ପୂରଣ ପାଇଁ କଳିଙ୍ଗନଗର ପ୍ରଶାସନ, ଇଡକୋ ଏବଂ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଘଡାଇ ଉପସ୍ଥିତିରେ ଏହି ନିଷ୍ପତି ନିଆଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷିକ ବୈଠକକୁ ଦୀର୍ଘ ଆଠ ମାସରୁ ଅଧିକ ପୁରିଲାଣି । ହେଲେ ଏଯାବତ କଳିଙ୍ଗନଗର ଅତିରିକ୍ତ ଜିଲାପାଳ କାର୍ଯ୍ୟାଳୟ କିମ୍ବା ଇଡକୋ ମୁଖ୍ୟାଳୟ ତରଫରୁ ତ୍ରିପାକ୍ଷିକ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଅନୁମୋଦନ କରାଯାଉନି । ତ୍ରିପାକ୍ଷିତ ବୈଠକରେ ହୋଇଥିବା ନିଷ୍ପତ୍ତି ଫାଇଲକୁ ଇଡ଼କୋ ଚାପି ବସିଥିବାର ଅଭିଯୋଗ ହେଉଛି । ବିସ୍ଥାପିତ ପରିବାରଙ୍କ ପାଇଁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ହୋଇଥିବା ନିଷ୍ପତ୍ତିକୁ ଅନୁମୋଦନ ନକରି ନୂତନ କାରଖାନା ନିର୍ମାଣ ପାଇଁ ଇଡକୋ କର୍ତ୍ତୃପକ୍ଷ କିପରି ଅନୁମତି ଦେଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ବିସ୍ଥାପିତ ପରିବାରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।