ନକଲି ଡାକ୍ତର ଆସୁଛନ୍ତି କେଉଁଠୁ?
ରୋଗୀମାନଙ୍କ ଜୀବନ ସହ ଖେଳ ଖେଳି ନକଲି ଡ଼ାକ୍ତର ସରକାରୀ ଡ଼ାକ୍ତରଖାନାକୁ ଆସିବା ଅତ୍ୟନ୍ତ ଉଦ୍ବେଗର ବିଷୟ । ଆଦୌ ମେଡ଼ିକାଲ୍ ପାଠ ନ ପଢ଼ି ବର୍ଷ ବର୍ଷ ଧରି କିଭଳି ଭାବରେ ସେମାନେ ବିଭିନ୍ନ ସରକାରୀ ଡ଼ାକ୍ତରଖାନାରେ ଚାକିରି କରିଲେ ଏବଂ ଲୋକେ କୌଣସି ପ୍ରକାରର ଅଭିଯୋଗ କରିଲେ ନାହିଁ-ତାହା ବିଭାଗ ଜାଣିପାରିଲା ନାହିଁ । ଏହା ଠାରୁ ବଳି ଆଶ୍ଚର୍ଯ୍ୟକର ଘଟଣା ଆଉ କଣ ହୋଇପାରେ? ଏଭଳି ଘଟଣା ଦୃଷ୍ଟିକୁ ଆସିବା ପରେ ରୋଗୀଙ୍କ ମହଲରେ ଯେତିିକି ଚାଞ୍ଚଲ୍ୟ ଖେଳିଯାଇଛି ସ୍ୱାସ୍ଥ୍ୟ ବିଭାଗରେ ତାହା ଠାରୁ ଅଧିକ ଚାଞ୍ଚଲ୍ୟ ଖେଳିଯାଇଛି । କେଉଁ ଆଧାରରେ ଏବଂ କେଉଁ ଯୋଗ୍ୟତାରେ ସରକାରୀ ଡ଼ାକ୍ତରଖାନାରେ ସେମାନେ ଚାକିରି ପାଇଲେ ତାହାର କେବେ ଯାଞ୍ଚ୍ ହୋଇନାହିଁ । ଚାକିରି ପାଇବା ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା ତଥା ପ୍ରମାଣପତ୍ର ଗୁଡ଼ିକର ଯାଞ୍ଚ୍ କରାଯାଇଥିଲେ ହୁଏତ ନକଲି ସାର୍ଟିଫିକେଟ୍ ଧରା ପଡ଼ିଯାଇଥାନ୍ତା । ହେଲେ ଯାହା ଜଣାପଡୁଛି ନିଯୁକ୍ତି ସମୟରେ ସେଭଳି କୌଣସି ସାର୍ଟିଫିକେଟ୍ ଯାଞ୍ଚ୍ କରାଯାଇନାହିଁ । ସବୁଠାରୁ ବଡ଼ କଥା ହେଲା ଏଭଳି ଡ଼ାକ୍ତରମାନେ ବର୍ଷ ବର୍ଷ ଧରି କିପରି ରୋଗୀଙ୍କ ସେବା କରିଲେ । ଔଷଧ ବ୍ୟବହାର ପାଇଁ କିଭଳି ଚିଠା ଲେଖିଲେ । ଆଉ ଗୋଟିଏ ପ୍ରଶ୍ନ ଉଠୁଛି ଯେ ସେମାନେ ପ୍ରକୃତରେ ହସ୍ପିଟାଲ୍କୁ ଆସୁଥିଲେ ନା ଅନ୍ୟ କୌଣସି ଉପାୟରେ କେବଳ ଉପସ୍ଥାନ ଦେଖାଇ ହସ୍ପିଟାଲ୍ରୁ ଚାଲି ଯାଉଥିଲେ । ନକଲି ଡ଼ାକ୍ତରଙ୍କୁ ଧରିବା ପାଇଁ ଡ଼ାକ୍ତରମାନଙ୍କର ଯୋଗ୍ୟତା ଏବଂ ସାର୍ଟିଫିକେଟ୍ର ଯାଞ୍ଚ୍ କରାଯାଇଥିଲା । ଏହା ସତ୍ତ୍ୱେ ଆହୁରି ନକଲି ଡ଼ାକ୍ତର ରହିଯାଇଛନ୍ତି । କେବେ କେମିତି ଧରା ପଡୁଛନ୍ତି ଏହି ନକଲି ଡ଼ାକ୍ତର ।
ଓଡ଼ିଶା ହାଇକୋର୍ଟ୍ଙ୍କ ନିଦେ୍ର୍ଦଶକ୍ରମେ ନକଲି ଡ଼ାକ୍ତର ଚିହ୍ନଟ ପାଇଁ ମାର୍ଚ୍ଚ ମାସରେ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ରଣନୀତି ନିର୍ଦ୍ଧାରଣ କରିଥିଲେ । ଏଥିରେ ଡ଼ାକ୍ତରମାନଙ୍କର ଯୋଗ୍ୟତା, ପ୍ରମାଣପତ୍ର ଆଦି ଯାଞ୍ଚ୍ କରିବା, ଏଲୋପ୍ୟାଥିକ ଡାକ୍ତରଙ୍କ ପଞ୍ଜୀକରଣ ସମ୍ପର୍କିତ ନଥିପତ୍ର ଆଦି ଯାଞ୍ଚ୍ କରିବା ଅର୍ନ୍ତଭୁକ୍ତ ଥିଲା । ୱେବ୍ସାଇଟ୍ରେ ସମସ୍ତ ଡାକ୍ତରମାନଙ୍କ ତଥ୍ୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହା ଫଳରେ ସାଧାରଣ ଜନତା ଯେ କୌଣସି ଡ଼ାକ୍ତରଙ୍କ ଯୋଗ୍ୟତା ଯାଞ୍ଚ୍ କରିପାରିବା ଭଳି ବ୍ୟବସ୍ଥା ରଖାଯିବାର ପ୍ରସ୍ତାବ ମଧ୍ୟ ରହିଥିଲା । ତେବେ ସରକାର ଏତେ ପ୍ରକାରର ପଦକ୍ଷେପ ନେବା ପରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ସରକାରୀ ଡ଼ାକ୍ତରଖାନାର ଡ଼ାକ୍ତର ଘରୋଇ ଚିକିତ୍ସାରେ ବ୍ୟସ୍ତ ଆଉ ନକଲି ଡାକ୍ତର ସରକାରୀ ଡାକ୍ତରଖାନାରେ ରୋଗୀ ସେବା ବି କରୁଛନ୍ତି । ସବୁଠାରୁ ବଡ଼କଥା ହେଲା ଏହି ନକଲି ଡ଼ାକ୍ତରଙ୍କ ସମ୍ପର୍କରେ କୌଣସି ବି ତଥ୍ୟ ତାଙ୍କ ସହକର୍ମୀମାନେ ଜାଣିପାରିନାହାନ୍ତି ।
ନିକଟରେ ରାଉରକେଲା ସରକାରୀ ଡ଼ାକ୍ତରଖାନାରୁ ଜଣେ ନକଲି ଡ଼ାକ୍ତର ଗିରଫ ହୋଇଛନ୍ତି । ଗତବର୍ଷ ନଭେମ୍ବର ୬ ତାରିଖରେ ଢ଼େଙ୍କାନାଳରୁ ଜଣେ ନକଲି ଡ଼ାକ୍ତର ଗିରଫ ହୋଇଥିଲେ । ୨୦୨୨ ମସିହାରେ ଜଣେ ନକଲି ଡ଼ାକ୍ତରଙ୍କୁ ଗିରଫ କରାଯାଇଥିଲା । ୨୦୧୯ରେ ଆଉ ଜଣେ ନକଲି ଡ଼ାକ୍ତରଙ୍କୁ ଗିରଫ କରାଯାଇଥିଲା । ଏହିସବୁ ତାଲିକାକୁ ବିଶ୍ଳେଷଣ କରିଲେ ଦେଖାଯାଉଛି ଯେ ଡ଼ାକ୍ତରମାନେ ନିଯୁକ୍ତି ପାଇବା ସମୟରେ ସରକାରଙ୍କର ଯେଉଁ ବ୍ୟବସ୍ଥା ରହିଛି ସେଥିରେ ନିଶ୍ଚିତ ରୂପେ ତ୍ରୁଟି ରହିଛି । ଏହି ତ୍ରୁଟି ଗୁଡ଼କୁ ସୁଧାରିବା ପାଇଁ ପ୍ରଥମେ ସରକାର ପଦକ୍ଷେପ ନେବା ଆବଶ୍ୟକ । କାରଣ ନକଲି ଡ଼ାକ୍ତର ଚିହ୍ନଟ କରୁ କରୁ ଆହୁରି ନକଲି ଡ଼ାକ୍ତର ସରକାରୀ ଚାକିରି ଭିତରକୁ ପଶି ଆସିବା ସମ୍ଭବ ନୁହେଁ । ବିଭିନ୍ନ ଅପରାଧରେ ଗିରଫ ହୋଇଥିବା ବ୍ୟକ୍ତିମାନେ ବି ଡ଼ାକ୍ତର ହୋଇ ଚାକିରିରେ ପଶି ଆସୁଛନ୍ତି । ଏସବୁ ସମ୍ଭବ ହେଉଛି କେବଳ ଏକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ । ଏହାକୁ ସୁଧାରିବା ଆବଶ୍ୟକ ।